ଉପେନ୍ଦ୍ର ପାତ୍ର କହିଛନ୍ତି, “ରହିବା ପାଇଁ ଘର ନାହିଁ। ଚାଷ ଜମି ବି ନାହିଁ। ସାନ ଭାଇ ଘରୁ ବାହାର କରିଦେବା ପରେ କେନାଲ ପୋଲ ତଳେ ରହୁଛୁ। କୌଣସି ସରକାରୀ ସାହାଯ୍ୟ କିଛି ମିଳୁନାହିଁ। ଜଙ୍ଗଲରୁ କାଠ କାଟି ତାକୁ ବିକ୍ରି କରି ଚଳୁଛୁ। ପିଇବା ପାଇଁ ପାଣି ନାହିଁ। ବହୁଦୂରରୁ ପାଣି ଆଣି ପିଉଛୁ। ସରକାରୀ ବାବୁମାନଙ୍କୁ ସରକାରୀ ସାହାଯ୍ୟ ପାଇଁ କାକୁତି ବିନତି କରୁଛୁ। ହେଲେ ଆମ କଥା କେହି ଶୁଣୁ ନାହାଁନ୍ତି। ସରକାରଙ୍କ ତରଫରୁ ନିୟମିତ ଚାଉଳ,ଭତ୍ତା ଓ ରହିବା ପାଇଁ ଘର ବଖରାଏ ଦେବା ପାଇଁ ବାରମ୍ୱାର କାକୁତି ମିନତି କରିଛୁ। ହେଲେ ସୁଫଳ ମିଳିନାହିଁ। ବର୍ଷା ହେଲେ ଏଠାରେ ରହିବାକୁ ବହୁତ ଅସୁବିଧା ହେଉଛି। ରହିବାକୁ ଜାଗା ନ ଥିବାବେଳେ କେନାଲ ପୋଲ ତଳେ ରହିବାକୁ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଆମକୁ ମନା କରୁଛନ୍ତି। ଆମେ କେଉଁଠି ରହିବୁ? ସରକାରଙ୍କ ପାଖରେ ଗୁହାରି କରୁଛୁ ଆମକୁ ଘର,ଭତ୍ତା ଓ ଚାଉଳ ଦିଅନ୍ତୁ।”
ଚାଷ ଜମି ନ ଥିବା ବେଳେ ଘରଡିହରୁ ସାନଭାଇ ଦ୍ୱାରା ବିତାଡ଼ିତ ହୋଇ ନିଜ ପତ୍ନୀକୁ ଧରି ୭୫ବର୍ଷୀୟ ଉପେନ୍ଦ୍ର ପାତ୍ର କେନାଲ ପୋଲତଳେ ଜୀବନ କାଟୁଛନ୍ତି। କେନାଲ ପୋଲ ହେଉଛି ଉପେନ୍ଦ୍ରଙ୍କ ପାଇଁ ରହିବାର ଘର ଓ ବଞ୍ଚିବା ପାଇଁ ଏକ ଜାଗା। ସାଇକେଲ ଓ କୁରାଢୀ ତାଙ୍କ ପାଇଁ ସର୍ବସ୍ୱ। ଜଙ୍ଗଲକୁ ଯାଇ କାଠ ବୋଝାଏ ସଂଗ୍ରହ କରି ଆଣି ବିକିଲେ ଦୁଇ ପ୍ରାଣୀଙ୍କ ଗୁଜୁରାଣ ମେଣ୍ଟିଯାଏ। ପାଣି,ଆଲୁଅ ନ ଥିବା ବେଳେ ଦେହପା କଥା ପଚାରେ କିଏ?
ରାଇରଙ୍ଗପୁର ବାମନଘାଟି ଉପଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର କହିଛନ୍ତି, “ଘରଡିହ ନ ଥିବାରୁ ଉପେନ୍ଦ୍ର ଓ ତାଙ୍କ ସ୍ତ୍ରୀ କେନାଲ ପୋଲ ତଳେ ରହୁଥିବା ଆମେ ଖବର ପାଇଛୁ। ଏହି ବିଷୟରେ ବିଡିଓଙ୍କୁ ଜଣାଇବି। ତାଙ୍କୁ କିଭଳି ବିଜୁ ପକ୍କା ଘର ଓ ଇନ୍ଦିରାବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ ସେଥିପାଇଁ ଚେଷ୍ଟା କରିବି। ଯଦି ସେମାନେ ଚାଉଳ ଓ ଭତ୍ତା ପାଉ ନ ଥିବେ ତାହାହେଲେ ଚାଉଳ ଓ ଭତ୍ତା ଯୋଗାଇ ଦେବୁ।”