Advertisment

ଠାକୁରାଣୀ ଖଣି: ଲିଜ୍‌ ଅବଧି ଶେଷ ହେବା ପରେ ଉତ୍ପାଦନ ବୃଦ୍ଧି ହେବ କେମିତି?

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର) : ଖଣିର ଲିଜ୍‌ ଅବଧି ଶେଷ ହେବ ଆଉ ୩ ମାସ ପରେ। କିନ୍ତୁ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ମଂଜୁରୀ ମଗାଯାଇଛି ୧୨ ବର୍ଷ ପାଇଁ। କ’ଣ ଏହାର ଅର୍ଥ? ଖଣି ପଟ୍ଟାଦାର ଜାଣିଛନ୍ତି କି ଲିଜ୍‌ ଅବଧି ଶେଷ ହେବା ପରେ ତାଙ୍କୁ ହିଁ ନିଲାମ ମିଳିବ? ନା ଭିତରେ ଭିତରେ ସରକାରଙ୍କ ସହିତ ଏନେଇ କିଛି ବୁଝାମଣା ହୋଇଛି? କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଠାକୁରାଣୀ ଖଣିକୁ ନେଇ ଏମିତି […]

୩ ବର୍ଷରେ ୧୩୩ଟି ଖଣି ଚୋରି: କୋର୍ଟ କି ଥାନାରେ ନାହିଁ ଗୋଟିଏ ବି ମାମଲା, କିଏ ଦେଉଛି ପ୍ରଶ୍ରୟ?

Mines

Advertisment

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର) : ଖଣିର ଲିଜ୍‌ ଅବଧି ଶେଷ ହେବ ଆଉ ୩ ମାସ ପରେ। କିନ୍ତୁ ଖଣିର ଉତ୍ପାଦନ ବୃଦ୍ଧି ପାଇଁ ମଂଜୁରୀ ମଗାଯାଇଛି ୧୨ ବର୍ଷ ପାଇଁ। କ’ଣ ଏହାର ଅର୍ଥ? ଖଣି ପଟ୍ଟାଦାର ଜାଣିଛନ୍ତି କି ଲିଜ୍‌ ଅବଧି ଶେଷ ହେବା ପରେ ତାଙ୍କୁ ହିଁ ନିଲାମ ମିଳିବ? ନା ଭିତରେ ଭିତରେ ସରକାରଙ୍କ ସହିତ ଏନେଇ କିଛି ବୁଝାମଣା ହୋଇଛି?

Advertisment

କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଠାକୁରାଣୀ ଖଣିକୁ ନେଇ ଏମିତି କିଛି ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହୋଇଛି। ସାରଦା ମାଇନ୍ସ ପ୍ରା. ଲି. ଏହି ଖଣିର ପଟ୍ଟାଦାର। ଏବେ ଏହାକୁ ପରୋକ୍ଷରେ ଜେଏସପିଏଲ କମ୍ପାନୀ ପରିଚାଳନା କରୁଛି।

ଅନେକ ବର୍ଷ ପୂର୍ବରୁ ଏ ଖଣି ଲିଜ୍‌ଟି ବିବାଦୀୟ ହୋଇ ରହିଛି। ଏ ନେଇ କୋର୍ଟରେ ମାମଲା ମଧ୍ୟ ହୋଇଛି। ରେକର୍ଡ଼ ଅନୁସାରେ ବାବୁ ହୀରାଲାଲ ସାରଦାଙ୍କ ନାମରେ ଓଡ଼ିଶା ସରକାର ୧୯୩୪ ଅଗଷ୍ଟ ୧ ତାରିଖରେ ଠାକୁରାଣୀ ଅଞ୍ଚଳର ଦୁଇଟି ଖଣି ୩୦ ବର୍ଷ ପାଇଁ ପଟ୍ଟା କରିଥିଲେ। କ ବ୍ଲକର କ୍ଷେତ୍ରଫଳ ଥିଲା ୨୫୪୦.୪୦ ଏକର ଓ ଖ ବ୍ଲକର କ୍ଷେତ୍ର ଫଳ ଥିଲା ୨୩୪୦.୨୦ ଏକର। ୧୯୪୭ ମସିହାର ବାବୁ ହୀରାଲାଲ ସାରଦାଙ୍କର ଦେହାନ୍ତ ହେବା ପରେ ତାଙ୍କର ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଖଣିର ଅଂଶ ନେଇ ବିବାଦ ଲାଗିଥିଲା। ବିଭିନ୍ନ ଉତ୍ତରାଧିକାରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଖଣି ଲିଜ୍‌ ଅବଧି ଶେଷ ହୋଇଥିଲା। ପରେ ଅଂଶୀଦାରମାନେ ଲିଜ୍‌ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥିଲେ। ସେ ନେଇ ମଧ୍ୟ ସରକାର ଓ ସାରଦା କମ୍ପାନୀ ମଧ୍ୟରେ ଅନେକ ଟଣାଓଟରା ହୋଇଥିଲେ। ଶେଷରେ ସରକାର କ ବ୍ଲକ ଖଣିର ପଟ୍ଟା ବାତିଲ କରିଥିଲେ ଓ କେବଳ ଖ ବ୍ଲକର ଲିଜ୍‌ ଅବଧି ୩୦ ବର୍ଷ ପାଇଁ ମଂଜୁର କରିଥିଲେ। ଏହି ଖଣିର ଲିଜ୍‌ ଅବଧି ୧୩.୮.୨୦୨୧ ତାରିଖରେ ଶେଷ ହେଉଛି। ଏହି ଖଣିର କ୍ଷେତ୍ରଫଳ ହେଉଛି ୯୪୭ ହେକ୍ଟର ବା ୨୩୪୦ ଏକର।

Advertisment

ମଝିରେ ଏହି ଖଣିର ପରିବେଶ ମଂଜୁରୀ ନଥିଲା। ତେଣୁ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଖଣିର କାର୍ଯ୍ୟକାରିତା ଉପରେ ନିଷେଧାଦେଶ ଜାରି କରିଥିଲେ। ଏ ନେଇ ୨୧.୯.୨୦୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ବିରୋଧରେ ସାରଦା ମାଇନ୍ସ ପ୍ରା. ଲି. ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀ ହାଇକୋର୍ଟ ୨୩.୯.୨୦୨୦ ତାରିଖରେ କେନ୍ଦ୍ରର ବିଜ୍ଞପ୍ତି ଉପରେ ରହିତାଦେଶ ଜାରି କରିଥିଲେ। ସେହି ମାମଲାରେ ଓଡ଼ିଶା ସରକାର ପକ୍ଷଭୁକ୍ତ ହୋଇନଥିଲେ ବୋଲି ବିଶେଷଜ୍ଞ ମହଲ ଦାବି କରନ୍ତି। କାହିଁକି ଓଡ଼ିଶା ସରକାର ପକ୍ଷଭୁକ୍ତ ହୋଇନଥିଲେ ତାହା ସନ୍ଦେହଜନକ।

ଇତିମଧ୍ୟରେ ଖଣିର ଲିଜ୍‌ ଅବଧି ୧୩.୮.୨୧ ତାରିଖରେ ଶେଷ ପୂର୍ବରୁ କମ୍ପାନୀ ଖଣିର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ମଂଜୁରୀ ମାଗିଛି। ସରକାରଙ୍କଠାରେ ଦାଖଲ ହୋଇଥିବା ପ୍ରସ୍ତାବ ଅନୁଯାୟୀ କମ୍ପାନୀ ଉତ୍ପାଦନ କ୍ଷମତା ୬ ନିୟୁତ ଟନ୍‌ରୁ ୧୫ ନିୟୁତ ଟନ୍‌କୁ ବୃଦ୍ଧି ହେବ। ଏଥିପାଇଁ ପରିବେଶ ମଂଜୁରୀ ଆବଶ୍ୟକ। ଏହି ଉଦ୍ଦେଶ୍ୟରେ ଜନ ଶୁଣାଣି କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ଼ ନୋଟିସ ଜାରି କରିଛି। ପ୍ରଥମେ ୧୬.୩.୨୦୨୧ ତାରିଖରେ ଜନ ଶୁଣାଣୀ କରିବାକୁ ୧୮.୨.୨୦୨୧ ତାରିଖରେ ବିଜ୍ଞାପନ ପ୍ରକାଶ କରାଯାଇଥିଲା। ପରେ ୩୦.୪.୨୦୨୧ ତାରିଖରେ ଜନ ଶୁଣାଣୀ କରିବାକୁ ୨୪.୩.୨୦୨୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏନେଇ ସରକାରଙ୍କୁ କମ୍ପାନୀ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଯଦି ମଂଜୁର ହୁଏ ତେବେ କମ୍ପାନୀ ଅତି କମ୍‌ରେ ୧୨ ବର୍ଷ ପାଇଁ ଖଣିର ଉତ୍ପାଦନ ପ୍ରାୟ ୩ ଗୁଣ ବୃଦ୍ଧି କରିପାରିବ। ବର୍ତ୍ତମାନ ସରକାରଙ୍କ ନିୟମ ଅନୁଯାୟୀ ଆଉ ଖଣି ଲିଜ୍‌ ଦିଆଯାଉ ନାହିଁ। ଯେଉଁ ଖଣିର ଲିଜ୍‌ ଅବଧି ଶେଷ ହେଉଛି ତାହାର ନିଲାମ କରାଯାଉଛି। ନିଲାମରେ ଯେଉଁ କମ୍ପାନୀ ଅଧିକ ମୂଲ୍ୟ ଦେବାକୁ ରାଜି ହେଉଛି ତାକୁ ଲିଜ୍‌ ଦିଆଯାଉଛି। ଏହି ଦୃଷ୍ଟିକୋଣରୁ ଠାକୁରାଣୀ ଖ ବ୍ଲକ ଖଣିର ନିଲାମ କେଉଁ କମ୍ପାନୀ ଧରିବ ତାହା ଏବେ ନିଶ୍ଚିତ ନୁହେଁ। ତେବେ କେଉଁ ଆଧାରରେ ୩ ମାସରେ ଲିଜ୍‌ ଅବଧି ଶେଷ ହେଉଥିବା ଗୋଟେ ଖଣିର ଉତ୍ପାଦନ ବୃଦ୍ଧି ୧୨ ବର୍ଷ ପାଇଁ ମଗାଯାଇଛି ତାହା ସନ୍ଦେହଜନକ। ସେହିପରି ଜନ ଶୁଣାଣୀ ହୋଇନଥିବାବେଳେ ସରକାରୀ ସ୍ତରରେ ୨୫.୩.୨୦୨୧ ତାରିଖରେ ବସିଥିବା ଏକ କମିଟିରେ ଏହି ଖଣିର ଉତ୍ପାଦନ ବୃଦ୍ଧି ପ୍ରସ୍ତାବ ସପକ୍ଷରେ ନିଷ୍ପତ୍ତି ନିଆଯିବା ତତୋଧିକ ସନ୍ଦେହଜନକ। ସେହିପରି ଆଗକୁ ଓଡ଼ିଶାର କେଉଁ କେଉଁ ଖଣିର ନିଲାମ ହେବ ସେନେଇ ଓଡ଼ିଶା ବିଧାନସଭାରେ ରାଜ୍ୟ ସରକାର ଯେଉଁ ତାଲିକା ପ୍ରଦାନ କରିଛନ୍ତି ସେଥିରେ ଏହି ଖଣିର ନାମୋଲ୍ଲେଖ ନଥିବାରୁ ତାହା ଦୁର୍ନୀତି ଓ ଅସାଧୁ ସଂପର୍କ ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି।

ଏହି ବିବାଦୀୟ କମ୍ପାନୀ ସହିତ ଓଡ଼ିଶା ସରକାରଙ୍କର କୌଣସି ମନ୍ତ୍ରୀ ବା ଅଫିସର ଭିତିରି ସଂପର୍କ ରଖି ଏପରି କରୁଥିବା ସନ୍ଦେହ କରାଯାଉଛି। ତେଣୁ ଏହା ବିରୋଧରେ ମାନବିକ ଅଧିକାର ମଂଚର ସଭାପତି ବିରଜା ମିଶ୍ର ପ୍ରଦୂଷଣ ବୋର୍ଡର ସଦସ୍ୟ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe