କାହିଁକି ପାଳନ କରାଯାଏ 'ବିଶ୍ୱ ପ୍ରେସ ସ୍ୱାଧିନତା ଦିବସ'?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ସଚେତନ ଓ ଅବଗତ କରିବାକୁ ଗଣମାଧ୍ୟମର ସ୍ୱାଧିନତା ମହତ୍ୱପୂର୍ଣ୍ଣ ଅଟେ। ଶାସକ-ପ୍ରଶାସକକୁ ଗଣମାଧ୍ୟମ ତଦାରଖ କରେ ଏବଂ ଦେଶର ହିତରେ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ। ଗଣମାଧ୍ୟମ ଚୁପ୍ ହୋଇଗଲେ ବା ତା’ ପାଟିରେ ତୁଣ୍ଡି ମାରିଦେଲେ, ଦେଶରେ ସାଧାରଣ ପ୍ରୟାସଗୁଡ଼ିକର ସମସ୍ତ ମାଧ୍ୟମକୁ ଛଡ଼ାଇଦିଆଯାଏ। ଜନତା ଓ ସତ୍ତା ବା ସରକାରଙ୍କ ଭିତରେ ଯୋଗାଯୋଗର ମାଧ୍ୟମ ଭାବେ ଗଣମାଧ୍ୟମ ବା ପ୍ରେସ୍ କାମ କରିଥାଏ। ଏକ ମୁକ୍ତ ଗଣମାଧ୍ୟମ ନିକଟରେ […]

World Press Day

Pragnya Choudhury
  • Published: Sunday, 03 May 2020
  • , Updated: 03 May 2020, 02:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲୋକଙ୍କୁ ସଚେତନ ଓ ଅବଗତ କରିବାକୁ ଗଣମାଧ୍ୟମର ସ୍ୱାଧିନତା ମହତ୍ୱପୂର୍ଣ୍ଣ ଅଟେ। ଶାସକ-ପ୍ରଶାସକକୁ ଗଣମାଧ୍ୟମ ତଦାରଖ କରେ ଏବଂ ଦେଶର ହିତରେ କାର୍ଯ୍ୟ କରିବାକୁ ବାଧ୍ୟ କରିଥାଏ। ଗଣମାଧ୍ୟମ ଚୁପ୍ ହୋଇଗଲେ ବା ତା' ପାଟିରେ ତୁଣ୍ଡି ମାରିଦେଲେ, ଦେଶରେ ସାଧାରଣ ପ୍ରୟାସଗୁଡ଼ିକର ସମସ୍ତ ମାଧ୍ୟମକୁ ଛଡ଼ାଇଦିଆଯାଏ। ଜନତା ଓ ସତ୍ତା ବା ସରକାରଙ୍କ ଭିତରେ ଯୋଗାଯୋଗର ମାଧ୍ୟମ ଭାବେ ଗଣମାଧ୍ୟମ ବା ପ୍ରେସ୍ କାମ କରିଥାଏ। ଏକ ମୁକ୍ତ ଗଣମାଧ୍ୟମ ନିକଟରେ ସତ୍ୟକୁ ଲୋକଲୋଚନକୁ ଆଣିବା ତଥା ଲୋକଙ୍କ ମତାମତକୁ ଆକାର ଦେବାର ଉତ୍ତରଦାୟିତ୍ୱ ରହିଛି। ଏଣୁ ଗଣମାଧ୍ୟମର ସ୍ୱାଧିନତାର ଗୁରୁତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ମନେପକାଇ ଦେବାକୁ ପ୍ରତିବର୍ଷ ବିଶ୍ୱ ଗଣମାଧ୍ୟମ ଦିବସ ବା ଓ୍ୱାର୍ଲଡ୍ ପ୍ରେସ୍ ଫ୍ରିଡମ୍ ଡେ ପାଳନ କରାଯାଏ।

ଆଜି ହେଉଛି ଓ୍ୱାର୍ଲଡ ପ୍ରେସ ଫ୍ରିଡମ୍ ଡେ। ପ୍ରତିବର୍ଷ ମେ'୩ ତାରିଖରେ ଗଣମାଧ୍ୟମର ସ୍ୱତନ୍ତ୍ରତା ଏବଂ ସାମ୍ବାଦିକଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ସାରା ବିଶ୍ୱ ଏହି ଦିବସକୁ ପାଳନ କରିଥାଏ। ଏହାସହ ସମଗ୍ର ଦୁନିଆର ରାଷ୍ଟ୍ରାଧ୍ୟକ୍ଷମାନଙ୍କୁ ଅଭିବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ଜଣାଇବା ସହ ଏହାର ପାଳନ କରିବା ଲାଗି ସେମାନଙ୍କ କର୍ତ୍ତବ୍ୟ ମନେପକାଇଥାଏ। ୟୁନେସ୍କୋ ମହାସମ୍ମିଳନୀର ସୁପାରିଶ କ୍ରମେ ଡିସେମ୍ୱର ୧୯୯୩ରେ ମିଳିତ ଜାତିସଂଘ ମେ'୩କୁ ଓ୍ୱାର୍ଲଡ ପ୍ରେସ ଫ୍ରିଡମ୍ ଡେ ବା ଓ୍ୱାର୍ଡ ପ୍ରେସ ଡେ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।

ପ୍ରଥମେ ଆଫ୍ରିକାରେ ସାମ୍ବାଦିକମାନେ ଗଣମାଧ୍ୟମର ସ୍ୱାଧିନତା ପାଇଁ ୧୯୯୧ରେ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ। ସେମାନେ ମେ'୩ରେ ସର୍ବ ପ୍ରଥମେ ଗଣମାଧ୍ୟମର ସ୍ୱାଧିନତାର ସିଦ୍ଧାନ୍ତଗୁଡ଼ିକୁ ନେଇ ଏକ ବିବୃତ୍ତି ଜାରି କରିଥିଲେ। ଏହା ଡିକ୍ଲେରେସନ ଅଫ୍ ଓ୍ୱିଣ୍ଡହୋକ୍ ( Declaration of Windhoek) ନାମରେ ପରିଚିତ। ଏହା ପରେ ପ୍ରଥମ ଥର ୧୯୯୩ରେ ମିଳିତ ଜାତିସଂଘ ପ୍ରେସ୍ ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

ସାରା ଦୁନିଆରେ ସାମ୍ବାଦିକମାନଙ୍କୁ ବିଭିନ୍ନ ପ୍ରକାର କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି। ଆଜିର ସମୟରେ ସାମ୍ବାଦିକଙ୍କ ସୁରକ୍ଷା ଓ ଜୀବନ ରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଗଣମାଧ୍ୟମର ସ୍ୱତନ୍ତ୍ରତା ଦୃଷ୍ଟିରୁ ଭାରତର ସ୍ଥାନ ବହୁତ ପଛରେ। ଓ୍ୱାର୍ଲଡ ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ୧୮୦ଟି ଦେଶ ରହିଛନ୍ତି, ଯେଉଥିରେ ୧୪୨ ନଂରେ ରହିଛି ଭାରତ। ୨୦୧୬ରେ ଭାରତର ସ୍ଥାନ ୧୩୩ରେ ଥିବା ବେଳେ ୨୦୧୭ରେ ୧୩୬ରେ ରହିଥିଲା। ସେହିଭଳି ୨୦୧୮ରେ ୧୩୮ ଏବଂ ୨୦୧୯ରେ ଏହି ତାଲିକାରେ ୧୪୦ ସ୍ଥାନରେ ଭାରତ ରହିଥିଲା।

ଅନ୍ୟପଟେ ୨୦୨୦ରେ ଓ୍ୱାର୍ଲଡ ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ନରଓ୍ୱେ ପ୍ରଥମ ସ୍ଥାନରେ ରହିଛି ଏବଂ ଶେଷ ସ୍ଥାନରେ ରହିଥି ଉତ୍ତର କୋରିଆ। ନରଓ୍ୱେ ଲଗାତର ଚାରି ବର୍ଷ ହେଲା ଏହି ତାଲିକାରେ ଶୀର୍ଷ ସ୍ଥାନରେ ରହୁଛି।

ସମଗ୍ର ଦୁନିଆର ସାମ୍ବାଦିକମାନଙ୍କ ଉପରେ ନଜର ରଖୁଥିବା ସଂସ୍ଥା ରିପୋର୍ଟର ଓ୍ବିଦ୍ଆଉଟ୍ ବୋର୍ଡର ମହାସଚିବ କ୍ରିଷ୍ଟୋଫ୍ ଡେଲୋଏର କହିଛନ୍ତି ଯେ, କରୋନା ମହାମାରୀ ଭୂତାଣୁ ସାରା ବିଶ୍ୱର ଗଣମାଧ୍ୟମକୁ ପ୍ରଭାବିତ କରିଛି। ଚୀନ, ଇରାନ ଏବଂ ଇରାକ୍ ସମେତ ଅନ୍ୟ ବହୁ ଦେଶରେ ଗଣମାଧ୍ୟମ ଉପରେ ସରକାର ଚାପ ପକାଇବାରୁ କରୋନା ସମ୍ବନ୍ଧିତ ସଠିକ୍ ତଥ୍ୟ ଦେଇପାରିଲେ ନାହିଁ। ସୂଚନା ଥାଉ କି, ପ୍ରେସ ଫ୍ରିଡମ୍ ଇଣ୍ଡେକ୍ସରେ ଚୀନ ୧୭୭, ଇରାକ୍ ୧୬୨ ଏବଂ ହଙ୍ଗରି ୮୯ ସ୍ଥାନରେ ରହିଛି।

Related story