- ଦେବେନ୍ଦ୍ର ପୃଷ୍ଟି
ଆମ ମୁଖ୍ୟମନ୍ତ୍ରୀ ପୂରା ଫିଟ୍। ସଂପୂର୍ଣ୍ଣ ସୁସ୍ଥ। ଏକଦମ ସକ୍ରିୟ। କଠିନ ପରିଶ୍ରମୀ। ରାଜ୍ୟବାସୀଙ୍କ ସେବା ପାଇଁ ଦିନରାତି ଏକାକାର କରି ଖଟୁଛନ୍ତି। ତେବେ କାହିଁକି ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମଝିରେ ମଝିରେ ଉଠୁଛି ଅନେକ ଗୁଜବ? ପୁଣି ସେ ଯଦି ସତରେ ସୁସ୍ଥ ତେବେ ତାହା ପ୍ରକାଶ୍ୟରେ ପ୍ରମାଣିତ କରିବା ପରିବର୍ତ୍ତେ ତାଙ୍କ ଭିଡିଓ ଚିତ୍ର ପ୍ରଦର୍ଶନୀର କି ଆବଶ୍ୟକତା ରହିଛି?
ଏଇ କେଇ ଦିନ ତଳେ, ଜାନୁଆରୀ ୨୬ ପୂର୍ବରୁ ଫେସ୍ବୁକ୍ ଓ ଟୁଇଟର ଭଳି ସୋସାଲ ମିଡିଆରେ ଗୋଟେ କଥା ଉଡ଼ି ବୁଲିଲା। କଥାଟି ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟଙ୍କର ଭାବେ ଅସୁସ୍ଥ। ଏହାକୁ ନେଇ ରାଜନୀତିକ ଗଳିକନ୍ଦିରେ ବି ଗୁଜବ ଖେଳିଲା। କିଏ କହିଲା ସେ ବାଥ୍ ରୁମ୍ରେ ପଡ଼ିଯାଇଛନ୍ତି। ତାଙ୍କ ମୁଣ୍ଡରେ ମାଡ଼ ହୋଇଛି। କିଏ କହିଲା, ସେ ଏକବାରେ ଅଚଳ। ଆଉ କିଏ କହିଲା, ସେ ଆଉ କିଛି ବୁଝିପାରୁ ନାହାନ୍ତି। ଏମିତି କିଏ କେତେ କଥା କହିଲେ।
ଏନେଇ କିନ୍ତୁ ସରକାରୀ ଭାବେ କିଛି କୁହାଗଲା ନାହିଁ। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ କିଛି କହିଲେ ନାହିଁ। ଏପରିକି ବିଜୁ ଜନତା ଦଳ ତରଫରୁ ବି ବିବୃତ୍ତି କି ସ୍ପଷ୍ଟୀକରଣଟିଏ ଜାରି ହେଲା ନାହିଁ। କିନ୍ତୁ ଜାନୁଆରୀ ୨୬ ତାରିଖରେ ଦେଖାଗଲା ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଛନ୍ତି। ସ୍ୱାଭାବିକ ଭାବେ ଜାନୁଆରୀ ୨୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ କଟକ ବାରବାଟୀରେ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିବା କଥା। ମାତ୍ର, କରୋନା ବାହାନାରେ ସେ ଦି ବର୍ଷ ହେଲା ସେଠାକୁ ଯାଉ ନାହାନ୍ତି। ଏଥର ମନ୍ତ୍ରୀ ବିକ୍ରମ ଆରୁଖ କଟକରେ ପତାକା ଉତ୍ତୋଳନ କଲେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ରାଜ୍ୟପାଳଙ୍କ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଲେ।
ଏହି କାର୍ଯ୍ୟକ୍ରମରେ ସେ ଯୋଗଦେବା ପାଇଁ ଗାଡ଼ିରୁ ଓହ୍ଲେଇ ଯେମିତି ଚାଲିଲେ ତାହାର ଭିଡ଼ିଓ ଚିତ୍ର ଦେଖି ରାଜ୍ୟବାସୀ ବୁଝିଯାଇଥିବେ ଯେ ସେ ଏକଦମ ଫିଟ୍। ପୂରା ସୁସ୍ଥ। ଟୁଇଟରରେ ଥିବା ବିଜେଡି ହ୍ୟାଣ୍ଡେଲ୍ଗୁଡ଼ିକରେ ଏଇ ଭିଡିଓ ଚିତ୍ରସବୁ ଖେଳି ବୁଲିଲା। ଲେଖାଥିଲା କି ରାଜାମାର୍କା ଚାଲି! ରାଜ୍ୟବାସୀ ଆଶ୍ୱସ୍ତ ହେଲେ। ଯା ହେଉ ସେମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଆଦୌ ଅସୁସ୍ଥ ନୁହନ୍ତି। ଜଗନ୍ନାଥ ତାଙ୍କୁ ଏମିତି ସୁସ୍ଥ ଓ ସକ୍ରିୟ କରି ରଖିଥାନ୍ତୁ।
ଏହାର ଆଉ କେଇ ଦିନ ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟ ନେଇ ଏମିତି ଅନେକ କଥା ଚର୍ଚ୍ଚାରେ ଥିଲା। ସେ କାହିଁକି ବିଧାନସଭା ଯାଉ ନାହାନ୍ତି? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ବାଣ୍ଟିବାକୁ ବିଭିନ୍ନ ଜିଲ୍ଲା ଗଲେ। ସେଠାରେ ସେ ବସିଥିଲେ ବି ତାଙ୍କର ଭିଡିଓ ବାର୍ତ୍ତା ବାଜିଲା। ଏହାକୁ ଦେଖି ବିରୋଧୀ ନେତାମାନେ ପ୍ରଶ୍ନ କଲେ ସେ ଯଦି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିବା ପାଇଁ ବିଭିନ୍ନ ଜିଲ୍ଲାର ସାଧାରଣ ସଭାକୁ ଯାଇପାରୁଛନ୍ତି ତେବେ ବିଧାନସଭା ଆସୁ ନାହାନ୍ତି କାହିଁକି? କେହି କେହି କହିଲେ, ସେଠାରେ ସିନା ତାଙ୍କ କଥାର ରେକର୍ଡ଼ ବାଜୁଛି, ବିଧାନସଭାରେ ସେମିତି ହୋଇପାରିବ ନାହିଁ। ତାଙ୍କୁ କହିବାକୁ ପଡ଼ିବ। ସେ ଠିକ ଭାବେ କଥା କହିପାରିବେ ନାହିଁ। ତେଣୁ ବିଧାନସଭାକୁ ଯାଉ ନାହାନ୍ତି।
ଏ ନେଇ ନିର୍ଦ୍ଦିଷ୍ଟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ତାଙ୍କ ଗୋଡ଼ଟି ମଧ୍ୟ ଅଚଳ। ସେ ବିଧାନସଭା ଗୃହ ଭିତରକୁ ଏକଲା ପାହାଚ ଓହ୍ଲେଇ ଯାଇପାରିବେ ନାହିଁ। ପଡ଼ିଯିବାର ଭୟ ଅଛି। ତେଣୁ ସେ ବିଧାନସଭା ଯାଉ ନାହାନ୍ତି। ଏହା ପ୍ରକାଶ ପାଇବା ଦିନ ବିଜେଡି କର୍ମୀଙ୍କ ମାଧ୍ୟମରେ ତାଙ୍କର ଗୋଟିଏ ଭିଡିଓ ଭାଇରାଲ ହେଲା। ସେଥିରେ ଦେଖାଗଲା ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଲୁଙ୍ଗି ପିନ୍ଧି ଧୀରେ ଧୀରେ ଅତି ସତର୍କତାର ସହିତ ଗୋଟିଏ ବଖରାରୁ ଆଉ ଗୋଟିଏ ବଖରାକୁ ଯାଇ ସେଠାରେ କାନ୍ଥରେ ଲାଗିଥିବା ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଉଦ୍ଦେଶ୍ୟରେ ଯୋଡ଼ହସ୍ତରେ ପ୍ରଣାମ କରୁଛନ୍ତି।
ଏ ଭିଡିଓ ନେଇ ମଧ୍ୟ କିଏ କେତେ ପ୍ରକାର କଥା କହିଲେ। କିଏ କହିଲେ, ସେ ଲୁଙ୍ଗି ପିନ୍ଧି ଜଗନ୍ନାଥଙ୍କୁ ଯୋଡ଼ହସ୍ତ ହେବା ଆମ ସଂସ୍କୃତି ଓ ପରମ୍ପରା ବିରୋଧୀ। ଏହା ତାମିଲନାଡ଼ୁରେ ଚାଲେ। ସେଠି ବି ଲୁଙ୍ଗି ବା ଅଙ୍ଗବସ୍ତ୍ରର ରଙ୍ଗା ଧଳା। ମୁଖ୍ୟମନ୍ତ୍ରୀ କିନ୍ତୁ ରଙ୍ଗୀନ ଲୁଙ୍ଗି ପିନ୍ଧିଥିଲେ। ପୁଣି କିଏ କିଏ କହିଲେ, ତାଙ୍କ ଚାଲିରୁ ଜଣାପଡ଼ୁଛି ତାଙ୍କ ଦେହ ସଂପୂର୍ଣ୍ଣ ଠିକ ନାହିଁ। ସେ ଏତେ ଆସ୍ତେ ଆସ୍ତେ କାହିଁକି ଚାଲୁଛନ୍ତି?
ଏହାର ଦି ବର୍ଷ ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଫିଟ୍ନେସ୍ ନେଇ ଗୁଜବ ଉଠିଥିଲା। ସେତେବେଳେ ନବୀନ ନିବାସ ଭିତରେ ରେକର୍ଡ ହୋଇଥିବା ତାଙ୍କର ଏକ ଭିଡିଓ ଭାଇରାଲ ହେଲା। ସେଥିରେ ଦେଖାଗଲା ଯେ ସେ କଳା ରଙ୍ଗର ଜିମ୍ ପୋଷାକ ପିନ୍ଧି ଛୋଟମୋଟର ବ୍ୟାୟାମ କରୁଛନ୍ତି। ପତଳା ଲାଗୁଛନ୍ତି। ଅପେକ୍ଷାକୃତ ସ୍ମାର୍ଟ ବି। ସେ ଚିତ୍ର ଦେଖି ତାଙ୍କର ସମର୍ଥକ ଓ ପ୍ରଶଂସକମାନେ ବୁଝିଗଲେ ଯେ ଆମ ମୁଖ୍ୟମନ୍ତ୍ରୀ ଆମ ହିରୋ।
ତେବେ, ସେଇ ନିର୍ବାଚନରେ ପ୍ରଚାର ପାଇଁ ତାଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହେଲା। ସେ ଏକ ସ୍ୱତନ୍ତ୍ର ଗାଡ଼ିରେ କେତେକ ଅଞ୍ଚଳ ବୁଲିଲେ। ଗାଡ଼ି ଭିତରେ ଥାଇ ଲୋକମାନଙ୍କ ଉଦ୍ଦେଶ୍ୟରେ ଯୋଡ଼ହସ୍ତ ହେଲେ। ସେଇ ଗାଡ଼ି ଭିତରୁ ମାଇକ୍ ଯୋଗେ ତାଙ୍କର ଚିରାଚରିତ ଶୈଳୀରେ ପଦେ ଦି ପଦ କଥା କହିଲେ।
ନିର୍ବାଚନ ଜିତିବା ପରେ କିନ୍ତୁ ତାଙ୍କର ରାଜ୍ୟ ବୁଲା କମିଗଲା। ଯୋଗକୁ ୨୦୨୦ରେ କରୋନା କାଳ ଆରମ୍ଭ ହେଲା, ଲକ୍ ଡାଉନ୍ ଓ ଶଟ୍ ଡାଉନ୍ ଆଦି କଟକଣା ଜାରି ହେଲା। ଏହି ଆଳରେ ସେ ଅଫିସ ଯିବା ବନ୍ଦ କରିଦେଲେ। ଇତିମଧ୍ୟରେ ଅନେକ କରୋନା କଟକଣା କୋହଳ ହେଲାଣି। ଲୋକମାନେ ସ୍ୱାଭାବିକ ଭାବେ ଯେଝା ଯେଝା ଧନ୍ଦାରେ ଲାଗିଲେଣି। ଗ୍ରାମାଞ୍ଚଳରେ ତ କେହି ଆଉ ମାସ୍କ ପିନ୍ଧୁ ନାହାନ୍ତି କି ବାରମ୍ବାର ସାନିଟାଇଜ୍ ହେଉନାହାନ୍ତି। ଏଇ ଦୁଇ ବର୍ଷ ଭିତରେ ଓଡ଼ିଶା ସମେତ ଭାରତବର୍ଷରେ ଅନେକ ନିର୍ବାଚନ ଅନୁଷ୍ଠିତ ହେଲାଣି। ସବୁଠି ନେତାମାନଙ୍କର ପ୍ରଚାର ସଭା ଓ ରୋଡ ଶୋ। ଲକ୍ଷଲକ୍ଷ ଲୋକଙ୍କର ସମାଗମ। ସାମାଜିକ ଦୂରତା ନାହିଁ, ମାସ୍କ ନାହିଁ, ସାନିଟାଇଜର ନାହିଁ। କାହା ଦେହର ତାପମାତ୍ରା ମପା ଯାଇନି କି କାହାକୁ ସଙ୍ଗରୋଧରେ ରଖାଯାଇନି। ନିର୍ବାଚନ ସରିଛି। ଅଧିକ କେହି ସଂକ୍ରମିତ ହୋଇନାହାନ୍ତି କି ମୃତ୍ୟୁହାର ମହାମାରୀ ପରି ବଢ଼ିନାହିଁ। କରୋନା ସଂକ୍ରମଣ ଉଗ୍ର ଓ ଭୟଙ୍କର ହୋଇଥିଲେ ରାଜନୀତିକ ସଭାରେ ଯୋଗ ଦେଉଥିବା ଅଧିକାଂଶ ଲୋକଙ୍କର କ୍ଷତି ହୋଇଥାନ୍ତା। ତା’ ନହେବାରୁ ଦଳୀୟ କର୍ମୀମାନେ ବୁଝିଗଲେ ଯେ ଏଇଟା ଗୋଟେ କୋକୁଆ, ସତରେ ମହାମାରୀ ନୁହେଁ।
ତେବେ, ଲୋକେ ସିନା ବୁଝିଗଲେ, ମୁଖ୍ୟମନ୍ତ୍ରୀ କେମିତି ବୁଝନ୍ତେ? ତାଙ୍କ ସରକାର ଯେଉଁ କଟକଣା ସବୁ ଜାରି କରିଛି ତାକୁ ତ ତାଙ୍କୁ ମାନିବାକୁ ପଡ଼ିବ! ତେଣୁ ସେ ସବୁ କଟକଣା ମାନି ଦୀର୍ଘକାଳୀନ ଭିତ୍ତିରେ ନବୀନ ନିବାସରେ ସଙ୍ଗରୋଧରେ ରହିଲେ। ଅବଶ୍ୟ ତାଙ୍କ ପାଇଁ ସଙ୍ଗରୋଧର ମାନେ ହେଲା କେବଳ ଜଣଙ୍କ ସଙ୍ଗରେ ମିଶିବେ, ଆଉ କାହା ସାଙ୍ଗରେ ମିଶିବେ ନାହିଁ। ଏ ଭିତରେ ଲୋକସେବା ଭବନ ଖୋଲିଲା। ଖାରବେଳ ଭବନ ଖୋଲିଲା। କିନ୍ତୁ ସେ ସେଠାକୁ ଯାଉ ନାହାନ୍ତି। ସେ ଯଦି ସତରେ ସୁସ୍ଥ ଓ ଫିଟ୍ ତେବେ ଅଫିସ ଯାଉ ନାହାନ୍ତି କାହିଁକି? ଆଉ ଯଦି ତାଙ୍କର କିଛି ଅସୁସ୍ଥତା ଅଛି ତେବେ ସେ ବିଷୟରେ ଲୋକେ ଜାଣିଲେ ଅସୁବିଧା କ’ଣ? ଏ ବିଷୟ ବିଧାନସଭାରେ ଉଠିଲା। ବିରୋଧୀ ବିଜେପିର ବହୁ ବିଧାୟକ ତାଙ୍କୁ ବିଧାନସଭାକୁ ଆଣିବା ପାଇଁ ନବୀନ ନିବାସ ଗଲେ। ସେଠି କ’ଣ ହେଲା କେଜାଣି ସେ ତାଙ୍କ ଘରେ ରହିଲେ, ବିଧାୟକମାନେ ଗୃହକୁ ଫେରିଲେ।
ସେ ହେଉଛନ୍ତି ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କର ପ୍ରିୟ ନେତା। ଲୋକେ ତାଙ୍କୁ ଲଗାତାର ୫ଟି ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ଏ ଦୁଇ ଦଶନ୍ଧି ମଧ୍ୟରେ ଅନୁଷ୍ଠିତ ହୋଇଥିବା ୪ଟା ପଞ୍ଚାୟତ ଓ ୪ଟା ପୌର ନିର୍ବାଚନରେ ମଧ୍ୟ ତାଙ୍କ କଥା ଶୁଣି ତାଙ୍କ ଦଳକୁ ଭୋଟ ଦେଇଛନ୍ତି। ସବୁ ଲୋକସଭା ନିର୍ବାଚନରେ ତାଙ୍କ ଦଳ ଜିତିଛି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଓଡ଼ିଶା ଲୋକଙ୍କ ପାଇଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସେବା ଓ ସହାୟତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ସେ ଥାଉଁ ଥାଉଁ ରାଜ୍ୟର କେହି ଯେପରି ଅର୍ଥାଭାବରୁ ଚିକିତ୍ସିତ ହୋଇପାରିବେ ନାହିଁ ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ବାଣ୍ଟିଛନ୍ତି। କେହି ଯେପରି ଅନାହାରରେ ନରୁହନ୍ତି ସେଥିପାଇଁ କେନ୍ଦ୍ରୀୟ ଯୋଜନା ସତ୍ତ୍ୱେ ରାଜ୍ୟ ରାଜକୋଷରୁ ମଧ୍ୟ କିଛି ଅଧିକ ଲୋକଙ୍କୁ ଟଙ୍କିକିଆ ଚାଉଳ ବାଣ୍ଟୁଛନ୍ତି। ସମସ୍ତଙ୍କ ପକ୍କା ଘର ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସତ୍ତ୍ୱେ ବିଜୁ ପକ୍କା ଘର ଯୋଜନା କରିଛନ୍ତି। ଓଡ଼ିଶାବାସୀଙ୍କ ଭଲ ପାଇବାର ପ୍ରତିଦାନ ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ତାଙ୍କ ପରିବାରରେ ସାମିଲ କରିବା ଭଳି ବାର୍ତ୍ତା ଦେଇଛନ୍ତି। ମୋ ପରିବାର ଓ ମୋ ସରକାର ସ୍ଲୋଗାନ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦୂରତା କମେଇ ନିବିଡ଼ ସଂପର୍କ ସୃଷ୍ଟି ପାଇଁ ଉଦ୍ଦିଷ୍ଟ।
ମାତ୍ର, ହେଉଛି କ’ଣ? ମୁଖ୍ୟମନ୍ତ୍ରୀଙ୍କୁ ଲୋକେ କ’ଣ ତାଙ୍କରି ଦଳର ବରିଷ୍ଠ ନେତାମାନେ ମଧ୍ୟ ଭେଟି ପାରୁ ନାହାନ୍ତି। ଜଣେ ଅଫିସରଙ୍କ ବ୍ୟତିତ ଅନ୍ୟ କୌଣସି ଅଫିସର ତାଙ୍କୁ ସିଧାସଳଖ ସାକ୍ଷାତ କରିପାରୁ ନାହାନ୍ତି। ପ୍ରାୟ ସବୁ କର୍ମଚାରୀ ଓ ଅଧିକାରୀ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ କାର୍ଯ୍ୟାଳୟରେ ଯୋଗଦେଇ ସରକାରୀ କାର୍ଯ୍ୟ କଲେଣି। କିନ୍ତୁ ସେ ଏବେ ବି ୱାର୍କ ଫ୍ରମ୍ ହୋମ୍ରେ ଅଛନ୍ତି ଅର୍ଥାତ ନବୀନ ନିବାସରୁ ରାଜ୍ୟ ପରିଚାଳନା କରୁଛନ୍ତି। ସେଥିପାଇଁ ଭିଡ଼ିଓ କନ୍ଫରେନ୍ସିଂ ବ୍ୟବସ୍ଥା ଅଛି। ଆଜିକାଲ ଡିଜିଟାଲ ଯୁଗ ବି। ଜଣେ ଲୋକ ଆମେରିକାରେ ରହି ମଧ୍ୟ ଓଡ଼ିଶା ଶାସନକୁ ଦିଗଦର୍ଶନ ଦେଇପାରିବେ।
କିନ୍ତୁ ସେ ଯଦି ଏଇଠି ଅଛନ୍ତି, ସୁସ୍ଥ ଅଛନ୍ତି, ଫିଟ୍ ଅଛନ୍ତି, ତେବେ ଲୋକସେବା ଭବନ ଓ ସଚିବାଳୟ ଯାଉ ନାହାନ୍ତି କାହିଁକି? ଆଉ ତାଙ୍କର ଯଦି ସତରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତେବେ ସେ ବିଷୟରେ ରାଜ୍ୟବାସୀଙ୍କୁ ଅବଗତ କରାଯାଉନି କାହିଁକି? ସେ ଲୋକଙ୍କୁ ଏତେ ଭଲ ପାଉଛନ୍ତି, ଲୋକେ ବି ତାଙ୍କୁ ଏତେ ଭଲ ପାଉଛନ୍ତି, ତେବେ ତାଙ୍କ ଦେହପା ବିଷୟରେ ଲୋକଙ୍କୁ କାହିଁକି କିଛି ଜଣାଯାଉନାହିଁ? କାହାର ନିଜ ଲୋକର ଦେହପା ଖରାପ ହେଲେ ଲୋକେ ପରା ତାଙ୍କୁ ଡାକ୍ତରଖାନାରେ ଭେଟିବାକୁ ବି ଚାଲିଯାଆନ୍ତି, ଫଳମୂଳ ନେଇ। ଏହା ଓଡ଼ିଶାର ସଂସ୍କୃତି। ଲୋକଙ୍କ ପାଇଁ ସେ ଏତେ କରିଛନ୍ତି, କୃତଜ୍ଞ ଲୋକମାନେ ତାଙ୍କ ଅସୁବିଧାରେ ତାଙ୍କ ପାଖରେ ଠିଆ ହେବା କ’ଣ ପାପ? ନା ଅସାମ୍ବିଧାନିକ? ସେ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଲୋକଙ୍କର ଜାଣିବାର ଅଧିକାର ଅଛି। କାରଣ ଲୋକେ ତାଙ୍କ ନେତୃତ୍ୱ ଉପରେ ଆସ୍ଥା ଓ ବିଶ୍ୱାସ ରଖିଛନ୍ତି। ସେଇ ଆସ୍ଥା ଓ ଭରସା ଅତୁଟ ରଖିବା ପାଇଁ ତାଙ୍କ ଅବସ୍ଥା ବିଷୟରେ ଲୋକେ ଜାଣିବା ଦରକାର। ସରକାରଙ୍କ ତରଫରୁ ଏହା ଗୋପନ ରଖାଗଲେ ସ୍ୱାଭାବିକ ଭାବେ ଅନେକ ଗୁଜବ ଉଠିବ। ତାହା ହିଁ ହେଉଛି।