ଜୟପୁର: ବୁନ୍ଦା ଜଳସେଚନ ଯୋଜନାର ଅଦଭୁତ ଗତି, କାମ ସରିନି ହେଲେ ଉଠାଯାଇଛି ସବସିଡି ଅର୍ଥ

ଜୟପୁର: କମ୍ ଜଳରେ ଅଧିକ ଫସଲ ହେବ। ଅଯଥାରେ ଜଳ ନଷ୍ଟ ହେବ ନାହିଁ। ଏଥିପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଡ୍ରିପ୍ ଇରିଗେସନ ବା ବୁନ୍ଦା ଜଳସେଚନ ଯୋଜନା। ଜଳସେଚନର ଏହି ବ୍ୟବସ୍ଥାକୁ ଆପଣାଇବାକୁ ଚାଷୀମାନଙ୍କୁ ପ୍ରତ୍ସୋହିତ କରିବା ପାଇଁ ସବସିଡି ମଧ୍ୟ ଦିଆଯାଉଛି। ହେଲେ କୋରାପୁଟ ଜିଲ୍ଲାରେ ଏହି ଯୋଜନାର ଦୁରୁପଯୋଗ ଓ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ମହୁଲି ଗାଁରେ। […]

jaipur

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 09:47 AM IST

ଜୟପୁର: କମ୍ ଜଳରେ ଅଧିକ ଫସଲ ହେବ। ଅଯଥାରେ ଜଳ ନଷ୍ଟ ହେବ ନାହିଁ। ଏଥିପାଇଁ ସରକାର କାର୍ଯ୍ୟକାରୀ କରିଛନ୍ତି ଡ୍ରିପ୍ ଇରିଗେସନ ବା ବୁନ୍ଦା ଜଳସେଚନ ଯୋଜନା। ଜଳସେଚନର ଏହି ବ୍ୟବସ୍ଥାକୁ ଆପଣାଇବାକୁ ଚାଷୀମାନଙ୍କୁ ପ୍ରତ୍ସୋହିତ କରିବା ପାଇଁ ସବସିଡି ମଧ୍ୟ ଦିଆଯାଉଛି। ହେଲେ କୋରାପୁଟ ଜିଲ୍ଲାରେ ଏହି ଯୋଜନାର ଦୁରୁପଯୋଗ ଓ ଅର୍ଥ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ୍ ମହୁଲି ଗାଁରେ। ଏଠାରେ ବୁନ୍ଦା ଜଳସେଚନ ବ୍ୟବସ୍ଥା ପାଇଁ କାର୍ଯ୍ୟ ସଂପୂର୍ଣ୍ଣ କରା ନ ଯାଇ ଜଣେ ଚାଷୀଙ୍କ ନାଁରେ ଟଙ୍କା ଉଠାଇ ନିଆଯାଇଥିବା ଅଭିଯୋଗ ହୋଇଛି।

ମହୁଲି ଗାଁର ଚାଷୀ କେ. ଶ୍ରୀନିବାସ ରାଓଙ୍କର ରହିଛି ୫ ଏକରରୁ ଅଧିକ ଜମି। ଏଥିରେ ସେ ଧାନ, ମକା ଓ ଆଖୁ ଆଦି ଚାଷ କରି ଥାଆନ୍ତି। ୨୦୧୪ ମାର୍ଚ୍ଚ ମାସରେ ପ୍ରିମିୟର ନାମକ ଏକ କଂପାନୀ ତାଙ୍କ ସହିତ ଯୋଗାଯୋଗ କରିଥିଲା। ଏହି କଂପାନୀ ତାଙ୍କୁ ବୁନ୍ଦା ଜଳସେଚନ ପଦ୍ଧତି ଆପଣାଇବାକୁ କହିଥିଲା। ଏଥିରେ ୮୦ ପ୍ରତିଶତ ସବସିଡି ରହିଛି। ଚାଷୀକୁ ମାତ୍ର ୨୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରେ ଉତ୍ସାହିତ ହୋଇଯାଇଥିଲେ ଶ୍ରୀନିବାସ ରାଓ। ଆଉ କଂପାନୀ କଥାରେ ପଡ଼ି ନିଜର ୫ ଏକର ଜମିରେ ବୁନ୍ଦା ଜଳସେଚନ ବ୍ୟବସ୍ଥା କରିବାକୁ ରାଜି ହୋଇଥିଲେ। ଏଥିପାଇଁ ସେ ଏକର ପିଛା ୧୬ ହଜାର ଖର୍ଚ୍ଚ କରିଥିଲେ। ଅର୍ଥାତ ୫ ଏକର ଜମିକୁ ସେ ୯୦ ହଜାର ଟଙ୍କା ପ୍ରିମିୟର କଂପାନୀକୁ ଦେଇଥିଲେ। କିନ୍ତୁ ବର୍ଷେ ବିତିଗଲା ପରେ ବି ବୁନ୍ଦା ଜଳସେଚନ ନେଇ ପୂରା ବ୍ୟବସ୍ଥା ହୋଇପାରି ନାହିଁ। ସେପଟେ କାମ ଶେଷ ହୋଇ ନ ଥିବା ବେଳେ କଂପାନୀ ତାଙ୍କ ନାଁରେ ରିହାତି ବାବଦକୁ ପୂରା ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି।

ଶ୍ରୀନିବାସ ରାଓ ଅଭିଯୋଗ କରିଛନ୍ତି, ପ୍ରିମିୟର କଂପାନୀ ଜିଲ୍ଲା କୃଷି ବିଭାଗ ସହିତ ଅନୁବନ୍ଧିତ ଅଛି। କଂପାନୀ ମୋଠାରୁ ୫ ଏକର ଜମି ପାଇଁ ୯୦ ହଜାର ଟଙ୍କା ନେଇ ଯିବା ପରେ କାମ ଆରମ୍ଭ କରିଥିଲା। ତେବେ ୫ ଏକରରୁ ମାତ୍ର ତିନି ଏକରରେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। କିନ୍ତୁ ଏଥିରୁ ପାଣି ନିର୍ଗତ ହେଉ ନାହିଁ। ଏହା ଦେଖିବା ପରେ କଂପାନୀ କହିଥିଲା ଗତବର୍ଷ ସେପ୍ଟେମ୍ବର ବେଳକୁ ଏହାକୁ ସଜାଡ଼ି ଦେବ। କିନ୍ତୁ ଆଉ ସଜାଡ଼ି ନଥିଲା। ଦିନେ କଂପାନୀର କିଛି ଲୋକ ଆସି କିଛି ଲାଟେରାଲ୍ ଓ ସବଲାଇମ୍ ପାଇପ ଗଦା କରି ଦେଲେ। ମୋତେ ଛିଡ଼ା କରି ଫଟୋ ଉଠାଇଲେ। ପଚାରିବାରେ କହିଲେ ଅଫିସିଆଲ ଆବଶ୍ୟକତା ରହିଛି। ତା’ପରଠାରୁ ସେମାନଙ୍କର ଦେଖା ମିଳିଲା ନାହିଁ। ଆହୁରି ଦୁଇ ଏକର ଜମିରେ ପାଇପ୍ ବିଛା ଯାଇ ନାହିଁ। ଏହା ପରେ ସେ ସୂଚନା ଅଧିକାର ଆଇନରୁ ଜାଣିବାକୁ ପାଇଲେ ତାଙ୍କ ନାଁରେ ପୂରା ରିହାତି ଟଙ୍କା କଂପାନୀ ଉଠାଇ ନେଇଛି। କଂପାନୀ ତାଙ୍କ ନାଁରେ ୧ ଲକ୍ଷ ୯୪ ହଜାର ଟଙ୍କା ନେଇଯାଇଛି। ଶ୍ରୀନିବାସ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କଂପାନୀ ତାଙ୍କଠାରୁ ୯୦ ହଜାର ଟଙ୍କା ନେବା ପରେ ରସିଦ୍ ମଧ୍ୟ ଦେଇନାହିଁ।

ତାଙ୍କ ନାଁରେ ରିହାତି ଟଙ୍କା ଉଠାଯାଇଥିବା ଜାଣିବା ପରେ ଶ୍ରୀନିବାସ ମୁଖ୍ୟମନ୍ତ୍ରୀ, କୃଷି ମନ୍ତ୍ରୀ, ଜିଲ୍ଲାପାଳ, ଜିଲ୍ଲା କୃଷି ଅଧିକାରୀ ଓ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀଙ୍କଠାରେ ଅଭିଯୋଗ କରି ସାରିଛନ୍ତି। କିନ୍ତୁ କିଛି ଲାଭ ହୋଇନାହିଁ।

ଅନ୍ୟପକ୍ଷରେ ଜୟପୁର ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ଗୋପାଳ ଚନ୍ଦ୍ର ମଣ୍ଡଳ କହିଛନ୍ତି ଯେ ଶ୍ରୀନିବାସଙ୍କଠାରୁ ଅଭିଯୋଗ ପାଇବା ପରେ ସେ ଏକ ତଦନ୍ତ କରାଇଥିଲେ। ଏହି ତଦନ୍ତ ରିପୋର୍ଟକୁ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ। ତେବେ ସେ କହିଛନ୍ତି, ତଦନ୍ତ ବେଳେ ଶ୍ରୀବାସନ ସହଯୋଗ କରି ନଥିଲେ। ତଦନ୍ତକାରୀ ଅଧିକାରୀଙ୍କ ଫୋନ୍ ସେ ଉଠାଇ ନଥିଲେ। ଫଳରେ ତଦନ୍ତକାରୀ ଅଧିକାରୀ କ୍ଷେତ୍ର ଉପରକୁ ଯାଇ ନିଜେ ପରିସ୍ଥିତି ଦେଖିଥିଲେ ଓ ସେଠାରେ କାମରେ ନିୟୋଜିତ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲେ। ତାଙ୍କ ଜମି ନିକଟରେ କିଛି ସବଲାଇମ୍ ପାଇପ୍ ଓ ଲାଟେରାଲ ବଣ୍ଡଲ ପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ତାଙ୍କ ଜମି ସଫା ନଥିବାରୁ ଜମିର ବାକି ଅଂଶରେ ପାଇପ୍ ବିଛା ଯାଇପାରିନାହିଁ। ସେ ସେହି ଜମିରେ ମକା ଓ ଧାନ ଚାଷ କରିଥିଲେ। ତେଣୁ ସେହି ସମୟ ମଧ୍ୟରେ ବାକି ଅଂଶଗୁଡ଼ିକରେ ବୁନ୍ଦା ଜଳସେଚନ ପାଇଁ ପାଇପ ବିଛା ଯାଇପାରି ନାହିଁ। ତେବେ ଜମି ସଫା ହୋଇଗଲେ ଘଣ୍ଟାଏ ମଧ୍ୟରେ ବାକି କାମ ଶେଷ ହୋଇଯିବ ବୋଲି ସେ କହିଥିଲେ।

ଅର୍ଥହଡ଼ପ ଘଟଣା ନେଇ ଗୋପାଳ ଚନ୍ଦ୍ର ମଣ୍ଡଳ କହିଛନ୍ତି ଯେ ଏ ନେଇ ସେ କିଛି ଜାଣି ନାହାନ୍ତି। କାରଣ ରିହାତି ଟଙ୍କା କୋରାପୁଟ ଜିଲ୍ଲା ଉଦ୍ୟାନ ବିଭାଗ କାର୍ଯ୍ୟାଳୟକରୁ ରିଲିଜ୍ କରାଯାଏ। ତେବେ ଏ ପୂରା ଘଟଣା ପାଇଁ ସେ ଶ୍ରୀନିବାସଙ୍କୁ ଦାୟୀ କରିଛନ୍ତି। କାମ ଶେଷ ହୋଇଯାଇନଥିବା ସତ୍ତ୍ୱେ ଶ୍ରୀନିବାସ କାହିଁକି ଏସଂପର୍କିତ କାଗଜପତ୍ରରେ ଦସ୍ତଖତ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Related story