/odisha-reporter/media/post_attachments/uploads/2015/07/reta-5.png)
reta1
କଳାହାଣ୍ଡି: ରାଜ୍ୟର ସବୁ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା ଲାଗି ସରକାର ଯୋଜନା ପ୍ରଣୟନ କରି କାର୍ଯ୍ୟକାରୀ କରୁଛନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଏଭଳି ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ଦ୍ୱାରା ଜିଲ୍ଲାର ବହୁ ଚାଷୀ ଉପକୃତ ହେଉଛନ୍ତି। ତେବେ ଜଳସେଚନ ପ୍ରକଳ୍ପ ଯୋଗୁ କିଛି ଅଞ୍ଚଳର ଲୋକେ ନିଜର ଜୀବିକା ହରାଉଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲାର କୁଟିଙ୍ଗପଦରରୁ । ଏଠାରେ ନିର୍ମାଣ ହେଉଥିବା ରେତ ଜଳସେଚନ ପ୍ରକଳ୍ପ ଯୋଗୁଁ ଅଡସ୍ତଲା ଓ ବାତୁଆ ଗ୍ରାମବାସୀ ନିଜର ଜୀବନଜୀବିକା ହରାଇବାର ଆଶଙ୍କା ଲୋକଙ୍କ ପାଇଁ ଦୁଃଖର କାରଣ ସାଜିଛି।
ପ୍ରାୟ ୨୦୦୦ ଏକର ଅଞ୍ଚଳକୁ ନେଇ ନିର୍ମାଣ ହେଉଛି ରେତ ଜଳ ସେଚନ ପ୍ରକଳ୍ପ। ଏହା କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାର ନର୍ଲା, ଭବାନୀପାଟଣା, ଲାଞ୍ଜିଗଡ ଓ କେସିଙ୍ଗା ବ୍ଲକର ୯୫ ଖଣ୍ଡ ଗାଁର ଚାଷୀ ଉପକୃତ ହେବେ । ଏହାସହ ପ୍ରାୟ ୮୫୦୦ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ। ତେବେ ଏହି ପ୍ରକଳ୍ପ ନଦୀକୂଳିଆ ଅଡ଼ସ୍ତଲା ଓ ବାତୁଆ ଗାଁ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ସ୍ୱତନ୍ତ୍ର ଭୂ-ଅର୍ଜନ ବିଭାଗ ବୁଡି ଅଞ୍ଚଳ ଭାବେ ପ୍ରଭାବିତ ହେବାକୁ ଥିବା ପ୍ରାୟ ୧୫ ଖଣ୍ଡ ଗାଁକୁ ଚିହ୍ନଟ କରି ବିସ୍ଥାପନ ପ୍ରକ୍ରିୟା ସାରିଛନ୍ତି । ବୁଡି ଅଞ୍ଚଳରେ ଅଡସ୍ତଲା ଓ ବାତୁଆ ଗାଁ ଯାଉନାହିଁ। ଏହି ଦୁଇଟି ଗାଁର ଲୋକେ ଜଙ୍ଗଲରେ ପୋଡୁ ଚାଷ କରି ଓ କାଠ, ମହୁଲ, ଚାହାଁର, ଟୋଲ ଆଦି ବନଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରନ୍ତି। ଏହା ସହିତ ସେମାନଙ୍କର ସ୍ୱଳ୍ପ ଚାଷ ଜମି ମଧ୍ୟ ରହିଛି। ସେଥିରେ ସେମାନେ କଷ୍ଟେମଷ୍ଟେ ଚଳିଯାଇଥାନ୍ତି। ମାତ୍ର ଏବେ ସେମାନଙ୍କ ଚାଷ ଜମି ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ ହୋଇସାରିଛି। ଏପରି ସ୍ଥିତିରେ ଗ୍ରାମବାସୀ ନିଜର ଜୀବନଜୀବିକା ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗାଁର ୩ ପାର୍ଶ୍ୱକୁ ଜଙ୍ଗଲ ଘେରି ରହିଥିବା ବେଳେ ଗୋଟିଏ ପଟେ ପ୍ରବାହିତ ହେଉଛି ରେତ ନଦୀ। ଜଙ୍ଗଲ ପାଦଦେଶରେ ଥିବା ଅଡ଼ସ୍ତଲା ଗାଁ ଲୋକେ ବନ୍ୟଜନ୍ତୁ ଆକ୍ରମଣର ଶିକାର ହେଉଥିବାର ନଜିର ରହିଛି। ବର୍ଷାଦିନେ ଏହି ଅଞ୍ଚଳ ଜଳବନ୍ଦୀ ହୋଇ ପ୍ରାୟ ୩ ମାସ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥାଏ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନଦୀର ଜଳସ୍ତର ଗାଁ ନିକଟକୁ ଆସିଯିବ ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବିସ୍ଥାପନ କରି ଉପଯୁକ୍ତ ଥଇଥାନ କରାଯିବାକୁ ଅଡ଼ସ୍ତଲା ଓ ବାତୁଆ ଗ୍ରାମବାସୀ ଏକାଧିକ ଥର ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଆରପିଡିଏସି ବୈଠକରେ ଦାବି କରୁଥିଲେ ମଧ୍ୟ କିଛି ଲାଭ ହୋଇନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
ଅଞ୍ଚଳବାସୀଙ୍କ ପାଇଁ ପ୍ରଶାସନ ଯୋଗାଯୋଗ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାସ୍ତା ଓ ହାଇ ଲେବୁଲ ବ୍ରିଜ ପାଇଁ ପ୍ରାୟ ୧୬କୋଟି ୩୯ଲକ୍ଷ ଟଙ୍କା ବ୍ୟୟ ଅଟକଳ କରିଛି। ମାତ୍ର ଏହି ଦୁଇ ଗାଁକୁ ବିସ୍ଥାପନ କଲେ ସ୍ୱତନ୍ତ୍ର ଭୁ-ଅର୍ଜନ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ ୧୩କୋଟି ୨ଲକ୍ଷ ୪୯୫୭ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ।
ରାସ୍ତା ଓ ହାଇଲେବୁଲ ବ୍ରିଜ ନିର୍ମାଣ ହେଲେ ଲୋକଙ୍କ ଗମନାଗମନ ସୁବିଧା ହୋଇଯିବ ସତ, ହେଲେ ଜୀବନ ଜୀବିକା ଲାଗି ଗ୍ରାମବାସୀଙ୍କ ପାଖରେ କୌଣସି ସୁବିଧା ରହିବ ନାହିଁ ବୋଲି ଗାଁର ପ୍ରମିଳା ମାଝୀ, କ୍ଷୀରସିନ୍ଧୁ ମାଝୀ, କାନ୍ତି ମାଝୀ ଓ ସୁଖ ଶବର ପ୍ରମୁଖ କହିଛନ୍ତି। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ଦୁର୍ବାଦଳ ମେହେରଙ୍କୁ ଯୋଗାଯୋଗ କରାଯିବାରେ ସେ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଥିବା କହିଛନ୍ତି । ଏହି ଦୁଇ ଗ୍ରାମର ଲୋକଙ୍କୁ ବିସ୍ଥାପନ କରାଯିବାକୁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/07/reta-51.png)
/odisha-reporter/media/post_attachments/wp-content/uploads/2015/07/reta-4.png)