୩ଟି ପଞ୍ଚାୟତର ୧୫ହଜାର ହେକ୍ଟର ଚାଷଜମିକୁ ଜଳଯୋଗାଣ ଉଦ୍ଦେଶ୍ୟରେ ଟାଙ୍କୁଗୁଡାଠାରେ ଏହି ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଯୋଜନା ହୋଇଥିଲା। କେବିକେ ସ୍ୱତନ୍ତ୍ର ପାଣ୍ଠିରୁ ଏଥିପାଇଁ ଦେଢ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଥିଲା। ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ଦିଆଯାଇଥିଲା। କ୍ଷୁଦ୍ର ଜଳସେଚନ ବିଭାଗ ଏହାର ତଦାରଖ ଦାୟିତ୍ୱରେ ଥିଲା। ୨୦୦୫ରେ ଆଡିବନ୍ଧ କାମ ଆରମ୍ଭ ହୋଇ ୨୦୦୮ରେ ଶେଷ ହୋଇଥିଲା। କେନାଲ ନିର୍ମାଣ ଲାଗି କିଛି ଚାଷୀଙ୍କୁ ଜମି ହରାଇବାକୁ ପଡିବ। ସମ୍ପୃକ୍ତ ଚାଷୀମାନେ ଜମି ଦେବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନେ କେବଳ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ଲାଗି କିଛି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହେଉଛି। ଫଳରେ କେନାଲ ନିର୍ମାଣ ଲାଗି ଥିବା ୩୮ ଲକ୍ଷ ଟଙ୍କା ପଡିରହିଛି।
ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ୟା ସମ୍ପର୍କରେ ଜଣାଇଲେ ମଧ୍ୟ କିଛି ଲାଭ ହେଉନାହିଁ । ୭ବର୍ଷ ବିତିଗଲା ଡ୍ୟାମରୁ ଜମିକୁ ପାଣି ମାଡିବା ନିମନ୍ତେ କେନାଳ ନିର୍ମାଣ କରାଯାଇନାହିଁ ବୋଲି ଚାଷୀ ସୁରେଶ କୁମାର ପାଳ କହିଛନ୍ତି। ଏ ନେଇ ଉପ ଜିଲ୍ଲାପାଳ ମୂରଲୀଧର ସ୍ୱାଇଁ କହିଛନ୍ତି, ୧୫ଦିନ ମଧ୍ୟରେ ଜମି ହରାଉଥିବା ୧୩ଜଣ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବୁ। ରବି ଚାଷ ଲାଗି ଚାଷୀ ଯେମିତି ଆଡିବନ୍ଧର ପାଣି ବ୍ୟବହାର କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉଛି।
ପ୍ରାୟ ପ୍ରତିବର୍ଷ ରାଜ୍ୟର କିଛି ଅଞ୍ଚଳରେ ମରୁଡିର ପ୍ରଭାବ ପଡୁଛି। ଏପରି ସ୍ଥିତିରେ ଅଣ ଜଳସେଚିତ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଚଳିତବର୍ଷ ରାଜ୍ୟରେ ୨୬ଟି ଜିଲ୍ଲାରେ ମରୁଡି ହୋଇଛି। ୧୦୦ରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ଶାସକ ଓ ବିରୋଧୀ ପରସ୍ପରକୁ କାଦୁଅ ଫିଙ୍ଗିବାରେ ବ୍ୟସ୍ତ ରହୁଛନ୍ତି। ହେଲେ ସମସ୍ୟାର ସମାଧାନ ଲାଗି କାହାର ଆନ୍ତରିକତା ଥିବା ପରି ମନେ ହେଉନାହିଁ। ଯାହା କଲ୍ୟାଣସିଂହପୁର ଟାଙ୍କୁଗୁଡାଠାରେ ଥିବା ଆଡିବନ୍ଧକୁ ଦେଖିଲେ ଜାଣିହେବ। ନିର୍ମାଣ ହୋଇ ୭ବର୍ଷ ହେଲା ଏହି ଆଡିବନ୍ଧ ନିର୍ମାଣ ହୋଇ ପଡି ରହିଥିଲେ ମଧ୍ୟ ଏହା କିପରି ଚାଷୀଙ୍କ କାମରେ ଆସିବ ସେଥିପ୍ରତି କାହାର ଦୃଷ୍ଟି ନାହିଁ।