ମାଲକାନଗିରି: ପ୍ରତିଶ୍ରୁତିର ତିନି ମାସ ବିତିଲା, ସିଲାକୋଟା ଗାଁ ନୋହିଲା ଆଦର୍ଶ ଗାଁ

ମାଲକାନଗିରି: ପାହାଡ଼ ଜଂଗଲ ଘେରା ମାଲକାନଗିରି ଜିଲ୍ଲାର ସିଲାକୋଟା ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ଅପହଞ୍ଚ ଇଲାକାରେ ବସବାସ କରୁଥିବା ଆଦିବାସୀ ଲୋକେ। ଗାଁକୁ ରାସ୍ତା ଖଣ୍ଡେ ନାହିଁ। ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚଳପ୍ରଚଳ କରୁଛନ୍ତି ଲୋକେ। ଏହି ରାସ୍ତାରେ ଗାଁର ପ୍ରସୂତୀଙ୍କୁ ବଡ଼ କଷ୍ଟରେ ମେଡିକାଲକୁ ନିଆଯାଏ। ମାଓବାଦୀଙ୍କୁ ସମର୍ଥନ କରିବା କାରଣରୁ ଏଠାରେ କୌଣସି ବିକାଶମୂଳକ କାମ ହୋଇ ପାରୁ ନ ଥିଲା। ଗାଁଲୋକେ ଏକଥା ବୁଝିବା […]

MAL SILAKOTA

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 03:13 PM IST

ମାଲକାନଗିରି: ପାହାଡ଼ ଜଂଗଲ ଘେରା ମାଲକାନଗିରି ଜିଲ୍ଲାର ସିଲାକୋଟା ଗାଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ଅପହଞ୍ଚ ଇଲାକାରେ ବସବାସ କରୁଥିବା ଆଦିବାସୀ ଲୋକେ। ଗାଁକୁ ରାସ୍ତା ଖଣ୍ଡେ ନାହିଁ। ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚଳପ୍ରଚଳ କରୁଛନ୍ତି ଲୋକେ। ଏହି ରାସ୍ତାରେ ଗାଁର ପ୍ରସୂତୀଙ୍କୁ ବଡ଼ କଷ୍ଟରେ ମେଡିକାଲକୁ ନିଆଯାଏ। ମାଓବାଦୀଙ୍କୁ ସମର୍ଥନ କରିବା କାରଣରୁ ଏଠାରେ କୌଣସି ବିକାଶମୂଳକ କାମ ହୋଇ ପାରୁ ନ ଥିଲା। ଗାଁଲୋକେ ଏକଥା ବୁଝିବା ପରେ ମାଓବାଦୀଙ୍କ ହାତ ଛାଡ଼ି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପ୍ରଶାସନ ସେମାନଙ୍କୁ ଥଇଥାନ କରିବା ସହ ସିଲାକୋଟାକୁ ଆଦର୍ଶ ଗାଁ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ ତିନି ମାସ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହାକୁ ନେଇ ଗାଁଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସିଲାକୋଟା ଗାଁର ଭୀମା ମାଡକାମୀ କହିଛନ୍ତି ଯେ ଦିନକୁ ଦିନ ଗାଁଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡୁଛି। କାହାକୁ ଜ୍ୱର ହେଉଛି ତ କାହାକୁ ଝାଡ଼ା। ଖବର ପାଇ ଡାକ୍ତରମାନେ ଆସି ଔଷଧ ଦେଇ ଯାଉଛନ୍ତି ସିନା ଗାଁର ପରିସ୍ଥିତି ସୁଧୁରୁ ନାହିଁ। ସେହିପରି ଗାଁ ମୁଖିଆ ପେଦା ପଡିଆମୀ କହିଛନ୍ତି, ବୋଫାମପାଲିଠୁ ଏୟାରବୋମପାଲି ଯାଏଁ ରାସ୍ତା ଅତ୍ୟନ୍ତ ଖରାପ। ନିଜେ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ଏହାକୁ ମରାମତି କରିବାକୁ ଜିଲ୍ଲା ପ୍ରଶାସନ କହିଥିଲା। ହେଲେ ଏବେ ପର୍ଯ୍ୟନ୍ତ କାହାର ଦେଖା ଦର୍ଶନ ନାହିଁ।

ଏନେଇ ମାଲକାନଗିରି ଉପଜିଲ୍ଲାପାଳ ନୃପରାଜ ସାହୁ କହିଛନ୍ତି ଯେ, ସିଲାପଟା ଗାଁକୁ ସମସ୍ତ ସରକାରୀ ଯୋଜନା ପହଞ୍ଚାଇ ଦେବାକୁ ଆମର ଯୋଜନା ରହିଛି। ବର୍ଷା ଋତୁ ଥିବାରୁ ଆଦର୍ଶ ଗ୍ରାମ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଳମ୍ୱ ହୋଇଛି।

ସ୍ଥାନୀୟ ବିଧାୟକ ମାନସ ମାଡ଼କାମୀ ଗାଁ ଲୋକଙ୍କ ଭଲମନ୍ଦ ବୁଝିବା ଲାଗି ନିକଟରେ ସିଲାକୋଟା ଯାଇଥିଲେ। ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ। ଗାଁ ଲୋକଙ୍କ ସମସ୍ୟାର ସମାଧାନ ଲାଗି ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ବିଧାନସଭାରେ ଏନେଇ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story