ଜଳନ୍ତା ଅଙ୍ଗାର ଉପରେ ଚାଲିକି ପାଳନ ହୁଏ ହୋଲି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଉ ଦିନକ ପରେ ହୋଲି। ରଙ୍ଗର ପର୍ବର ହୋଲିକୁ  ପ୍ରେମ, ଭାଇଚାରା ଓ ସଦ୍‌ଭାବନର ପର୍ବ ଭାବେ ମଧ୍ୟ ଆମେ ପାଳନ କରିଥାଉ। ଏହି ପର୍ବକୁ ଦେଶ ଭିତରେ ତଥା ଦେଶ ବାହାରେ ଭିନ୍ନ ଭିନ୍ନ ପ୍ରକାରେ ପାଳନ କରାଯାଏ। ହେଲେ କେବେ ଆପଣ ଶୁଣିଛନ୍ତି କି ଅଙ୍ଗାରରେ ବି ହୋଲି ଖେଳାଯାଏ। କିମ୍ୱା ହୋଲିକୁ ଶୋକ ଦିବସ ଭାବେ ପାଳନ କରି ଘରେ ଚୁଲି ନ ଲଗାଇବା, ଜଳନ୍ତା ଅଙ୍ଗାର ଉପରେ […]

holy-3...

holy-3...

Niharika Rout
  • Published: Thursday, 21 March 2019
  • Updated: 21 March 2019, 11:34 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଆଉ ଦିନକ ପରେ ହୋଲି। ରଙ୍ଗର ପର୍ବର ହୋଲିକୁ  ପ୍ରେମ, ଭାଇଚାରା ଓ ସଦ୍‌ଭାବନର ପର୍ବ ଭାବେ ମଧ୍ୟ ଆମେ ପାଳନ କରିଥାଉ। ଏହି ପର୍ବକୁ ଦେଶ ଭିତରେ ତଥା ଦେଶ ବାହାରେ ଭିନ୍ନ ଭିନ୍ନ ପ୍ରକାରେ ପାଳନ କରାଯାଏ।

ହେଲେ କେବେ ଆପଣ ଶୁଣିଛନ୍ତି କି ଅଙ୍ଗାରରେ ବି ହୋଲି ଖେଳାଯାଏ। କିମ୍ୱା ହୋଲିକୁ ଶୋକ ଦିବସ ଭାବେ ପାଳନ କରି ଘରେ ଚୁଲି ନ ଲଗାଇବା, ଜଳନ୍ତା ଅଙ୍ଗାର ଉପରେ ଚାଲିବା ତଥା ପରସ୍ପର ଉପରକୁ ଟେକାପଥର ମାଡ଼ କରିବା ଆଦି ପରମ୍ପରା ଏବେ ବି ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କ ମଧ୍ୟରେ ହୋଲି ସମୟରେ ପାଳିତ ହେଉଛି। ଆସନ୍ତୁ ଜାଣିବା ଏପରି ଲୋମଟାଙ୍କୁରା, କଷ୍ଟଦାୟକ ହୋଲି ପାଳନ ସମ୍ପର୍କରେ।

ସାଧାରଣତଃ ମଧ୍ୟପ୍ରଦେଶର ଏବଂ କର୍ଣ୍ଣାଟକ ରାଜ୍ୟର କେତେକ ଅଞ୍ଚଳରେ ଏପରି ଅଜବ ପ୍ରଥା ଆଜି ବି ପ୍ରଚଳିତ ଅଛି। ଏଠାରେ ହୋଲି ଦିନ ଜଣେ ଅନ୍ୟ ଜଣଙ୍କ ଉପରକୁ ଜଳନ୍ତା ଅଙ୍ଗାର ଫୋପାଡିଥାନ୍ତି। ଏପରି କରିବା ଦ୍ୱାରା ହୋଲିକା ରାକ୍ଷାସୀର ମୃତ୍ୟୁ ଘଟି ଦୁଷ୍ଟଶକ୍ତିର ବିନାଶ ହୁଏ ବୋଲି ସେମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।

ମଧ୍ୟପ୍ରଦେଶର ଭିଲ୍‌ ଆଦିବାସୀଙ୍କ ମଧ୍ୟରେ ହୋଲି ଦିନ ଜୀବନସାଥୀ ଚୟନର ପ୍ରଥା ରହିଛି।  ହୋଲି ଦିନ ହିଁ ଏଠାରେ ଏକ ହାଟ ବସେ।  ଏହି ଦିନ ଜୀବନସାଥୀ ଖୋଜିବାକୁ ଏହି ହାଟରେ ବହୁ ଯୁବକଯୁବତୀଙ୍କ ଭିଡ଼ ଜମେ। ଏକ ସ୍ୱତନ୍ତ୍ର ବାଦ୍ୟଯନ୍ତ୍ରର ତାଳେତାଳେ ଆଦିବାସୀ ଯୁବକମାନେ ନୃତ୍ୟ କରିଥାନ୍ତି। ଏପରି କରି ସେମାନେ ନିଜ ମନ ପସନ୍ଦର ଯୁବତୀଙ୍କ ନିକଟକୁ ଆସି ତାଙ୍କ ମୁହଁରେ ରଙ୍ଗ ବୋଳିଥାନ୍ତି।   ଯଦି ଉକ୍ତ ଯୁବତୀଜଣକ ମଧ୍ୟ ସେହି ଯୁବକଙ୍କୁ ରଙ୍ଗ ବୋଳନ୍ତି, ତେବେ ଧରି ନିଆଯାଏ ଯେ,  ଉଭୟ ପରସ୍ପରକୁ ପସନ୍ଦ କରୁଛନ୍ତି।  ଏହାପରେ ଯୁବକଜଣକ ଯୁବତୀଙ୍କୁ ଉଠାଇ ନେଇଯାଇ ବିବାହ କରନ୍ତି।

ରାଜସ୍ଥାନର ବାଂଶବାଡ଼ି ସମ୍ପ୍ରଦାୟର ଆଦିବାସୀ ଲୋକଙ୍କ ମଧ୍ୟରେ ମଧ୍ୟ ହୋଲିକୁ ନେଇ ଅଜବ ପରମ୍ପରା ରହିଛି। ଏହି ଦିନ ରଙ୍ଗ ଖେଳ ସହ ଏହି ସମ୍ପ୍ରଦାୟ ଲୋକେ ହୋଲିକା ଦହନ ହୋଇଥିବା ଜଳନ୍ତା ଅଙ୍ଗାର ଉପରେ ଚାଲିଥାନ୍ତି।  ଏତିକିରେ ସେମାନଙ୍କ କଷ୍ଟ ସରେନି। ଏହାପରେ ସେମାନେ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥାନ୍ତି । ସେମାନଙ୍କର ବିଶ୍ୱାସ ରହିଛି ଯେ, ଏପରି ହୋଲି ଖେଳିବା ଦ୍ୱାରା ଯାହା ଦେହରୁ ଯେତେ ରକ୍ତ ବାହାରେ ତାହାର ଆଗାମୀ ଦିନ ସେତେ ଭଲରେ କଟେ।

ରାଜସ୍ଥାନର ପୁଷ୍କରଣ ବ୍ରାହ୍ମଣ ଅଞ୍ଚଳର ଚୋବାଟିଆ ଯୋଶି ଜନଜାତି ଲୋକେ ହୋଲିକୁ  ଶୋକ ଦିବସ ଭାବେ ପାଳନ କରନ୍ତି।  ଘରେ ଜଣଙ୍କର ମୃତ୍ୟୁ ହେଲେ ଯେପରି ଚୁଲି ଜଳେ ନାହିଁ, ଠିକ୍‌ ସେହିପରି ହୋଲି ଦିନ ଏହି ସମ୍ପ୍ରଦାୟ ଲୋକଙ୍କ ଘରେ ଚୁଲି ଜଳେ ନାହିଁ। ଏହା ପଛରେ ଏକ ଲୋକକଥା ରହିଛି।

ବହୁ ବର୍ଷ ପୂର୍ବେ ନିଜ ଛୁଆ ସହ ହୋଲିକା ଦହନ ଦେଖିବାକୁ ଜଣେ ମହିଳା ଆସିଥିଲେ। ଦୁର୍ଭାଗ୍ୟବଶତଃ ତାଙ୍କ ହାତରୁ ଛୁଆ ନିଆଁକୁ ଖସି ପଡିଥିଲା। ଏହାଦେଖି ମହିଳାଜଣକ ମଧ୍ୟ ନିଆଁକୁ ଡେଇଁ ପଡିଥିଲେ। ସେଠାରେ ଉଭୟ ମା’ପୁଅଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ମହିଳାଜଣକ ସେଠାରେ ଉପସ୍ଥିତ ଲୋକଙ୍କୁ ଭବିଷ୍ୟତରେ କେବେ ବି  ହୋଲିକୁ  ଖୁସିର ପର୍ବ ଭାବେ ପାଳନ କରିବାକୁ  ବାରଣ କରିଥିଲେ। ଏହାପରଠୁ ସେଠାରେ ହୋଲିକୁ ଶୋକ ଦିବସ ଭାବେ ପାଳନ କରାଯାଏ।

ହରିୟାଣାର କେଥଲ ଜିଲାର ଦୁସରପୁର ଗାଁରେ ମଧ୍ୟ ହୋଲି ପର୍ବ ପାଳନ ହୋଇ ନ ଥାଏ। ଏହି ଗାଁ ଉପରେ ଜଣେ ବାବାଙ୍କ ଅଭିଶାପ ଥିବା କୁହାଯାଏ। ସନ୍ଥଜଣକ ଉକ୍ତ ଗାଁର ଜଣେ ବ୍ୟକ୍ତିଙ୍କ ଉପରେ ରାଗି ଯାଇ ହୋଲିକା ଦହନ ସମୟରେ ନିଆଁକୁ ଡେଇଁ ପଡିଥିଲେ। ଭବିଷ୍ୟତରେ କେବେ ବି ଉକ୍ତ ଗାଁରେ ହୋଲି ପାଳନ ହେଲେ ଅଶୁଭ ହେବ ବୋଲି ଜଳୁ ଜଳୁ ସନ୍ଥଜଣକ ଗ୍ରାମବାସୀଙ୍କୁ ଅଭିଶାପ ଦେଇଥିଲେ। ଏଥିରେ ଗ୍ରାମବାସୀ ଏତେ ଭୟଭୀତ ହୋଇ ଯାଇଥିଲେ ଯେ,  ସେବେଠୁ ଗାଁରେ ହୋଲି ପାଳନ କରିବା ଛାଡି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos