ପ୍ରଶ୍ନ: ଆପଣ କବିତା ଲେଖିବା କେବେଠାରୁ ଆରମ୍ଭ କରିଥିଲେ, ପ୍ରଥମ କବିତା କ’ଣ ଓ କେଉଁଥିରେ ପ୍ରକାଶ ପାଇଥିଲା?
ଉତ୍ତର: ପିଲାବେଳୁ ଲେଖାଲେଖି କରୁଥିଲି। ମୋର କିଛି କବିତା ଓ ଗପ ସ୍କୁଲ ପତ୍ରିକାରେ ପ୍ରକାଶ ପାଇଥିଲା। ମନେ ଅଛି ଯେତେବେଳେ ମୁଁ ଅନ୍ତରା ମହତପୁର ହାଇସ୍କୁଲରେ ପଢ଼ୁଥିଲି ସେତେବେଳେ ଜଣେ ଲୋକ ପେଟରା(ବେତ ଟୋକେଇ)ରେ ଝଙ୍କାର, ଜୀବନରଙ୍ଗ, କାହ୍ନୁଚରଣ ଲେଙ୍କା ଓ କଣ୍ଡୁରି ଦାସଙ୍କ ଉପନ୍ୟାସ ମୁଣ୍ଡାଇ ଆମ ସ୍କୁଲ ପାଖକୁ ଆସୁଥିଲେ। ମୁଁ ସେସବୁ ମାଗି ପଢ଼ୁଥିଲି। ସେଥିରୁ ଅନୁପ୍ରାଣିତ ହୋଇ ମୁଁ ତୁଳସୀ ଦାସଙ୍କ ଜୀବନୀକୁ ସଂକ୍ଷିପ୍ତ କରି ଲେଖିଥିଲି। ୧୯୭୧ ବାତ୍ୟାରେ ଉକ୍ତ ପାଣ୍ଡୁଲିପି ହଜିଗଲା। ରାଜ୍ୟସ୍ତରରେ ମୋର ପ୍ରଥମ କବିତା “ଛୁଆ ବହଲା” ଧରିତ୍ରୀରେ ପ୍ରକାଶ ପାଇଥିଲା।
ପ୍ରଶ୍ନ: ଆଜିର ଯୁବ ପିଢ଼ି ପ୍ରେମ, ପ୍ରତାରଣା ଓ ବିରହ ଉପରେ କବିତା ଲେଖୁଥିବା ବେଳେ ଆପଣଙ୍କ କବିତା ଗ୍ରାମ୍ୟ ପରିବେଶ ଉପରେ ଆଧାରିତ। ଏହାର କାରଣ କ’ଣ?
ଉତ୍ତର: ମୋର ବାଲ୍ୟ ଜୀବନ ଗାଁରୁ ଆରମ୍ଭ ହୋଇଛି। ଗାଁ ସ୍କୁଲରେ ପାଠ ପଢ଼ିଛି। ସନ୍ଧ୍ୟା ବେଳେ ଭାଗବତ ପାରାୟଣ, ପାଠଚକ୍ର ଓ ଭୀମ ଭୋଇଙ୍କ ଭଜନ ଜଣାଣ ଶୁଣି ବଡ଼ ହୋଇଛି। ଗାଁରେ ଦୈନନ୍ଦିନ ଘଟୁଥିବା ଘଟଣାକୁ ନିଜ ଆଖିରେ ଦେଖିଛି। ସେଥିରୁ ମୋତେ କବିତା ଲଖିବା ପାଇଁ ପ୍ରେରଣା ମିଳିଥିଲା। ଗାଁର ବାସ୍ତବ ଚିତ୍ର, ଚରିତ୍ର ଓ ଭାଷାକୁ ମୋ କବିତାରେ ଚିତ୍ରଣ କରିଛି। ଧାର ଭାଷାରେ କବିତା ଲେଖିନି। ମୋ କବିତା ସମ୍ପୂର୍ଣ୍ଣ ବାସ୍ତବିକ, କାଳ୍ପନିକ ନୁହେଁ।
ବର୍ତ୍ତମାନ ଯେଉଁମାନେ ପ୍ରେମକୁ ନେଇ କବିତା ଲେଖୁଛନ୍ତି ସେମାନେ ପ୍ରେମ କ’ଣ ଜାଣିନାହାନ୍ତି। ପ୍ରେମର ଆରମ୍ଭ ଶରୀର ହୋଇପାରେ, କିନ୍ତୁ ଶରୀର ଭିତରେ ସୀମିତ ନୁହେଁ। ଶରୀର ମଧ୍ୟ ଦେଇ ଆଧ୍ୟାତ୍ମିକ ଅନୁଭବ ଆଡକୁ ଯାଉଥିବା କବିତାକୁ ପ୍ରେମ କବିତା କୁହାଯାଏ।
ପ୍ରଶ୍ନ: “ଜେଜେ ଦେଖି ନ ଥିବା ଭାରତ” ପାଇଁ ଆପଣ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେଥିପାଇଁ ଆପଣଙ୍କୁ ଅଭିନନ୍ଦନ। ଏହି କବିତା ଗୁଡ଼ିକରେ କ’ଣ କହିବାକୁ ଚାହିଁଛନ୍ତି?
ଉତ୍ତର: “ଜେଜେ ଦେଖି ନ ଥିବା ଭାରତ”ରେ ୪୦ରୁ ଅଧିକ କବିତା ରହିଛି। ଏଥିରେ ଦୁଇଟି ପିଢ଼ିର କଥା ରହିଛି। ଜେଜେ ଗୋଟିଏ ପିଢ଼ିକୁ ପ୍ରତିନିଧିତ୍ୱ କରୁଥିବା ବେଳେ ନାତି ଆଉ ଗୋଟିଏ ପିଢ଼ିକୁ ପ୍ରତିନିଧିତ୍ୱ କରୁଛି। ଜେଜେ ଦେଖିଥିବା ଦୁନିଆରେ ପରସ୍ପରକୁ ଭଲ ପାଇବା, ବିଶ୍ୱାସବୋଧ, ଆତ୍ମିୟତା ଓ ସଚ୍ଚୋଟପଣିଆ ଥିଲା। ବର୍ତ୍ତମାନ ନାତି ଦେଖିଥିବା ଦୁନିଆରେ ପ୍ରତାରଣା, ଧୋକାବାଜୀ, ଆତ୍ମ ପ୍ରବଞ୍ଚନା, ଶୋଷଣ ଓ ବ୍ୟଭିଚାର ରହିଛି। ଏହି ଦୁଇ ପିଢ଼ିକୁ “ଜେଜେ ଦେଖି ନ ଥିବା ଭାରତ”ରେ ବର୍ଣ୍ଣନା କରାଯାଇଛି।
ପ୍ରଶ୍ନ:“ଜେଜେ ଦେଖି ନ ଥିବା ଭାରତ”ରେ ସାମାଜିକ ଅଧୋପତନକୁ ସୁନ୍ଦର ଭାବେ ପରିପ୍ରକାଶ କରାଯାଇଛି। ଏପରି ଧାରାରୁ କ’ଣ ଆମ ସମାଜ ମୁକ୍ତି ପାଇବ ନାହିଁ?
ଉତ୍ତର: ଶ୍ରୀ ଅରବିନ୍ଦ କହିଛନ୍ତି ବିବର୍ତ୍ତନ ପ୍ରକ୍ରିୟା ଦେଇ ସମଗ୍ର ପୃଥିବୀ ଓ ମାନବ ସମାଜ ଗତି କରୁଛି। ଏହା ଭିତରେ କେବଳ ଖରାପ ଜିନିଷ ଗୁଡ଼ିକ ଦେଖାଯାଉଛି। ମାତ୍ର ଭଲ ଜିନିଷ ଆଢୁଆଳରେ ରହିଯାଉଛି। ସମାଜରେ ଘଟୁଥିବା ଏହି ଅବକ୍ଷୟର ନିଶ୍ଚିତ ପରିବର୍ତ୍ତନ ହେବ।
ପ୍ରଶ୍ନ: ଯୋଗ୍ୟ ଲେଖକଙ୍କୁ ଉପଯୁକ୍ତ ସମ୍ମାନ ମିଳୁନଥିବା ଅଭିଯୋଗ ହେଉଛି, ଏହା କଣ ସତ୍ୟ?
ଉତ୍ତର: ଯୋଗ୍ୟ ଲେଖକ ଓ କବିଙ୍କୁ ଉପଯୁକ୍ତ ସମ୍ମାନ ମିଳେନି। ଏହା ଭିତରେ ମଧ୍ୟ କେତେକ ଯୋଗ୍ୟ ବ୍ୟକ୍ତି ସମ୍ମାନ ପାଇଛନ୍ତି। ଯେଉଁମାନେ ଭଲ ଲୋକ ସେମାନେ ଖୋସାମତି କରିପାରିବେନି କି ଲାଞ୍ଚ ଦେଇପାରିବେନି। ତେଣୁ ସେମାନଙ୍କୁ ସମ୍ମାନ କେମିତି ମିଳିବ?।
ପ୍ରଶ୍ନ: ଭାରତୀୟ କବିତା ପରଂପରାରେ ଓଡ଼ିଆ କବିତାର ସ୍ଥାନ କେଉଁଠି?
ଉତ୍ତର: ଭାରତୀୟ କବିତା ପରମ୍ପରାରେ ହିନ୍ଦୀ, ବଙ୍ଗଳା ଓ ଅହମିଆ(ଆସାମ)ଠାରୁ ଓଡ଼ିଶା ବହୁ ଉଚ୍ଚରେ ରହିଛି।
ପ୍ରଶ୍ନ: ଆପଣ କିଛି ଦିନ ‘ଶିଶୁଲେଖା’ ପତ୍ରିକାରେ ସମ୍ପାଦକ ଥିଲେ। ଓଡ଼ିଶାରେ ଶିଶୁଲେଖାର ଧାରା କଣ?
ଉତ୍ତର: ଓଡ଼ିଶାରେ ଶିଶୁଲେଖା ଖରାପ ସ୍ଥିତିରେ ରହିଛି। ଅନ୍ୟାନ୍ୟ ଭାଷା ତୁଳନାରେ ଆମ ଶିଶୁସାହିତ୍ୟ ପଛରେ ରହିଛି। ଜ୍ଞାନୀ ବ୍ୟକ୍ତି ଶିଶୁ ସାହିତ୍ୟ ଲେଖୁନାହାନ୍ତି। ଆଜି ଯେଉଁମାନେ ନିଜକୁ ଶିଶୁ ସାହିତ୍ୟିକ ବୋଲି କହୁଛନ୍ତି ସେମାନଙ୍କର ଶବ୍ଦ ଓ ଭାଷା ଜ୍ଞାନ ନାହିଁ। ଶିଶୁ ସାହିତ୍ୟର ଉନ୍ନତି କରିବାକୁ ହେଲେ ପ୍ରତିଭାବାନ ବା ଜ୍ଞାନୀ ବ୍ୟକ୍ତି ଲେଖିବା ଦରକାର। ଏହାଛଡ଼ା ଶିଶୁ ସାହିତ୍ୟ ବିଶ୍ୱସ୍ତରୀୟ ହେବା ଦରକାର। ତାହାହେଲେ ଯାଇ ଶିଶୁ ସାହିତ୍ୟର ବିକାଶ ହୋଇପାରିବ।
ପ୍ରଶ୍ନ: ଆଧୁନିକ ମିଡିଆ ସାହିତ୍ୟକୁ ପ୍ରଭାବିତ କରୁଛି କି?
ଉତ୍ତର: ସମାଜକୁ ବାର୍ତ୍ତା ଦେବାର ମାଧ୍ୟମ ହେଉଛି ମିଡ଼ିଆ। ଏହାର ଭଲ ଗୁଣକୁ ସାହିତ୍ୟିକମାନେ କଳାତ୍ମକ ରୂପ ଦେଇ ନିଜର ସାଧନାରେ ବ୍ୟବହାର କରିବା କଥା। ମାତ୍ର ଯିଏ ମିଡ଼ିଆର ତଥ୍ୟକୁ କଳାରେ ରୁପାନ୍ତରିତ କରିପାରିନାହାନ୍ତି ସେମାନଙ୍କୁ ମିଡ଼ିଆ ଗ୍ରାସ କରିଛି। ଏଥିରେ ମିଡ଼ିଆର ଭୁଲ ରହିଲା କେଉଁଠି?
ପ୍ରଶ୍ନ: ଆଗାମୀ ରଚନା କ’ଣ ଓ ଏହା କେବେ ଆସୁଛି?
ଉତ୍ତର: ଏବେ ‘ରେବତୀ’ ପ୍ରକାଶ ପାଇଛି। ପୂଜାରେ ନନ୍ଦିନୀ ଶତପଥୀଙ୍କ ଜୀବନୀ ଓ ‘ଶ୍ରେଷ୍ଠ କବିତା’ ପ୍ରକାଶ ପାଇବ।