ନୂଆଦିଲ୍ଲୀ: ବିଜ୍ଞାନ ଯେତେ ଆଗକୁ ଗଲେ ବି ଦୁନିଆରେ ଏମିତି ବହୁତ ରହସ୍ୟ ରହିଛି, ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ଏପରି ଏକ ପୁସ୍ତକ ରହିଛି, ଯାହାର ନାଁ ‘ଭୟନିଚ୍ ପାଣ୍ଡୁଲିପି’। ଏହା ଯେତିକି ରହସ୍ୟମୟ ସେତିକି ରୋମାଞ୍ଚକର ମଧ୍ୟ।
ଆପଣ ବହୁ ପୁରୁଣା ପୁସ୍ତକ ଓ ପାଣ୍ଡୁଲିପି ଦେଖିଥିବେ। କିଛି ଲୋକ ଏହାକୁ ପଢ଼ିଥିବେ ମଧ୍ୟ। ହେଲେ ଭୟନିଚ୍ ପାଣ୍ଡୁଲିପି ଏପରି ଏକ ପୁସ୍ତକ ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରିନାହାନ୍ତି।
ତେବେ ଆସନ୍ତୁ ଜାଣିବା ଏହି ପୁସ୍ତକ ସମ୍ପର୍କରେ।
୧୫ଶ ଶତାବ୍ଦୀରେ ଲେଖାଯାଇଥିବା ଏହି ପୁସ୍ତକରେ ରହିଚି ୨୪୦ ପୃଷ୍ଠା। ଏଥିରେ ଏମିତି ଭାଷାରେ କିଛି ଲେଖା ଯାଇଛି, ଯାହାକୁ କେହି ବି ବୁଝିପାରୁନାହାନ୍ତି। ଏଥିରେ ବହୁତଗୁଡିଏ ଗଛଲତାର ଚିତ୍ର ରହିଛି। ଆଶ୍ଚର୍ଯ୍ୟ କରିବାର କଥା ହେଲା ଏପରି ଗଛଲତା ପୃଥିବୀରେ କେଉଁଠି ବି ଦେଖିବାକୁ ମିଳିନଥାଏ।
କାର୍ବନ୍ ଡେଟିଙ୍ଗ ଦ୍ୱାରା ଏହା ଜଣାପଡ଼ିଛି ଯେ ପୁସ୍ତକଟି ୧୪୦୪ରୁ ୧୪୩୮ ମଧ୍ୟରେ ଲେଖାଯାଇଛି। ଏହି ପାଣ୍ଡୁଲିପର ନାଁ ଇଟାଲୀର ଜଣେ ବହି ଡିଲର୍ Wilfrid Voynich ଙ୍କ ନାଁ ଅନୁସାରେ ରଖାଯାଇଛି। ୧୯୨୧ରେ ସେ ଏହି ପୁସ୍ତକଟିକୁ କିଣିଥିଲେ।
ଏହି ପାଣ୍ଡୁଲିପିରେ କ’ଣ ଲେଖାଯାଇଛି ତାହା ଜଣାପଡ଼ି ନଥିଲେ ବି ଏଥିରେ କିଛି ଶବ୍ଦ ଲାଟିନ୍ ଓ ଜର୍ମାନ ଭାଷାରେ ଥିବା ଜଣାପଡ଼ିଛି।
ଏହି ପୁସ୍ତକକୁ ୬ଟି ଅଲଗା ଅଲଗା ଭାଗରେ ବଣ୍ଟା ଯାଇଛି। ପ୍ରତିଟି ଭାଗରେ କୌଣସି ବିଷୟ ଉପରେ କୁହାଯାଇଛି। ସବୁ ଭାଗରେ ଅଲଗା ଅଲଗା ଚିତ୍ର ରହିଛି। ଚିତ୍ରକୁ ଦେଖି ଏତିକି ଅନୁମାନ ଲଗାଯାଛି ଯେ ଏଥିରେ ଖଗୋଳ (Astronomy), ଜୀବବିଜ୍ଞାନ (Biology), ବ୍ରହ୍ମାଣ୍ଡ ବିଜ୍ଞାନ (Cosmology), ହର୍ବାଲ ଜ୍ଞାନ (Herbal Knowledge), ଔଷଧ (Medicine), ରନ୍ଧନ ବିଦ୍ୟା (Recipes) ବିଷୟରେ ଉଲ୍ଲେଖ ରହିଛି। ହେଲେ ଏହା କେବଳ ଏକ ଅନୁମାନ। ଏହାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ।