ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମାଛ ଚାଷ ପାଇଁ ବଡ଼ ପୋଖରୀ କିମ୍ବା ଏକର ଏକର ଜାଗାର ଆବଶ୍ୟକତା ନାହିଁ । ପୋଖରୀ ପରିବର୍ତ୍ତେ ବଡ଼ ବଡ଼ କୁଣ୍ଡରେ ବି ହୋଇପାରିବ ଉନ୍ନତ ଧରଣର ମାଛ ଚାଷ । ଜଣେ ସାଧାରଣ ମାଛ ଚାଷୀ ଖୁବ୍ କମ୍ ଜାଗାରେ ମଧ୍ୟ ପ୍ରଚୁର ପରିମାଣର ମାଛ ଉତ୍ପାଦନ କରି ପାରିବ। ଯାହାକୁ କୁହାଯାଉଛି ‘ବାୟୋ ଫ୍ଲକ୍’ ବା ଜୈବ ପଦ୍ଧତିରେ ମାଛ ଚାଷ । ଏହାକୁ ଏବେ ବାସ୍ତବରେ ପରିଣତ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଧୁବଲାଗଡିର ଗାଁର ଦୁଇଜଣ ଉଚ୍ଚ ଶିକ୍ଷିତ ଯୁବକ ଶ୍ରୀକୃଷ୍ଣ ଦାସ ଓ ରାଜେଶ କୁମାର ବେରା ।
ମାତ୍ର ୫ ଡିସିମିଲ୍ ଜାଗାରେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଏହି ୨ ଯୁବକ ଆରମ୍ଭ କରି ଦେଇଛନ୍ତି ପ୍ରୟାସ। ଏଥିନିମନ୍ତେ ସେମାନେ ପୋଖରୀ ଖୋଳିବା ପରିବର୍ତ୍ତେ ପ୍ଲାଷ୍ଟିକ୍ର ୫ଟି ବଡ଼ ବଡ଼ ୧୦ ଲିଟରିଆ କୁଣ୍ଡ ବସାଇଛନ୍ତି। ଆଉ ସେଥିରେ କରିଛନ୍ତି କଉ ମାଛ ଚାଷ । ଏହି ପଦ୍ଧତିରେ ମାଛଚାଷ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ତାଲିମ କିମ୍ବା ପ୍ରୋତ୍ସାହନ ମିଳି ନଥିବା ବେଳେ କଲିକତା ଓ ହରିଆନାରୁ ତାଲିମ ନେଇ ଗୋଟିଏ ଗାଁରେ ଦୁଇବନ୍ଧୁ ଆରମ୍ଭ କରିଦେଇଛନ୍ତି ଏହି ମାଛ ଚାଷ ।
ଏଥିପାଇଁ ସେମାନଙ୍କୁ ପ୍ରତି କୁଣ୍ଡ ପିଛା ଖର୍ଚ୍ଚ କରିବାକୁ ପଡିଛି ମାତ୍ର ୩୦ ହଜାର ଟଙ୍କା । ଏହାବ୍ୟତୀତ ମାଛ ଜାଆଁଳ ପାଇଁ ୫୦ ହଜାର ଟଙ୍କା, ଖାଦ୍ୟ ପାଇଁ ଦେଢ଼ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୫୦ ହଜାର ଟଙ୍କା ବ୍ୟୟ ହେବ ବୋଲି ସେମାନେ ଆକଳନ କରିଛନ୍ତି। ମାତ୍ର ୩ରୁ ସାଢେ ୩ ମାସ ପରେ ଏହି ମାଛ ଶହେ ଗ୍ରାମରୁ ଅଧିକ ହେବ ଏବଂ ବଜାରରେ ଅତି କମ୍ରେ ଏହା କିଲୋପ୍ରତି ୨୦୦ ଟଙ୍କାରେ ବିକ୍ରୀ ହେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଠିକ୍ ଭାବେ ମାଛ ଉତ୍ପାଦନ ହେଲେ ଏତିକି ଜାଗାରୁ ପ୍ରାୟ ୬ ଲକ୍ଷ ଟଙ୍କା ମିଳିପାରିବ ବୋଲି ସେମାନେ କହିଛନ୍ତି । ଥରେ ହୋଇଥିବା ନିବେଶ ୩ ବର୍ଷ ପର୍ଯ୍ୟନ୍ତ କାମ ଦେବ ।
ପୋଖରୀରେ ମାଛ ଚାଷ ସମୟରେ ଯଦି ରୋଗ ବ୍ୟାପେ ତେବେ କ୍ଷତିର ଯଥେଷ୍ଟ ସମ୍ଭାବନା ରହିଛି । ଏଥିସହ ପୋଖରୀରେ ଖାଦ୍ୟ ଓ ଔଷଧରେ ମଧ୍ୟ ଅଧିକ ଅପବ୍ୟୟ ହୋଇଥାଏ । କିନ୍ତୁ ଏହି କୁଣ୍ଡରେ ରୋଗ ବ୍ୟାପିଲେ ତୁରନ୍ତ ପାଣି ନିଷ୍କାସନ ପାଇଁ ଇଣ୍ଟରନାଲ୍ ପାଇପ ରହିଛି। ସେହିଭଲି ମାଛକୁ ଅମ୍ଳଜାନ ଯୋଗାଇବା ପାଇଁ ଅକ୍ସିଜେନ୍ ପମ୍ପିଂ ସିଷ୍ଟମ ମଧ୍ୟ ବ୍ୟବହାର କରାଯାଇଛି । ଏହି ପଦ୍ଧତିରେ ଜୀବାଣୁ ମୁକ୍ତ ମାଛ ଉତ୍ପାଦନ ହୋଇପାରିବ ବୋଲି କହିଛନ୍ତି ଏହି ୨ ଯୁବକ। ଆଖ ପାଖ ଗାଁର କିଛି ଯୁବକ ମଧ୍ୟ ସେମାନଙ୍କ ନିକଟରୁ ଏପରି ନୂଆ ପଦ୍ଧତିରେ ମାଛ ଚାଷ ଶିଖୁଛନ୍ତି।
ଏ ସମ୍ପର୍କରେ ରାଜେଶ କୁମାର ବେରା କହିଛନ୍ତି, ଅଳ୍ପ ଜାଗାରେ ଏହି ପଦ୍ଧତିରେ ମାଛ ଚାଷ କରାଯାଇପାରିବ। ଏକ ଏକର ଜାଗାରେ ପୋଖରୀ ଖୋଳି ମାଛ ଚାଷ କରିବା ଯାହା, ୫ ଡିସମିଲ ଜାଗାରେ ଏପରି ଚାଷ କରିବା ସମାନ। ପୋଖରୀ ପାଣି ପରିବର୍ତ୍ତେ ବୋରିଂ ପାଣି ବ୍ୟବହାର କରାଯାଇ ଏହି ମାଛ ଚାଷ କରାଯାଉଥିବାରୁ ଏହା ଅଧିକ ଜୀବାଣୁମୁକ୍ତ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ଜଣେ ଗରୀବ ଲୋକ ଯାହା ପାଖରେ ଏକରେ ଜାଗା ନ ଥିବ, ସେ ନିଜ ଘର ଆଗରେ ଅଳ୍ପ ଜାଗାରେ ଗୋଟିଏ ପ୍ଲାଷ୍ଟିକ କୁଣ୍ଡ ବସାଇ ପାରିବ। ଏହାଦ୍ୱାରା ଜାଗା ନଷ୍ଟ ହେବାର ସମ୍ଭାବନା ନାହିଁ। ଏପରି ପଦ୍ଧତି ଦ୍ୱାରା ଗୋଟିଏ ବର୍ଷରେ ଲକ୍ଷେ ଟଙ୍କାରୁ ଅଧିକ ରୋଜଗାର କରି ପାରିବ ବୋଲି ସେ କହିଛନ୍ତି।
ସେହିପରି ଶ୍ରୀକୃଷ୍ଣ ଦାସ କହିଛନ୍ତି, ଏମ୍କମ୍ କରି ସାରିବା ପରେ ଚାକିରି ପଛରେ ବହୁ ଧାଁଦୌଡ଼ କରିବା ପରେ ନିରାଶ ହେଲୁ। ଏହାପରେ ଆତ୍ମ ନିର୍ଭରଶୀଳ ହେବାକୁ ମନସ୍ଥ କଲୁ। ଏହାପରେ ନେଟ୍ରେ ବାୟୋ ଫକ୍ସ ପଦ୍ଧତିରେ ମାଛ ଚାଷ ଦେଖି ଆତ୍ମ ନିର୍ଭରଶୀଳ ହେବାକୁ ମନସ୍ଥ କଲୁ। । ପ୍ରଥମେ ୨୦୦୮ ମସିହାରେ ଏହା ଇଣ୍ଡୋନେସିଆରୁ ଆରମ୍ଭ ହୋଇଥିଲା। ଏହାପରେ ଗତ ବର୍ଷ ତାହା ଭାରତକୁ ଆସିଛି। ଆମେ ରାଜ୍ୟ ବାହାରକୁ ଯାଇ ଏ ବିଷୟରେ ପ୍ରଶିକ୍ଷଣ ନେଲୁ ବୋଲି ସେ କହିଛନ୍ତି।