ନୂଆଦିଲ୍ଲୀ : ବୈଜ୍ଞାନିକମାନେ କୃମିର ଏକ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି। ଯାହାର ତିନୋଟି ଅଲଗା ଅଲଗା ଲିଙ୍ଗ ରହିଛି। ଏପରିକି ଏହି କୃମି ଦେହରେ କଙ୍ଗାରୁ ପରି ଥଳି ମଧ୍ୟ ରହିଛି। ଯେଉଁଥିରେ ସେ ତା’ର ଛୁଆକୁ ରଖିପାରେ।
କୃମିର ଏହି ପ୍ରଜାତିଟିକୁ କାର୍ଲିଫର୍ଣ୍ଣିଆର ଆର୍ସେନିକ (ଏକ ପ୍ରକାର କେମିକାଲ୍) ଯୁକ୍ତ ମୋନୋ ହ୍ରଦରୁ କାଲ୍ଟେକ୍ର ବେଜ୍ଞାନିକମାନେ ଆବିଷ୍କାର କରିଛନ୍ତି।
ଆର୍ସେନିକର ଥିବା ବିଷାକ୍ତ ମୋନୋ ହ୍ରଦରେ ମଣିଷ ବଞ୍ଚିବା ମଧ୍ୟ କଷ୍ଟ। କିନ୍ତୁ ଏହି କୃମିର ୫୦୦ ଗୁଣା ଅଧିକା ଜୀବନ ଧାରଣ କ୍ଷମତା ରହିଛି ବୋଲି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।
ମୋନୋ ହ୍ରଦରେ ଆଠ ପ୍ରକାର ପ୍ରଜାତିର ଜୀବ ରହୁଥିବା ବୈଜ୍ଞାନିକମାନେ ଆବିଷ୍କାର କରିଥିଲେ। ଯେଉଁମାନଙ୍କ ମଧ୍ୟରେ କିଛି ଶିକାରୀ ଓ ପରଜୀବୀ ରହିଥିଲେ। ଏମାନେ ହ୍ରଦର ଅନ୍ୟ ଜୀବଙ୍କ ଉପରେ ଆକ୍ରମଣ କରିଥା’ନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଜାତି ଜୀବିତ ରହିପାରନ୍ତି ନାହିଁ ବୋଲି ଜଣାପଡ଼ିଥିଲା। ଯାହାର ଏକ ରିପୋର୍ଟ କରେଣ୍ଟ ବାୟୋଲୋଜି ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।
ପ୍ରଶାନ୍ତ ମହାସାଗର ତୁଳନାରେ ମୋନୋ ହ୍ରଦ ତିନି ଗୁଣା ଅଧିକ ଲୁଣିଆ। ସେଥିପାଇଁ ଏହି ହ୍ରଦରେ ବ୍ରାଇନ୍ ଶ୍ରିମ୍ପ୍ ଓ ଡିଭିଙ୍ଗ୍ ଫ୍ଲାଇଜ୍ ପରି ମାତ୍ର ଦୁଇ ପ୍ରଜାତିର ଜୀବ ରହିଛନ୍ତି।