୧୧ ବର୍ଷ ହେଲା ମୃତକଙ୍କ ନାଁରେ ଉଠୁଛି ଅନ୍ତ୍ୟୋଦୟ ଚାଉଳ

ନୀଳଗିରି: ଦେଶକୁ କ୍ଷୁଧାମୁକ୍ତ କରିବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମରେ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଓ କିରୋସିନି ଉଠୁଛି। ଦୀର୍ଘ ୧୧ ବର୍ଷ ଧରି ସର୍ବ ସମ୍ମୁଖରେ ଏପରି ଘୋଟାଲା ଚାଲିଥିଲେ ମଧ୍ୟ ପ୍ରଶାସନର ତିଳେ ମାତ୍ର ନଜର ପଡ଼ୁନାହିଁ। ଅନ୍ୟପକ୍ଷରେ ମୃତକଙ୍କ ନାମରେ ଯେଉଁ ବ୍ୟକ୍ତି ଚାଉଳ ଉଠାଉଛନ୍ତି ସେ ଚଞ୍ଚକତା କରି ଗତ ନଭେମ୍ବରରେ ରାସନ୍ କାର୍ଡ଼ ହାତେଇଥିବା […]

NELIGER1

Rakesh Mallick
  • Published: Thursday, 04 August 2016
  • , Updated: 04 August 2016, 10:39 PM IST

ନୀଳଗିରି: ଦେଶକୁ କ୍ଷୁଧାମୁକ୍ତ କରିବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି। କିନ୍ତୁ ଏଥିରେ ମଧ୍ୟ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାମରେ ଅନ୍ତ୍ୟୋଦୟ ଯୋଜନାରେ ଚାଉଳ ଓ କିରୋସିନି ଉଠୁଛି। ଦୀର୍ଘ ୧୧ ବର୍ଷ ଧରି ସର୍ବ ସମ୍ମୁଖରେ ଏପରି ଘୋଟାଲା ଚାଲିଥିଲେ ମଧ୍ୟ ପ୍ରଶାସନର ତିଳେ ମାତ୍ର ନଜର ପଡ଼ୁନାହିଁ। ଅନ୍ୟପକ୍ଷରେ ମୃତକଙ୍କ ନାମରେ ଯେଉଁ ବ୍ୟକ୍ତି ଚାଉଳ ଉଠାଉଛନ୍ତି ସେ ଚଞ୍ଚକତା କରି ଗତ ନଭେମ୍ବରରେ ରାସନ୍ କାର୍ଡ଼ ହାତେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି।

ଔପଦା ବ୍ଲକ ପ୍ରତାପପୁର ଗ୍ରାମର ରମ୍ଭାମଣୀ ପ୍ରଧାନ। ୨୦୦୫ରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ନାମରେ ଉକ୍ତ ଗ୍ରାମର ସୁଜିତ ପ୍ରଧାନ ନାମକ ଜଣେ ଯୁବକ ଅନ୍ତ୍ୟୋଦୟ ଯୋଜନାରେ ୩୫ କିଲୋ ଚାଉଳ ଓ କିରୋସିନି ଉଠାଉଛନ୍ତି। ପରେ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ବଣ୍ଟାଯାଇଥିବା ରାସନ୍ କାର୍ଡ଼ ମଧ୍ୟ ସୁଜିତ ହାତେଇଛନ୍ତି। ରାସନ୍ କାର୍ଡ଼ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ରମ୍ଭାମଣୀଙ୍କ ସମ୍ପର୍କରେ ପଚାରିବାରୁ ସୁଜିତ କହିଥିଲେ ସେ ଶଯ୍ୟାଶୟିନୀ ଅଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଅଙ୍ଗନୱାଡି କର୍ମୀ ରମ୍ଭାମଣୀଙ୍କ ରାସନ୍ କାର୍ଡ଼ ସର୍ଭେ ଫର୍ମ ପୂରଣ କରିନହାନ୍ତି କି ତାଙ୍କ ବିଷୟରେ କିଛି ଜାଣି ନାହାନ୍ତି। ଏହା ସତ୍ତ୍ୱେ ସୁଜିତଙ୍କୁ ରାସନ୍‌କାର୍ଡ଼ ମିଳିଛି। ଆଶ୍ଚର୍ଯ୍ୟର କଥା ଏ ସମ୍ପର୍କରେ ମୃତ ରମ୍ଭାମଣୀଙ୍କ ପରିବାର ଲୋକେ ଜାଣିନାହାନ୍ତି।

ଏ ସମ୍ପର୍କରେ ରମ୍ଭାମଣୀଙ୍କ ପୁଅ ରବୀନ୍ଦ୍ର ପ୍ରଧାନ କହିଥିଲେ, “ମୋ ନାମରେ ଥିବା ରାସନ୍‌କାର୍ଡ଼ରୁ ମୁଁ କଣ୍ଟ୍ରୋଲ୍ ସାମଗ୍ରୀ ଉଠାଉଛି। ମା’ଙ୍କ ନାମରେ ରାସନ୍‌କାର୍ଡ଼ ଅଛି ବୋଲି ମୁଁ ଜାଣିନି।”

ରବୀନ୍ଦ୍ରଙ୍କ ପୁଅ ନାମ ସୁଜିତ କି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ, “ ମୋ ପୁଅ ବାହାରେ ରହୁଛି। ଘରକୁ କମ୍ ଆସେ, ମୋ ନାମରେ ଯିଏ କଣ୍ଟ୍ରୋଲ୍ ସାମଗ୍ରୀ ଉଠାଉଛି ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ”।

ରିଟେଲର୍  ଦିଲ୍ଲୀପ୍ ମଲ୍ଲିକ କହିଛନ୍ତି, “ରମ୍ଭାମଣୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି ବୋଲି ମୁଁ ଜାଣିନି। ତାଙ୍କ ନାମରେ ରାସନ୍‌କାର୍ଡ଼ ଥିବାରୁ ସୁଜିତ୍ ପ୍ରଧାନ ଆସି ଚାଉଳ ଓ କିରୋସିନି ନିଅନ୍ତି। ଏବେ ଜାଣିଲି, ଆଗକୁ ଦେବିନି”।

ଅଙ୍ଗନୱାଡ଼ି କର୍ମୀ କ୍ଷୀରାବ୍ଧିନନ୍ଦିନୀ ବିଶ୍ୱାଳ କହିଛନ୍ତି, “ରମ୍ଭାମଣୀ ପ୍ରଧାନ କିଏ ମୁଁ ଜାଣିନି। ତାଙ୍କ ନାମରେ ମୁଁ ରାସନ୍‌କାର୍ଡ଼ ଫର୍ମ ପୂରଣ କରିନି। କେମିତି ତାଙ୍କ ନାମରେ ରାସନ୍‌କାର୍ଡ଼ ହେଲା ସେ ସମ୍ପର୍କରେ କିଛି ମୁଁ ଜାଣିନି।

ଉକ୍ତ ଗାଁର ଜଣେ ବରିଷ୍ଠ ବ୍ୟକ୍ତି ଗୋପୀନାଥ ପ୍ରଧାନ କହିଛନ୍ତି, “ରମ୍ଭାମଣୀ ପ୍ରଧାନ ମରିବାର ୧୧ ବର୍ଷ ହେଲାଣି। ତାଙ୍କ ନାମରେ କଣ୍ଟ୍ରୋଲ୍ ସାମଗ୍ରୀ ଉଠାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ସୁଜିତ ମୁମ୍ୱାଇରେ ରହୁଛି, ଘରକୁ କେବେ କେମିତି ଆସୁଛି। ସେ କଣ୍ଟ୍ରୋଲ୍ ସାମଗ୍ରୀ ଉଠାଇନଥିବ”।

ଔପଦା ଭାରପ୍ରାପ୍ତ ବିଡିଓ ଯୋଗେନ୍ଦ୍ର ନାଥ ରାଉତଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ, “ତଦନ୍ତ ପରେ ଦୋଷୀଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”।

Related story