ଜିଁ ଜାଗିଥିଲେଁ ବଛରେ

SUSHIL KUMAR BAG
ଡକ୍ଟର ସୁଶୀଳ କୁମାର ବାଗ୍‌

ପଶ୍ଚିମ ଓଡ଼ିଶାର ଜନଜୀବନ ଓ ସଂସ୍କୃତିରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳିତ ହୋଇଥାଏ। ସେଥିମଧ୍ୟରୁ ଗଣପର୍ବ ନୂଆଁଖାଇ ଅନ୍ୟତମ। ମାଟି ମାଁ ପ୍ରତି, ଇଷ୍ଟଦେବୀଙ୍କ ପ୍ରତି ପ୍ରଥମ ଉତ୍ପାଦିତ ଶସ୍ୟକୁ ହୃଦୟର ଗଭୀର ଭକ୍ତି ନୈବେଦ୍ୟ ସହିତ ଅର୍ପଣ କରିବାର ଏକ ମହାନ୍‌ ପର୍ବ ନୂଆଁଖାଇ। ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର କୁଲି, ମଜୁରୀଆ, ଶ୍ରମିକ ସବୁ ବର୍ଗର ଲୋକେ ଏହି ପର୍ବରେ ସାମିଲ ହୋଇଥାନ୍ତି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗାଁଠାରୁ ସହର ପର୍ଯ୍ୟନ୍ତ ଧନିଠାରୁ ଗରିବ ସମସ୍ତେ ମହାଆଡ଼ମ୍ୱର ସହକାରେ ପାଳନ କରନ୍ତି ଏହି ପର୍ବକୁ।

ଭାଦ୍ରବ ମାସରେ ଧାନ ଫଳ ଧରିବା ଆରମ୍ଭ ହୋଇଥାଏ। ପଶୁ, ପକ୍ଷୀ, ବନ୍ୟଜନ୍ତୁ ଏହି ନୂତନ ଶସ୍ୟକୁ ଉଚ୍ଛିଷ୍ଟ କରିବା ପୂର୍ବରୁ ନିଜର ଇଷ୍ଟଦେବୀଙ୍କୁ ଏହା ଅର୍ପଣ କରିବାକୁ ମନେ ମନେ ସଂକଳ୍ପ କରିଥାଏ କୃଷକ। କୃଷକର ଏଭଳି ଏକ ଚିନ୍ତାଧାରାରୁ ‘ନୂଆଁଖାଇ’ ପର୍ବର ଆରମ୍ଭ ହୋଇଥିବା ଜଣାଯାଏ। ଭାଦ୍ରବ ମାସର ପଞ୍ଚମୀ ଦିନ ନୂଆଁଖାଇ ପର୍ବକୁ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ପାଳନ କରାଯାଏ ସମଗ୍ର ପଶ୍ଚିମ ଓଡ଼ିଶାରେ। ଏହା ବ୍ୟତୀତ କେତେକ ଅଞ୍ଚଳରେ ଲୋକେ ଭିନ୍ନ ଭିନ୍ନ ଦିନରେ ମଧ୍ୟ ନୂଆଁ ଖାଆନ୍ତି।

Nuakhai picପୂଜାବିଧି: ନୂଆଁଖାଇ ଦିନ ପ୍ରତ୍ୟେକ ପରିବାରର ମହିଳାମାନେ ସକାଳରୁ ଶୀଘ୍ର ଉଠି ଗାଧୋଇ କୂଅ ବା ପୋଖରୀରୁ ପାଣି ଆଣିଥାନ୍ତି ପୂଜା କରିବା ପାଇଁ। ଧୂପ, ଦୀପ, ବେଲପତ୍ର, ଦୁବଲତା, ଫୁଲ ଆଦି ସଂଗ୍ରହ କରିଥାନ୍ତି। ଘରର ଇଷ୍ଟ ଦେବଦେବୀଙ୍କ ପ୍ରତିମାକୁ ହଳଦୀ ପାଣିରେ ଧୋଇ ଦିଅନ୍ତି। ଘରର ମହିଳାମାନେ ଏକାଠି ବସି ପନିପରିବା କାଟିବାଠାରୁ ଆରମ୍ଭ କରି ଖିରିପୁରି, ପିଠାମଣ୍ଡା, ଭାତ, ଡାଲି, ତରକାରୀ ରାନ୍ଧିବା ପର୍ଯ୍ୟନ୍ତ ସବୁ କାମ କରିଥାନ୍ତି। ଶାଶୁ-ବୋହୂ, ନଣନ୍ଦ-ଭାଉଜ, ଯାଆମାନେ ପୂର୍ବର ରାଗରୁଷା, ମାନ ଅଭିମାନ ସବୁ ଭୁଲି ନୂଆଁଖାଇ ପର୍ବ ପାଳନ ପାଇଁ ମିଳିମିଶି ଘରର ବିଭିନ୍ନ କାମ କରିଥାନ୍ତି। ସକାଳୁ ଗାଁର ଝାଙ୍କର ଘର ଘର ବୁଲି ନୂଆଁ ଧାନ ବଣ୍ଟିଥାନ୍ତି। ଉକ୍ତ ନୂଆ ଧାନରୁ ଚାଉଳ ବାହାର କରି ମହିଳାମାନେ ଖିରି, ଭାତରେ ପକାଇ ପ୍ରସାଦ ବା ଭୋଗ ତିଆରି କରିଥାନ୍ତି। ପରିବାରର ଇଷ୍ଟଦେବୀଙ୍କ ପାଖରେ ଏହି ଭୋଗ ଅର୍ପଣ କରାଯାଇଥାଏ। ଇଷ୍ଟଦେବୀଙ୍କଠାରେ ଘରର ମୁଖିଆ ପୂଜାର୍ଚ୍ଚନା କରିଥାନ୍ତି। ନୂଆଁଖାଇ ଦିନ ପରିବାର ସମସ୍ତେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି। ପ୍ରଥମେ ଗାଁର ଇଷ୍ଟଦେବୀଙ୍କଠାରେ ନୂଆଁ ଲାଗିବା ପରେ ଗ୍ରାମବାସୀ ନୂଆଁ ଖାଇଥାନ୍ତି। ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ସମସ୍ତଙ୍କୁ ନୂଆଁ ଖୁଆଇଥାନ୍ତି। ନୂଆଁ ଗ୍ରହଣ କରିବାବେଳେ ସମସ୍ତେ ତାଙ୍କୁ ମୁଣ୍ଡିଆ ମାରନ୍ତି। ଜାତି ଅନୁସାରେ ଲୋକେ କୁରେ, ମହୁଲ, ପଳାସ ଆଦି ପତ୍ରରେ ନୂଆଁ ଖାଇଥାନ୍ତି। କୃଷକମାନେ ସକାଳୁର ନିଜ ଖେତରେ ଗୋରସ, ଅରୁଆ ଚାଉଳ ନେଇ ପୂଜା କରିଥାନ୍ତି। ଏହି ଦିନ ଗାଈ, ବଳଦଙ୍କୁ ମଧ୍ୟ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ସଫା ସୁତୁରା କରି ଶିଂଘରେ ରାନ୍ଧି ବାନ୍ଧନ୍ତି। ପରେ ଗାଈ, ବଳଦଙ୍କୁ ଖିରି, ପିଠା, ଆଦି ପେଟ ପୁରା ଖାଇବାକୁ ଦିଆଯାଏ।

Nuakhai pic-4ଭାଇଚାରାର ନିଦର୍ଶନ: ନୂଆଁଖାଇ ହେଉଛି ଏକ ସଂପ୍ରୀତି ଓ ଭାଇଚାରାର ପର୍ବ। ଏହି ପର୍ବ ସମୟରେ ଭାଇ-ଭାଇ ଭିତରେ ଥିବା ଶତ୍ରୁତା, ବାପ-ପୁଅ ଭିତରେ ଥିବା ମନୋମାଳିନ୍ୟ ସବୁକୁ ପାଶୋରି ସମସ୍ତେ ଖୁସିରେ ଗୋଟିଏ ଛାତ ତଳେ, ଗୋଟିଏ ଘରେ ନୂଆଁ ଖାଇଥାନ୍ତି। ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ସପରିବାର ଆସିଥାନ୍ତି ଘରକୁ। ନୂଆଁଖାଇ ସାରିବା ପରେ ପରିବାରର ଛୋଟମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି ଏବଂ ବଡ଼ମାନେ ଛୋଟମାନଙ୍କୁ ଆଶୀର୍ବାଦ ଜଣାଇ ଶୁଭ ମନାସୀ ଥାନ୍ତି। ଏହା ହେଉଛି ନୂଆଁଖାଇର ଏକ ଅନନ୍ୟ ପରଂପରା। ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା, ମାନବୀୟ ସଂପର୍କକୁ ଦୃଢ଼ରୁ ଦୃଢ଼ତର କରିବାରେ ଅନନ୍ୟ ପ୍ରେରଣା ଦେଇଥାଏ ନୂଆଁଖାଇ ପର୍ବ। ଭାଇଚାରା ଓ ସୌହାର୍ଦ୍ଦ୍ୟର ସମନ୍ୱୟ ହେଉଛି ନୂଆଖାଇ ପର୍ବ।

ସାଂସ୍କୃତିକ ବିଭବ: ନୂଆଁଖାଇ ପର୍ବର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରଂପରା ହେଉଛି ତାହାର ସାଂସ୍କୃତିକ ବିଭବ। ପୂଜା ପାର୍ବଣ ସହ ଉକ୍ତ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ। ନୂଆଁଖାଇ ଦିନ ଗାଁ ପରିବେଶ ଉତ୍ସବ ମୁଖରିତ ହୋଇଉଠେ। ନୂଆଁ ଖାଇ ସାରିବା ପାଖ ପଡ଼ିଶାରେ ଲୋକ ପରସ୍ପର ଘରକୁ ବୁଲି ଯାଇ ନୂଆଁଖାଇ ଜୁହାର ଭେଟ୍‌ ହୋଇଥାନ୍ତି। ଅପରାହ୍ନରେ ଗାଁର ଯୁବକମାନେ ଲୁଡୁ, ତାସ୍‌, ଫୁଟବଲ, କିଶୋରୀମାନେ ରଶି ଡିଆଁ, ପୁଚି ଖେଳ ଆଦି ଖେଳିବାରେ ବ୍ୟସ୍ତ ରହି ନୂଆଁଖାଇକୁ ଉପଭୋଗ କରନ୍ତି। ବୃଦ୍ଧ ବା ବୟସ୍କ ଲୋକେ ଭଜନ, କୀର୍ତ୍ତନ୍ୟରେ ଆପାଣାକୁ ହଜାଇ ଦେଇଥାନ୍ତି। ରାତିରେ କେଉଁଠି ପାଲା, ଦାସକାଠିଆ, ଦଣ୍ଡ ନୃତ୍ୟ ବା ନାଟକ ଆଦି ମନୋରଂଜନ କାର୍ଯ୍ୟକ୍ରମରେ ଗ୍ରାମ୍ୟ ମଣିଷମାନେ ବର୍ଷସାରାର କର୍ମକ୍ଲାନ୍ତି ଜୀବନକୁ ଭୁଲି ଯାଆନ୍ତି କିଛି କ୍ଷଣ ପାଇଁ।

ଦିନକୁ ଦିନ ଆଧୁନିକ ସଭ୍ୟତାର ପ୍ରଭାବରେ ନୂଆଁଖାଇର ନିଆରା ପରଂପରା ଫିକା ପଡ଼ିବାରେ ଲାଗିଛି। ଆଧୁନିକ ଚାକଚକ୍ୟରେ ଗ୍ରାମ୍ୟ ଜୀବନ ଓ ସଂସ୍କୃତିକୁ ଭୁଲି ମଣିଷ ସହରାଭିମୁଖୀ ହେବାର ଲାଗିଛି। ତଥାପି ପଶ୍ଚିମ ଓଡ଼ିଶାରେ ଏଭଳି ଅନେକ ଗାଁ ଅଛି ଯେଉଁଠି ନୂଆଁଖାଇର ପରଂପରା, ସଂସ୍କୃତି, ରୀତିନୀତିକୁ ଗ୍ରାମ୍ୟ ମଣିଷମାନେ ବଂଚାଇ ରଖିଛନ୍ତି। ସରଳ ଗ୍ରାମ୍ୟ ମଣିଷ ଭିତରେ ନୂଆଁଖାଇ ଆଣି ଦେଇଥାଏ ସୁଖ, ଶାନ୍ତି, ସମୃଦ୍ଧି ଓ ଜୀବନ ବଂଚିବାର ନୂତନ ପ୍ରେରଣା। ପୁଣି ସେମାନେ ଅପେକ୍ଷା କରିଥାନ୍ତି ଗୋଟିଏ ବର୍ଷ ନୂଆଁଖାଇ ପର୍ବକୁ। ତେଣୁ ଜୁହାର ଭେଟ୍‌ ସମୟରେ ସମସ୍ତେ କହିଥାନ୍ତି ‘ଜିଁ ଜାଗିଥିଲେଁ ବଛରେ’।

 

ଡକ୍ଟର ସୁଶୀଳ କୁମାର ବାଗ୍‌

ମୋବାଇଲ୍‌ ନମ୍ବର: ୯୪୩୭୨୬୩୮୨୬

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More