ନୂଆପଡ଼ା: ଆସନ୍ନ ମରୁଡ଼ି ଆଶଙ୍କାରେ ୭୨ ପଞ୍ଚାୟତର ୩୯୨ଟି ଗାଁର ଚାଷୀ

ନୂଆପଡ଼ା: ଆଉ ତିନି ଦିନ ପରେ ସରିଯିବ ଶ୍ରାବଣ ମାସ। କିନ୍ତୁ ବର୍ଷାର ଦେଖା ନାହିଁ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଦେଖା ଦେଇଛି ଉତ୍କଟ ମରୁଡ଼ି ଆଶଙ୍କା। ଶ୍ରାବଣ ମାସରେ ବର୍ଷା ହେବା ପରିବର୍ତ୍ତେ ବୈଶାଖର ତାତି ଅନୁଭୁତ ହେଉଥିବାରୁ ଚାଷ ଜମି ସବୁ ଫାଟି ଆଁ କଲାଣି । ଜିଲ୍ଲା କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୭୨ଟି ପଞ୍ଚାୟତର ମୋଟ ୩୯୨ଟି ଗାଁରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି।

farmer

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 01:15 PM IST

ନୂଆପଡ଼ା: ଆଉ ତିନି ଦିନ ପରେ ସରିଯିବ ଶ୍ରାବଣ ମାସ। କିନ୍ତୁ ବର୍ଷାର ଦେଖା ନାହିଁ। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ନୂଆପଡ଼ା ଜିଲ୍ଲାରେ ଦେଖା ଦେଇଛି ଉତ୍କଟ ମରୁଡ଼ି ଆଶଙ୍କା। ଶ୍ରାବଣ ମାସରେ ବର୍ଷା ହେବା ପରିବର୍ତ୍ତେ ବୈଶାଖର ତାତି ଅନୁଭୁତ ହେଉଥିବାରୁ ଚାଷ ଜମି ସବୁ ଫାଟି ଆଁ କଲାଣି । ଜିଲ୍ଲା କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୭୨ଟି ପଞ୍ଚାୟତର ମୋଟ ୩୯୨ଟି ଗାଁରେ ମରୁଡ଼ି ପରିସ୍ଥିତି ଦେଖାଦେଇଛି।

ଚଳିତ ଖରିଫ ଋତୁରେ ଜିଲ୍ଲାର ମୋଟ ୧ଲକ୍ଷ ୯୦ହଜାର ହେକ୍ଟର ଜମିରୁ ୮୨ ହଜାର ହେକ୍ଟରରେ ଧାନଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେହିପରି ୧ଲକ୍ଷ ୮ହଜାର ହେକ୍ଟର ଜମିରେ ଅଣଧାନ ଫସଲ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହି ଟାର୍ଗେଟ୍ ପୂରଣ ଦିଗରେ ବାଧା ସାଜିଛି ବର୍ଷା। ଜିଲ୍ଲାରେ ଏଯାବତ ୭୭.୩୭ ପ୍ରତିଶତ ଜମିରେ ବେଉଷଣ ହୋଇଥିବା ବେଳେ ୮୧.୨୧ ଶତକଡ଼ା ଜମିରେ ଧାନ ରୁଆ ସରିଛି । ସେହିପରି ଏପର୍ଯ୍ୟନ୍ତ ୯୦.୫୭ ଶତକଡ଼ା ଜମିରେ ଅଣଧାନ ଫସଲ ଚାଷ ହୋଇଛି। ତେବେ ବର୍ଷା ହେଉ ନ ଥିବା ଯୋଗୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୩ ହଜାର ୧୪୬ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇ ଗଲାଣି। ନୂଆପଡ଼ା ବ୍ଲକରେ ୪୦୧୯ହେକ୍ଟର, କୋମନା ବ୍ଲକରେ ୩୫୧୫ ହେକ୍ଟର, ବୋଡେନ ବ୍ଲକରେ ୪୮୬୯ ହେକ୍ଟର, ଖଡ଼ିଆଳ ବ୍ଲକରେ ୬୩୧୩ ଓ ସିନାପାଳ ବ୍ଲକରେ ୪୩୫୧ ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଗଲାଣି। ଆଗକୁ ବର୍ଷା ନ ହେଲେ ବାକି ଜମିରେ ଚାଷ ନଷ୍ଟ ହୋଇ ଯିବାର ଆଶଙ୍କା ରହିଛି।

ଗତ ମେ’ ମାସରେ ଜିଲ୍ଲାରେ ୭୦ ପ୍ରତିଶତ କମ୍ ବର୍ଷା ହୋଇଥିଲା। ତେବେ ଜୁନ୍ ମାସରେ ମୌସୁମୀ ଆସିବା ପରେ ଏଥିରେ ବହୁତ ସୁଧାର ଆସିଥିଲା। ଜିଲ୍ଲାରେ ଏହି ମାସରେ ୩୯ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। କିନ୍ତୁ ଜୁଲାଇ ମାସରେ ପୁଣି କମି ଗଲା ବର୍ଷାର ପରିମାଣ। ଜୁଲାଇ ମାସରେ ନୂଆପଡ଼ା ଜିଲ୍ଲାରେ ହାରାହାରି ବୃଷ୍ଟପାତଠାରୁ ୨୦ ପ୍ରତିଶତ କମ୍ ବର୍ଷା ହୋଇଥିଲା। ଜୁଲାଇ ପରେ ଅଗଷ୍ଟରେ ବି ଏହି ଧାରା ଅବ୍ୟାହତ ରହିଥିଲା। ଅଗଷ୍ଟ ୨୪ ତାରିଖ ସୁଦ୍ଧା ଜିଲ୍ଲାରେ ୪୦.୬୨ ପ୍ରତିଶତ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ଜୁଲାଇ ମାସରେ ଜିଲ୍ଲାରେ ସାଧାରଣତଃ ୩୪୭.୧୦ ମି.ମି ହୋଇଥାଏ। କିନ୍ତୁ ଏଥର ଏହି ମାସରେ ମାତ୍ର ୨୭୮.୨୦ ମି.ମି ବର୍ଷା ହୋଇଥିଲା। ସେହିପରି ଜିଲ୍ଲାରେ ଅଗଷ୍ଟରେ ସାଧାରଣତଃ ୩୨୭.୮୦ ମି.ମି ବର୍ଷା ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏହି ମାସରେ ୨୪ ତାରିଖ ସୁଦ୍ଧା ମାତ୍ର ୧୫୧.୭୨ମି.ମି ବୃଷ୍ଟପାତ ହୋଇଛି। ଫଳରେ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି।

ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ୭୨ଟି ପଞ୍ଚାୟତର ମୋଟ ୩୯୨ଟି ଗାଁରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛନ୍ତି ନୂଆପଡ଼ା  ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମଣ୍ଡଳ। କୃଷି ବିଭାଗର ପ୍ରାଥମିକ ରିର୍ପୋଟ ଅନୁସାରେ ନୂଆପଡ଼ା ବ୍ଳକରେ ୧୩ଟି ପଞ୍ଚାୟତର ୬୫ଟି ଗାଁ, କୋମାନା ବ୍ଲକର ୭ଟି ପଞ୍ଚାୟତର ୨୨ଟି ଗାଁରେ, ବୋଡେନ ବ୍ଲକର ୧୨ଟି ପଞ୍ଚାୟତର ୭୫ଟି ଗାଁ, ଖଡିଆଳର ୧୯ଟି ପଞ୍ଚାୟତର ୧୧୦ଟି ଗାଁ ଓ ସିନାପାଲ ବ୍ଲକର ୨୧ଟି ପଂଚାୟତର ୧୨୦ଟି ଗାଁରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି।

ନୂଆପଡ଼ା ଜିଲ୍ଲାର ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ୮୮ ହଜାର ୫୫୫ ମୁଗ କିଟ୍, ୧୦ହଜାର୧୮୦ କେଜି ସୂର୍ଯ୍ୟମୂଖୀ କିଟ୍, ୬,୭୮୭ କିଲୋ ସୋରିଷ କିଟ୍ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ଜଳସେଚନ ପାଇଁ ୫୦ ଶତକଡ଼ା ସବସିଡିରେ ଡିଜେଲ୍ ପମ୍ପ୍ ସେଟ୍ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକ କହିଛନ୍ତି। ଷ୍ଟେଟ୍ ପ୍ଲାନରୁ ୪୫୦ଟି ଓ ଏନଏଫଏସଏମ୍ ଯୋଜନାରେ ୫୦୦ଟି ଡିଜେଲ୍ ପମ୍ପ୍ ସେଟ୍ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି। ଜିଲ୍ଲା କୃଷି ଉପ ନିର୍ଦ୍ଦେଶକ କହିଛନ୍ତି ଯେ ଜଳସେଚନ ପାଇଁ ଜିଲ୍ଲାରେ ୨୭୦ଟି ଫାର୍ମ ପଣ୍ଡ୍, ୧୨୧୫ଟି ଜଳ ସଂରକ୍ଷଣ ପ୍ରକଳ୍ପ ଓ ୧୩ଟି ଚେକ୍ ଡ୍ୟାମ୍ ଅଛି। ଏହା ଦ୍ୱାରା ସର୍ବମୋଟ ୪,୫୫୫ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇପାରିବ। ଚାଷୀଙ୍କୁ ଅଣଧାନ ଫସଲ ଚାଷ କରିବା ପାଇଁ କୃଷି ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି।

Related story