ଓଡ଼ିଶୀ ନୃତ୍ୟକୁ ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ପହଞ୍ଚାଇବାକୁ ପ୍ରୟାସ କରୁଛନ୍ତି ଲକି

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଓଡ଼ିଶୀ ନୃତ୍ୟ ଆମର ଗୌରବ ଓ ପରିଚୟ। ଏହାକୁ ନେଇ ଆମେ ଦେଶ ଓ ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। ଓଡ଼ିଶୀ ନୃତ୍ୟର ପ୍ରତିଟି ଅଙ୍ଗଭଙ୍ଗିରେ ରହିଛି ଆମ ସଂସ୍କୃତି ଓ ଐତିହ୍ୟ। ସେଥିପାଇଁ ତ ଏପର୍ଯ୍ୟନ୍ତ ଓଡ଼ିଶୀକୁ ଛୁଇଁ ପାରିନି ଆଧୁନିକ ନୃତ୍ୟର ଛାପ। ଭାରତ ସ୍ୱାଧୀନତା ହେବା ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ବହୁ ପ୍ରତିଷ୍ଠିତ ଓଡ଼ିଶୀ ଗୁରୁମାନେ ଉଦ୍ୟମ ଆରମ୍ଭ କରିଥିଲେ। ପରେ ଏହାକୁ ଶାସ୍ତ୍ରୀୟ […]

lucky

Rakesh Mallick
  • Published: Sunday, 23 October 2016
  • , Updated: 24 October 2016, 10:06 AM IST

ଭୁବନେଶ୍ୱର(ମନୋରଞ୍ଜନ ଶିଅଳ): ଓଡ଼ିଶୀ ନୃତ୍ୟ ଆମର ଗୌରବ ଓ ପରିଚୟ। ଏହାକୁ ନେଇ ଆମେ ଦେଶ ଓ ବିଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। ଓଡ଼ିଶୀ ନୃତ୍ୟର ପ୍ରତିଟି ଅଙ୍ଗଭଙ୍ଗିରେ ରହିଛି ଆମ ସଂସ୍କୃତି ଓ ଐତିହ୍ୟ। ସେଥିପାଇଁ ତ ଏପର୍ଯ୍ୟନ୍ତ ଓଡ଼ିଶୀକୁ ଛୁଇଁ ପାରିନି ଆଧୁନିକ ନୃତ୍ୟର ଛାପ।

ଭାରତ ସ୍ୱାଧୀନତା ହେବା ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ନୃତ୍ୟର ମାନ୍ୟତା ପାଇଁ ବହୁ ପ୍ରତିଷ୍ଠିତ ଓଡ଼ିଶୀ ଗୁରୁମାନେ ଉଦ୍ୟମ ଆରମ୍ଭ କରିଥିଲେ। ପରେ ଏହାକୁ ଶାସ୍ତ୍ରୀୟ ନୃତ୍ୟର ସ୍ୱୀକୃତି ମିଳିଥିଲା। ତା’ପର ପିଢ଼ି ଏହି ନୃତ୍ୟକୁ ଆଗକୁ ନେଇଥିଲେ।  ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତି। ସେ କଟକରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶୀର ପ୍ରଚାରପ୍ରସାର ପାଇଁ ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗରେ କାର୍ଯ୍ୟରତ ଅଛନ୍ତି।

ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳର ସ୍କୁଲ ଗୁଡିକରେ ଓଡ଼ିଶୀ ନୃତ୍ୟକୁ ପହଞ୍ଚାଇବା ପାଇଁ ଲକି ଓ ତାଙ୍କ ସହଯୋଗୀ ପୂର୍ଣ୍ଣଶ୍ରୀ ରାଉତ ଓଡ଼ିଶୀ ନୃତ୍ୟ ଉପରେ ସିଡି ଓ ପୁସ୍ତକ ପ୍ରସ୍ତୁତ କରି ଏସ୍‌ସିଇଆର୍‌ଟିକୁ ପ୍ରଦାନ କରିଛନ୍ତି। ଯାହାକୁ ଏସ୍‌ସିଇଆର୍‌ଟି ମଧ୍ୟ ସ୍ୱୀକୃତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅନୁମତି ପରେ ଖୁବ୍‌ଶୀଘ୍ର ୪୫୦୦୦ ପ୍ରାଥମିକ ସ୍କୁଲ ପିଲାଙ୍କୁ ଓଡ଼ିଶୀ ନୃତ୍ୟ ତାଲିମ ଦିଆଯିବ। ଏପରି ଉଦ୍ୟମ ଓଡ଼ିଶା ବାହାରେ ପ୍ରଥମ।

ସେ କହିଛନ୍ତି,“୨୦୧୫ରେ ପ୍ରଥମ କରି ଛତିଶଗଡ଼ ସରକାରଙ୍କ ପ୍ରୋତ୍ସାହନରେ ଓଡ଼ିଶୀ ନୃତ୍ୟ “ଓଡ଼ିଶୀ ଉଲ୍ଲାସ” ଆୟୋଜନ କରିଥିଲୁ। ସେଥିରେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା। ଛତିଶଗଡ଼ରେ ଓଡ଼ିଶୀ ନୃତ୍ୟ କଣ ପାଇଁ ପରିବେଷଣ କରାଯାଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇ ଥିଲେ। ପରେ ସେମାନଙ୍କୁ ବହୁ ବୁଝାଶୁଝା କରାଯାଇ “ଓଡ଼ିଶୀ ଉଲ୍ଲାସ”ର ନାଁ ପରିବର୍ତ୍ତନ କରାଯାଇ “ଭାରତମ୍‌ ନୃତ୍ୟାଞ୍ଜଳୀ” ରଖାଗଲା। ଏଥିରେ କେବଳ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଏ।”

ପିଲାବେଳୁ ଲକିଙ୍କର ଓଡ଼ିଶୀ ନୃତ୍ୟ ପ୍ରତି ଥିଲା ଆଗ୍ରହ। ସେ କହିଛନ୍ତି,“କଟକ ରମାଦେବୀ ଶିଶୁ ବିହାରରେ ପଢ଼ୁଥିବା ବେଳେ ଜିନା ଦିଦିଙ୍କଠାରୁ ଓଡ଼ିଶୀ ଶୁଖୁଥିଲି। ପରେ କଟକ କଳା ବିକାଶ କେନ୍ଦ୍ରରେ ଆଡମିଶନ୍‌ ହେଲି। ସେଠାରେ ଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ସଂସ୍ପର୍ଶରେ ଆସିବାରୁ ମୋର ଭାଗ୍ୟ ବଦଳି ଗଲା।”

ସେ ଆହୁରି ମଧ୍ୟ କହିଛନ୍ତି,“ଗୁରୁମା କୁମକୁମ ମହାନ୍ତି ନିଜର କୋରିଓଗ୍ରାଫରରେ ‘କୋଣାର୍କ ନୃତ୍ୟ ନାଟିକା’ରେ ଧର୍ମପଦ ଭୂମିକାରେ ଅଭିନୟ କରିବା ପାଇଁ ପିଲା ବାଛିବାକୁ କଟକ କଳା ବିକାଶ କେନ୍ଦ୍ରକୁ ଆସିଥିଲେ। ସେତେବେଳେ ମୁଁ ଲଣ୍ଡା ଓ ପତଳା ଦିଶୁଥିଲି। ଗୁରୁମା’ ମୋତେ ଦେଖି କହିଲେ ଇଏ କ’ଣ ଧର୍ମପଦ ହେବ? ପରେ ମୋର ନୃତ୍ୟ ଦେଖି ସେ ଭାରି ପ୍ରଶଂସା କରିଥିଲେ ଏବଂ ଶିଷ୍ୟ ଭାବେ ଗ୍ରହଣ କରିଥିଲେ। ତାଙ୍କର ପ୍ରତିଟି ଟିପ୍ସକୁ ମନଧ୍ୟାନ ଦେଇ ଶୁଣି ନୃତ୍ୟରେ ପ୍ରତିଫଳିତ କରିଛି। ସେଥିପାଇଁ ଗୁରୁମା ମୋତେ ତାଙ୍କର ମୋର ପ୍ରତିଛବି ବୋଲି କୁହନ୍ତି। ଏହା ମୋ ପାଇଁ ଗୌରବର ବିଷୟ। ଏମିତି ଜଣେ ଗୁରୁମା’ ପାଇଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି।”

ଲକି ୨୦୧୦ରେ ପ୍ରଥମ କରି ଷ୍ଟେଜ୍‌ ଶୋ କରିବାକୁ ଯାଇଥିଲେ ଆର୍ଜେଣ୍ଟିନା। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ବୋନେସ୍‌ଅରିଜ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବା ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ବୋଲି ସେ କହନ୍ତି।

ଏହାଛଡ଼ା ସେ ଖଜୁରାହ, କୋଣାର୍କ, ଚକ୍ରଧର, ମାଣ୍ଡୁ, ଚିଦାମ୍ୱରମ୍‌ ଫେଷ୍ଟିଭାଲ୍ସ, ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର, ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍‌ ସେଣ୍ଟର, ସାଉଥ୍‌ ଆମେରିକା ଇଣ୍ଡିଆନ୍‌ ଏମ୍ୱାସି ପ୍ରୋଗ୍ରାମ ଇନ୍‌ ଇଣ୍ଡିଆ ଫେଷ୍ଟିଭାଲ(ଆର୍ଜେଣ୍ଟିନାର ପାରାଗୁଏ ଓ ଉରୁଗୁଏ), ସ୍ୱିଜରଲାଣ୍ଡ, ଇଣ୍ଡିଆ ଫେଷ୍ଟିଭାଲ ଆଣ୍ଡ ଇସ୍‌କନ୍‌ ଟେମ୍ପୁଲ ପରଫରମାନ୍ସ ଓ ଆମେରିକାନରେ ନୃତ୍ୟ ପରିବେଷଣ କରିଛି।

ଲକି ହେଉଛନ୍ତି ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ‘ଏ’ ଗ୍ରେଡ୍‌ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ସିଙ୍ଗରମଣୀ ଆୱାର୍ଡ, ଛତିଶଗଡ଼ ସମ୍‌ଜିକ୍‌ ଚେତନା ପ୍ରତିଭା ସମ୍ମାନ, ନିତ୍ୟ ତରଙ୍ଗ ଆୱାର୍ଡ଼, ୱାସିଂଟନ୍‌ର ଯୋଗ ସଂସ୍କୃତି ସମ୍ମାନ, ନିତ୍ୟ ଭୂଷଣ ପ୍ରମୁଖ ସମ୍ମାନ ପାଇଛନ୍ତି। ଏହାଛଡ଼ା ସେ ବହୁ ଷ୍ଟେଜ୍‌ ଓ ଅନୁଷ୍ଠାନରୁ ମଧ୍ୟ ସମ୍ମାନିତ ହୋଇଛନ୍ତି।

Related story