(ଜୟନ୍ତ ସେଠ୍): ଏକ ସୁନ୍ଦର ସକାଳେ ଆମେ ବାହାରିଲୁ ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶରେ ଥିବା ପ୍ରସିଦ୍ଧ ଶୈବ ଓ ବୈଷ୍ଣବପୀଠ ହରିଶଙ୍କର ଅଭିମୁଖେ। ବଲାଙ୍ଗିର ସହରଠାରୁ ହରିଶଙ୍କର ପୀଠର ଦୂରତା ହେଉଛି ପ୍ରାୟ ୮୦ କିଲୋମିଟର। ଅଙ୍କାବଙ୍କା ରାସ୍ତା ଦେଇ ଆମେ ପହଞ୍ଚିଲୁ ହରିଶଙ୍କର ପୀଠର ମୁଖ୍ୟଦ୍ୱାର ନିକଟରେ।
ହରିଶଙ୍କର ପୀଠକୁ ଯିବା ପୂର୍ବରୁ ଆମେ ପ୍ରଥମେ ଚାଲିଲୁ ଏହାର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ। ଆଖିରେ ପଡ଼ିଲା ପାହାଡ଼ ଉପରୁ ଝରି ଆସୁଥିବା ଝରଣାର ସୁନ୍ଦର ଦୃଶ୍ୟ। ଗୋଟିଏ ସ୍ଥାନରେ ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପର ଦେଇ ପ୍ରବାହିତ ହେଉଥାଏ। ଏହି ପଥର ଶଯ୍ୟାକୁ ସ୍ଥାନୀୟ ଲୋକେ ‘ସଲ୍ଡେନ୍ ପଥର’ ବୋଲି କୁହନ୍ତି। ଏହି ପଥର ଶଯ୍ୟା ଖୁବ୍ ଚିକ୍କଣ। ଏହା ହେଉଛି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ। ଏଠାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ଅଛି। ଆମେ ଦେଖିଲୁ ଅନେକ ପର୍ଯ୍ୟଟକ ଝରଣା ପାଣିରେ ଗାଧୋଇ ପରିବେଶର ମଜା ନେଉଥିଲେ। ତେବେ ଏଠାରେ ଜଳକ୍ରୀଡ଼ା କରିବା ବେଳେ ସତର୍କ ରହିବା ଉଚିତ୍। ନଚେତ କେତେବେଳେ ଯେ ଦୁର୍ଘଟଣା ଘଟିବ, ତାହା କହି ହେବ ନାହିଁ।
ଆମ ଝରଣା ଦେଖା ସେଇଠି ସରି ନ ଥିଲା। ପାହାଡ଼ ଉପରକୁ ଲମ୍ବି ଯାଇଛି ପାହାଚଶ୍ରେଣୀ। ସେଇ ପାହାଡ଼ରେ ଆମେ ଅନ୍ୟମାନଙ୍କ ସହ ଧୀରେ ଧୀରେ ଆଗେଇଲୁ। ଆମେ ଯେତେ ଆଗକୁ ଚାଲୁଥାଉ ଝରଣାର ସେତେ ଅଧିକ ଆକର୍ଷଣୀୟ ଦୃଶ୍ୟ ଦେଖିବାର ସୁଯୋଗ ପାଉ ଥାଉ। ଏ ଝରଣାକୁ ଜଳପ୍ରପାତ କି ଝରଣା- କ’ଣ କୁହାଯିବ, ଜାଣି ହେଉ ନ ଥାଏ। କାରଣ ପାହାଡ଼ର ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳୁଥାଏ। କେଉଁଠି ଲମ୍ବା ଧାରରେ ପାଣି ପଡୁଥାଏ, ତ ଆଉ କେଉଁଠି ଝରଣାର ଧାର ବିଭିନ୍ନ ଭାଗରେ ବିଭକ୍ତ ହୋଇଥାଏ। ଏଠାକାର ପରିବେଶ ଆଧ୍ୟାତ୍ମିକ ସାଧନା କରିବା ପାଇଁ ଉପଯୁକ୍ତ ସ୍ଥାନ। ବିଭିନ୍ନ ସାଧୁ,ସନ୍ୟାସୀ ଏଠାକୁ ଆସନ୍ତି ସାଧନା କରିବା ପାଇଁ।
ପାହାଡ଼ରୁ ଓହ୍ଲାଇ ଆମେ ଚାଲିଲୁ ହରିଶଙ୍କର ମନ୍ଦିରକୁ। ୧୨ ଶହ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ପାଟଣା ରାଜା ବୈଜଲ ସିଂଦେଓଙ୍କ ରାଣୀ ଦୁର୍ଲଭା ଦେଓ ମୂଳ ମନ୍ଦିରର ନିର୍ମାଣ କରାଇଥିଲେ। ମନ୍ଦିର ବେଢ଼ା ଉପରେ ଠିଆ ହେଲେ ଦେଖିବାକୁ ମିଳିବ ଗନ୍ଧମାର୍ଦ୍ଦନ ପାହାଡ଼ର ସୁନ୍ଦର ଦୃଶ୍ୟ। ବେଢ଼ା ଭିତରେ ଅନ୍ୟାନ୍ୟ ପାର୍ଶ୍ୱଦେବତାଙ୍କ ସହିତ ଦେବୀ ମଧ୍ୟ ପୂଜା ପାଆନ୍ତି। ମନ୍ଦିର ଭିତରେ ଦର୍ଶନ କରିବାର ସୁଯୋଗ ମିଳିଲା ଶିବଲିଙ୍ଗ ଏବଂ ମାର୍ଜାର ବେଶରେ ସଜ୍ଜିତ ବିଷ୍ଣୁଙ୍କୁ। ପ୍ରଥମେ ଯମୁନା ନାମକ ଜଣେ କନ୍ଧ ମହିଳା ହରି-ଶଙ୍କରଙ୍କୁ ଦର୍ଶନ କରିଥିଲେ। ଏଠାରେ ପୂଜକମାନେ ହେଉଛନ୍ତି କନ୍ଧ-ଆଦିବାସୀ ସଂପ୍ରଦାୟର। ଆଦିବାସୀ ସଂସ୍କୃତି ଅନୁଯାୟୀ ଏଠାରେ ପୂଜାର୍ଚ୍ଚନା କରାଯାଏ। ବୈଶାଖ ମାସର ନରସିଂହ ଚତୁର୍ଦ୍ଦଶୀ ହେଉଛି ହରି-ଶଙ୍କରଙ୍କର ମୁଖ୍ୟ ପର୍ବ। ସେହି ଦିନକ ପାଇଁ ସନ୍ଧ୍ୟା ଆଳତୀରେ ଗନ୍ଧମାର୍ଦ୍ଦନ ପାହାଡ଼ରୁ ସଂଗ୍ରହ କରାଯାଇଥିବା ପିଟକନ୍ଦା ଭୋଗ ଲାଗି ହୁଏ। ଅନ୍ୟାନ୍ୟ ଦିନ ମାନଙ୍କରେ ସ୍ଥାନୀୟ ଫଳ ଲାଗି ହୁଏ। ଅବଶ୍ୟ ପର୍ଯ୍ୟଟକମାନଙ୍କ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମଧ୍ୟାହ୍ନ ଧୂପ ପରେ ଅନ୍ନ ପ୍ରସାଦର ବ୍ୟବସ୍ଥା ରହିଥାଏ। ଆପଣ ଚାହିଁଲେ ସେଠାରେ ଅନ୍ନ ପ୍ରସାଦ ସେବନ କରିପାରିବେ।
ହରିଶଙ୍କର ମନ୍ଦିରରୁ ଫେରିବା ପରେ ଦେଖିଲୁ ଏକ କୌତୁହଳପୂର୍ଣ୍ଣ ଦୃଶ୍ୟ। ମୁଖ୍ୟଦ୍ୱାର ସାମ୍ନାରେ ସ୍ଥାନୀୟ ଆଦିବାସୀ ମହିଳା ଓ ଗ୍ରାମାଞ୍ଚଳର ପାରଂପାରିକ ଚିକିତ୍ସକମାନେ ବିକ୍ରି କରୁ ଥାଆନ୍ତି ବିଭିନ୍ନ ପ୍ରକାରର ଦୁର୍ଲଭ ଜଙ୍ଗଲଜାତ ଚେରମୂଳୀ ଔଷଧ। ଏସବୁକୁ ସେମାନେ ସଂଗ୍ରହ କରନ୍ତି ଗନ୍ଧମାର୍ଦ୍ଦନ ପାହାଡ଼ରୁ। ଆଉ କେତେ ଜଣ ମହିଳା ସେଠାରେ ବିକ୍ରି କରୁ ଥାଆନ୍ତି ହରିଡ଼ା, ବାହାଡ଼ା ଅଁଳା। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ଆକର୍ଷଣ। ସେଠାରେ ଏମିତି କିଛି ଔଷଧୀୟ ଦ୍ରବ୍ୟ ମିଳେ, ଯାହା ରାଜ୍ୟରେ ଅନ୍ୟ କେଉଁଠି ଖୋଜିଲେ ମିଳିବ ନାହିଁ।
ବର୍ଷା ଋତୁକୁ ଛାଡ଼ି ଦେଲେ ଆପଣମାନେ ବର୍ଷର ଅନ୍ୟ ଯେକୌଣସି ସମୟରେ ହରିଶଙ୍କରକୁ ଆସିପାରିବେ। ହରିଶଙ୍କର ନିକଟବର୍ତ୍ତୀ ସହର ହେଉଛି ବଲାଙ୍ଗିର ଓ ପାଟଣାଗଡ଼। ଆପଣମାନେ ଚାହିଁଲେ ହରିଶଙ୍କର ବୁଲାବୁଲି କରି ସେଠାରେ ରାତ୍ରଯାପନ କରିପାରିବେ।