ଝିଅ ‘ପୋରୁହାଁ’ ଓ ପୁଅ ‘ଦୋହାଁ ପୋରୁହାଁ’

ନିରଞ୍ଜନ ମିଶ୍ର:

ପ୍ରଥମାଷ୍ଟମୀ। ଓଡ଼ିଆଙ୍କ ଘରେ ପାଳନ ହେଉଥିବା ୧୨ ମାସର ୧୩ ପର୍ବ ଭିତରେ ଅନ୍ୟତମ। ଘରର ବଡ଼ ପୁଅ କିମ୍ବା ଝିଅଙ୍କ ନିମନ୍ତେ ଏହି ପର୍ବ ବିଶେଷ ଭାବେ ପାଳନ କରାଯାଇଥାଏ। ସେମାନଙ୍କୁ ପୋଢ଼ୁଆଁ କୁହାଯାଏ। ସେମାନଙ୍କ ପାଇଁ ମାମୁଁ ଅଷ୍ଟମୀ ବନ୍ଧୁ ଭାବେ ଅଷ୍ଟମୀ ଭାର ନେଇ ଆସିଥାନ୍ତି। ଏହା ଭିତରେ ନୂଆ ପୋଷାକ, ମିଷ୍ଠାନ୍ନ ଓ ଅନ୍ୟ ଉପହାର ରହିଥାଏ। ମା’ ଘରେ ଷଠିଦଶୀଙ୍କୁ ପୂଜା କରିବା ସହ ସେମାନଙ୍କ ଆଗରେ ଘର ବଡ଼ ପୁଅ ଓ ଝିଅଙ୍କୁ ବନ୍ଦାପନା କରି ଶୁଭମନାସୀ ଥାନ୍ତି। ଯେହେତୁ ବଡ଼ ପୁଅ ଓ ଝିଅ ଭବିଷ୍ୟତରେ ଘରର ସମସ୍ତ ଦାୟିତ୍ୱ ମୁଣ୍ଡକୁ ନେଇଥାନ୍ତି, ତେଣୁ ସେମାନଙ୍କ ମଙ୍ଗଳ କାମନା ଏହି ଦିନ କରାଯାଇଥାଏ। ଲୋକ ମୁଖରେ ପୋଢ଼ୁଆଁ ବା ପୋରୁହାଁ ବୋଲି କୁହାଯାଏ। ଜ୍ୟେଷ୍ଠ ସନ୍ତାନ କନ୍ୟା ଓ ଦ୍ୱିତୀୟ ସନ୍ତାନ ପୁତ୍ର ହୋଇଥିଲେ, ଉଭୟ ପୋରୁହାଁ ହୁଅନ୍ତି। ପ୍ରଥମ କନ୍ୟା ସନ୍ତାନକୁ ‘ପୋରୁହାଁ’ ଓ ଦ୍ୱିତୀୟ ପୁତ୍ର ସନ୍ତାନକୁ ‘ଦୋହାଁ ପୋରୁହାଁ’ କୁହାଯାଏ।

ମାର୍ଗଶୀର ମାସର ଅଷ୍ଟମୀ କୃଷ୍ଣପକ୍ଷରେ ଏହି ପର୍ବ ପଡ଼ିଥାଏ। ଘରେ ଏହି ପର୍ବକୁ ଧୁମଧାମରେ ପାଳନ କରାଯିବା ସହ ସୁସ୍ୱାଦୁ ଏଣ୍ଡୁରୀ ପିଠା ପ୍ରସ୍ତୁତି ହୋଇଥାଏ। ଏହି ଦିନ ନୂଆ ବିରି ଓ ଅରୁଆ ଚାଉଳରେ ଏଣ୍ଡୁରି ପିଠା କରାଯାଏ। ହଳଦୀ ପତର ଭିତରେ ଚାଉଳ ଚୁନାରେ ପ୍ରସ୍ତୁତ ପୀଠଉକୁ ସ୍ୱତନ୍ତ୍ର ପଦ୍ଧତିରେ ପାତ୍ର ଭିତରେ ରଖି ପିଠା ତିଆରି କରାଯାଏ। ପିଠାର ସ୍ୱାଦ ବଢ଼ାଇବା ନିମନ୍ତେ ଏହା ଭିତରେ ନଡ଼ିଆ, ଗୁଡ଼ କିମ୍ବା ଛେନାର ପୁର ଦିଆଯାଏ। ଏହାଛଡ଼ା ଖେଚେଡ଼ି, ଡାଲମା, ଖଟା, ଖିରୀ, ତରକାରୀ ଓ ଅନ୍ୟାନ୍ୟ ବିଭିନ୍ନ ପ୍ରକାର ପୀଠା ମଧ୍ୟ ଏହି ଅବସରରେ ପ୍ରସ୍ତୁତ କରାଯାଇ ଠାକୁରଙ୍କୁ ଅର୍ପଣ କରାଯାଇଥାଏ।

ସେହିପରି ଷଷ୍ଠୀ ମାର୍କଣ୍ଡେୟଙ୍କ ପୂଜା ଭାବେ ମଧ୍ୟ ଏହି ଦିନଟି ଜଣାଶୁଣା। ଏହିଦିନ ତାଙ୍କ ପୂଜା କରାଯାଇ ଜ୍ୟେଷ୍ଠ ସନ୍ତାନ ବା ଶ୍ରେଷ୍ଠ ପିଣ୍ଡାଧିକାରୀଙ୍କ ଦୀର୍ଘାୟୁ କାମନା କରାଯାଇଥାଏ। କାରଣ ଷଷ୍ଠୀଦେବୀ ହେଉଛନ୍ତି ଜ୍ୟେଷ୍ଠାଦେବୀ। ତନ୍ତ୍ର ମତରେ ସେ ଜ୍ୟେଷ୍ଠ ସନ୍ତାନର ରକ୍ଷା କାରିଣୀ।

ଏହି ପର୍ବରେ ଘରର ମା’ ମାନେ ଘରର ଗୋଟିଏ ସ୍ଥାନକୁ ଲିପାପୋଛା କରି ଅରୁଆ ଚାଉଳ ବଟା ପିଠଉରେ ଚିତା ପକାଇଥାନ୍ତି। ଏକ କୋଠି ଚିତାରେ କରାଯାଏ, ଏହା ଭିତରେ ପିଢ଼ା କିମ୍ବା ଖଟୁଳି ରଖାଯାଏ। ଏହି ପିଢ଼ା କିମ୍ବା ଖଟୁଳି ଉପରେ ମଧ୍ୟ ଚିତା ପକାଇ ଦିଆଯାଏ। ଝିଅ ଓ ପୁଅ ବଡ଼ ହୋଇଥିବା ଅନୁଯାୟୀ ଚିତା ଅଲଗା ପ୍ରକାର ପକାଯାଇଥାଏ। ବଡ଼ ପୁଅ ନିମନ୍ତେ ବଢ଼ିଆଣ ଚିତା ଓ ବଡ଼ ଝିଅ ନିମନ୍ତେ ପଦ୍ମ ଚିତା ପକାଇ ଏହା ଉପରେ ସେମାନଙ୍କୁ ବସିବାକୁ କୁହାଯାଏ। ଦୁବ, ଚାଉଳ, ବରକୋଳିପତ୍ର, ଫୁଲ, ହଳଦି, ଚନ୍ଦନ, ସିନ୍ଦୁର ପ୍ରଭୃତି ମିଶ୍ରିତ ଦ୍ରବ୍ୟ ଦେଇ ବଡ଼ ପୁଅ ଓ ବଡ଼ ଝିଅଙ୍କୁ ବନ୍ଦାପନା କରାଯାଇଥାଏ। ଏହି ପଦ୍ମ ଚିତା ମହାଲକ୍ଷ୍ମୀଙ୍କ ମଧ୍ୟ ଖୁବ୍ ପ୍ରୀୟ ବୋଲି କୁହାଯାଏ।

ଦେବୀ ଲକ୍ଷ୍ମୀଙ୍କ ଜନ୍ମଦିନ ଭାବେ ମଧ୍ୟ ଏହାକୁ ପାଳନ କରାଯାଏ। ତେଣୁ ଲୋକେ ପରମ୍ପରା ଅନୁସାରେ ପ୍ରଥମାଷ୍ଟମୀ ନ ଯିବା ଯାଏ ମାର୍ଗଶୀର ମାସ ଗୁରୁବାର ଲକ୍ଷ୍ମୀ ପୂଜା ପାଳନ ହୋଇପାରେନି। ଏହି ଦିନ ମହାଲକ୍ଷ୍ମୀ ପୋରୁହାଁ ହୁଅନ୍ତି। ପରେ ମାର୍ଗଶୀର ଲକ୍ଷ୍ମୀପୂଜା ଘରେ ଘରେ ପାଳନ ହୋଇଥାଏ। ସେଥିପାଇଁ ମାର୍ଗଶୀର ମାସର ପ୍ରଥମ ଗୁରୁବାର ଲକ୍ଷ୍ମୀପୂଜା ନିମନ୍ତେ ଉଦ୍ଦିଷ୍ଟ ହୋଇଥିଲେ ହେଁ ତାହା ଅଲାଗି ପାଳି ଭାବେ ବିବେଚିତ ହୋଇଥାଏ।

ଏହାକୁ ଅନେକ ସୌଭାଗିନୀ ଅଷ୍ଟମୀ ଭାବେ ମଧ୍ୟ ପାଳନ କରିଥାନ୍ତି। ଚାଷୀମାନେ ସୌଭାଗ୍ୟ ଲକ୍ଷ୍ମୀଙ୍କୁ ପୂଜା କରିବା ସହ ଘରର ପିଲାମାନଙ୍କ ଶୁଭ ମନାସୀବା ସହ ଭଲ ଫସଲ ଅମଳ ନିମନ୍ତେ ପ୍ରାର୍ଥନା କରିଥାନ୍ତି। ଏହି ଦିନକୁ କାଳଭୈରବ ଅଷ୍ଟମୀ ଭାବେ ମଧ୍ୟ ପାଳନ କରାଯାଏ। ଖରାପ କର୍ମ ଓ ପାପରୁ ମୁକ୍ତି ନିମନ୍ତେ ଏହି ଦିନ ଭୈରବଙ୍କୁ ଲୋକେ ପୂଜା କରିଥାନ୍ତି।

ଏହି ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜ ତାଙ୍କ ମାମୁଁଘର କପାଳୀ ମଠକୁ ଯାଇଥାନ୍ତି। ଏହି ମଠର ଅଧିଶ୍ୱର ଭଗବାନ ବରୁଣେଶ୍ୱର ଓ ଭଗବତୀ କପାଳୀ ବା ବନଦେବୀ। ସେମାନେ ମାମୁଁ ଓ ମାଇଁ ହୋଇଥାନ୍ତି। ଏହି ଦିନ ଏଠାରେ ଥିବା ପାପନାଶିନୀ ପୋଖରୀରୁ ଜଳପାନ କରିଲେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏକାମ୍ର ଚନ୍ଦ୍ରିକାରେ ଏନେଇ ବର୍ଣ୍ଣନା ରହିଛି।

ସେହିପରି ଶ୍ରୀମନ୍ଦିରରେ ଏହି ଦିନ ମଧ୍ୟ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। କଟକ ଜିଲ୍ଲା ନିଆଳୀ ମାଧବାନନ୍ଦଜୀଉଙ୍କ ପୀଠରୁ ଆସିଥିବା ପୋଢ଼ୁଆଁ ଭାର ଠାକୁରଙ୍କୁ ଲାଗି କରାଯାଇଥାଏ। ଏହି ଭାର ଭିତରେ ରହିଥାଏ ଠାକୁରମାନଙ୍କ ନିମନ୍ତେ ପାଟ ବସ୍ତ୍ର,  ଫଳ, ପିଠା, ଫୁଲ, ତୁଳସୀ, ଦୟଣା, ପାନ ଓ ଅହୁରୀ ଅନେକ ପ୍ରକାର ଦ୍ରବ୍ୟ।

ଶ୍ରୀମନ୍ଦିରରେ ଭୋଗମଣ୍ଡପ ଧୂପ ପରେ ତିନିବାଡରେ ମଇଲମ ହୋଇ ମହାପ୍ରଭୁମାନଙ୍କ ମହାସ୍ନାନ କରାଯାଇଥାଏ। ଠାକୁରମାନେ ନୂଆଲୁଗା ଓ ଚନ୍ଦନଲାଗି ହେବା ପରେ ବେଶ ହୋଇଥାନ୍ତି। କର୍ପୂର ଲାଗି ପରେ, ସୁଧସୁଆର ତିନିବାଡ଼ରେ ପୂଜା କରିବା ପରେ ପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ବରୁଣ ପୂଜା କରନ୍ତି। ମଧ୍ୟାହ୍ନ ଧୂପ ଉଠିବା ପରେ ତିନିବାଡ଼ରେ ମଙ୍ଗଳାର୍ପଣ କରାଯାଏ।  ପରେ ଠାକୁରଙ୍କୁ ଫୁଲ ପରିଆ, ଖଦି ଓ ଛେଦା ଲାଗି ହୁଏ। ଏଥିସହ ବନ୍ଦାପନା କରାଯାଇ ଅନ୍ୟାନ୍ୟ ଦୈନିକ ନୀତି ହୋଇଥାଏ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।