ରାଜ୍ୟରେ ପୁରୁଷ କମିଶନ ଗଠନ କରିବା ପାଇଁ ଦାବି ଉଠାଇଛନ୍ତି ଆଡ୍ଭୋକେଟ୍ ବ୍ୟୋମକେଶ ତ୍ରିପାଠୀ। ସେ କେବଳ ବ୍ୟାନ୍ର ଟାଙ୍ଗି ଦେଇ କାମ ସାରି ଦେଇ ନାହାନ୍ତି। ମଝିରେ ମଝିରେ ସେ କିଛି ସମର୍ଥକଙ୍କୁ ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଦାବି ପୂରଣ ପାଇଁ ପ୍ରଦର୍ଶନ କରନ୍ତି। ତା’ଛଡ଼ା ବିଭିନ୍ନ ଛକ ସ୍ଥାନ ମାନଙ୍କରେ ତାଙ୍କ ଦ୍ୱାରା ନିୟୋଜିତ ଲୋକେ ବେଳ ବେଳେ ଲିଫ୍ଲେଟ୍ ଆଦି ବାଣ୍ଟନ୍ତି।
ପୁରୁଷ କମିଶନ ଗଠନ ପାଇଁ ୨୦୧୨ରୁ ଦାବି କରି ଆସୁଥିବା ବ୍ୟୋମକେଶ ତ୍ରିପାଠୀ କହନ୍ତି,“ଭାରତୀୟ ସମ୍ବିଧାନର ଧାରା ୧୪ ଅନୁଯାୟୀ ଆଇନ ଆଗରେ ସମସ୍ତେ ସମାନ। ଏଥିରେ ଲିଙ୍ଗଗତ ବିଭେଦ ରଖାଯିବା ଉଚିତ୍ ନୁହେଁ। କିନ୍ତୁ ସେମିତି ହେଉ ନାହିଁ। ଆଇନ୍ ଗୋଟିଏ ପଟରେ କାର୍ଯ୍ୟକାରୀ ହେଉଛି। ଏହା ସବୁବେଳେ ମହିଳାଙ୍କ ସମର୍ଥନରେ ଯାଉଛି।” ସେ କହିଛନ୍ତି,“ଏନ୍ସିଆର୍ବି ରିପୋର୍ଟ କହୁଛି ୨୦୦୫ରୁ ୨୦୧୪ ମଧ୍ୟରେ ଦେଶରେ ଯେତିକି ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି ତା’ର ଦୁଇ ଗୁଣା ବିବାହିତ ପୁରୁଷ ଆତ୍ମହତ୍ୟା କରିଛନ୍ତି। ସେହିପରି ୨୦୧୪ରେ ଏକ ରାୟ ଦେଇ ସୁପ୍ରିମ୍କୋର୍ଟ କହିଥିଲେ ଯେ ଯୌତୁକ ନିର୍ଯାତନା ନେଇ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ଯେଉଁ ଆଇନ୍ ତିଆରି ହୋଇଛି ତାହାକୁ ସେମାନେ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଖାଯାଉଛି। ଏନ୍ସିଆର୍ବି ରିପୋର୍ଟ ଓ ସୁପ୍ରିମ୍କୋର୍ଟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ଯେ ପୁରୁଷଙ୍କ ଉପରେ ନିର୍ଯାତନା ବଢ଼ିଛି। ବର୍ତ୍ତମାନ ଯାହା ଆଇନର ବିଧିବ୍ୟବସ୍ଥା ରହିଛି ତାହା ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି। ନିର୍ଯାତିତ ପୁରୁଷମାନଙ୍କ ଅଭିଯୋଗକୁ ଶୁଣିବାକୁ ଏକ ସ୍ୱତନ୍ତ୍ର ଫୋରମ୍ର ଆବଶ୍ୟକତା ରହିଛି। ତେଣୁ ଆମେ ପୁରୁଷ କମିଶନ ଗଠନ କରିବାକୁ ଦାବି କରୁଛୁ। ମହିଳାମାନେ ନିର୍ଯାତିତ ହେଲେ ମହିଳା କମିଶନକୁ ଯାଉଛନ୍ତି ଓ ମାମଲା ରୁଜୁ କରୁଛନ୍ତି। ସେଭଳି ବ୍ୟବସ୍ଥା ପୁରୁଷମାନଙ୍କ ପାଇଁ ବି ରହିବା ଉଚିତ୍।”
ବ୍ୟୋମକେଶ କହନ୍ତି,“ବର୍ଷକୁ ଆମ ପାଖକୁ ପ୍ରାୟ ୧୦୦୦ ଏମିତି କେସ୍ ଆସୁଛି ଯେଉଁଥିରେ ପୁରୁଷମାନେ ନିର୍ଯାତିତ ହେଉଥିବା ଆମେ ଜାଣୁଛୁ। କିନ୍ତୁ ଏକ ସ୍ୱତନ୍ତ୍ର ଫୋରମ୍ ନ ଥିବାରୁ ଆମେ ସେମାନଙ୍କ ପାଇଁ କିଛି କରିପାରୁନୁ।”
ପୁରୁଷଙ୍କ ପ୍ରତି ନିର୍ଯାତନା ବଢୁଛି ବୋଲି ବ୍ୟୋମକେଶ ଦାବି କରୁଥିଲେ ସୁଦ୍ଧା ତାଙ୍କର ଏହି ଆନ୍ଦୋଳନକୁ ବର୍ତ୍ତମାନ ଯାଏଁ ଆଖିଦୃଶିଆ ସମର୍ଥନ ମିଳିନାହିଁ। ମାଷ୍ଟରକ୍ୟାଣ୍ଟିନ୍ରେ କେବେ କେବେ ସେ ଦାବି ପୂରଣ ନେଇ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ପଛରେ ରହି ଥାଆନ୍ତି ହାତ ଗଣତି କେଇ ଜଣ ସମର୍ଥକ। ଏ ସନ୍ଦର୍ଭରେ ସେ କହନ୍ତି,“ପୁରୁଷମାନେ ନିର୍ଯାତିତ ହେଉଥିଲେ ହେଁ ଲୋକଲଜ୍ଜାକୁ ଡରି ସାମ୍ନାକୁ ଆସୁ ନାହାନ୍ତି। କିଛି ଲୋକ ଆମକୁ ମାନସିକ ସ୍ତରରେ ସମର୍ଥନ କରି ଆସୁଛନ୍ତି। କିନ୍ତୁ ସେମାନେ ସାମ୍ନାକୁ ଆସିବାକୁ ଭୟ କରୁଛନ୍ତି। କାଳେ କେହି ସେମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବ ଅର୍ଥାତ ସେମାନେ ଘରେ ନିର୍ଯାତିତ ହେଉଛନ୍ତି ବୋଲି ଭାବିବେ ସେହି ଭୟରେ ସେମାନେ ସାମ୍ନାକୁ ଆସୁ ନାହାନ୍ତି।”
କେତେ ଜଣ କହିଛନ୍ତି ଯେ ଅତୀତରେ ଏକ ଧର୍ଷଣ ମାମଲାରେ ବ୍ୟୋମକେଶ ଜେଲ୍ ଯାଇ ସାରିଥିବା ଯୋଗୁଁ ତାଙ୍କୁ ଜନସମର୍ଥନ ମିଳୁ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ବ୍ୟୋମକେଶ ଧର୍ଷଣ ଅଭିଯୋଗରେ ଜେଲ୍ ଯାଇଥିଲେ। ତେବେ ୨୦୧୨ରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ଆଉ କେତେ ଜଣ କହନ୍ତି ଯେ ତାଙ୍କ ଦାବିରେ ଜୋର ନାହିଁ, ଏହା ଯୁକ୍ତିଯୁକ୍ତ ନୁହେଁ। ସେଥିପାଇଁ ତାଙ୍କୁ ସମର୍ଥନ ମିଳୁ ନାହିଁ।
ଫ୍ୟାମିଲି କାଉନ୍ସିଲର ଶୁଭଶ୍ରୀ ଦାସ କହିଛନ୍ତି,“ବର୍ତ୍ତମାନ ପରିପ୍ରେକ୍ଷୀରେ ଆମ ରାଜ୍ୟରେ ପୁରୁଷ କମିଶନ୍ ଗଠନ କରିବାର ବିଲ୍କୁଲ୍ ଆବଶ୍ୟକତା ନାହିଁ। ଆପଣ ଦେଖିବେ, ପ୍ରତ୍ୟେକ ଦିନ ଖବରକାଗଜଗୁଡ଼ିକରେ ପାଞ୍ଚଟିରୁ ଛଅଟି ମହିଳା ନିର୍ଯାତନା ସଂପର୍କିତ ଖବର ପ୍ରକାଶିତ ହୋଇଥିବ। କିନ୍ତୁ ପୁରୁଷଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ କେବେ ଖବର ପ୍ରକାଶିତ ହେଉଥିବାର ଦେଖିଛନ୍ତି କି? ଯୌତୁକ ପାଇଁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ମହିଳାମାନଙ୍କୁ ନିଆଁରେ ପୋଡ଼ି ମାରି ଦିଆଯାଉଛି। କେବେ କୌଣସି ସ୍ଥାନରେ କୌଣସି ମହିଳା ପୁରୁଷଙ୍କୁ ପୋଡ଼ି ମାରି ଦେଇଥିବା ଶୁଣିଛନ୍ତି କି? ଝିଅଟିଏ ଜନ୍ମ ନ ହେବା ପୂର୍ବରୁ ନିର୍ଯାତିତ ହୁଏ। ମା’ପେଟରେ ଝିଅ ଥିବା ଜଣାପଡ଼ିଲେ ତାକୁ ମାରି ଦିଆଯାଏ। କିନ୍ତୁ କେବେ ମା’ ପେଟରେ ପୁଅ ଥିଲେ କେହି ଭ୍ରୂଣ ନଷ୍ଟ କରିବା ଆପଣ ଶୁଣିଛନ୍ତି କି? ମହିଳାମାନେ ଦୁଷ୍କର୍ମ ଓ ଅଶାଳୀନ ବ୍ୟବହାରର ଶିକାର ହୁଅନ୍ତି, ପୁରୁଷମାନେ ହୁଅନ୍ତି ନାହିଁ। ମହିଳାମାନେ ନିର୍ଯାତିତ ହେଲେ ମହିଳା ଥାନାରେ ମାମଲା ରୁଜୁ କରୁଛନ୍ତି ନ ହେଲେ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଉଛନ୍ତି। କିନ୍ତୁ କେବେ କୌଣସି ପୁରୁଷ ଏମିତି ଅଭିଯୋଗ ନେଇ ଥାନାକୁ ଆସିବା ଆପଣ ଦେଖିଛନ୍ତି କି?”
ସେ ଆହୁରି କହିଛନ୍ତି,“କାଁ ଭାଁ କେଉଁଠି ପୁରୁଷଟିଏ ନିର୍ଯାତିତ ହେବାର ଖବର ଆସେ। ଏହାକୁ ବ୍ୟତିକ୍ରମ କୁହାଯିବ। ଏଥିପାଇଁ ପୁରୁଷ କମିଶନର ଆବଶ୍ୟକତା ନାହିଁ।”
ଶୁଭଶ୍ରୀ ଦାସ କହିଛନ୍ତି,“ଯଦି ଆଗାମୀ ଦିନରେ ପୁରୁଷଙ୍କ ଉପରେ ନିର୍ଯାତନା ସଂପର୍କିତ ଯଥେଷ୍ଟ ମାମଲା ରୁଜୁ ହୁଏ, ତା’ହେଲେ ଧରି ନିଆଯିବ ଯେ ସମାଜରେ ସମାନତା ଆସି ଯାଇଛି! ପୁରୁଷ ବି ସ୍ତ୍ରୀକୁ ମାଡ଼ ମାରୁଛି, ଆଉ ସ୍ତ୍ରୀ ବି ପୁରୁଷକୁ ମାଡ଼ ମାରୁଛି। ସେହି ପରିସ୍ଥିତିରେ ମୋ ମତରେ ମହିଳା କମିଶନକୁ ବଂର ଉଠାଇ ଦିଆଯିବ କିନ୍ତୁ ପୁରୁଷ କମିଶନ ଗଠନ କରିବାର କୌଣସି ଆବଶ୍ୟକତା ନାହିଁ।”
ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ପୁରୁଷ କମିଶନ ଗଠନ ଦାବିକୁ ଗ୍ରହଣ କରି ନାହାନ୍ତି। ଏହା ଏକ ଯୁକ୍ତିଯୁକ୍ତ ଦାବି ନୁହେଁ ବୋଲି ସେ କହିଛନ୍ତି।
ସେ କହିଛନ୍ତି,“ଆମ ସମାଜ ହେଉଛି ପୁରୁଷପ୍ରାଧାନ୍ୟ। ଯେଉଁଠି ପୁରୁଷମାନଙ୍କର ସଂଖ୍ୟା ଅଧିକ ସେଇଠି ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର କିଛି ଆବଶ୍ୟକତା ନାହିଁ। ଏହା ଆଦୌ ଏକ ଯୁକ୍ତି ସଙ୍ଗତ ଦାବି ନୁହେଁ। କେବେ ବି ପୁରୁଷ କମିଶନ ଗଠନ ହେବ ନାହିଁ।”
ସମ୍ପଦ ମହାପାତ୍ର କହିଛନ୍ତି,“ଶିଶୁ ଓ ମହିଳାଙ୍କ ଉପରେ କୌଣସି ପ୍ରକାର ହିଂସା ଘଟିବାର ସମ୍ଭାବନା ସବୁବେଳେ ଅଧିକ ଥାଏ। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥା ହୋଇଛି। ମହିଳାଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ସଶକ୍ତିକରଣ ପାଇଁ ମହିଳା କମିଶନ ଭଳି ବ୍ୟବସ୍ଥା କରାଯାଇଛି। ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଲୋକଙ୍କ ପାଇଁ ସ୍ୱତନ୍ତ୍ର କମିଶନର ବ୍ୟବସ୍ଥା ରହିଛି। ଯେହେତୁ ସେମାନେ ଦୁର୍ବଳ ବର୍ଗରେ ଆସୁଛନ୍ତି ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।”
ସେ କହିଛନ୍ତି,“ପୁରୁଷମାନେ ନିର୍ଯାତନାର ଶିକାର ହେଉଥିବା ନେଇ ଯେଉଁ ଅଭିଯୋଗ ଆସୁଛି ତାହା ବ୍ୟତିକ୍ରମ। ବ୍ୟତିକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୁଏ ନାହିଁ। ସାମୂହିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୁଏ। ଯୌତୁକ ପାଇଁ ମହିଳାଟିକୁ ପୋଡ଼ି ହତ୍ୟା କରି ଦିଆଯାଏ। କେବେ କେଉଁଠି ଯୌତୁକ ପାଇଁ ପୁରୁଷଟିକୁ ପୋଡ଼ି ହତ୍ୟା କରାଯାଇନାହିଁ। ଧର୍ଷଣ ଯୋଗୁଁ ମହିଳାଟି ଗର୍ଭବତୀ ହୁଏ, ପୁରୁଷ ଗର୍ଭବତୀ ହୁଏ ନାହିଁ। କିନ୍ତୁ କେବେ କେମିତି ଦେଖାଯାଏ ପୁରୁଷ ବିରୋଧରେ ମହିଳାଟି ମିଛ ମାମଲା ରୁଜୁ କରିଥାଏ। ସେଭଳି କ୍ଷେତ୍ରରେ ପୁରୁଷଟିକୁ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଭୁଲ୍ ବୋଲି କୋର୍ଟରେ ପ୍ରମାଣିତ କରିବାକୁ ପଡ଼ିବ। ଅଭିଯୋଗ ଭୁଲ୍ ହୋଇଥିଲେ ପୁରୁଷଟି ଉକ୍ତ ମହିଳାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିପାରିବ। ତା’ସହିତ ତାଙ୍କ ବିରୁଦ୍ଧରେ ମାନହାନୀ ମାମଲା ବି ରୁଜୁ କରିପାରିବ। ବର୍ତ୍ତମାନ ଥିବା ଆଇନର ବିଧି ବ୍ୟବସ୍ଥା ମଧ୍ୟରେ ତାକୁ ଏହା କରିବାକୁ ପଡ଼ିବ।”
ମହାପାତ୍ର କହିଛନ୍ତି,“ବ୍ୟୋମକେଶ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ୱାନ୍ ମ୍ୟାନ୍ ଆର୍ମି। ସେ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ତା’ର ବି ନିଶ୍ଚିତ କିଛି ସ୍ୱପ୍ନ ଥିବ ଏ କ୍ଷେତ୍ରକୁ ନେଇ। କିନ୍ତୁ ସେ ଏକ ମାମଲାରେ ପଡ଼ିଗଲେ ଓ ଜେଲ୍ ଗଲେ। ସେଥିପାଇଁ ତାଙ୍କ ସ୍ୱପ୍ନ ସାଧିତ ହୋଇନଥିବ। ତେଣୁ ସେ ବିଦ୍ରୋହୀ ହୋଇ ଉଠିଛନ୍ତି ଓ ଏ ଆନ୍ଦୋଳନ କରୁଛନ୍ତି। ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ କିଛି ଆଇନର ଖରାପ ବ୍ୟବହାର ହେଉଛି ବୋଲି ସେ କହୁଛନ୍ତି। ଏ ଆନ୍ଦୋଳନ ମାଧ୍ୟମରେ ସେ କେବଳ ଲୋକଙ୍କୁ ଏହା ସଂପର୍କରେ ସଚେତନ କରିପାରିବେ। କିନ୍ତୁ ତାଙ୍କ ଦାବିକୁ ନେଇ ପୁରୁଷ କମିଶନ ଗଠନ ହୋଇପାରିବ ନାହିଁ।”
ସୂଚନାଯୋଗ୍ୟ, ଆମ ଦେଶ ଅବା କୌଣସି ରାଜ୍ୟରେ ପୁରୁଷ କମିଶନ ନାହିଁ। ବିଶ୍ୱର କୌଣସି ସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ।