ମମିତା ମୃତ୍ୟୁ ମାମଲା- ଯଦି, ମାତ୍ର ଓ କିନ୍ତୁର ପ୍ରଶ୍ନ!

ଦେବେନ୍ଦ୍ର ପୃଷ୍ଟି ୧. ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ମମିତା ମେହେର ସ୍କୁଲ ମିଟିଂ ଅଛି ଯାଉଛି କହି ଆଉ ଫେରିଲେ ନାହିଁ। ପରିବାର ଲୋକ ପ୍ରଥମେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ପଚରାପଚରି କରିବା ସ୍ୱାଭାବିକ ଥିଲା। ଗୋବିନ୍ଦ ସେମାନଙ୍କ ପାଇଁ ଏତଲା ଲେଖେଇ ଦସ୍ତଖତ ନେଇଥିଲେ। ସେତେବେଳ ଯାଏଁ ପରିବାର ଲୋକେ ତାଙ୍କୁ ସନ୍ଦେହ କରି ନଥିବାରୁ ଏତଲାରେ କ’ଣ ଲେଖାଗଲା ନପଢ଼ି ଦସ୍ତଖତ ଦେଇଥିଲେ। ସେମାନେ କେଗାଁ ଥାନାରେ ଏତଲା ଦେବାକୁ […]

Mamita Meher

Debendra Prusty
  • Published: Wednesday, 27 October 2021
  • , Updated: 27 October 2021, 05:13 PM IST

ଦେବେନ୍ଦ୍ର ପୃଷ୍ଟି

୧. ୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ମମିତା ମେହେର ସ୍କୁଲ ମିଟିଂ ଅଛି ଯାଉଛି କହି ଆଉ ଫେରିଲେ ନାହିଁ। ପରିବାର ଲୋକ ପ୍ରଥମେ ସ୍କୁଲ ମାଲିକ ଗୋବିନ୍ଦ ସାହୁକୁ ପଚରାପଚରି କରିବା ସ୍ୱାଭାବିକ ଥିଲା। ଗୋବିନ୍ଦ ସେମାନଙ୍କ ପାଇଁ ଏତଲା ଲେଖେଇ ଦସ୍ତଖତ ନେଇଥିଲେ। ସେତେବେଳ ଯାଏଁ ପରିବାର ଲୋକେ ତାଙ୍କୁ ସନ୍ଦେହ କରି ନଥିବାରୁ ଏତଲାରେ କ’ଣ ଲେଖାଗଲା ନପଢ଼ି ଦସ୍ତଖତ ଦେଇଥିଲେ। ସେମାନେ କେଗାଁ ଥାନାରେ ଏତଲା ଦେବାକୁ ପହଞ୍ଚିବା ଆଗରୁ ଗୋବିନ୍ଦ ସାହୁ ସେହି ଥାନାକୁ ଯାଇଥିଲେ। ଥାନାବାବୁ ମମିତା ପରିବାରର ଏତଲା ଗ୍ରହଣ କଲେ ନାହିଁ। ଏହା କ’ଣ ‘ମୋ ସରକାର’ ଅଧୀନସ୍ତ ପୁଲିସ ପ୍ରଶାସନର ବିଫଳତା ନୁହେଁ?

୨. ‘ମୋ ସରକାର’ ଦାୟିତ୍ୱରେ ଏବେ କେଉଁ ସଚିବ ଅଛନ୍ତି? ତାଙ୍କୁ ସେଥିପାଇଁ ଦାୟୀ କରାଯିବା ଉଚିତ କି ନୁହେଁ? ପୁଲିସ ପ୍ରଶାସନର ସର୍ବୋଚ୍ଚ କର୍ତ୍ତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର, ଗତ କିଛି ବର୍ଷ ହେଲା ସେ କାଳେ ସବୁ କଥା ଜାଣିପାରୁ ନାହାନ୍ତି ବୋଲି ବିରୋଧୀଏ ଅଭିଯୋଗ କରୁଛନ୍ତି। ସବୁ କଥା ଜାଣିବାକୁ ତାଙ୍କର ଆଗ୍ରହ ଅଛି କି ନାହିଁ ତାହା ଅଲଗା କଥା। ମାତ୍ର ଯେଉଁମାନେ ତାଙ୍କୁ ସବୁକଥା ଜଣେଇବା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ମଧ୍ୟରେ ‘ମୋ ସରକାର‘ ଦାୟିତ୍ୱାଧିକାରୀ ବି ଅଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ଏଯାଏଁ ମମିତା ମେହେର ହତ୍ୟା ମାମଲା ଓ ଏହି ମାମଲାରେ ତାଙ୍କ ମନ୍ତ୍ରି ପରିଷଦର ଜଣେ ସଦସ୍ୟଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂପୃକ୍ତି ଥିବା ନେଇ ଅଭିଯୋଗ ଆଦି ସଂପର୍କରେ କିଛି ଜାଣି ନାହାନ୍ତି, କାରଣ ତାଙ୍କୁ ଯେଉଁମାନେ ଜଣେଇବା କଥା ଜଣେଇ ନାହାନ୍ତି, ତେବେ ସେଥିପାଇଁ କିଏ ଉତ୍ତରଦାୟୀ? ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ନା ସଚିବ?

୩. ମମିତା ମେହେରଙ୍କ ପରିବାରର ଅଭିଯୋଗ କ୍ରମେ ବଲାଙ୍ଗୀର ପୁଲିସ ଏତଲା ଗ୍ରହଣ କରିବା ପରେ ଗୋବିନ୍ଦକୁ ଗିରଫ କରାଯାଇ ଟିଟିଲାଗଡ଼ ପୁଲିସ ବାରାକ୍‌ରେ ରଖାଯାଇଥିଲା। ବାରାକ୍‌ ଚାରିପଟେ ସୁଉଚ୍ଚ ପାଚେରୀ। ପାଚେରୀ ଉପରେ କଣ୍ଟକିତ ତାର ବାଡ଼। ସମଗ୍ର ପାଚେରୀର ମାତ୍ର ଗୋଟିଏ ଜାଗାରେ ଦୁଇ ଫୁଟିଆ ଗଳି। ଗୋବିନ୍ଦ ଅନ୍ଧାର ରାତିରେ ସେହି ଗଳାବାଟ ବିଷୟରେ ଜାଣିଲା କେମିତି? ସେ କ’ଣ ପୂର୍ବରୁ ଟିଟିଲାଗଡ଼ ପୁଲିସ ବାରାକ୍‌ ସହିତ ପରିଚିତ ଥିଲା ନା ସେହି ପାଚେରୀ ଓ ତାରବାଡ଼ ବୁଲେଇବା କାମର ଠିକା ନେଇଥିଲା? ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଯାହା କହିଛନ୍ତି ’ଲାଇନ୍‌ କଟିବାକୁ ଫେରାର ହେବାକୁ’ କ’ଣ କେବଳ ଏକ ସଂଯୋଗ? ଅବଶ୍ୟ ଏ ଦୁଇ ବିଭାଗର ମନ୍ତ୍ରୀ ହେଉଛନ୍ତି ଜଣେ, ଯିଏ ଜନମାନସରେ ଅଭିଯୁକ୍ତ।

୪. ଅକ୍ଟୋବର ୧୫ ତାରିଖରେ ଗୋବିନ୍ଦ ପୁଲିସ କବଳରୁ ଫେରାର୍‌ ହୋଇଗଲା। ଅକ୍ଟୋବର ୧୯ ତାରିଖରେ ଆଖୁବାଡ଼ିରୁ ଧରାପଡ଼ିଲେ। ଏହା ପରେ ସେ ସୁନାପିଲା ପରି ପୁଲିସ ଆଗରେ ନିଜର ଦୋଷ ସ୍ୱୀକାର କଲା ଓ ମମିତାକୁ କେମିତି କେଉଁଠି ହତ୍ୟା କରିଛି ବୋଲି ଏକପ୍ରକାର ଧାରା ବିବରଣୀ ଦେଲା। ଯଦି ସେ ନିଜକୁ ଦୋଷୀ ବୋଲି ମାନୁଛି, ତେବେ ଫେରାର କାହିଁକି ହୋଇଥିଲା? ନିଜକୁ ବଞ୍ଚାଇବାକୁ ନା ଅନ୍ୟ କାହାକୁ? ଫେରାର ଥିବା ତିନି ଦିନ ସେ କୁଆଡ଼େ ଯାଇଥିଲା? କେଉଁଠି ରହିଥିଲା? କେଉଁଠି ଖାଇଥିଲା? ନିତ୍ୟକର୍ମାଦି କରିଥିଲା କେଉଁଠି? ପୁଲିସ କବଳରୁ ଖସିବା ସମୟରେ ତା’ ପାଖରେ ମୋବାଇଲ ଫୋନ୍‌ ନଥିଲା। ଆଖୁବାଡ଼ିରୁ ଧରାପଡ଼ିବା ସମୟରେ ତା ପାଖରେ ମୋବାଇଲ୍‌ ଥିଲା। ଏହା ସେ କେଉଁଠୁ ଆଣିଲା? ସେ ନମ୍ବର କାହାର? ଏ ବିଷୟରେ ତଦନ୍ତ ହେଇଛି ନା ହେଇନାହିଁ?

୫. ସାଧାରଣ ଚୋର, ତସ୍କରଙ୍କୁ ଧରିଲେ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ଉପସ୍ଥାପିତ କଲେ ବି ମୁହଁ ଘୋଡ଼ାଇଥାନ୍ତି। ମାତ୍ର, ଗୋବିନ୍ଦକୁ ନେଇ ସିନ୍‌ ରିକ୍ରିଏଟ୍‌ କରିବା ସମୟରେ ଫିଲ୍ମ ଶୁଟିଂ ହେଲା ଓ ତାହାକୁ ମିଡିଆକୁ ଦିଆଗଲା କାହିଁକି? ଗୋବିନ୍ଦ ଜୁନାଗଡ଼ର ପରବର୍ତ୍ତୀ ବିଧାୟକ ପ୍ରାର୍ଥୀ ହେବେ କି?

୬. ପୁଲିସ ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରି ମଧ୍ୟ ଅନେକ ଅପରାଧୀଙ୍କଠାରୁ ସତ ଓଗାଳିପାରେ ନାହିଁ। ଗୋବିନ୍ଦ ବାଧ୍ୟ ଛାତ୍ର ଭଳି ସବୁ କଥା ମାନିଯିବା ଘଟଣାରେ ତଦନ୍ତକାରୀ ଅଧିକାରୀ ସନ୍ଦେହ କଲେନି କେମିତି ଓ କାହିଁକି? ନା ଗୋବିନ୍ଦ ଉପରେ ପୁଲିସବାବୁମାନେ ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରିଛନ୍ତି?

୭. ମହାଲିଙ୍ଗ ଶିକ୍ଷା ପରିସରରେ ଦେଢ଼ ହଜାର ଉପରେ ପିଲା ପଢ଼ୁଛନ୍ତି। ସ୍କୁଲ, ପ୍ଲସ୍‌ ଟୁ ଓ ଡିଗ୍ରୀ କଲେଜ ସହିତ ସେହି ପରିସରରେ ହଷ୍ଟେଲ ମଧ୍ୟ ରହିଛି। ପିଲାଙ୍କ ସୁରକ୍ଷା ପାଇଁ ସେଠି ନିଶ୍ଚୟ କ୍ଲୋଜ୍‌ ସର୍କିଟ କ୍ୟାମେରା ବା ସିସିଟିଭି କ୍ୟାମେରା ଲାଗିଥିବ। ସେ କଲେଜ ଓ ହଷ୍ଟେଲକୁ କିଏ କେତେବେଳେ ଆସିଲେ ଗଲେ ସେମାନଙ୍କର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିବ। ତଦନ୍ତକାରୀ ଅଧିକାରୀମାନେ ତାହା ଠାବ କରିଛନ୍ତି କି? ସବୁ କଥା ମିଡିଆକୁ କହିଲେ ସିସିଟିଭି ବିଷୟରେ କାହିଁକି କହିଲେ ନାହିଁ? ନା ସେ ରେକର୍ଡେଡ ଦୃଶ୍ୟ ସବୁ ଡିଲିଟ୍‌ କରିଦିଆଯାଇଛି? ଯଦି ସେପରି କଥା ତେବେ ହାର୍ଡ ଡିସ୍କ ଜବତ ହୋଇଛି କି? ନା ତାହା ବି ନଷ୍ଟ ହୋଇଯାଇଛି? ଗାର୍ଲସ ହଷ୍ଟେଲର ୨୦ ନମ୍ବର ରୁମ୍‌ରେ  ସିସିଟିଭିର କଂପ୍ୟୁଟର ଲାଗିଥିଲା କି? ଗୋବିନ୍ଦ ଫେରାର ହେବା ପରେ ସେଇ ରୁମ୍‌କୁ ଯାଇ ସିସିଟିଭିରେ ଥିବା ପ୍ରମାଣସବୁ ନଷ୍ଟ କରିଦେଇଛି କି? ଯଦି ମୂଳରୁ ସିସିଟିଭି ଲାଗି ନଥିଲା ତେବେ ପିଲାଙ୍କ ସୁରକ୍ଷା ପାଇଁ ସର୍ବନିମ୍ନ ଏତକ କରିବାକୁ କାହିଁକି ଇଚ୍ଛା କରିନଥିଲେ ଗୋବିନ୍ଦବାବୁ?

୮. ମମିତା ମେହେର ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ କେହି ନାହାନ୍ତି। ଅନ୍ତତଃ ପୁଲିସ ଏପର୍ଯ୍ୟନ୍ତ ସେପରି ସାକ୍ଷୀଙ୍କୁ ଖୋଜି ବାହାର କରିନାହିଁ। ଏପରିସ୍ଥଳେ ପାରିପାର୍ଶ୍ୱିକ ପ୍ରମାଣ ଜରିଆରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିହେବ। ମାତ୍ର, ପୁଲିସ ପାଖରେ ସେଭଳି ପ୍ରମାଣ କ’ଣ ଅଛି? ମମିତା ହତ୍ୟା ପାଇଁ ବ୍ୟବହୃତ ଗାଡ଼ି, ମୃତଦେହ ପୋଡ଼ା ଓ ପୋତାଯିବା ସ୍ଥାନରୁ ମିଳିଥିବା ସୁନା ଚେନ୍‌ ଓ ପାଉଁଜି ଆଇନ ଅନୁସାରେ ଅଦାଲତରେ ପ୍ରଦର୍ଶନ ପାଇଁ ସୁରକ୍ଷିତ ରଖାଯିବା କଥା। ଏହା ହେଉଛି ମ୍ୟାଟେରିଆଲ୍‌ ଏକ୍‌ଝିବିଟ୍‌। ଗାଡ଼ି ଓ ଷ୍ଟାଡିୟମରୁ ଅଲଗା ଅଲଗା ଭାବେ ମିଳିଥିବା ପାଉଁଜି ଗୋବିନ୍ଦ ଓ ହତ୍ୟାକାଣ୍ଡ ମଧ୍ୟରେ ସଂପର୍କ ଥିବା ପ୍ରମାଣିତ କରିବା ଦିଗରେ ସହାୟକ ହୋଇଥାନ୍ତା। ପୁଲିସ ତାହାକୁ ମମିତା ପରିବାରକୁ ଫେରାଇଲା କାହିଁକି? ଅନ୍ୟ କେଉଁ ହତ୍ୟା ମାମଲାରେ ପୁଲିସ ଏପରି ଜବତ ଜିନିଷ ପରିବାରକୁ ଫେରସ୍ତ କରିଛି? ତାହା କ’ଣ ଚୋରି ହୋଇଯାଇଥିଲା କି ପରିବାର ଲୋକେ ଚିହ୍ନଟ କରିବାକୁ ଫେରାଇ ଦିଆଗଲା?

୯. ସତ ହେଉ ମିଛ ହେଉ ଏହି ହତ୍ୟା ମାମଲାରେ ପୁଲିସ ବିଭାଗର ରାଷ୍ଟ୍ରମନ୍ତ୍ରୀ ନିହତ ମମିତା ଓ ବିରୋଧୀ ଦଳ ଆଗରେ ଜଣେ ଅଭିଯୁକ୍ତ। ଜଣେ ଦାୟିତ୍ୱବାନ ମନ୍ତ୍ରୀ ଏତେବେଳକୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜର ସଫେଇ ଦେଇସାରିଥାନ୍ତେ। ତଦନ୍ତର ସ୍ୱଚ୍ଛତା ପାଇଁ ନିଜେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମଧ୍ୟ ଜଣେଇପାରିଥାନ୍ତେ। ମାତ୍ର, ସେ ଏଯାଏଁ ତାହା କରିନାହାନ୍ତି। ତାଙ୍କର ଏପରି ଆଚରଣ ଯୋଗୁଁ ମୁଖ୍ୟମନ୍ତ୍ରୀ, ତାଙ୍କ ସରକାର ଓ ତାଙ୍କ ଦଳ ବଦନାମ ହେଉଛି ନା ନାହିଁ?

୧୦. ଯଦି ଏହି ଘଟଣା ଓ ଘଟଣାକୁ ଘେରି ଲାଗି ରହିଥିବା ବିବାଦ ସଂପର୍କରେ ଏଯାଏଁ ମୁଖ୍ୟମନ୍ତ୍ରୀ କିଛି ଜାଣି ନାହାନ୍ତି ବା ତାଙ୍କୁ ଜଣେଇ ଦିଆଯାଇ ନାହିଁ ତେବେ ଏଥିରୁ ଓଡ଼ିଶା ଶାସନ କେମିତି ଚାଲିଛି ତାହାର ଆଭାସ ମିଳୁନାହିଁ କି? ବିରୋଧୀ ଦଳଙ୍କ ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ ସତରେ କ’ଣ ଅନ୍ୟ କାହାର କ୍ରୀଡ଼ନକ? ଯଦି ଏହା ତେବେ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କର ଆସ୍ଥା, ବିଶ୍ୱାସ ଓ ଭଲ ପାଇବାର ପରିଣାମ କ’ଣ ଏଇଆ?

Related story