ସମସ୍ୟା ଘେରରେ କୁମ୍ଭାରୀପୁଟ୍‌ ହାୟର ସେକେଣ୍ଡାରି ସ୍କୁଲ

କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରବଣ ଅଞ୍ଚଳର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଦିବାସୀ ପିଲାମାନେ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ହେଲେ  ମାଓ ପ୍ରବଣ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ୍‌ରେ ଥିବା ଯୁକ୍ତଦୁଇ ହାୟର ସେକେଣ୍ଡାରି ସ୍କୁଲରେ ଛାତ୍ରଛାତ୍ରୀମାନେ ନାନା ସମସ୍ୟା ମଧ୍ୟରେ ଗତି […]

koraput

Rakesh Mallick
  • Published: Tuesday, 16 August 2016
  • , Updated: 16 August 2016, 04:57 PM IST

କୋରାପୁଟ: ଆଦିବାସୀ ଅଧ୍ୟୁଷିତ ଓ ମାଓ ପ୍ରବଣ ଅଞ୍ଚଳର ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଆଦିବାସୀ ପିଲାମାନେ ହଷ୍ଟେଲରେ ରହି ପାଠ ପଢ଼ିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି। ହେଲେ  ମାଓ ପ୍ରବଣ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟ୍‌ରେ ଥିବା ଯୁକ୍ତଦୁଇ ହାୟର ସେକେଣ୍ଡାରି ସ୍କୁଲରେ ଛାତ୍ରଛାତ୍ରୀମାନେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ସ୍କୁଲ ଓ ହଷ୍ଟେଲରେ ପାନୀୟଜଳ ଓ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କଲେଜରେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ପାଠ ପଢ଼ା ମଧ୍ୟ ଠିକ୍‌ରେ ହୋଇପାରୁନି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

କୁମ୍ଭାରୀପୁଟ ଯୁକ୍ତଦୁଇ ହାୟର ସେକେଣ୍ଡାରି ସ୍କୁଲରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ହେଲେ ପଦାର୍ଥ, ରସାୟନ, ପ୍ରାଣୀ ଓ ଗଣିତ ଭଳି ବିଷୟରେ ଅଧ୍ୟାପକ ଓ ଅଧ୍ୟାପିକା ନ ଥିବାରୁ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ପଡ଼ୁଛନ୍ତି।

ଇଣ୍ଡିଗ୍ରେଟେଡ୍‌ ଟ୍ରାଇବାଲ ଡେଭଲପ୍‌ମେଣ୍ଟ ଏଜେନ୍ସି(ଆଇଟିଡିଏ) ଦ୍ୱାରା ପରିଚାଳିତ ଛାତ୍ରାବାସର ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଛି। ଛାତ୍ରୀ ନିବାସ ଛାତରୁ ପାଣି ଗଳୁଛି। ଝରକା ଓ କବାଟ ନ ଥିବାରୁ ଛାତ୍ରଛାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଛାତ୍ରୀ ନିବାସ ପରିସରରେ ଥିବା ନଳକୂପଟି ୬ ମାସ ଧରି ଅଚଳ ହୋଇପଡ଼ିଛି। ଗାଧୋଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଦୁଇ କିମି ଯିବାକୁ ପଡ଼ୁଛି। ଏ ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ ନଳକୂପ ମରାମତି କରାଯାଉନି। ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ୍‌ ଦେଖାଦେଉଥିବାରୁ ଛାତ୍ରାବାସ ଗୁଡ଼ିକୁ ଇନ୍‌ଭର୍ଟର ଯୋଗାଇ ଦିଆଯାଇଥିଲା। କିନ୍ତୁ ଏବେ ଏ ସବୁ ଅଚଳ ହୋଇପଡ଼ିଛି। ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଆସନ୍ତା ୨୦ ତାରିଖ ସୁଦ୍ଧା ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏସ୍‌. ତ୍ରୀନାଥ ରାଓ ପ୍ରକାଶ କରିଛନ୍ତି।

ଛାତ୍ରୀ ବାବୁଲି କାଡ୍ରାକା କହିଛନ୍ତି, “ଆମ ହଷ୍ଟେଲର ୬ଟି ବଖରାରେ ୧୨ଟି ବେଡ୍‌ରେ ୭୦ ଜଣ ପିଲା ଦୟନୀୟ ଅବସ୍ଥାରେ ରହୁଛୁ। ବର୍ଷା ଦିନେ ଛାତରୁ ପାଣି ଗଳୁଛି”।

ଛାତ୍ରୀ ନିଳାମ୍ୱି ହୁଇକା କହିଛନ୍ତି, “ଏଠି ଖାଲି ସମସ୍ୟା ହିଁ ସମସ୍ୟା। ନଳକୂପ ଅଛି ହେଲେ ୬ ମାସ ହେଲା ଖରାପ ହୋଇ ପଡ଼ିଛି। ଏହାକୁ ମରାମତି କରାଯାଉନି। ପାଣି ପାଇଁ ଆମେ ବାହାରକୁ ଯାଉଛୁ। ୭୦ ପିଲାଙ୍କ ପାଇଁ ମାତ୍ର ୨ଟି ପାଇଖାନା ରହିଛି। ସେଥିରେ ଆମକୁ ଚଳାଇବାକୁ ପଡ଼ୁଛି। ବର୍ଷା ଆରମ୍ଭରେ ଅଧିକାରୀମାନେ ସ୍କୁଲକୁ ଆସି ସମସ୍ୟା ଦେଖି ସୁଧାରିବେ ବୋଲି କହିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ଭୁଲି ଯାଉଛନ୍ତି।”

ଛାତ୍ର ଜଗେସ ବାଘ କହିଛନ୍ତି, “ଅଧ୍ୟାପକ ଓ ଅଧ୍ୟାପିକା ନାହାନ୍ତି, ଗାଧୋଇବା ପାଇଁ ଆମକୁ ୨ କିମି ଯିବାକୁ ପଡ଼ୁଛି। ହଷ୍ଟେଲରେ ପଶୁ, ପକ୍ଷୀ ପରି ଅନ୍ଧାରରେ ରହୁଛୁ। ଇନ୍‌ଭର୍ଟର ଆସିବା ପରଠାରୁ ଖରାପ ହୋଇଛି।”

ଲ୍ୟାବ ଆସିଷ୍ଟାଣ୍ଡ ଶୈଳଜା ବ୍ରହ୍ମା କହିଛନ୍ତି, “ପିଲାଙ୍କ ସଂଖ୍ୟା ବଢ଼ିବାରୁ ଏପରି ସମସ୍ୟା ଉପୁଜିଛି। ସ୍କୁଲରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି”।

ପ୍ରାଣୀ ବିଜ୍ଞାନ ବିଭାଗ ଲାବୋରେଟରୀ ଆସିଷ୍ଟାଣ୍ଟ ଆର. ମାଧୁରୀ କହିଛନ୍ତି, “ସ୍କୁଲ ଆରମ୍ଭ ବେଳେ ବି ଏପରି ସମସ୍ୟା ଦେଖାଯାଇ ନ ଥିଲା। ପିଲାଙ୍କ ସଂଖ୍ୟା ବୃଦ୍ଧି ପରେ ନାନା ସମସ୍ୟା ଦେଖାଦେଉଛି।”

Related story