Advertisment

ଭୁବନେଶ୍ୱର: ସଙ୍କଟରେ ଇଂଜିନିୟରିଂ ଶିକ୍ଷା-ରାଜ୍ୟର ୯ଟି କଲେଜରେ ସମସ୍ତ ସିଟ୍ ଫାଙ୍କା, ୧୮ଟିରେ ୧୦ରୁ କମ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସଙ୍କଟରେ ରାଜ୍ୟର ବୈଷୟିକ ଶିକ୍ଷା। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ରାଜ୍ୟରେ ଇଂଜିନିୟରିଂ ଶିକ୍ଷା ପ୍ରତି ଆଗ୍ରହର ବାସ୍ତବ ଚିତ୍ର ପଦାକୁ ଆସିଛି। ୯ଟି ଘରୋଇ ଇଂଜିନିୟରିଂ କଲେଜରେ କେହି ଜଣେ ବି ଆଡମିଶନ୍ କରିନାହାନ୍ତି। ୧୮ କଲେଜରେ ୧୦ଜଣରୁ ବି କମ୍ ଛାତ୍ରଛାତ୍ରୀ ଆଡମିଶନ୍ କରିଛନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ରାଜ୍ୟରେ ସରକାରୀ ଓ ବେସରକାରୀକୁ କଲେଜକୁ ମିଶାଇ ମୋଟ ୯୪ କଲେଜରେ ରହିଛି ୪୮ ହଜାର […]

author-image
Rakesh Mallick
ଅଦ୍ୟତନ ହୋଇଛି
ଭୁବନେଶ୍ୱର: ସଙ୍କଟରେ ଇଂଜିନିୟରିଂ ଶିକ୍ଷା-ରାଜ୍ୟର ୯ଟି କଲେଜରେ ସମସ୍ତ ସିଟ୍ ଫାଙ୍କା, ୧୮ଟିରେ ୧୦ରୁ କମ୍ ଛାତ୍ରଛାତ୍ରୀ

college

ଭୁବନେଶ୍ୱର: ସଙ୍କଟରେ ରାଜ୍ୟର ବୈଷୟିକ ଶିକ୍ଷା। ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ରାଜ୍ୟରେ ଇଂଜିନିୟରିଂ ଶିକ୍ଷା ପ୍ରତି ଆଗ୍ରହର ବାସ୍ତବ ଚିତ୍ର ପଦାକୁ ଆସିଛି। ୯ଟି ଘରୋଇ ଇଂଜିନିୟରିଂ କଲେଜରେ କେହି ଜଣେ ବି ଆଡମିଶନ୍ କରିନାହାନ୍ତି। ୧୮ କଲେଜରେ ୧୦ଜଣରୁ ବି କମ୍ ଛାତ୍ରଛାତ୍ରୀ ଆଡମିଶନ୍ କରିଛନ୍ତି। ଏଭଳି ସ୍ଥିତିରେ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍। ରାଜ୍ୟରେ ସରକାରୀ ଓ ବେସରକାରୀକୁ କଲେଜକୁ ମିଶାଇ ମୋଟ ୯୪ କଲେଜରେ ରହିଛି ୪୮ ହଜାର ଇଂଜିନିୟିରିଂ ସିଟ୍। ପ୍ରଥମ ପର୍ଯ୍ୟୟ କାଉନସେଲିଂ ପରେ ପୁରଣ ହୋଇଛି ମାତ୍ର ୧୧ ହଜାର ୩୯୩ ସିଟ୍। ସରକାରୀ କଲେଜର ମାତ୍ର ୫୦ ଟି ସିଟ୍ ଖାଲି ପଡିଥିବା ବେଳେ ଘରୋଇ ଇଂଜନିୟରିଂ କଲେଜରେ ଫାଙ୍କା ପଡିଛି ୩୬ ହଜାରରୁ ଅଧିକ ସିଟ୍। ସ୍ଥିତି ଏପରି ହୋଇଛି ଯେ ରାଜ୍ୟର ୯ଟି ଘରୋଇ ଇଂଜିନିୟରିଂ କଲେଜର ବିଭିନ୍ନ ବ୍ରାଚଂ ଥିଲେ ବି ଜଣେ ହେଲେ ଛାତ୍ରଛାତ୍ରୀ ନାଁ ଲେଖାଇ ନାହାନ୍ତି। ୧୮ ଟି କଲେଜରେ ୧୦ ଜଣରୁ କମ ପିଲା ଆଡମିଶନ କରିଛନ୍ତି। ସେହିପରି ୩୦ ଜଣରୁ କମ ପିଲା ଆଡମିଶନ କରିଥିବା କଲେଜ ସଂଖ୍ୟା ରହିଛି ୩୨।ବିଶେଷ କରି ରାଜଧାନୀ ଭୁବନେଶ୍ୱର,କଟକ ଏବଂ ଖୋର୍ଦ୍ଧା ଅଚଂଳରେ ଅନେକ କଲେଜ ରହିଛି ଯେଉଁ କଲେଜରେ ଅଧିକାଂଶ ସିଟ୍ ଫାଙ୍କା ପଡିଛି। ଓଜେଇଇ ଅଧ୍ୟକ୍ଷ କହିଛନ୍ତି ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଅନେକ କଲେଜରେ ସିଟ୍ ଫାଙ୍କା ରହିଥିବା ଆମ ନଜରକୁ ଆସିଛି। ତେବେ ଏସବୁ କଲେଜରେ ସିଟ୍ ଖାଲି ପଡିଥିବା ନେଇ ଆମେ ରାଜ୍ୟ ସରକାରଙ୍କୁ ଅବଗତ କରିବୁ।

Advertisment

college

ଏବେ ପ୍ରଶ୍ନ ଉଠୁଛି, ଇଂଜିନିୟିରିଂ ଭଳି ଏକ ପ୍ରଫେସନାଲ କୋର୍ସରେ କାହିଁକି ଆଡମିଶନ କରିବାକୁ ଚାହୁଁ ନାହାନ୍ତି ଛାତ୍ରଛାତ୍ରୀ। କାହିଁକି ହଜାର ହଜାର ଇଂଜିନିୟରିଂ ସିଟ୍ ଖାଲି ପଡୁଛି। କଲେଜରେ ଆବଶ୍ୟକୀୟ ଭିତ୍ତୀଭୂମି ନଥିବା ଅନ୍ୟ ଏକ କାରଣ ହୋଇପାରେ କି। ରାଜ୍ୟ ବାହାରେ ଥିବା କଲେଜ ଗୁଡିକରେ ଓଡିଶାର ଛାତ୍ରଛାତ୍ରୀ ଆଡମିଶନ କରିବାକୁ ଆଗ୍ରହୀ ରହିଥିବାରୁ ରାଜ୍ୟରେ ସିଟ୍ ଖାଲି ରହିବା ଅନ୍ୟ ଏକ କାରଣ କି? କଲେଜ ଗୁଡିକରେ ସଠିକ୍ ପ୍ଲେସମେଣ୍ଟ ଏବଂ କ୍ୟାମ୍ପସରେ ନିଯୁକ୍ତି ମିଳିବାର ସୁଯୋଗ କମ ଥିବାରୁ ମେଧାବୀ ପିଲାମାନେ ଆଡମିଶନ କରୁନଥିବା ଆଉ ଏକ କାରଣ କି? ନାଁ ଅନ୍ୟ ପ୍ରଫ୍ରେସନାଲ କୋର୍ସ ପ୍ରତି ପିଲା ଆଗ୍ରହୀ ହେଉଛନ୍ତି ଫଳରେ ଇଂଜିନିୟରିଂ ଭଳି କୋର୍ସର ଡିମାଣ୍ଡ କମିବାରେ ଲାଗିଛି। ତେବେ ବିଶିଷ୍ଟ ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି " ଏସବୁ ପିଲାଙ୍କ ଭବିଷ୍ୟତ ନେଇ ଏବେ ଚିନ୍ତା କରିବାର ଆବଶ୍ୟକତା ରହିଛି, କାରଣ କମ ପିଲା ଆଡମିଶନ କରିଥିବାରୁ ସେମାନଙ୍କୁ ସଠିକ୍ ଭାବେ କଲେଜରେ ପାଠପଢା ହେବ କି ନାହିଁ ତାହା ମଧ୍ୟ ସନ୍ଦେହ। ସେହିପରି କିଛି ବ୍ରାଚଂ ରେ ଗୋଟିଏ ଦୁଇଟି ଲେଖାଏଁ ପିଲା ଆଡମିଶନ କରିଥିବାରୁ ସେମାନଙ୍କ ପାଇଁ ସେହି କଲେଜରେ ଶିକ୍ଷକ ରହିଛନ୍ତି ନାଁ ନାହିଁ ସେନେଇ ମଧ୍ୟ ତଦନ୍ତ ହେବା ଦରକାର। ଆବଶ୍ୟକ ସୁବିଧା ନଥିଲେ ସେହି କଲେଜ ବନ୍ଦ କରିବାକୁ ମଧ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟରେ ଇଂଜିନିୟରିଂ ସିଟ୍ ଖାଲି ପଡିବା ପରମ୍ପରା କିଛି ନୁଆ ନୁହେଁ। ଗତ ୫ ବର୍ଷ ଧରି କ୍ରମାଗତ ଭାବେ ସିଟ୍ ଖାଲି ପଡିଛି। ୨୦୧୦ରୁ ୨୦୧୩ ମଧ୍ୟରେ ପ୍ରାୟ ୨୦ ରୁ ୨୫ ହଜାର ସିଟ୍ ଖାଲି ପଡୁଥିଲା।ତେବେ ୨୦୧୪ ରେ ୩୫ ହଜାର ସିଟ୍ ଖାଲି ପଡିଥିବା ବେଳେ ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ପ୍ରାୟ ୩୬ ହଜାର ରୁ ଅଧିକ ସିଟ୍ ଖାଲି ପଡିଛି।

college

ଗୋଟିଏ ପଟେ ସିଟ୍ ଖାଲି ପଡିବା ପ୍ରସଙ୍ଗ ଏକ ସମସ୍ୟା ଭାବେ ମୁଣ୍ଡ ଟେକିଥିବା ବେଳେ ଏଥିପାଇଁ ଅନୁଷ୍ଟିତ ପ୍ରବେଶିକା ପରୀକ୍ଷାକୁ ନେଇ ରାଜ୍ୟ ସରକାର ଏବଂ ଓଡିଶା ଘରୋଇ କଲେଜ ସଂଘ (ଓପେକା) ମଧ୍ୟରେ ସବୁବେଳେ ବିବାଦ ଦେଖିବାକୁ ମିଳିଛି। ଏପରିକି ସବୁ ବର୍ଷ ମାମଲା ଯାଇ ପହଁଚୁଛି ହାଇକୋର୍ଟରେ। ୨୦୧୩ ମସିହା ରାଜ୍ୟରେ ବୈଷୟିକ ଶିକ୍ଷାର ମାନ ବୃଦ୍ଧି ପାଇଁ ରାଜ୍ୟ ସରକାର ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ରେ ସାମିଲ ହେବା ନେଇ ନିଷ୍ପତ୍ତି ନେଲେ। ପ୍ରଥମ ଥର ପାଇଁ ନିଷ୍ପତ୍ତି ଅନୁସାରେ ୨୦୧୪ରେ ଜେଇଇ ମେନ୍ ପରୀକ୍ଷା ରାଙ୍କ ଅନୁସାରେ ଛାତ୍ରଛାତ୍ରୀ ଆଡମିଶନ କଲେ। ତେବେ ଏହାକୁ ବିରୋଧ କରି ଓପେକା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲା। ପୁଣିଥିରେ ରାଜ୍ୟରେ ସ୍ପେଶାଲ ଓଜେଇଇ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଲେ। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ ପୁଣି ଥରେ ପରୀକ୍ଷା ହେଲା। ହେଲେ ତଥାପି ରାଜ୍ୟରେ ଖାଲି ପଡିଲା ହଜାରା ହଜାର ସିଟ୍।

Advertisment

college

ଚଳିତ ବର୍ଷ ମଧ୍ୟ ସମାନ ବିବାଦ ଦେଖିବାକୁ ମିଳିଲା। ଜେଇଇ ମେନ୍ ପରୀକ୍ଷାକୁ ବିରୋଧ କରି ଓପେକା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଚଳିତ ବର୍ଷ ମଧ୍ୟ ରାଜ୍ୟରେ ସ୍ପେଶାଲ ଓଜେଇଇ ଅନୁଷ୍ଟିତ ହେଲା। ଏହି ପରୀକ୍ଷାର ରାଙ୍କ ଅନୁସାରେ ଆସନ୍ତା ୭ ରୁ ପୁଣିଥରେ କାଉନସେଲିଂ ଆରମ୍ଭ ହେବ। ତେବେ ସ୍ପେଶାଲ ଓଜେଇଇ ପରୀକ୍ଷା ଦେଇଛନ୍ତି ମାତ୍ର ୭ ହଜାର ପିଲା। ତେଣୁ ଚଳିତ ବର୍ଷ ମଧ୍ୟ ରାଜ୍ୟରେ ହଜାର ହଜାର ଇଂଜିନିୟରିଂ ସିଟ୍ ଖାଲି ପଡିବା ଏକ ପ୍ରକାଶ ନିଶ୍ଚିତ। ଏଭଳି ସ୍ଥିତିରେ ରାଜ୍ୟରେ ବୈଷୟିକ ଶିକ୍ଷାର ସ୍ଥିତି ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଯେଉଁ କଲେଜରେ ସିଟ୍ ଫାଙ୍କା ପଡିଛି ସେସବୁ କଲେଜର ଭବଷ୍ୟତ ମଧ୍ୟ ଅନିଶ୍ଚିତତା ଦେଇ ଗତି କରୁଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କି ପକ୍ଷକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର।