ଶିଳାନ୍ୟାସର ୩ ବର୍ଷ ପରେ ବି ଆରମ୍ଭ ହୋଇ ପାରିନାହିଁ ଟିଟିଲାଗଡ଼ର ମା’ ଓ ଶିଶୁ ଡାକ୍ତରଖାନା

ଟିଟିଲାଗଡ଼: ମା’ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କେତେ ଯୋଜନା କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଏହି ଯୋଜନା ଗୁଡ଼ିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି ଟିଟିଲାଗଡ଼ରେ ପ୍ରସ୍ତାବିତ ମା’ ଓ ଶିଶୁ ଚିକିତ୍ସାଳୟ। ଦୀର୍ଘ ୩ ବର୍ଷ ତଳୁ ଏହି ଡାକ୍ତରଖାନା ପାଇଁ ଅନୁଦାନ ଆସି ସାରିଛି ଓ ଖୋଦ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ […]

h

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 10:42 AM IST

ଟିଟିଲାଗଡ଼: ମା’ ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କେତେ ଯୋଜନା କରାଯାଉଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ମନୋଭାବ ଯୋଗୁଁ ଏହି ଯୋଜନା ଗୁଡ଼ିକ ବାଟବଣା ହେଉଥିବା ଦେଖିବାକୁ ମିଳୁଛି। ଏହାର ଏକ ଉଦାହରଣ ହେଉଛି ଟିଟିଲାଗଡ଼ରେ ପ୍ରସ୍ତାବିତ ମା’ ଓ ଶିଶୁ ଚିକିତ୍ସାଳୟ। ଦୀର୍ଘ ୩ ବର୍ଷ ତଳୁ ଏହି ଡାକ୍ତରଖାନା ପାଇଁ ଅନୁଦାନ ଆସି ସାରିଛି ଓ ଖୋଦ ମୁଖ୍ୟମନ୍ତ୍ରୀ ଏହାର ଶିଳାନ୍ୟାସ କରିଥିଲେ ମଧ୍ୟ ହସପିଟାଲ ନିର୍ମାଣରେ ଅହେତୁକ ବିଳମ୍ୱ ହେଉଥିବାରୁ ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ଟିଟିଲାଗଡ଼ ନିବାସୀ ରଞ୍ଜୁ ରାଇମନ କହିଛନ୍ତି, “ଟିଟିଲାଗଡ଼ରେ ମାତ୍ର ଗୋଟିଏ ହସପିଟାଲ ଅଛି। ବହୁ ଦୂର ଦୁରାନ୍ତରୁ ଲୋକମାନେ ଏହି ହସପିଟାଲକୁ ଆସିଥାନ୍ତି।  ଏହି ହସପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଜଣେ ଡାକ୍ତର ଥିଲାବେଳେ ଶିଶୁ ବିଭାଗର ମଧ୍ୟ ଜଣେ ଡାକ୍ତର ଅଛନ୍ତି। ସରକାର ଶିଶୁ ମୃତ୍ୟୁ ହାର ହ୍ରାସ ପାଇଁ ଯେଉଁସବୁ ଯୋଜନା  କରୁଛନ୍ତି ତାହା ଫେଲ ମାରୁଛି। କଳାହାଣ୍ଡି ଓ ନୂଆପଡାରୁ ଆସୁଥିବା ରୋଗୀମାନେ  ଚକିତ୍ସା ନ ହୋଇ ପାରି ଫେରି ଯାଉଛନ୍ତି। ଟିଟିଲାଗଡ଼ରେ ତାପମାତ୍ରା ସବୁବେଳେ ୪୦ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ସେହି ଖରାରେ ନବଜାତ ଶିଶୁକୁ ବାରଣ୍ଡାରେ ଶୁଆଇ ଚିକିତ୍ସା କରାଯାଉଛି।  ଡାକ୍ତରଖାନାରେ ମା’ ଓ ନବଜାତ ଶିଶୁଙ୍କ ଦରକାର ମୁତାବକ ଶଯ୍ୟା ନାହିଁ। ମା’ ଓ ଶିଶୁ ହସପିଟାଲ ପାଇଁ   ଶିଳାନ୍ୟାସ କରିଥିଲେ ମଧ୍ୟ  ହସପିଟାଲ ନିର୍ମାଣ କରାଯାଇପାରୁନାହିଁ।”

ଟିଟିଲାଗଡ଼ରେ ଏହି ପ୍ରମୁଖ ଡାକ୍ତରଖାନାକୁ ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଅନେକ ଅଞ୍ଚଳରୁ ରୋଗୀ ଆସିଥାନ୍ତି। ଚିକିତ୍ସା ପାଇଁ କୌଣସି ସୁବିଧା ନ ଥିବାରୁ ଅନେକ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ହସପିଟାଲ ସମ୍ମୁଖରେ ମହିଳା ଓ ଶିଶୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।  ସମସ୍ତେ ଅପେକ୍ଷାରେ ଥାଆନ୍ତି କେତେ ବେଳେ ଡାକ୍ତର ଆସିବେ ଓ ଚିକିତ୍ସା କରିବେ । ସମାନ ଅବସ୍ଥା ଦେଖିବାକୁ ମିଳିଥାଏ ହସପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କର। ଡାକ୍ତରଖାନାରେ ଶଯ୍ୟା ନ ଥିବାରୁ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ବାରଣ୍ଡାରେ ଶୋଇବାକୁ ପଡ଼ିଥାଏ। ରୋଗୀଙ୍କ ସୁବିଧା ପାଇଁ ଗତ ୨୦୧୩/୧୪ ଆର୍ଥିକ ବର୍ଷରେ ମୋଟ ୭ କୋଟି ଟଙ୍କ। ବ୍ୟୟରେ ଟିଟିଲାଗଡ଼ରେ ଏକ ୫୦ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୭ କୋଟି ଟଙ୍କ।ର ଅନୁଦାନ ମଧ୍ୟ ପ୍ରଦାନ କଲେ। ହେଲେ ବର୍ତ୍ତମାନ ସୁଦ୍ଧା ନିର୍ମାଣ କାମ ଆରମ୍ଭ ହୋଇପାରିନାହିଁ ଫଳରେ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବାଙ୍କେଲ ଗ୍ରାମବାସୀ ରମେଶ ବଗର୍ତ୍ତି କହିଛନ୍ତି,“ମା ଓ ଶିଶୁ ପାଇଁ ଡାକ୍ତରଖାନା  ନିର୍ମାଣ ହେବାକୁ ଥିବାବେଳେ ଏପର୍ଯ୍ୟନ୍ତ ତିଆରି ହୋଇପାରିନାହିଁ। ଡାକ୍ତର ସଂଖ୍ୟା କମ୍ ଥିବାରୁ ବହୁ ଦୂରରୁ ଆସୁଥିବା ରୋଗୀମାନେ ଚିକିତ୍ସା ନ ହୋଇ ପାରି ଫେରିଯାଉଛନ୍ତି। ଡାକ୍ତରମାନେ ଠିକ୍  ସମୟରେ  ଆସୁ ନ ଥିବାବେଳେ  ଶିଶୁ ଓ ଗର୍ଭବତୀ ମହିଳାମାନେ  ଅସୁ‍ବିଧାରେ ସମ୍ମୁଖୀନ ହେଉଛନ୍ତି।  ଖରାଦିନରେ ଆମକୁ ବେଶୀ ହଇରାଣ ହେବାକୁ ପଡୁଛି।  ଡାକ୍ତର କମ୍ ଓ ଥିବାରୁ ରୋଗୀଙ୍କ ସଂଖ୍ୟା ଅଧିକ ଥିବାରୁ ଚିକିତ୍ସା ଠିକ୍ ଭାବରେ ହୋଇପାରୁନାହିଁ। ଆମେ ଦାବି କରୁଛୁ ଆଉ ଗୋଟିଏ ମା’ ଓ ଶିଶୁ ଡାକ୍ତରଖାନା ତିଆରି କରାଯାଉ।”

୨୦୧୫ ମସିହା ଅକ୍ଟୋବର ୧୫ ତାରିଖରେ  ଖୋଦ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ ଆସି ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ହସପିଟାଲ ନିର୍ମାଣ ନାଁରେ କେବଳ କିଛି ଖୁଣ୍ଟ ପୋତା ହୋଇଛି।  ଦିନକୁ ଦିନ ହସପିଟାଲ ନିର୍ମାଣରେ ବିଳମ୍ବ ହେଉଥିଲେ ମଧ୍ୟ ସରକାର ତରଫରୁ କୌଣସି ପଦକ୍ଷେପ  ନିଆଯାଉନାହିଁ।

ଏ ବିଷୟରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଆଲୋକ ନାୟକ କହିଛନ୍ତି, “ହସପିଟାଲ ନିର୍ମାଣ କେଉଁ ସ୍ଥାନରେ ହେବ ତାହାକୁ ନେଇ ବିବାଦ ଲାଗି ରହିଥିଲା ଫଳରେ ନିର୍ମାଣରେ ବିଳମ୍ୱ ହୋଇଛି। ବର୍ତ୍ତମାନ ସମସ୍ତ ସମସ୍ୟାର ସମାଧାନ ହୋଇ ଯାଇଛି। ଡିଜାଇନ ମଧ୍ୟ ଆସିଯାଇଛି। ହସପିଟାଲ ନିର୍ମାଣ ପାଇଁ ନିଯୁକ୍ତ ହୋଇଥିବା କଣ୍ଟ୍ରାକ୍ଟର ପୁଣି କାମ କରିବାକୁ ସହମତି ଦେଇ ସାରିଛନ୍ତି।  ବହୁ ଶୀଘ୍ର କାମ ଆରମ୍ଭ ହେବ। ପ୍ରାୟ ୧୮ ମାସ ଭିତରେ କାମ ସମ୍ପୂର୍ଣ୍ଣ ହେବ। ”

Related story