Prgnancy
ଭୁବନେଶ୍ୱର: ସାରା ଦୁନିଆ ଏବେ କୋଭିଡ୍-୧୯ ଦାଉରେ ହନ୍ତସନ୍ତ ହେଉଛି। ଭାରତରେ ମଧ୍ୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଛି। ଏହାର ମୁକାବିଲା ଲାଗି ଦେଶକୁ ଲକଡାଉନ୍ କରାଯାଇଛି। ଆଉ ଲକଡାଉନର ମୁଖ୍ୟ ଉଦ୍ଦେଶ୍ୟ ରହିଛି ସାମାଜିକ ଦୂରତ୍ୱ, ଯାହା ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣରୁ ରକ୍ଷା ପାଇବାର ପ୍ରମୁଖ ସମାଧାନ ପାଲଟିଛି। ସେହିପରି ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱଚ୍ଛତା ପାଳନ କରିବା ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଉପଯୁକ୍ତ ଆହାର ଖାଇବାକୁ ଡାକ୍ତର ତଥା ବିଶେଷଜ୍ଞମାନେ ବାରମ୍ବାର ପରାମର୍ଶ ଦେଉଛନ୍ତି।
ଲକଡାଉନ୍ ସମୟର କଟକଣା ଭିତରେ ସ୍ୱାଭାବିକ ଭାବେ ଅନେକ ମହିଳା ଗର୍ଭାବସ୍ଥାରେ ଥିବେ। ସଂକ୍ରମଣକୁ ନେଇ ସେମାନେ ଚିନ୍ତାରେ ଦିନ କାଟୁଥିବେ। ନିଜକୁ ତଥା ପେଟରେ ବଢ଼ୁଥିବା ପିଲାକୁ କରୋନା ସଂକ୍ରମଣ ହୋଇଯିବା ନେଇ ଅନେକ ପ୍ରଶ୍ନ ତାଙ୍କ ମନରେ ଉଙ୍କି ମାଡ଼ୁଥିବ ନିଶ୍ଚୟ। ଏଭଳି ସ୍ଥିତିରେ ଗର୍ଭବତୀମାନଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ରହିଛି। ଆସନ୍ତୁ ଜାଣିବା...
ଏନେଇ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞମାନଙ୍କ କହିବା ହେଲା, ଗର୍ଭାବସ୍ଥାରେ ମହିଳାମାନଙ୍କୁ ନିଜର ସ୍ୱାସ୍ଥ୍ୟର ବିଶେଷ ଭାବେ ଧ୍ୟାନ ରଖିବା ଆବଶ୍ୟକ। କୋଭିଡ୍-୧୯ ଦାଉରୁ ବଞ୍ଚିବା ପାଇଁ ସତର୍କ ଓ ସଫା ସୁତୁରା ରହିବା ସହ ସକାରାତ୍ମକ ଚିନ୍ତା କରିବା ମଧ୍ୟ ଆବଶ୍ୟକ। ଆଜିକାଲି ଅଧିକାଂଶ ହସ୍ପିଟାଲରେ ଓପିଡି ସେବା ବନ୍ଦ ରହିଛି। ଏହାର ଅର୍ଥ ନୁହେଁ ଯେ, ଗର୍ଭବତୀମାନେ ହସ୍ପିଟାଲ ଯାଇପାରିବେ ନାହିଁ। ଆବଶ୍ୟକ ସ୍ଥଳେ ହସ୍ପିଟାଲଗୁଡ଼ିକରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ପ୍ରଦାନ କରାଯାଉଛି। ତେବେ ଆପଣ ଅତ୍ୟାବଶ୍ୟକ ପଡ଼ିଲେ ହିଁ ହସ୍ପିଟାଲ ଯାଆନ୍ତୁ। ନ ହେଲେ ଡାକ୍ତରଙ୍କଠାରୁ ଫୋନ ଯୋଗେ ପରାମର୍ଶ ନିଅନ୍ତୁ।
ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ପ୍ରଫେସର ଡା. ସୁଜାତା ଦେବ କହିଛନ୍ତି ଯେ, ସାଧାରଣ ମହିଳାଙ୍କ ତୁଳନାରେ ଗର୍ଭବତୀମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ। ଏଣୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ସେମାନଙ୍କୁ ସପ୍ଲିମେଣ୍ଟ ଦିଆଯାଇଥାଏ। ଗର୍ଭାବସ୍ଥା ସମୟରେ ଶରୀରରେ ହେଉଥିବା ପରିବର୍ତ୍ତନ ଯୋଗୁ ସଂକ୍ରମଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଥି ପାଇଁ ଲକଡାଉନ ଅବଧିରେ ଯଥା ସମ୍ଭବ ହସ୍ପିଟାଲ ନ ଯିବାକୁ ଚେଷ୍ଟା କରନ୍ତୁ ଏବଂ ଘରେ ସତର୍କତାର ସହ ରୁହନ୍ତୁ। ତେବେ ଘରେ ରହି ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବାକୁ ଭୁଲନ୍ତୁ ନାହିଁ। ବିଶେଷ କରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବାକୁ ଭୁଲନ୍ତୁ ନାହିଁ।
ଡା. ସୁଜାତା କହିଛନ୍ତି ଯେ, ଏବେ ଅନେକ ଗର୍ଭବତୀ ଗୋଟିଏ ବିଷୟ ନେଇ ଭୟଭୀତ ଅଛନ୍ତି। ଯଦି ମା' କରୋନା ସଂକ୍ରମିତ ହୋଇଯା'ନ୍ତି, ତେବେ ତାଙ୍କ ଗର୍ଭସ୍ଥ ଶିଶୁକୁ ମଧ୍ୟ ସଂକ୍ରମଣ ହୋଇଯିବ କି? ହେଲେ ଗର୍ଭବତୀମାନଙ୍କୁ ଆଦୌ ଭୟଭୀତ ହେବାର ଆବଶ୍ୟକତା ନାହିଁ। କୋଭିଡ୍-୧୯ର ରକ୍ତ ସହ କୌଣସି ସମ୍ପର୍କ ନାହିଁ। ମା'ଠାରୁ ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ହେବା ଏପର୍ଯ୍ୟନ୍ତ କେଉଁଠି ମଧ୍ୟ ଦେଖିବାକୁ ମିଳିନାହିଁ। ଯଦି, କୌଣସି ଗର୍ଭବତୀ କରୋନା ପଜିଟିଭ୍ ଥିବା ଜଣାପଡ଼ନ୍ତି, ତେବେ ପ୍ରୋଟୋକଲ ଅନୁସାରେ ତାଙ୍କର ଚିକିତ୍ସା କରାଯାଉଛି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି।
ସେହିପରି ଯୋଧପୁରସ୍ଥିତ ଏମ୍ସର ଓବସ୍ ଆଣ୍ଡ ଗାଏନି ବିଭାଗର ଡା. ମନୀଷା ଝିରଓ୍ୱାଲ କହିଛନ୍ତି ଯେ, ତାଙ୍କ ନିକଟକୁ ଏକ ପ୍ରସୂତି ମାମଲା ଆସିଥିଲା। ମହିଳା ଜଣକ ଇରାନରୁ ଫେରିଥିବା ବେଳେ ତାଙ୍କ ସ୍ୱାମୀ କରୋନା ପଜିଟିଭ୍ ଥିଲେ। ହେଲେ ଗର୍ଭବତୀ ମହିଳାଙ୍କୁ କେବଳ ଥଣ୍ଡା ସଂକ୍ରମଣ ଥିଲା। ତାଙ୍କୁ କ୍ୱାରେଣ୍ଟାଇନରେ ରଖିବା ପରେ ସେ ସୁସ୍ଥ ହୋଇଥିଲେ। ପ୍ରସୂତି ପରେ ମଧ୍ୟ ଉଭୟ ମା' ଓ ଶିଶୁ କରୋନା ପଜିଟିଭ୍ ନ ଥିଲେ।
ତେବେ ପ୍ରି-ଟର୍ମ ଡେଲିଭରୀରେ ସଂକ୍ରମଣର କିଛି ଲକ୍ଷଣ ଦେଖାଦେଇପାରେ। କିନ୍ତୁ ଏହା କେବଳ କୋଭିଡ୍-୧୯ ଯୋଗୁ ବୋଲି କୁହାଯାଇପାରିବ ନାହିଁ। ଯଦି କୌଣସି ଗର୍ଭବତୀ କରୋନା ପଜିଟିଭ୍ ବୋଲି ଜଣାପଡ଼ନ୍ତି, ତାଙ୍କୁ ସପୋର୍ଟିଭ୍ ଟ୍ରିଟମେଣ୍ଟ ଦିଆଯାଇଥାଏ। ସାଧାରଣତଃ ୨୫ରୁ ୪୦ ବର୍ଷ ବୟସ୍କା ଗର୍ଭବତୀଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍ ରହିଥିବା ଡା. ମନୀଷା କହିଛନ୍ତି। ହେଲେ ଗର୍ଭାବସ୍ଥାରେ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ପ୍ରଚୂର ମାତ୍ରାରେ ରହିବା ଆବଶ୍ୟକ ଥାଏ।
ଗର୍ଭବତୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସେମାନଙ୍କ ଆହାର। ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ପୁଷ୍ଟିଯୁକ୍ତ ଜଳଖିଆ ସହ ତିନି ଥର ସନ୍ତୁଳିତ ପୁଷ୍ଟିଯୁକ୍ତ ଭୋଜନ ଖାଇବା ଜରୁରୀ ହୋଇଥାଏ। ଗର୍ଭାବସ୍ଥାର ପ୍ରଥମ ତିନି ମାସ ପ୍ରତିଦିନ ଆଇରନ ଓ ଫୋଲିକ୍ ଏସିଡ୍ ଟାବଲେଟ୍ ଖାଇବା ଜରୁରୀ। ଏହାପରେ ପ୍ରସବର ଛ'ମାସ ପର୍ୟ୍ୟନ୍ତ ପ୍ରତିଦିନ ଆଇଏଫଏ ଟାବଲେଟ୍ ଗୋଟିଏ ଲେଖାଏଁ ଖାଇବା ଆବଶ୍ୟକ। ଗର୍ଭାବସ୍ଥାରେ ପ୍ରତିଦିନ ୨୦-୨୫ ମିନିଟ୍ ଯୋଗାଭ୍ୟାସ କରିବା ସହ କ୍ୟାଫିନ୍, ଆଲକୋହଲ୍, ତମ୍ବାଖୁ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟଠାରୁ ମହିଳାମାନେ ଦୂରେଇ ରହିବା ଆବଶ୍ୟକ। ଲକଡାଉନ ବେଳେ ଏ ସବୁ ଦିଗ ପ୍ରତି ସଚେତନ ରହି ଆବଶ୍ୟକ ଔଷଧ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ନେବାକୁ ଡା. ମନୀଷା ପରାମର୍ଶ ଦେଇଛନ୍ତି।
କରୋନା ସଂକ୍ରମଣ ସ୍ଥିତି ଲାଗିଥିବା କାରଣରୁ ଗର୍ଭବତୀମାନେ ବିଶେଷ ଭାବରେ ସ୍ୱଚ୍ଛତା ଉପରେ ଧ୍ୟାନ ଦେବା ଆବଶ୍ୟକ। ଖାଇବା ପୂର୍ବରୁ, ଖାଇବା ପରେ, ନଖ କାଟିବା ପରେ, ଶୌଚ ହେବା ସମୟରେ ସ୍ୱଚ୍ଛ ଓ ପରିସ୍କାର ରହିବା ନିହାତି ଜରୁରୀ। ଗର୍ଭବତୀମାନେ ଶାରୀରିକ ଦୂରତ୍ୱ ନିଶ୍ଚୟ ବଜାୟ ରଖନ୍ତୁ। ଥଣ୍ଡା, ଜ୍ୱର, କାଶ, ଛିଙ୍କ ଆଦି ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଘରେ ପ୍ରଥମେ ପ୍ରାରମ୍ଭିକ ଚିକିତ୍ସା ଆପଣାନ୍ତୁ ଏବଂ ଡାକ୍ତରଙ୍କ କହିବା ଅନୁଯାୟୀ ସମସ୍ତ ପରାମର୍ଶ ମାନି ଚଳନ୍ତୁ। ସରକାରଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ମାନିବା ସହ ଓ ଆବଶ୍ୟକ ପଡ଼ିଲେ ହେଲ୍ପ ଲାଇନର ମଧ୍ୟ ସହଯୋଗ ନେଇପାରିବେ। ମନେ ରଖନ୍ତୁ ସ୍ୱାସ୍ଥ୍ୟ ହିଁ ସମ୍ପଦ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/Prgnancy.jpg)