ନୂଆଦିଲ୍ଲୀ: ଦିନେ ସ୍କୁଲ୍ ଫିସ୍ ଦେବାକୁ ପାଖରେ ଟଙ୍କା ନଥାଏ। ବସ୍ତିର ଏକ ଛୋଟ ଘରେ ରହୁଥିବା ଜୟକୁମାର ଦିନେ ଖାଇଲେ ଆଉ ଗୋଟେ ଦିନେ ଉପାସ ରହୁଥିଲେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିଲା ତେଣୁ ଲୋକେ ଜୟକୁମାରକୁ ଗାଡ଼ି ଡ୍ରାଇଭର ହେବାକୁ ପରାମର୍ଶ ଦେଉଥିଲେ। କିନ୍ତୁ ଜୟକୁମାରଙ୍କ ମାଆ ଏଥିରେ ରାଜି ନଥିଲେ। ସେ ଚାହୁଁଥିଲେ ପୁଅ ପାଠ ପଢୁ, ନିଜ ଗୋଡ଼ରେ ଠିଆହେଉ। ତେଣୁ ଯେମିତି ପୁଅ କେବେ ଅଭାବର ସ୍ୱାଦ ନଚାଖିବ ସେଥିପାଇଁ ସେ ଦିନ ମଜୁରିଆ ପାଲଟିଗଲେ। ଆଜି ସେହି ବଳିଦାନ ଜୟକୁମାରଙ୍କୁ ବୈଜ୍ଞାନିକ ହେବାରେ ସାହାଯ୍ୟ କରିଛି। ପରିବାରର କଳହ ପାଇଁ ପିଲାଦିନୁ ଜୟକୁମାରଙ୍କର ମାଆ ଏବଂ ବାପା ଅଲଗା ହୋଇଯାଇଥିଲେ। ଜୟକୁମାର ସେତେବେଳେ ସ୍କୁଲ୍ରେ ପଢୁଥିଲେ। ପିଲା ଦିନୁ ସେ ତାଙ୍କ ମାଆ ସହ ରହୁଥିଲେ।
ଜୟକୁମାର ଆଜି ଭର୍ଜିନିଆ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଏହା ପଛରେ ତାଙ୍କର ଏକ ସଂଘର୍ଷମୟ କାହାଣୀ ରହିଛି। ସେ ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଇଲେକ୍ଟ୍ରିକାଲ୍ ଏବଂ କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ନାନୋ ଟେକ୍ନୋଲୋଜି, ନାନୋ ଆସିଲେଟର୍ସ, ନାନୋ ସ୍କେଲ୍ ଡିଭାଇସ୍ ଆଣ୍ଡ ଆର୍କିଟେକ୍ଚରର ଅଧ୍ୟୟନ କରୁଛନ୍ତି।
ଜୟକୁମାର ବୁର୍ଲା ବସ୍ତିରେ ରହୁଥିଲେ। ଏହି ବସ୍ତିରେ ମାତ୍ର ଗୋଟେ ବଖରା ଥିଲା ଯେଉଁଥିରେ ଗୋଟେ ଖଟ, ଗୋଟେ ଟିଭି ଏବଂ ଗୋଟେ ଫ୍ରିଜ୍ ଥିଲା। ଜୟକୁମାରଙ୍କୁ ମହାକାଶ ବିଷୟରେ ଜାଣିବାର ଇଚ୍ଛା ଥିଲା ତେଣୁ ସେ ପ୍ରାୟ ସମୟ ବିଜ୍ଞାନ ଏବଂ ମହାକାଶ ସମ୍ବନ୍ଧୀୟ ବିଷୟ ଟିଭିରେ ଦେଖୁଥିଲେ।
ସ୍କୁଲ୍ରେ ପଢୁଥିବା ସମୟରେ ମେସ୍କୋ ଟ୍ରଷ୍ଟର ବିଷୟରେ ସେ ଜାଣିବାକୁ ପାଇଲେ। ମେସ୍କୋ ଟ୍ରଷ୍ଟ ସୁଧ ମୁକ୍ତ ଋଣ ଦେଉଥିଲା। ସେଠାରୁ ଋଣ ନେଇ ସେ ସ୍କୁଲିଂ ସାରିଲେ। ଜୟକୁମାରଙ୍କ କହିବା ଅନୁଯାୟୀ, ସୁବ୍ରମଣ୍ୟମ ଦମ୍ପତ୍ତି, ଅନିଲ୍ ମୋରକ, ବଲଦେବ ସର, ଟାଟା ଟ୍ରଷ୍ଟ ଏବଂ ଇଣ୍ଡିଆ ଡେବ୍ଲପମେଣ୍ଟ ଫାଉଣ୍ଡେସନ୍ ପରି ସଂସ୍ଥା ମତେ ଋଣ ଦେଇ ପଢିବାକୁ ସାହାଯ୍ୟ କରିଛନ୍ତି।
ଏଠାରୁ ତାଙ୍କୁ ଲାର୍ସନ ଆଣ୍ଡ ଟ୍ୟୁବ୍ରୋରେ ଇଣ୍ଟର୍ନସିପ୍ କରିବାର ସୁଯୋଗ ପାଇଲେ।
ପଢ଼ା ସିରିବା ପରେ ସେ ଟାଟା ଇଷ୍ଟିଟ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ୍ଚ(ଟିଆଇଏଫ୍ଆର)ରେ ପ୍ରବେଶ କଲେ। ଯେଉଁଠି ସେ ଜଣେ ଗବେଷକ ଭାବେ ପ୍ରତି ମାସରେ ୩୦,୦୦୦ ଟଙ୍କା ବେତନ ପାଉଥିଲେ।