ତାଙ୍କର ସେହି ଡ୍ରେସ୍‌କୁ ଆଠ ବର୍ଷ ପର୍ଯ୍ୟନ୍ତ ମୁଁ ସଫା କରି ନ ଥିଲି...

ନୂଆଦିଲ୍ଲୀ: ଯଦି କୌଣସି ରାଷ୍ଟ୍ରର ନିର୍ଭୀକ, ନିଃସ୍ୱାର୍ଥ ପର ସେବା, ତ୍ୟାଗ ଓ ବଳିଦାନର କଥା କହିବା ତେବେ ସର୍ବପ୍ରଥମେ ସେହି ବୀର ସୈନିକଟିର ଚେହେରା ଆସିବ। ଯେଉଁଠି ବାରୁଦ ଗଲାରେ ନିଜ ଜୀବନକୁ ବାଜି ଲଗାଏ। ମାତୃଭୂମିର ସୁରକ୍ଷା ଲାଗି ଶତ୍ରୁ ଗୁଳିରେ ଲହୁଲୁହାଣ ହୁଏ। ଯେଉଁଥିପାଇଁ ସେ ଘର, ଦ୍ୱାର, ପତ୍ନୀ, ଛୁଆପିଲା ସଭିଙ୍କୁ ଭୁଲି ଯାଏ। ହେଲେ ଏମିତି କେଉଁ ଶକ୍ତି ଅଛି ଯାହାର ବଳରେ ପ୍ରଭାବିତ ହୋଇ ସେ ଏତେ ସବୁ […]

sahid

Puspanjali Panda
  • Published: Monday, 25 February 2019
  • , Updated: 25 February 2019, 12:40 PM IST

ନୂଆଦିଲ୍ଲୀ: ଯଦି କୌଣସି ରାଷ୍ଟ୍ରର ନିର୍ଭୀକ, ନିଃସ୍ୱାର୍ଥ ପର ସେବା, ତ୍ୟାଗ ଓ ବଳିଦାନର କଥା କହିବା ତେବେ ସର୍ବପ୍ରଥମେ ସେହି ବୀର ସୈନିକଟିର ଚେହେରା ଆସିବ। ଯେଉଁଠି ବାରୁଦ ଗଲାରେ ନିଜ ଜୀବନକୁ ବାଜି ଲଗାଏ। ମାତୃଭୂମିର ସୁରକ୍ଷା ଲାଗି ଶତ୍ରୁ ଗୁଳିରେ ଲହୁଲୁହାଣ ହୁଏ। ଯେଉଁଥିପାଇଁ ସେ ଘର, ଦ୍ୱାର, ପତ୍ନୀ, ଛୁଆପିଲା ସଭିଙ୍କୁ ଭୁଲି ଯାଏ।

ହେଲେ ଏମିତି କେଉଁ ଶକ୍ତି ଅଛି ଯାହାର ବଳରେ ପ୍ରଭାବିତ ହୋଇ ସେ ଏତେ ସବୁ ତ୍ୟାଗ କରିପାରେ। ଏମିତି କେଉଁ ଆକର୍ଷଣରେ ମୋହିତ ହୋଇ ନିଜ ଦେଶ ପାଇଁ ସେ ସର୍ବଶ୍ୱ ଉତ୍ସର୍ଗ କରିଦିଏ। ଏମିତି ପ୍ରଶ୍ନ କେତେକଙ୍କ ମନକୁ ବେଳେ ବେଳେ ଆନ୍ଦୋଳିତ କରେ। ସେପରି ମଣିଷ ନିଶ୍ଚୟ ସମସ୍ତଙ୍କଠାରୁ ଭିନ୍ନ ହୋଇଥିବେ, ଯିଏ ଜୀବନକୁ ବାଜି ଲଗାଇ ଦେଶର ସୁରକ୍ଷା ଦାୟିତ୍ୱ ନିଜ କାନ୍ଧକୁ ନେଇଥାନ୍ତି।

କେବଳ ସେହି ବ୍ୟକ୍ତି ନୁହଁନ୍ତି, ସେହି ବୀର ଯବାନଙ୍କ ହାତ ଧରିଥିବା ଝିଅ ମଧ୍ୟ ମହାନ୍‌ ହୋଇଥାନ୍ତି। ସ୍ୱାମୀ ଯେମିତି ସୀମାରେ ଅପଲକେ ଶତ୍ରୁକୁ ଜଗିରହିଥାଏ ଠିକ୍‌ ତାର ପତ୍ନୀ ବି ଅନିଦ୍ରା ହୋଇ ରାତି ବିତାଏ। କେବେ ଭାବିଛନ୍ତି କି ଯାହାର ସ୍ୱାମୀ ଖଣ୍ଡାଧାରରେ ଚାଲୁଥାଏ, ଯାହାର ଜୀବନ ପ୍ରତି ପାଦେ ପାଦେ ବିପଦ ଥାଏ ତାର ପତ୍ନୀ କେମିତି ନିଜ ମନକୁ ଦୃଢ କରି ସାହସର ସହ ଜୀବନ ଜିଁଇବାକୁ ପ୍ରୟାସ କରେ। ଏ ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଉଠୁଥିବ। ସେହିପରି ଜଣେ ବୀର ଯବାନଙ୍କ ସ୍ତ୍ରୀ ହେଉଛନ୍ତି ସଲ୍‌ମା ଶଫିକ୍‌ ଘୋରୀ। ନିଜ ଜୀବନର କିଛି ଅକୁହା କଥାକୁ The Pink Revolutionକୁ ନିଜର ଅନୁଭୂତି ଶେଆର୍‌ କରିଛନ୍ତି ସେ। ଯାହାଙ୍କର ସ୍ୱାମୀ କ୍ୟାପ୍‌ଟେନ୍‌ ଶଫିକ୍‌ ଘୋରୀ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ୨୦୦୧ରେ ସହିଦ୍‌ ହୋଇଥିଲେ।

କ୍ୟାପ୍‌ଟେନ୍‌ ଶଫିକ୍‌ ଘୋରୀଙ୍କ ସ୍ତ୍ରୀ ସଲ୍‌ମା ତାଙ୍କର ଜୀବନର ଅନୁଭୂତିକୁ ଶେଆର୍‌ କରି ଏକ ଲମ୍ୱା ଚିଠି ଲେଖିଥିଲେ। ସେଥିରେ ସେ ଲେଖିଥିଲେ, ମୁଁ ଯେବେ ୧୯ ବର୍ଷର ଥିଲି ୧୯୯୧ ମସିହାରେ କ୍ୟାପ୍‌ଟେନ୍‌ ଶଫିକ୍‌ ଘୋରୀଙ୍କ ସହିତ ମୋର ବିବାହ ହୋଇଥିଲା। ବିବାହ ପରେ ପରେ ମୁଁ ଏହି କଥାକୁ ମାନିବାକୁ ଅରାଜି ଥିଲି ଯେ, ଅନେକ ଦିନ ପର୍ଯ୍ୟନ୍ତ ମତେ ତାଙ୍କଠାରୁ ଅଲଗା ରହିବାକୁ ପଡ଼ିବ। କିନ୍ତୁ ସେ ମତେ ବୁଝାଇଥିଲେ, ଜଣେ ଯବାନଙ୍କର ସ୍ତ୍ରୀ ହେଲେ କ’ଣ କରିବାକୁ ପଡ଼ିଥାଏ।

ଆମ ସମୟରେ ମୋବାଇଲ୍‌ ଫୋନ୍‌ ନ ଥିଲା। ମୁଁ ଘଣ୍ଟା ଘଣ୍ଟା ଧରି ଲ୍ୟାଣ୍ଡ୍‌ ଫୋନ୍‌ ପାଖରେ ବସି ରହୁଥିଲି। ଏହି କଥା ମଧ୍ୟ ଜାଣିନଥିଲି ଯେ, ତାଙ୍କର ଫୋନ୍ ଆସିବ କି ନାହିଁ। ଆମେ ଦୁହେଁ ଦୁହିଁଙ୍କୁ ଚିଠି ଲେଖୁଥିଲୁ। ମୋ ସ୍ୱାମୀ ମତେ କଥା ଦେଇଥିଲେ ଯେ, ଯେତେ ଦିନ ସେ ମୋଠାରୁ ଦୂରରେ ରହିବେ, ପ୍ରତିଦିନ ମୋ ପାଇଁ ଗୋଟିଏ ଚିଠି ଲେଖିବେ। ମୁଁ ପ୍ରତ୍ୟେକ ଦିନ ତାଙ୍କର ଗୋଟିଏ ଚିଠି ପାଉଥିଲି। ଛୁଟିରେ ସେ ଘରକୁ ଆସିଲେ ମୁଁ ତାଙ୍କ ଲଗେଜ୍‌ ବ୍ୟାଗ୍‌ରେ ଛୋଟ ଛୋଟ ନୋଟ୍‌ ଲୁଚାଇ ରଖୁଥିଲି।ସମୟ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ତାଙ୍କର ପୋଷ୍ଟିଂ ବିପଦପୂର୍ଣ୍ଣ ସ୍ଥାନରେ ହେବାକୁ ଲାଗିଲା। ସେହି ସମୟରେ ପଞ୍ଜାବ ଏବଂ ତା’ର ଆଖପାଖ କ୍ଷେତ୍ରରେ ପୋଷ୍ଟିଂ ପାଇବା ସୁରକ୍ଷିତ ନ ଥିଲା। ମୋର ସ୍ୱାମୀ ତ୍ରିପୁରା, ପଞ୍ଜାବ ଓ ଶ୍ରୀନଗରରେ ପୋଷ୍ଟିଂ ପାଇ ସାରିଥିଲେ।
ମୁଁ ମଧ୍ୟ ସ୍ୱାମୀଙ୍କ ଅନୁପସ୍ଥିତିରେ ନିଜର ଓ ଛୁଆଙ୍କର ଯତ୍ନ ନେବା ଶିଖି ଯାଇଥିଲି। ମତେ ଜଣାଥିଲା ଯେ, ମୋ ସ୍ୱାମୀଙ୍କ ପାଇଁ ଦେଶର ସେବା କରିବା ସବୁଠାରୁ ପ୍ରଥମ କାମ ଏବଂ ସ୍ତ୍ରୀ ଓ ଛୁଆ ଦ୍ୱିତୀୟରେ ଆସନ୍ତି।

୧୯୯୯ ଶ୍ରୀନଗରରେ ତାଙ୍କର ଫିଲ୍ଡ ପୋଷ୍ଟିଂ ହୋଇଥିଲା। କିନ୍ତୁ ଶ୍ରୀନଗର ଏକ ହାଇ ରିକ୍ସ ଅଞ୍ଚଳ ହୋଇଥିବାରୁ ସେ ସ୍ଥାନକୁ ପରିବାରକୁ ନେବା ପାଇଁ ଅନୁମତି ନଥିଲା। ଏଥିପାଇଁ ଆମେ ବେଙ୍ଗାଲୁରୁ ଯାଇ ରହିବା ପାଇଁ ନିଷ୍ପତ୍ତି ନେଇଥିଲୁ।

୨୮ ଜୁନ୍‌, ୨୦୦୧ରେ ଆମେ ଶେଷଥର ପାଇଁ କଥା ହୋଇଥିଲୁ। ସେ ମୋର ଭଲମନ୍ଦ ପଚାରି ବୁଝିଥିଲେ ଏବଂ କହିଥିଲେ ସେ ଜଙ୍ଗଲକୁ ମିଲିଟାରୀ ଅପରେସନ୍‌ ପାଇଁ ଯାଉଛି । ସେ ପିଲାଙ୍କ ସହିତ କଥା ହେବା ପାଇଁ ଚାହୁଁଥିଲେ, କିନ୍ତୁ ପିଲାମାନେ ବାହାରକୁ ଖେଳିବା ପାଇଁ ଯାଇଥିଲେ। ଘରେ ଗହଳି ଥିବା ଯୋଗୁ ମୁଁ ଘରର ବେସମେଣ୍ଟକୁ ଆସି ତାଙ୍କ ସହିତ କଥା ହେଇଥିଲି। ସ୍ୱାମୀଙ୍କ ସହିତ କଥା ହୋଇଥିବା ସେଦିନର ସେଇ କେଇ ପଦ କଥାକୁ ମୁଁ ଆଜି ବି ମନେ ପକାଇ ପଶ୍ଚାତାପ କରୁଛି।

ଏହାର ଠିକ୍‌ ତିନିଦିନ ପରେ ୧ ଜୁଲାଇ ୨୦୦୧ରେ ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ କିଛି ଆର୍ମି ଅଫିସର୍‌ ଓ ତାଙ୍କ ସ୍ତ୍ରୀ ଆମ ଘରକୁ ଆସିଥିଲେ। ଜଣେ ମହିଳା ମତେ ବସାଇ କହିଥିଲେ, ମେଜର୍‌ ଶଫିକ୍‌ ଘୋରୀ ଅପରେସନ୍‌ ‘ରକ୍ଷକ’ରେ ଆତଙ୍କବାଦୀଙ୍କ ସହିତ ଲଢ଼େଇ କରି ସହିଦ୍ ହୋଇଛନ୍ତି।

ମତେ ଲାଗିଥିଲା କି ସବୁକିଛି ଶେଷ ହୋଇଗଲା। ସେହି ଦିନ ହିଁ ମତେ ତାଙ୍କର ଶେଷ ଚିଠି ମିଳିଥିଲା। ତା ପରଦିନ ମୁଁ ଏୟାରପୋର୍ଟକୁ ତାଙ୍କୁ ଶେଷଥର ପାଇଁ ଆଣିବାକୁ ଯାଇଥିଲି। ସେଦିନ ସେ ଏକ କଫିନ୍‌ ବକ୍ସରେ ଥିଲେ ଏବଂ ତ୍ରିରଙ୍ଗା ପତାକା ତାଙ୍କ ଦେହରେ ଘୋଡ଼େଇ ରଖାଯାଇଥିଲା। ସେ ମତେ ସବୁ ସମୟରେ ଷ୍ଟ୍ରଙ୍ଗ୍‌ ରହିବା ପାଇଁ କହିଥାନ୍ତି। ସେଦିନ ମୁଁ କେବଳ ତାଙ୍କ ସହିତ ହୋଇଥିବା ଶେଷ କଥାକୁ ହିଁ ମନେ ପକାଉଥିଲି।

ମତେ ତାଙ୍କର ୟୁନିଫର୍ମ ଓ ସିଭିଲ୍‌ କ୍ଲୋଦେସ୍‌ ଏକ ବକ୍ସରେ ମିଳିଥିଲା। ତାଙ୍କର ସେହି ଡ୍ରେସ୍‌ ସବୁକୁ ମୁଁ ଆଠ ବର୍ଷ ପର୍ଯ୍ୟନ୍ତ ସଫା କରିନଥିଲି। ମୁଁ ସେହି ଅନୁଭୂତିକୁ ଲିଭାଇବାକୁ ଚାହୁଁନଥିଲି। ତାଙ୍କ ପର୍ସରେ ଥିବା ଟଙ୍କା ମଧ୍ୟ ସେମିତି ରହିଛି। ମୁଁ ଆଜି ବି ତାଙ୍କ ଚିଠି ସବୁକୁ ପଢୁଛି।

ଆଜି ମୁଁ କର୍ଣ୍ଣାଟକର ସହିଦ୍‌ ପରିବାର ଏବଂ ତାଙ୍କ ପତ୍ନୀଙ୍କ ସଶକ୍ତିକରଣ ପାଇଁ କାମ କରୁଛି। ମତେ ୨୯ ବର୍ଷ ହୋଇଥିବା ସମୟରେ ମେଜର ଶଫିକ୍‌ ଘୋରୀ ସହିଦ୍‌ ହୋଇଥିଲେ। ସେ ଚାଲିଯିବା ପରେ ଲୋକେ ମତେ ଆଗକୁ ବଢ଼ିବା ପାଇଁ କହିଥିଲେ କିନ୍ତୁ ମୁଁ ତାଙ୍କର ଥିଲି, ଅଛି ଏବଂ ସବୁଦିନ ପାଇଁ ତାଙ୍କର ହୋଇ ରହିବି ବୋଲି ଦୃଢ଼ ନିଷ୍ପତ୍ତି ନେଇଛି।

ମେଜର ଶଫିକ୍‌ ଘୋରୀଙ୍କ ସ୍ତ୍ରୀ ଆହୁରି ମଧ୍ୟ ଲେଖିଥିଲେ, ମୁଁ ଅନେକଥର ସମ୍ପର୍କରେ ଦୂରତା ଥିବା ଯୋଡ଼ିଙ୍କୁ ଝଗଡ଼ା କରୁଥିବା ଦେଖିଛି। କିନ୍ତୁ ଯେଉଁମାନଙ୍କର ସ୍ୱାମୀ ଓ ପ୍ରେମିକ ସେନାରେ କାମ କରୁଛନ୍ତି, ସେମାନଙ୍କ ବିଷୟରେ ଚିନ୍ତା କରି ମୋ ମଥା ସମ୍ମାନରେ ନଇଁ ପଡ଼େ। ପ୍ରକୃତ ସତ କଥା ହେଉଛି, ଦେଶ ପାଇଁ ଲଢ଼ିବା, ଜୀବନକୁ ହାତରେ ରଖି ଚାଲିବା କୌଣସି ବ୍ୟକ୍ତି ପାଇଁ ସହଜ କାମ ନୁହେଁ। କିନ୍ତୁ ଏହା ମଧ୍ୟ ସତ ଯେ, ନିଜ ସ୍ୱାମୀକୁ ସୀମାକୁ ପଠାଇବାର ସାହସ ଓ କ୍ଷମତା ସବୁ ସ୍ତ୍ରୀଙ୍କ ପାଖରେ ନଥାଏ।

Related story