ନୂଆଦିଲ୍ଲୀ: ସେ ଜାଣିଛନ୍ତି, ମୃତ୍ୟୁ ତାଙ୍କୁ କୋଳେଇ ନେବାକୁ ଧାଇଁ ଆସୁଛି। ତାଙ୍କ ହାତରେ ବୋଧ ହୁଏତ ଆଉ ଅଧିକ ଦିନ ନାହିଁ। ଅଳ୍ପ ଦିନ ପରେ ହୁଏତ ତାଙ୍କୁ ସେଇ ଅଜଣା ରାଇଜକୁ ଫେରିଯିବାକୁ ହେବ। ହେଲେ ଏହା ତାଙ୍କୁ ଭୟଭୀତ କରିପାରିନି କି ଦୁଃଖୀ କରିପାରିନି। ଓଲଟି ତାଙ୍କ ମନରେ ଅଛି ବୋଝେ ଆଶା ଓ ଖାଲି ହାତରେ ନବାହୁଡ଼ିବାର ଜିଦ୍। ଧରାପୃଷ୍ଠ ଛାଡ଼ିବା ବେଳକୁ ଭଲ କାର୍ଯ୍ୟର ଆତ୍ମସନ୍ତୋଷ ଓ ଅନ୍ୟମାନଙ୍କ ଭଲ ପାଇବାକୁ ସେ ନେଇଯିବାକୁ ଚାହାନ୍ତି। ସେଥିପାଇଁ ସେ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ଛୁଆଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ମୃତ୍ୟୁକୁ ପାଖରୁ ଦେଖୁଥିଲେ ବି ନ ଡରି ଜୀବନକୁ ଏମିତି ଢଙ୍ଗରେ ବଞ୍ଚୁଥିବା ଏହି ଯୁବତୀଙ୍କ ନାଁ ଆଞ୍ଚଲ୍ ଶର୍ମା। ସେ ସ୍ତନ କର୍କଟରେ ପୀଡ଼ିତ।
ଆଞ୍ଚଲଙ୍କର ଜନ୍ମ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ତାଙ୍କର ଜଣେ ଭାଇ ଓ ଭଉଣୀ ଅଛନ୍ତି। ତାଙ୍କ ବାପା ଜଣେ ଅଟୋ ଚାଳକ ଥିଲେ। ଦିନେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କ ବାପାଙ୍କୁ ସେୟାର ମାର୍କେଟ୍ରେ କିଛି ଟଙ୍କା ଲଗାଇବାକୁ କହିଲେ। ତାଙ୍କ ବାପା ସେଥିରେ ରାଜି ହୋଇଯାଇଥିଲେ। ତେବେ ସେ ଟଙ୍କା ବୁଡ଼ିଗଲା। ଏହି କ୍ଷତିକୁ ତାଙ୍କ ବାପା ସହଜରେ ଗ୍ରହଣ କରିପାରିଲେ ନାହିଁ। ଦୁଃଖରେ ସେ ମଦ ପିଇବା ଆରମ୍ଭ କରି ଦେଲେ। ତା’ପରେ ଧୀରେ ଧୀରେ ଘରେ ଆସି ତାଙ୍କ ମା’ଙ୍କ ସହିତ ଝଗଡ଼ା କଲେ ଓ ମାରପିଟ ବି କଲେ। ଆଞ୍ଚଲ୍ଙ୍କ ବାପା କାମ କରିବା ବନ୍ଦ କରିଦେବା ପରେ ଶେଷରେ ତାଙ୍କ ମା’ ଯାଇ ଘର ପାଖ ଏକ କାରଖାନାରେ ଶ୍ରମିକ ଭାବେ କାମ କଲେ।
ସବୁକିଛି ଠିକ୍ ହୋଇ ଆସୁଥିବା ବେଳେ ଆଞ୍ଚଲଙ୍କ ମା’ ମାନସିକ ରୋଗରେ ପଡ଼ିଲେ। ଧୀରେ ଧୀରେ ସେ ସବୁ କିଛି ଭୁଲିବା ଆରମ୍ଭ କରିଥିଲେ। ତାଙ୍କ ବାପା ବି ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହେଲେ। ଆଗପଛ ହୋଇ ଦୁହେଁ ଚାଲିଗଲେ। ଆଉ ତା’ପରେ ଆଞ୍ଚଲ ସ୍ତନ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଲା। ୨୦୧୭ରେ ପ୍ରଥମେ ସେ ଏହି ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେତେବେଳେ ସେ ଥାର୍ଡ ଷ୍ଟେଜ୍ରେ ପହଞ୍ଚି ସାରିଥିଲେ। ହେଲେ ଏହା ଜାଣି ସୁଦ୍ଧା ସେ ଭାଙ୍ଗି ପଡ଼ି ନଥିଲେ। ଏମିତିକି କେମୋ ଥେରାପି ସମୟରେ ସେ ବିଭିନ୍ନ ରଙ୍ଗର ପୋଷାକ ପିନ୍ଧୁଥିଲେ ଓ ଖୁସି ରହୁଥିଲେ। ପରେ ସମାଜ ପାଇଁ କିଛି କରିବା ଉଦ୍ଦେଶ୍ୟରେ ସେ ବର୍ଷେ ତଳେ ବସ୍ତିର ଗରିବ ପିଲାମାନଙ୍କ ପାଇଁ ଏହି ଖାଇବା ବ୍ୟବସ୍ଥା ଆରମ୍ଭ କରିଥିଲେ।
ଆଞ୍ଚଲଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ତାଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ତେବେ ଏହି ରୋଗ ତାଙ୍କୁ ଡରାଇ ପାରିନି। ସେ ନିଜ ଢଙ୍ଗରେ ଜୀବନ ବଞ୍ଚୁଛନ୍ତି।