ଟିଟିଲାଗଡ଼: ବିଦ୍ୟୁତ୍ ସଂଯୋଗ ହୋଇପାରୁନି, ଅନିଶ୍ଚିତତା ମଧ୍ୟରେ ସମନ୍ୱିତ ପନିପରିବା ପ୍ୟାକ୍ ହାଉସ୍

ଟିଟିଲାଗଡ଼: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରହିଛି ଅନେକ ଯୋଜନା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ କେତେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଟିଟିଲାଗଡ଼ରେ ଏପିକଲ ଦ୍ୱାରା ନିର୍ମିତ ସମନ୍ୱିତ ପନିପରିବା ପ୍ୟାକ୍ ହାଉସ୍। ବିଦ୍ୟୁତ୍ ସଂଯୋଗ ହୋଇପାରି ନ ଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରୁ […]

packhouse

Rakesh Mallick
  • Published: Sunday, 02 August 2015
  • , Updated: 02 August 2015, 06:01 AM IST

ଟିଟିଲାଗଡ଼: ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରହିଛି ଅନେକ ଯୋଜନା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ଇଚ୍ଛାଶକ୍ତିର ଅଭାବ ଯୋଗୁଁ କେତେକ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ି ରହୁଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଟିଟିଲାଗଡ଼ରେ ଏପିକଲ ଦ୍ୱାରା ନିର୍ମିତ ସମନ୍ୱିତ ପନିପରିବା ପ୍ୟାକ୍ ହାଉସ୍। ବିଦ୍ୟୁତ୍ ସଂଯୋଗ ହୋଇପାରି ନ ଥିବା ଯୋଗୁଁ ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ।

[caption id="attachment_20388" align="aligncenter" width="800"] ଟଟିଲାଗଡ଼ରେ ନିର୍ମାଣ ହୋଇଥିବା ସମନ୍ୱିତ ପନିପରିବା ପ୍ୟାକ୍ ହାଉସ୍[/caption]

ଟିଟିଲାଗଡ଼ ଅଞ୍ଚଳରେ ବ୍ୟାପକ ମାତ୍ରାରେ ପିଆଜ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରାଯାଏ। କିନ୍ତୁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ନଥିବାରୁ ଚାଷୀମାନେ ବହୁ ସମୟରେ କମ୍ ଦାମରେ ରାଜ୍ୟ ଓ ରାଜ୍ୟ ବାହାର ବେପାରୀଙ୍କୁ ପିଆଜ ଓ ଆଳୁ  ବିକ୍ରି କରି ଦିଅନ୍ତି। ଚାଷୀଙ୍କର ଏହି ସମସ୍ୟାକୁ ଦେଖି ସରକାର ଏଠାରେ ଏକ ପନିପରିବା ପ୍ୟାକ୍ ହାଉସ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୧ ଡିସେମ୍ୱର ୧୮ ତାରିଖରେ ଟିଟିଲାଗଡ଼ ସହର ଉପକଣ୍ଠରେ ‘ସମନ୍ୱିତ ପନିପରିବା ପ୍ୟାକ୍ ହାଉସ୍’ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା। ଏହାର ନିର୍ମାଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସଂସ୍ଥା ଏପିକଲ୍ ଉପରେ ନ୍ୟସ୍ତ ହୋଇଥିଲା। ଇତି ମଧ୍ୟରେ ଏହି ପ୍ୟାକ୍ ହାଉସ୍ ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେରୁ ଅଧିକ ସମୟ ବିତି ଯାଇଛି। ଏଥିରେ ୫୦୦ ଟନରୁ ଅଧିକ ପନିପରିବା ସଂରକ୍ଷଣ କରି ରଖିବାର ବ୍ୟବସ୍ଥା ହୋଇଛି। ଏଥିପାଇଁ ଉଚ୍ଚ କ୍ଷମତା ସଂପନ୍ନ ଯନ୍ତ୍ରପାତି ମଧ୍ୟ ଲାଗିଛି। କିନ୍ତୁ ଏଯାଏଁ ଏହି ପ୍ୟାକ୍ ହାଉସକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ତେଣୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି। ଫଳସ୍ୱରୂପ ଟିଟିଲାଗଡ଼ ଅଞ୍ଚଳର ପିଆଜି ଓ ଅନ୍ୟ ପନିପରିବା ଚାଷୀମାନଙ୍କ ପୂର୍ବ ସମସ୍ୟା ଜାରି ରହିଛି। ବିଶେଷ କରି ପିଆଜ ଚାଷୀମାନେ କମ୍ ଦାମରେ ପିଆଜ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଟିଟିଲାଗଡ଼ର ପିଆଜ ଚାଷୀ ପୀତାମ୍ବର ବେହେରା କହିଛନ୍ତି, ପିଆଜ ପ୍ୟାକ୍ ହାଉସ୍ ନିର୍ମାଣ ହେଉଥିବା ଜାଣିବା ପରେ ଏ ଅଞ୍ଚଳର ଚାଷୀମାନେ ବେଶ୍ ଖୁସି ହୋଇଯାଇଥିଲେ। କାରଣ ପୂର୍ବରୁ ପିଆଜକୁ ରଖିବା ପାଇଁ ଏ ଅଞ୍ଚଳରେ କୌଣସି ବ୍ୟବସ୍ଥା ନଥିଲା। ତେଣୁ ପିଆଜ ପଚି ଯିବା ଭୟରେ ଚାଷୀ ଏହାକୁ ଅଧିକ ଦିନ ନରଖି ଅମଳ ହେବା ପରେ ରାଜ୍ୟ ବାହାର ବ୍ୟବସାୟୀଙ୍କୁ କମ୍ ଦରରେ ବିକ୍ରି କରି ଦେଉଥିଲେ। ପ୍ୟାକ୍ ହାଉସ୍ ନିର୍ମାଣ ହୋଇଯିବା ପରେ ଏ ସମସ୍ୟା ଦୂର ହୋଇଯିବ ବୋଲି ଚାଷୀ ଭାବିଥିଲା। ପିଆଜ ସହିତ ଆଳୁ ଓ ଅନ୍ୟାନ୍ୟ ପନିପରିବା ଏଠାରେ ରଖିବାକୁ ଆଶା ବାନ୍ଧି ଥିଲେ ଚାଷୀ। କିନ୍ତୁ ଦେଖାଯାଉଛି ଚାଷୀଙ୍କ ସମସ୍ୟା ଯେମିତି ଦୂର ହେବାର ନାଁ ଧରୁ ନାହିଁ। ପନିପରିବା ପ୍ୟାକ୍ ହାଉସ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଛି। କିନ୍ତୁ ବିଦ୍ୟୁତ୍ ସଂଯୋଗ ହୋଇପାରୁ ନ ଥିବା ଯୋଗୁଁ ଏହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଏଣେ ଏହି ପ୍ୟାକ୍ ହାଉସକୁ ଭରସା କରି ଅଧିକ ପରିମାଣରେ ପିଆଜ ଓ ଆଳୁ ଚାଷ କରିଥିବା ଚାଷୀଙ୍କୁ ଏବର୍ଷ ଭାରି ହନ୍ତସନ୍ତ ହେବାକୁ ପଡ଼ିଛି। ଚାଷୀ ବାଧ୍ୟ ହୋଇ ବେପାରୀଙ୍କୁ କମ୍ ଦାମରେ ଆଳୁ ଓ ପିଆଜ ବିକିଛି।

[caption id="attachment_20389" align="aligncenter" width="800"] ଟିଟିଲାଗଡ଼ ସମନ୍ୱିତ ପନିପରିବା ପ୍ୟାକ୍ ହାଉସର ଭିତର[/caption]

ଟିଟିଲାଗଡରେ ନିର୍ମାଣ ହୋଇଥିବା ଏହି ସମନ୍ୱିତ ପନିପରିବା ପ୍ୟାକ୍ ହାଉସର ନିର୍ମାଣ କାମ ଏପିକଲ ହୁମ୍ମା କୋଷ୍ଟାଲ୍ ମେଗା ଫୁଡକୁ ଦେଇଥିଲା। ତା’ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ହୁମ୍ମା କୋଷ୍ଟାଲ୍ ମେଗା ଫୁଡ୍ ଉପରେ ୫ ବର୍ଷ ପାଇଁ ନ୍ୟସ୍ତ ରହିଛି। ଏହି ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି ଯେ ପିଆଜ ପ୍ୟାକ୍ ହାଉସରେ ଉଚ୍ଚ କ୍ଷମତା ସଂପନ୍ନ ଯନ୍ତ୍ରପାତି ଲାଗିଛି। ତେଣୁ ଜେନେରେଟର ଦ୍ୱାରା ମଧ୍ୟ ଏହାକୁ ସ୍ଥାୟୀ ଭାବେ ଚଳାଇବା ସମ୍ଭବ ନୁହେଁ।

ଏହି ପିଆଜ ପ୍ୟାକ୍ ହାଉସ୍ ଯେଉଁ ସ୍ଥାନରେ ରହିଛି ତା’ର ମାଲିକାନା ସତ୍ତ୍ୱ ରାଜସ୍ୱ ବିଭାଗ ପାଖରେ ଅଛି। ସେଥିପାଇଁ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ ବୋଲି ଜଣାପଡ଼ିଛି। ଏନେଇ କାଗଜପତ୍ର ପ୍ରଥମେ ତହସିଲଦାର ଓ ପରେ ଉପ-ଜିଲ୍ଲାପାଳଙ୍କଠାରେ ଅଟକି ରହିଥିଲା। ଏବେ ଏହା ବଲାଙ୍ଗିର ଜିଲ୍ଲାପାଳଙ୍କ ନିକଟରେ ଅଟକି ରହିଛି। ଏ ସଂପର୍କର ବଲାଙ୍ଗିର ଜିଲ୍ଲାପାଳ ଏସ୍ ମୁଥୁକୁମାର କହିଛନ୍ତି ଯେ ଜମି ସ୍ଥାନାନ୍ତର ପାଇଁ ଅନୁମତି ଦିଆ ସରିଛି। ଜମିକୁ କୃଷି ବିଭାଗକୁ ଦିଆଯାଇଛି। କୃଷି ବିଭାଗ ଏହାକୁ ନେବା ପାଇଁ ଏକ ଆବେଦନ କରିବ। ଶୀଘ୍ର ଆବେଦନ କରିବା ପାଇଁ କୃଷି ବିଭାଗକୁ କୁହାଯାଇଛି। ଆଉ ସପ୍ତାହେ ମଧ୍ୟରେ କୃଷି ବିଭାଗକୁ ଜମି ହସ୍ତାନ୍ତର ହୋଇଗଲା ପରେ ବିଦ୍ୟୁତ୍ ସଂଯୋଗ ବି ହୋଇଯିବ।

Related story