କୋରାପୁଟ(ଓଡ଼ିଶା ରିପୋର୍ଟର): ମୁହଁରେ ଅକ୍ସିଜେନ୍ ଲାଗିଛି, ହେଲେ ଶୋଇବାକୁ ବେଡ ନାହିଁ। ରୋଗୀ ଠିଆ ହୋଇ ରହିଛି। କେଉଁ ରୋଗୀ ବାରଣ୍ଡାରେ ଶୋଇଛି ତ, କିଏ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ ଅପେକ୍ଷା କରି ବସିଛି। ବହୁ ସମୟ ଠିଆ ହୋଇ ନ ପାରି ରୋଗୀ ପଞ୍ଜିକରଣ ପତ୍ରକୁ ଧାଡ଼ିରେ ଥୋଇ ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଛି। ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟ ଯୋଗୁ ରୋଗୀ ୱାର୍ଡରେ ଯନ୍ତ୍ରଣାରେ ଛଟପଟ ହେଉଛି। ମଧ୍ୟାହ୍ନ ୧୨ଟା ପରେ ଓପିଡ଼ି ବନ୍ଦ। ଟିକିଏ ବିଳମ୍ବରେ ପହଞ୍ଚିଲେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳୁନି। ରୋଗୀ ପୁଣି ପରଦିନ ଧାଡ଼ିରେ ଠିଆ ହୋଇ ପାଳି ପଡ଼ିବା ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛି। କୋରାପୁଟର ଗୁରୁତର ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ମିଳୁ ନ ଥିବାରୁ ସେମାନଙ୍କୁ ନିକଟସ୍ଥ ଆନ୍ଧ୍ରର ଡାକ୍ତରଖାନାମାନଙ୍କୁ ସ୍ଥାନାନ୍ତର କରାଯାଉଛି। ଫଳତଃ ସରକାର କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପରେ ରୋଗୀ ସେବାରେ ଉନ୍ନତି ଆସିବା ଲକ୍ଷ୍ୟ ଦିଗଭ୍ରଷ୍ଟ ହୋଇଛି। ଏଠାକାର ଲୋକଙ୍କୁ ସରକାର ଯେଉଁ ସ୍ୱପ୍ନ ଦେଖାଇଥିଲେ ତାହା ବୁମେରାଂ ପାଲଟିଛି।
[caption id="attachment_785602" align="aligncenter" width="650"]
କାରଣ ନା ଏହି ମେଡିକାଲ କଲେଜରେ ଆବଶ୍ୟକ ଭିତ୍ତିଭୂମି ଅଛି, ନା ଯନ୍ତ୍ରପାତି। କିନ୍ତୁ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହୋଇଯାଇଛି। ମେଡିକାଲ କଲେଜ ସ୍ଥାପନ ହେବାକୁ ୫ ବର୍ଷ ବିତିଲାଣି। ହେଲେ ଖାଲି ଏହାର ବାହ୍ୟ କଳେବର ବୃଦ୍ଧି କରାଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଉଛି ସିନା, ମାତ୍ର ଭିତର ଭିତ୍ତିଭୂମୀ ସୁଦୃଢ଼ ନିମନ୍ତେ ପଦକ୍ଷେପ ନିଆଯାଉନି। ଏଠାରେ ନା ଅଛନ୍ତି ଆବଶ୍ୟକ ବିଶେଷଜ୍ଞ ଡାକ୍ତର ନା ଅନ୍ୟାନ୍ୟ ଆଧୁନିକ ଚିକିତ୍ସା ଉପକରଣ। ଏହି ଡାକ୍ତରଖାନାରେ ପ୍ରାୟ ଅଧାରୁ ଅଧିକ ଡାକ୍ତର, ପାରାମେଡିକାଲ କର୍ମଚାରୀ ପଦବୀ ଖାଲି ପଡ଼ିଛି। କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଏଭଳି ସ୍ଥିତି ଦେଖି ରୋଗୀ ଏବେ ସରକାରଙ୍କ ଉପରେ କ୍ଷୁବ୍ଧ।
[caption id="attachment_785603" align="aligncenter" width="650"]
୨୦୧୭ ମସିହାରେ ଏହି ମେଡିକାଲ କଲେଜ ଉପାନ୍ତ ଅଂଚଳର ଗରିବ ଗୁରୁବାଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଲକ୍ଷ୍ୟ ରଖି ପ୍ରତିଷ୍ଠା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ। ହେଲେ ମେଡିକାଲର ଚାରିଆଡେ ଅସ୍ୱଚ୍ଛ ପରିବେଶ। ବହୁ ସଂଖ୍ୟକ ରେସିଡେଣ୍ଟ ଡାକ୍ତର ପଦବୀ ଖାଲି ପଡ଼ିଛି। ବିଭିନ୍ନ ରୋଗର ଚିକିତ୍ସା ପାଇଁ ବିଭାଗ ଖୋଲାଯାଇଛି, ହେଲେ ଏଠାରେ ନାହିଁ ଅତ୍ୟାଧୁନିକ ଯନ୍ତ୍ରପାତି କିମ୍ବା ଟେକେନିକାଲ କର୍ମଚାରୀ। ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର ନିୟୋଜିତ ସଂଖ୍ୟା ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁତ କମ ରହିଛି। ସିନିୟର ରେସିଡେଣ୍ଟ ଡାକ୍ତର ପଦବୀ ସଂଖ୍ୟା ୩୯ଟି ରହିଥିବା ବେଳେ ମାତ୍ର ୧୨ ପଦବୀ ପୂରଣ ହୋଇପାରିଛି। ସେହିପରି ଜୁନିଅର ରେସିଡେଣ୍ଟ ଡାକ୍ତର ପଦବୀ ସଂଖ୍ୟା ୩୮ ଥିବା ବେଳେ ମାତ୍ର ୧୦ ଡାକ୍ତର ନିୟୋଜିତ ହୋଇଛନ୍ତି। ଟ୍ୟୁଟର ପୋଷ୍ଟ ବି ଖାଲି ରହିଛି ।
ଏନେଇ ସ୍ଥାନୀୟ ବାସିନ୍ଦା କାମାକ୍ଷା ମାଝୀ ଓ ବୀମଳ ପଟ୍ଟନାୟକ କହିଛନ୍ତି, ଏଠାରେ ସବୁବେଳେ ଡାକ୍ତର ଅଭାବ। ନିୟୋଜିତ ଡାକ୍ତର କାମରେ ଅନୁପସ୍ଥିତ ରହିବା ଯୋଗୁ ରୋଗୀ ଉପଯୁକ୍ତ ଚିକିତ୍ସା ପାଇପାରୁନି। ତେଣୁ ଏହି ଡାକ୍ତରଖାନା ଉପରେ ଭରସା ହରାଇ ରୋଗୀ ଅନ୍ୟ ବେସରକାରୀ ଡାକ୍ତରଖାନା ଓ କ୍ଲିନିକ୍ରେ ଚିକିତ୍ସା ପାଇଁ ଯାଉଛନ୍ତି। ଏଭଳି ସମସ୍ୟା ଯୋଗୁ ଗରିବ ଲୋକେ ପ୍ରବଳ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ହିନସ୍ତା ହେଉଛନ୍ତି। ଏହାକୁ ଏବେ ରେଫେରାଲ ହସ୍ପିଟାଲ ବି କୁହାଗଲେଣି। ସାମାନ୍ୟ ଆହତ ରୋଗୀଙ୍କୁ ବି ନିକଟସ୍ଥ ଆନ୍ଧ୍ର ହସ୍ପିଟାଲକୁ ରେଫର କରିଦିଆଯାଉଛି। ବାରମ୍ବାର ସଫେଇ କର୍ମଚାରୀଙ୍କ ଧାରଣା ବସୁଥିବାରୁ ଡାକ୍ତରଖାନା ପରିଷ୍କାର ଅପରିଷ୍କାର ରହୁଛି। ଏହାଛଡ଼ା ରୋଗୀଙ୍କୁ ଅଲଟ୍ରାସାଉଣ୍ଡ, ରକ୍ତ, ମଳ, ମୂତ୍ର ପ୍ରଭୃତି ପରୀକ୍ଷା କରିବାରେ ହିନସ୍ତା ହେବାକୁ ପଡ଼ୁଛି।
[caption id="attachment_785604" align="aligncenter" width="650"]
ସ୍ଥାନୀୟ ବାସିନ୍ଦା ବିଦ୍ୟାଧର ଚୌଧୁରୀ କହିଛନ୍ତି, ୪ଟା ଜିଲ୍ଲାର ଲୋକେ ଏହା ଉପରେ ନିର୍ଭରଶୀଳ। ଗୋଟାଏ ପଟେ ଏହି ଡାକ୍ତରଖାନାରେ ଆବଶ୍ୟକ ଡାକ୍ତରୀ ସୁବିଧା ମିଳୁ ନ ଥିବା ବେଳେ ଡାକ୍ତରଖାନା ବାହାରେ କ୍ଲିନିକ୍ ଖୋଲି ଡାକ୍ତରମାନେ ରୋଗୀ ଶୋଷଣ ନୀତି ଆପଣାଇଛନ୍ତି। ଶୁକ୍ରବାର ପରେ ଡାକ୍ତର ଏଠାରେ ରହୁ ନାହାନ୍ତି। ତେଣୁ ଉପାନ୍ତ ଅଞ୍ଚଳର ଲୋକେ କେମିତି ଚିକିତ୍ସା ପାଇବେ ? ସାଧାରଣ ଅଲଟ୍ରାସାଉଣ୍ଡ କରିବା ନିମନ୍ତେ ରୋଗୀଙ୍କୁ ବହୁଦିନ ଅପେକ୍ଷା କରିବାକୁ ପଡ଼ୁଛି। ବରଂ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସା ଥିବା ବେଳେ ସ୍ଥିତି ଭଲ ଥିଲା। ଏହି ସମୟରେ ସବୁ ଡାକ୍ତରଙ୍କ ଉପସ୍ଥିତ ରହୁଥିଲା। ହେଲେ ଏବେ ସମସ୍ତ ବିଭାଗର ଡାକ୍ତର ସବୁଦିନ ରହୁନାହାନ୍ତି। ଏ ସବୁ ସମସ୍ୟା ନେଇ ସ୍ଥାନୀୟ ବହୁ ସଂଗଠନ ଏବଂ ମଞ୍ଚ ପ୍ରଶାସନିକ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲ କାନ ବୁଜି ବସିଥିବା ସରକାର ଲୋକଙ୍କ ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନେଉନି।
ଏ ସମ୍ପର୍କରେ ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର କେସି ବିଶ୍ୱାଳ କହିଛନ୍ତି, ଏଠାରେ ୮୦ ପ୍ରତିଶତ ଅଧ୍ୟାପକ ପଦବୀ ପୂରଣ ହୋଇଯାଇଛି। ଖୁବ୍ଶୀଘ୍ର ସରକାରୀ ଅଧ୍ୟାପକମାନେ ଯୋଗଦେବାକୁ ଯାଉଛନ୍ତି। ଫଳରେ ସମସ୍ୟା କିଛି ପରିମାଣରେ ସୁଧୁରିଯିବ। ତେବେ ଜୁନିୟର ପ୍ରଫେସର କେହି ଏଠାକୁ ଆସୁନାହାନ୍ତି। ସେମାନେ ମୁଖ୍ୟତଃ ରୋଗୀ ୱାର୍ଡଗୁଡ଼ିକରେ ରୋଗୀ ଦେଖୁଥିଲେ। ସେମାନେ ଆସୁ ନ ଥିବାରୁ ରୋଗୀ ଚିକିତ୍ସାରେ ଅସୁବିଧା ଦେଖାଦେଇଛି। ଅସୁବିଧା ସମ୍ପର୍କରେ ସରକାରଙ୍କୁ ଲିଖିତ ଜଣାଇ ଦିଆଯାଇଛି। ସରକାର ଆବଶ୍ୟକ ସୁବିଧା ଯୋଗାଇ ଦେଲେ ଡାକ୍ତରଖାନାର ସମସ୍ୟା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏଥିସହ ହସ୍ପିଟାଲରେ ସମସ୍ୟା ନିଶ୍ଚିତ ରହିବ ବୋଲି କହି ହସ୍ପିଟାଲର ଭାଗ୍ୟ ଭବିଷ୍ୟତକୁ ସେ ଅନିଶ୍ଚିତତା ଭିତରକୁ ଠେଲି ଦେଇଛନ୍ତି।