ଦେବେନ୍ଦ୍ର ପୃଷ୍ଟି
ମମିତା ମେହେର ହତ୍ୟା ଘଟଣା ନିରପେକ୍ଷ ତଦନ୍ତ ଓ ନ୍ୟାୟ ଦାବି କରି ୨୦୨୧ ନଭେମ୍ବର ୧୨ ତାରିଖକୁ ଓଡ଼ିଶା ବନ୍ଦ ଡାକରା ଦେଇଥିଲା ପ୍ରଦେଶ କଂଗ୍ରେସ। ଏହାକୁ ବିରୋଧ କରିଥିଲା ଶାସକ ବିଜୁ ଜନତା ଦଳ। ଆଗରୁ କେତେକ କେନ୍ଦ୍ରୀୟ ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସର ବନ୍ଦ ଡାକରାକୁ ପରୋକ୍ଷରେ ରାଜ୍ୟର ବିଜେଡି ସରକାର ସମର୍ଥନ କରିଥିଲେ। ସ୍କୁଲକଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ବନ୍ଦକୁ ସଫଳ କରିବାରେ ସାହାଯ୍ୟ କରିଥିଲେ। କିନ୍ତୁ ଏଥର ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ବିଜେଡି ସମର୍ଥନ କରିବାର ଅବକାଶ ନଥିଲା। ତେଣୁ ଦଳର ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ବିରୋଧ କରିଥିଲେ। ପ୍ରସଙ୍ଗକ୍ରମେ ସେ କହିଥିଲେ ଯେ ପ୍ରଦେଶ କଂଗ୍ରେସର ଆର୍ଥିକ ସ୍ଥିତି ଭଲ ନାହିଁ। ତେଣୁ ଦଳର ପ୍ରାୟୋଜକ ସାଜିଛି ବିଜେପି। ଆମେ ସମସ୍ତେ ଜାଣୁ ଯେତେବେଳେ କୌଣସି କାର୍ଯ୍ୟକ୍ରମ ପ୍ରାୟୋଜିତ ହୋଇଥାଏ ସେତେବେଳେ କିଛି ସର୍ତ୍ତାବଳି ଲାଗୁ ହୋଇଥାଏ। ଏହି ସର୍ତ୍ତାବଳି ଯୋଗୁଁ ଓଡ଼ିଶା ବିଜେପିର ଇସାରାରେ ପ୍ରଦେଶ କଂଗ୍ରେସ ନାଚୁଛି। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରି କହିଥିଲେ ଯେ ପ୍ରଦେଶ କଂଗ୍ରେସ ଭାରତୀୟ ଜନତା ପାର୍ଟିର ‘ବି’ ବା ‘ଖ’ ଟିମ୍ ଭାବେ କାର୍ଯ୍ୟ କରୁଛି।
ଏଇଟା ଥିଲା ନଭେମ୍ବର ୧୧ ତାରିଖର ସାମ୍ବାଦିକ ସମ୍ମଳିନୀ। ଠିକ ତା’ ପରଦିନ ନଭେମ୍ବର ୧୨ ତାରିଖରେ ଇଂରାଜୀ ଦୈନିକ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସଂସ୍କରଣରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ସାକ୍ଷାତକାର ପ୍ରକାଶ ପାଇଲା। ସେଥିରେ ଠାଏଁ ତାଙ୍କ ପ୍ରତି ପ୍ରଶ୍ନ ଥିଲା ଯେ ନବୀନ ପଟ୍ଟନାୟକଙ୍କ ଜୟଯାତ୍ରାକୁ ଅଟକାଇବାରେ ବିଜେପି କାହିଁକି ବିଫଳ ହୋଇଛି? ଏହାର ଉତ୍ତରରେ ସେ ନବୀନଙ୍କ ଭାବମୂର୍ତ୍ତି ଓ ତାଙ୍କର ଛତାଜୋତା ସରକାରକୁ ଶ୍ରେୟ ଦେବା ସହିତ ତାଙ୍କର ମାଲିକ ମାତ୍ର ଜଣେ ଲୋକ ବୋଲି କହିଛନ୍ତି। ଅପରାଜିତାଙ୍କର ଏଇ ପଦକ କଥାର ଅର୍ଥ ବଡ଼ ଗହନ। ‘ନବୀନବାବୁଙ୍କ ମାଲିକ ଜଣେ’ ବୋଲି କହି ସେ କ’ଣ ବୁଝେଇବାକୁ ଚେଷ୍ଟା କରିଛନ୍ତି? ନବୀନବାବୁଙ୍କର କ’ଣ ରାଜନୀତିକ ବା ପ୍ରାଶାସନିକ ସ୍ୱାଧୀନତା ନାହିଁ? ସେ କ’ଣ ଅନ୍ୟ ଜଣଙ୍କର ଇସାରା ବା ନିର୍ଦ୍ଦେଶ ଅନୁସାରେ କାମ କରୁଛନ୍ତି? ସେହି ମାଲିକ ଜଣକ କିଏ? ସେହି ମାଲିକ ଜଣକ କ’ଣ ନବୀନବାବୁଙ୍କୁ ନିଜର କର୍ମଚାରୀ ବା ସଂପତ୍ତି ଭାବେ ବ୍ୟବହାର କରୁଛନ୍ତି? ସେହି ତଥାକଥିତ ମାଲିକଙ୍କ ପାଇଁ ନବୀନବାବୁ ଏକ ମୂଲ୍ୟବାନ ଆସେଟ୍ ବା ପୁଞ୍ଜି?
ବିଜେଡି ନେତାମାନେ ଚାହିଁଲେ ଅପରାଜିତାଙ୍କଠାରୁ ଏସବୁ ପ୍ରଶ୍ନର ଉତ୍ତର ଦାବି କରିପାରନ୍ତି। କିନ୍ତୁ ବୋଧହୁଏ ସେମାନେ ସେପରି ସାହସ କରିବେ ନାହିଁ। କାରଣ ସେମାନେ ସେପରି କଲେ ନବୀନବାବୁଙ୍କର ନିର୍ବାଚନ ଜିତିବାର ସୂତ୍ର ‘ଭାବମୂର୍ତ୍ତି’ ଉପରୁ ପର୍ଦ୍ଦା ହଟିଯିବାର ଆଶଙ୍କା ରହିଛି। ତେବେ, ସାଂସଦ ସସ୍ମିତ ପାତ୍ର କଂଗ୍ରେସ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ଠିକ ସେହିପରି ଅଭିଯୋଗ କଂଗ୍ରେସ ନେତାମାନେ ପୂର୍ବରୁ ବିଜେପି ବିରୋଧରେ ମଧ୍ୟ କରିସାରିଛନ୍ତି। ରାଜ୍ୟ କଂଗ୍ରେସ ନେତାମାନେ ଅନେକ ସମୟରେ ରାଜ୍ୟ ବିଜେପିକୁ ଶାସକ ବିଜେଡିର ‘ବି’ ଟିମ୍ ଭାବେ ଅଭିହିତ କରିଛନ୍ତି। ଏଣୁ ଓଡ଼ିଶାରେ ସତରେ କିଏ କାହାର ‘ବି’ ଟିମ୍ ତାହା ଠଉରେଇବା କଷ୍ଟ। କେତେବେଳେ କେଉଁ ପ୍ରସଙ୍ଗରେ ବିଜେପି ବିଜେଡିର ‘ବି’ ଟିମ୍ ଭାବେ କାମ କରୁଛି ତ କେତେବେଳେ ଅନ୍ୟ କେଉଁ ପ୍ରସଙ୍ଗରେ କଂଗ୍ରେସ ବିଜେଡିର ‘ବି’ ଟିମ୍ ଭାବେ କାମ କରୁଛି। ଏଭଳି ରାଜନୀତିକ ଆରୋପ ଓ ପ୍ରତ୍ୟାରୋପ ଭିତରେ ଆଉ ଗୋଟିଏ କଥା କେହି ଭୁଲିଯିବା ଉଚିତ ନୁହେଁ ଯେ ଏକଦା ବିଜେପିର ସମସ୍ତ ପ୍ରକାର ସହାୟତାରେ ଓଡ଼ିଶାରେ ଜନତା ଦଳକୁ ଭାଙ୍ଗି ବିଜୁ ଜନତା ଦଳ ଗଢ଼ା ଯାଇଥିଲା। ଏ ବିଷୟରେ ରାଜ୍ୟ ବିଜେପି ନେତାମାନେ ଆତ୍ମବଡ଼ିମା ପ୍ରଦର୍ଶନ କରିବାକୁ ଯାଇଁ ଅନେକବାର ବକ୍ତୃତାବାଜି କରିଛନ୍ତି। ବିଜୁବାବୁଙ୍କ ଦେହାନ୍ତ ହେବା ପରେ ତତ୍କାଳୀନ ଜନତା ଦଳର ନେତାମାନେ ପରସ୍ପର ଗୋଛି କଟାକଟି ଖେଳରେ ମାତି ଅମନଯୋଗି ନବୀନବାବୁଙ୍କୁ ରାଜ୍ୟ ଜନତା ଦଳର ଦାୟିତ୍ୱ ଦେଇଥିଲେ। କିନ୍ତୁ ସେ ମାତ୍ର କେଇ ମାସର ରାଜନୀତି ଭିତରେ ଜନତା ଦଳକୁ ଭାଙ୍ଗି ୧୯୯୭ ଡିସେମ୍ବର ମାସରେ ବିଜୁ ଜନତା ଦଳ ଗଠନ କରିଥିଲେ ଓ ଏହି ଦଳ ୧୯୯୮ ଫେବୃଆରୀ ମାସରେ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ ବାନ୍ଧିଥିଲା। ନବୀନବାବୁ ୧୯୯୮ରେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାରରେ ମନ୍ତ୍ରୀ ହୋଇଥିଲେ। ବାଜପେୟୀଙ୍କର ଘନିଷ୍ଟ ସହଯୋଗୀ ପ୍ରମୋଦ ମହାଜନ କାଳେ ଜନତା ଦଳକୁ ଭାଙ୍ଗି ନୂଆ ଦଳ ଗଢ଼ିବା ପାଇଁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେଇଥିଲେ ବୋଲି ବିଜେପି ନେତାମାନେ ବାରମ୍ବାର ପ୍ରକାଶ କରିଛନ୍ତି। ଏପରିକି ସେତେବେଳେ ଏଥିପାଇଁ ୫୦ କୋଟି ଟଙ୍କା ଦିଆଯାଇଥିବା କଥା ମଧ୍ୟ କେହି କେହି କହିଛନ୍ତି। ଯଦି ଏହା ସତ ହୋଇଥାଏ ତେବେ ବିଜେଡି ବିଜେପିର ଏକ ପ୍ରାୟୋଜିତ ପାର୍ଟି ବୋଲି କଂଗ୍ରେସ ନେତାମାନେ ପାଲଟା ଅଭିଯୋଗ କରିପାରିବେ।
ଏଣେ ଜାତୀୟ ରାଜନୀତିକ ଦୃଶ୍ୟପଟ୍ଟରେ ବିଜେଡି ଉଭୟ କଂଗ୍ରେସ ଓ ବିଜେପିର ‘ବି’ ଟିମ୍ ଭାବେ କାମ କରିଥିବାର ଅଭିଯୋଗ ମଧ୍ୟ ରହିଛି। କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ସମୟରେ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ରାଜ୍ୟରେ କେନ୍ଦ୍ର ଅବହେଳା ମନ୍ତ୍ର ଜପ କରୁଥିଲେ ମଧ୍ୟ ସଂସଦରେ ସରକାରଙ୍କୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଯୋଗାଇ ଚାଲିଥିଲା। ପ୍ରତିଦାନରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟ ଗସ୍ତରେ ଆସିଲେ ନବୀନ ସରକାରଙ୍କୁ ପ୍ରଶଂସା କରୁଥିଲେ। ଆଉ ସେତେବେଳେ ଅସନ୍ତୁଷ୍ଟ କଂଗ୍ରେସିଆ ତଥା ବିଜେପି ନେତାମାନଙ୍କର ସ୍ଲୋଗାନ ଥିଲା ‘ନବୀନଙ୍କ ସ୍ଥାୟିତ୍ୱ ସୋନିଆଙ୍କ ଦାୟିତ୍ୱ’।
‘ସମଦୂରତ୍ୱ’ ଓ ‘ରାଜ୍ୟସ୍ୱାର୍ଥ’ ପରି ଦୁଇଟି ରାଜନୀତିକ ଅଭିବ୍ୟକ୍ତିକୁ ଆୟୁଧ କରି ସେତେବେଳେ ଏବଂ ତା’ ପରେ ବି ନବୀନବାବୁ ଉଭୟ କଂଗ୍ରେସ ଓ ବିଜେପିଠାରୁ ଯେତିକି ଦୂରରେ ସେତିକି ନିକଟରେ ରହିବାର ମଜା ନେଇଚାଲିଛନ୍ତି। ଜଣେ ଲୋକ ଯେତେବେଳେ ଅନ୍ୟ ଦୁଇ ଜଣଙ୍କର ଠିକ ମଝିରେ ଠିଆ ହେବେ ବା ସମଦୂରତ୍ୱ ରକ୍ଷା କରିବେ ତେବେ ସେ ଜଣଙ୍କଠାରୁ ଯେତିକି ଦୂରରେ ଠିଆ ହୋଇଥିବେ ଆର ଜଣଙ୍କର ସେତିକି ନିକଟରେ ରହିଥିବେ। ଏହିପରି ସମଦୂରତାର କୌଶଳରେ ନବୀନବାବୁଙ୍କ ରାଜନୀତି ଉଭୟ କଂଗ୍ରେସ ଓ ବିଜେପିର ରାଷ୍ଟ୍ରୀୟ ନେତାମାନଙ୍କୁ ସୁହାଇ ଚାଲିଛି ଓ ସେ ସଂସଦରେ ସେମାନଙ୍କ ସମର୍ଥନରେ କାମ କରିଚାଲିଛନ୍ତି। ଏଠି ଓଡ଼ିଶାରେ କିନ୍ତୁ କଂଗ୍ରେସ ଓ ବିଜେପିକୁ ଯେତେ ପାର୍ ସେତେ ଦୁର୍ବଳ କରିବା ପାଇଁ ତାଙ୍କର ବିଜୁ ଜନତା ଦଳ କାର୍ଯ୍ୟ କରିଚାଲିଛି। ଉଭୟ ବିରୋଧୀ ଦଳର ଲଢ଼ୁଆ ନେତାମାନଙ୍କୁ ନବୀନବାବୁ ନିଜ ଦଳରେ ମିଶେଇ ମହାକାଶରେ ବ୍ଲାକ୍ ହୋଲ୍ ବା କୃଷ୍ଣଗର୍ତ୍ତ ଯେପରି ଅନ୍ୟ ତାରାମାନଙ୍କୁ ନିଜ ମଧ୍ୟରେ ବିଲୀନ କରିଦିଏ ସେହିପରି ଶକ୍ତି ଓ ଉଜ୍ଜ୍ୱଳତା ଶୋଷଣ କରିଚାଲିଛନ୍ତି। ଏହା ତାଙ୍କ ସଫଳତାର ଅନ୍ୟ ଏକ ସୂତ୍ର।
ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ’ନବୀନବାବୁଙ୍କର ମାଲିକ ଜଣେ’ ବୋଲି ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ନିଶ୍ଚୟ ଏକ ଗୁରୁତର ପ୍ରଶ୍ନ। ସତରେ ଯଦି ନବୀନବାବୁଙ୍କୁ କେହି ଜଣେ ତାଙ୍କର ମାଲିକ ପରି ନିୟନ୍ତ୍ରିତ କରୁଥାନ୍ତି ତେବେ ତାହା ଗଣତନ୍ତ୍ର ସହିତ ଧୋକା ହେବ। ତେଣିକି ସେ କୌଣସି ଅଫିସର ହୋଇଥାନ୍ତୁ ତ ଶିଳ୍ପପତି, ରକ୍ତ ସଂପର୍କୀୟ ହୋଇଥାନ୍ତୁ ତ ରାଜନୀତିକ ସଂପର୍କୀୟ। ଜଣେ କର୍ମଚାରୀ ପରି ସେ ଯଦି ଅନ୍ୟ କାହାର ନିର୍ଦ୍ଦେଶରେ କାମ କରୁଥିବେ ତେବେ ତାହା ଭୋଟରଙ୍କ ସହିତ ବିଶ୍ୱାସଘାତ ହେବ। କାରଣ ଲୋକେ ନବୀନବାବୁଙ୍କୁ ବା ତାଙ୍କର ଭାବମୂର୍ତ୍ତିକୁ ଭୋଟ ଦେଉଛନ୍ତି, ତାଙ୍କ ମାଲିକଙ୍କୁ ନୁହେଁ। ଲୋକେ ତ ନବୀନବାବୁଙ୍କ ମାଲିକଙ୍କୁ ଚିହ୍ନି ନାହାନ୍ତି। ଅପରାଜିତାଙ୍କର ଏ କଥାଟି ଅବଶ୍ୟ ନୂଆ ନୁହେଁ। ଏକଦା ନବୀନଙ୍କର ପୂର୍ବତନ ସହଯୋଗୀ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ମଧ୍ୟ ଏଇ ପ୍ରସଙ୍ଗ ଉଠାଇଥିଲେ। ସେ ଥରେ ଗଣମାଧ୍ୟମରେ ପ୍ରଶ୍ନ କରିଥିଲେ ଯେ ଦଳ ଓ ସରକାରରେ କିଏ ନିଷ୍ପତ୍ତି ନେଉଛନ୍ତି ସେ ଜାଣିନାହାନ୍ତି। ଏ କଥାକୁ ନେଇ ଏମିତି ତର୍ଜମା ହେଲା ଯେ ଶେଷରେ ନବୀନବାବୁ ନିଜେ ମୁହଁ ଖୋଲି କହିଥିଲେ, ସବୁ ନିଷ୍ପତ୍ତି ମୁଁ ନେଉଛି। ଏବେ ବି ସେ ପୂର୍ବପରି ସବୁ ନିଷ୍ପତ୍ତି ନେଉଛନ୍ତି କି ଅନ୍ୟ କିଏ ନେଉଥିବା ନିଷ୍ପତ୍ତିକୁ ସେ କେବଳ ମୋହର ମାରୁଛନ୍ତି ତାହା ବୁଝିବାକୁ ଲୋକଙ୍କ ନିକଟରେ ବେଳ ନାହିଁ। ଏହା ରାଜନେତାମାନଙ୍କର କାମ। ଆଉ ନବୀନବାବୁ ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଅନ୍ୟ କାହାର ଆସେଟ୍, ପ୍ରପର୍ଟି, ପୁଞ୍ଜି ବା ସଂପତ୍ତି ହୋଇଥିବେ ତେବେ ତ ସେ ଲୋକ ନିଶ୍ଚୟ ତାଙ୍କଠାରୁ ଲାଭ ବା ମୁନାଫା ଅର୍ଜନ କରୁଥିବେ। ଏ ବିଷୟ ବୁଝିବା ଓ ବୁଝେଇବା ମଧ୍ୟ ଗଣତନ୍ତ୍ରର ପ୍ରକୃତ ମାଲିକ ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। ତାହା ବି ରାଜନେତାଙ୍କ କାମ।