ମନ୍ମଥଙ୍କୁ ଅପରାଜିତାଙ୍କ କଟାକ୍ଷ: ନିଜସ୍ୱ ପରିଚୟ ନାହିଁ, ବାପାଙ୍କ ନାଁ ଧରିକି ବୁଲୁଛନ୍ତି ବିଜେଡି ପ୍ରାର୍ଥୀ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ତାଚ୍ଛଲ୍ୟ କରିଛନ୍ତି।

ଅପରାଜିତା ଷଡ଼ଙ୍ଗୀ ଓ ମନ୍ମଥ ରାଉତରାୟ

  • Published: Monday, 15 April 2024
  • , Updated: 15 April 2024, 09:15 PM IST

ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ନାଁ ଧରି ଆଜି ପୁଣିଥରେ କଟାକ୍ଷ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ନିଜସ୍ୱ ପରିଚୟ ନାହିଁ ଓ ସେ ତାଙ୍କ ବାପାଙ୍କ ନାଁ ଧରିକି ବୁଲୁଛନ୍ତି ବୋଲି କହିଛନ୍ତି । ପିଲାମାନେ ବୟସ୍କ ହୋଇଗଲେ ସେମାନେ ନିଜ ନିଜର ପରିଚୟ ତିଆରି କରନ୍ତି । ମାତ୍ର ବିଜେଡି ପ୍ରାର୍ଥୀ ମନ୍ମଥଙ୍କର ଏବେବି ସୁରଙ୍କ ବିନା କୌଣସି ପରିଚୟ ନାହିଁ । ଏହା ପରିବାରବାଦ ନୁହେଁ ତ ଆଉ କ’ଣ ବୋଲି ଅପରାଜିତା ପ୍ରଶ୍ନ କରିଥିବାବେଳେ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡି ପାଇଁ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି। ୨୭ବର୍ଷର ବିଜେଡି ପାଖରେ ଜଣେ ପରିପକ୍ୱ ଓ ନିଜସ୍ୱ ପରିଚୟରେ ପରିଚିତ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ଭଳି କ୍ଷମତା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ତାଚ୍ଛଲ୍ୟ କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି ଯେ, ମନ୍ମଥ ହେଉଛନ୍ତି ତାଙ୍କଠୁ ବୟସରେ ଖୁବ୍ ସାନ । ସେ ନିର୍ବାଚନ ପ୍ରଚାରରେ ଯାଇ ଜଣେ ବ୍ୟକ୍ତିଙ୍କ ଘରେ ବସିଥିବାବେଳେ ସେଠାରେ ଜଣେ କହିଲେ ‘ସୁର ପୁଅ’ ନିର୍ବାଚନରେ ଠିଆ ହୋଇଛନ୍ତି । ତାଙ୍କର ଏଭଳି କଥାକୁ ସଙ୍ଗେସଙ୍ଗେ ବିରୋଧ କରିଥିଲି । ‘ସୁର ପୁଅ’ କହିବା ଉଚିତ୍ ନୁହେଁ । ତାଙ୍କ ନାଁ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲି । ମାତ୍ର ସେ କହିଥିଲେ ବିଜେଡି ପ୍ରାର୍ଥୀଙ୍କର ନିଜସ୍ୱ ପରିଚୟ ନାହିଁ । ସେ ତାଙ୍କ ବାପାଙ୍କୁ ଧରି ଚାଲିଛନ୍ତି । ବାପାଙ୍କ ନାଁରେ ହିଁ ତାଙ୍କର ନାଁ । ତାଙ୍କର ବ୍ୟକ୍ତିତ୍ୱ କ’ଣ ଅଛି? ଏଭଳି କଥା ଶୁଣି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲି ବୋଲି ଅପରାଜିତା କହିଛନ୍ତି।

ଅପରାଜିତା ଆହୁରି କହିଛନ୍ତି ଯେ, ଦେଖନ୍ତୁ ଲୋକମାନେ କ’ଣ ସବୁ ଭାବୁଛନ୍ତି । ଆମ ପୁଅ-ଝିଅ ବଡ଼ ହୋଇଗଲେ ସେମାନେ ନିଜ ପରିଚୟରେ ଛିଡ଼ା ହୁଅନ୍ତୁ ବୋଲି ସମସ୍ତେ ଚାହାଁନ୍ତି । ପିଲା ବଡ଼ ହୋଇଗଲେ ବା ବୟସ୍କ ହେଲେ ପରିପକ୍ୱ ହୋଇ ନିଜସ୍ୱ ପରିଚୟ ସୃଷ୍ଟି କରନ୍ତି ବା ନିଜକୁ ତିଆରି କରନ୍ତି । କିନ୍ତୁ ଏଠି ପରିବାରବାଦ ଚାଲିଛି । ଯଦି ଜଣେ ପ୍ରାର୍ଥୀ ନିଜସ୍ୱ ପରିଚୟ ସୃଷ୍ଟି ନକରିବେ ଲୋକେ କେମିତି ତାଙ୍କୁ ଭଲପାଇବେ ବୋଲି ଅପରାଜିତା ଓଲଟା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥଙ୍କୁ ଦଳରେ ସାମିଲ କରାଇବାର ୨ଘଣ୍ଟା ମଧ୍ୟରେ ବିଜେଡି ତାଙ୍କୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିଥିଲା । ସୁରଙ୍କ ଭୋଟ୍ ଆଧାରରେ ମନ୍ମଥଙ୍କୁ ଜିତାଇବାକୁ ବିଜେଡି ଯେଉଁ ସମୀକରଣ କରିଥିଲା ତାକୁ କଂଗ୍ରେସ ଆଜି ଚୂରମାର କରିଦେଇଛି । ସୁରଙ୍କୁ ଦଳରୁ ବହିଷ୍କାର କରି କଂଗ୍ରେସ ନିଜ ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରିଛି । ଆଉ କଂଗ୍ରେସ ସୁରଙ୍କୁ ବହିଷ୍କାର କରିବା ଉଭୟ ମନ୍ମଥ ଓ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି।

Related story