ବଗଲା ଧର୍ମଶାଳା ଜମି କେଳେଙ୍କାରୀ: ଜିଲ୍ଲାପାଳଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ପୁରୀ ସହରରେ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଓ ବେଆଇନ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ବଗଲ ଧର୍ମଶାଳା ଜମି ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଛି। କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ […]

congress

Manoranjan Sial
  • Published: Monday, 24 August 2020
  • , Updated: 24 August 2020, 04:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ପୁରୀ ସହରରେ ରାଜ୍ୟ ସରକାର ଅଧିଗ୍ରହଣ କରିଥିବା ସମସ୍ତ ଜମି ବିବାଦୀୟ ଓ ବେଆଇନ ବୋଲି କଂଗ୍ରେସ ଅଭିଯୋଗ କରିବା ସହ ବଗଲ ଧର୍ମଶାଳା ଜମି ବିକ୍ରି ପାଇଁ ଜିଲ୍ଲାପାଳଙ୍କୁ ଦାୟୀ କରିଛି।

କଂଗ୍ରେସ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଶ୍ରୀମନ୍ଦିର ସୁରକ୍ଷା କରିଡର ନାଁରେ ହୋଇଥିବା ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ଓ ପୁର୍ନବାସ ଥଇଥାନ ଆଇନ-୨୦୧୩ ଅନୁସାରେ କରାଯାଇ ନାହିଁ। ଏପରିକି ବଗଲା ଧର୍ମଶାଳା ଜମିକୁ ଯେଭଳି ଚଂଚ କତା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ରାଜସ୍ୱ ବିଭାଗକୁ ହସ୍ତାନ୍ତର କରାଗଲା ତାହା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। ଏଥିରେ ଓଡ଼ିଶା ଲ୍ୟାଣ୍ଡ ସର୍ଭେ ଓ ସେଟଲମେଂଟ ଆକ୍ଟ, ଓଡିଶା ଲ୍ୟାଣ୍ଡ ରିଫମ୍‌ସ୍ ଆକ୍ଟ ଓ ଓଡିଶା ଲ୍ୟାଣ୍ଡ ଆକ୍ୟୁଜିସନ୍ ଆଣ୍ଡ ପ୍ରୋସିଜିୟୋର ଆକ୍ଟର ସର୍ତ୍ତାବଳୀକୁ ସ୍ପଷ୍ଟ ଦିବାଲୋକରେ ସରକାର ଉଲ୍ଲଘନ କରିଛନ୍ତି। ବଗଲା ଧର୍ମଶାଳା ଜମି ବିକ୍ରୀରେ ଆଇନ୍ କାନୁନ୍‌କୁ ଜଳାଞ୍ଜଳି ଦିଆଯାଇ ନାହିଁ। ସମଗ୍ର ସୁରକ୍ଷା କରିଡର ପାଇଁ ଜମି ନେଲା ବେଳେ ସରକାର ଲୋକଙ୍କୁ ଅନ୍ଧାରରେ ରଖି ଆଇନ୍‌ତଃ ଜମି ଅଧିଗ୍ରହଣ ନକରି ଲୋକଙ୍କ ଠାରୁ ଜମି କିଣାବିକା କରିଛନ୍ତି। ଯେହେତୁ ଆଇନ୍ ଅନୁଯାୟୀ ଜମି ଅଧିଗ୍ରହଣ କରାଯାଇନାହିଁ, ଜମି ଦେଇଥିବା ବ୍ୟକ୍ତି ଭବିଷ୍ୟତରେ ଭୂ-ଅଧିଗ୍ରହଣ ଆଇନ୍ ଅନୁଯାୟୀ ଜମିହରା ଭାବରେ ବିବେଚିତ ହେବେନାହିଁ ଏବଂ ଆଇନ୍‌ରେ ପ୍ରାବଧାନ ଥିବା ସମସ୍ତ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେବେ। ସୁରକ୍ଷା କରିଡର ଜମି ଅଧିଗ୍ରହଣ ପୁରା ପ୍ରକ୍ରିୟାରେ ଜମିହରାଙ୍କ ପ୍ରତି ପ୍ରତାରଣା ଏବଂ ଏକ ନୂଆ ଦୁର୍ନୀତି ବୋଲି ଶ୍ରୀ ନାୟକ କହିଛନ୍ତି। ଏପରିକି ଜମି ନେବା ବାବଦ କ୍ଷତିପୂରଣ ପ୍ରଦାନରେ ମଧ୍ୟ ବ୍ୟାପକ ହେରଫେର ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ବଗଲା ଧର୍ମଶାଳା ଜମିର ଲୋଭ ଦେଖାଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ଜମି ହରାଇ ଥିବା ବହୁ ବ୍ୟକ୍ତି ଓ ଲଜିଂ ମାଲିକଙ୍କୁ ସରକାର ଭଣ୍ଡାଇବାକୁ ପଛାଇ ନାହାନ୍ତି।

୨୦୧୫ ମସିହାରେ ମନ୍ଦିର ନିକଟରେ ଯେଉଁ ଅଳ୍ପ କେତେକ ପ୍ଲଟକୁ ସରକାର ନେଇଥିଲେ ସେତେବେଳେ ଡିସ୍‌ମିଲ୍ ପିଛା ୧୦୮୬୧୨ ଟଙ୍କା ହିସାବରେ ଜମିର ମୂଲ୍ୟ ନିର୍ଦ୍ଧାରଣ କରିଥିଲେ। ଏହାର ୪ ବର୍ଷ ପରେ ସେହି ଜମିର ମୂଲ୍ୟ ଡିସ୍‌ମିଲ୍ ପିଛା ୫୮୮୮୯ ଟଙ୍କା ସ୍ଥିର କରିଛନ୍ତି । ଅର୍ଥାତ୍ ଡିସ୍‌ମିଲ୍ ଉପରେ ପ୍ରାୟ ୫୦ ହଜାର ଟଙ୍କା ଲୋକଙ୍କ ହକ୍‌କୁ କାଟିଦେଲେ। ଯେତେବେଳେ ସାରା ପୃଥିବୀରେ ଜମି ରେଟ୍ ବଢୁଛି, ସେତେବେଳେ ଶ୍ରୀମନ୍ଦିର ପାଖରେ ଜମିର ରେଟ୍ ୪ ବର୍ଷ ଭିତରେ ୫୦ ହଜାର ଟଙ୍କା କମିଲା କେମିତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସୁରକ୍ଷା କରିଡର ଜମି ଅଧିଗ୍ରହଣ ନାଁରେ ସରକାର ଜମି ଦଲାଲଙ୍କ ଭଳି ବ୍ୟବହାର କରିଛନ୍ତି ଓ ଲୋକଙ୍କୁ ତାଙ୍କ ପ୍ରାପ୍ୟରୁ ବଂଚିତ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ଜିଲ୍ଲାପାଳ ନିଜେ ଜିଲ୍ଲାର ସର୍ବୋଚ୍ଚ ରାଜସ୍ୱ ଅଧିକାରୀ ହିସାବରେ ଆଇନ୍‌କୁ ଜଳାଞ୍ଜଳି ଦେଇ ନିଜ କ୍ଷମତାର ଦୁରୂପଯୋଗ କରି ଲଜିଂ ହାଉସ୍ ଫଣ୍ଡର ଅଧ୍ୟକ୍ଷ ହିସାବରେ ଲଜିଂ ହାଉସ୍ ଫଣ୍ଡ ନାଁରେ ଥିବା ସ୍ଥିତିବାନ ଜମିକୁ ବେଆଇନ୍ ଭାବରେ ସରକାରୀ ଖାତାକୁ ନେବା ଅତ୍ୟନ୍ତ ଧର୍ତ୍ତବ୍ୟ ଅପରାଧ। ତେଣୁ ତାଙ୍କୁ ତୁରନ୍ତ ବହିଷ୍କାର କରାଯିବା ସହ ଶ୍ରୀମନ୍ଦିର ସୁରକ୍ଷା କରିଡର ଜମି ଅଧିଗ୍ରହଣର ସଂପୂର୍ଣ୍ଣ ପ୍ରକ୍ରିୟାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ କଂଗ୍ରେସ ଦାବି କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅମୀୟ କୁମାର ପଟ୍ଟନାୟକ , ମୁଖପାତ୍ର ନିଶିକାନ୍ତ ମିଶ୍ର ଓ ରଜନୀ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related story