ବିଜେଡିରେ କୋଣଠେସା ପରେ ଅମିତ୍ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି, ପରବର୍ତ୍ତୀ ପଦକ୍ଷେପକୁ ନେଇ ଚର୍ଚ୍ଚା

ବିଜେଡିରେ ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ରାଜନୀତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ

  • Published: Tuesday, 09 January 2024
  • , Updated: 09 January 2024, 07:51 PM IST

ବିଜେଡିରେ ଦୀର୍ଘଦିନ ଧରି କୋଣଠେସା ହୋଇ ରହିଥିବା ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ରାଜନୀତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହଙ୍କୁ ତାଙ୍କ ବାସଭବନରେ ସେ ଭେଟିଥିବା ଜଣାପଡ଼ିଛି । ଏହି ଭେଟଘାଟକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ନୂଆ ସମୀକରଣ ହୋଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କଟକ ସଂସଦୀୟ କ୍ଷେତ୍ରରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ଭର୍ତ୍ତୃହରିଙ୍କ ମାଧ୍ୟମରେ ଦଳର ଶୀର୍ଷ ନେତୃତ୍ୱ ଏବେ ବୈଷ୍ଣବଙ୍କ ଜିତିବାକୁ ସୁନିଶ୍ଚିତ କରିବା ନିମନ୍ତେ ମାର୍ଗ ପ୍ରଶସ୍ତ କରୁଥିବା ଜଣାପଡ଼ିଛି ।

ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ,ଭର୍ତ୍ତୃହରିଙ୍କୁ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଟିକେଟ୍ ଦେଇନପାରେ । ଯଦିଓ ୨୦୧୯ ମସିହାରେ ବିଜେଡି ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିକେଟ୍ ଦେଇଥିଲା । ମାତ୍ର ଏଥର ଦଳ ଭର୍ତ୍ତୃହରିଙ୍କ ବଦଳରେ ଜଣେ ଡାକ୍ତରଙ୍କୁ ବିଜେଡି ସାଂସଦ ପ୍ରାର୍ଥୀ କରିବାର ସମ୍ଭାବନା ଥିବାରୁ ସୁଚିନ୍ତିତ ଢଙ୍ଗରେ ଭର୍ତ୍ତୃହରିଙ୍କୁ କୋଣଠେସା କରୁଥିବା ଜଣାପଡ଼ିଛି ।

ବିଜେଡିର ଏଭଳି କୋଣଠେସାକୁ ଦେଖି ଭର୍ତ୍ତୃହରି ମଧ୍ୟ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି । ଆଉ ବିଭିନ୍ନ ସମୟରେ ନିଜର ଓଡ଼ିଆ ଦୈନିକ ଖବରକାଗଜରେ ସମ୍ପାଦକୀୟ ଲେଖି ନବୀନ ପଟ୍ଟନାୟକ ସରକାର ଓ ବିଜେଡିର ସାଂଗଠନିକ ପରିଚାଳନା ପ୍ରତି ପରୋକ୍ଷରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।

ଭର୍ତ୍ତୃହରି ଗତ ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏବେ ଅମିତ୍ ଶାହଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପରେ ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୌଷ୍ଣବଙ୍କୁ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ କରିବାର ସମ୍ଭାବନା ବି ରହିଛି । ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ନିକଟରେ ଓଡ଼ିଶା ଗସ୍ତରେ ଆସି କଟକରେ ବିଭିନ୍ନ ଅଂଚଳରେ କାର୍ଯ୍ୟକ୍ରମ କରିବା ସହ ଏକ ଫୁଟବଲ ଷ୍ଟାଡ଼ିୟମ ନିର୍ମାଣ ପାଇଁ ୫୦ଲକ୍ଷ ଟଙ୍କା ବ୍ୟୟବରାଦର ଘୋଷଣା ମଧ୍ୟ କରିଥିଲେ । ଏପରିକି ଲୋକଙ୍କ ଅଭିଯୋଗ ଶୁଣି ସଙ୍ଗେସଙ୍ଗେ ସମାଧାନ ବି କରିଥିଲେ ।

ଭର୍ତ୍ତୃହରିଙ୍କ ନିକଟତମ ମହଲରୁ ଜଣାପଡ଼ିଛି ଯେ, ବିଜେଡି ଉପରେ ଚାପ ସୃଷ୍ଟି ପାଇଁ ଶ୍ରୀ ମହତାବ ଏଭଳି ରଣନୀତି କରିଛନ୍ତି । ସେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଘନିଷ୍ଠତା ବଢ଼ାଇ ବିଜେଡି ସହ ମୂଲଚାଲ ଯୋଜନାରେ ଥିବା ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ଶ୍ରୀ ମହତାବ ଯେଉଁଭାବେ କ୍ରମାଗତ ଭାବେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଘନିଷ୍ଠ ହେବାରେ ଲାଗିଛନ୍ତି  ତାହା ବିଜେଡିକୁ ଅଡ଼ୁଆରେ ପକାଇଛି । ସମ୍ଭବତଃ ଏହି କାରଣରୁ ଗତ ଜାନୁୟାରୀ ୧ରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ଏବଂ ଗତ ସପ୍ତାହରେ ବାଲିଯାତ୍ରା ପଡ଼ିଆରେ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ବାରି ହୋଇପଡ଼ିଥିଲା । ତେ୍‌ବେ ୬ଥରର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଏବେ ସରକାରୀ ଭାଷାର ସଂସଦୀୟ କମିଟିର ଉପାଧ୍ୟକ୍ଷ ଅଛନ୍ତି ଓ ଅମିତ୍ ଶାହ ଉକ୍ତ କମିଟିର ଅଧ୍ୟକ୍ଷ ଅଛନ୍ତି। ଉଭୟ ନେତା ସମ୍ଭବତଃ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ଉପରେ ଆଲୋଚନା କରିଥାଇପାରନ୍ତି ।

ଅନ୍ୟ ଏକ ସୂତ୍ର ଅନୁସାରେ ଭର୍ତ୍ତୃହରି ତାଙ୍କ ପୁଅଙ୍କୁ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ କରିବାକୁ ଲବି କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ସମସ୍ତ ଘଟଣାରେ ଉଭୟ ବିଜେପି କିମ୍ବା ଭର୍ତ୍ତୃହରିଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ ।

Related story