ରେଳ ବିକାଶ ନେଇ ବିଜେପିକୁ ବିଜେଡିର ଜବାବ, ରାଜ୍ୟ ପାଇଛି ୪୫୦୦ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ବଜେଟରେ କେତେ ଟଙ୍କା ଆବଣ୍ଟନ ହୋଇଛି ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ରେଳପ୍ରକଳ୍ପ ପାଇଁ ବଜେଟରେ କେନ୍ଦ୍ର ସରକାର ୬୯୯୫କୋଟି ଟଙ୍କା ଆବଣ୍ଟିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବାର ୨୪ଘଣ୍ଟା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଏତେ ଟଙ୍କା ନୁହେଁ ବରଂ ମାତ୍ର ୪୫୦୦କୋଟି ଟଙ୍କା ଆବଣ୍ଟିତ ହୋଇଛି ଓ ଯାହାକି […]

bjd

Manoranjan Sial
  • Published: Friday, 05 February 2021
  • , Updated: 05 February 2021, 07:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାର ରେଳବାଇ ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ବଜେଟରେ କେତେ ଟଙ୍କା ଆବଣ୍ଟନ ହୋଇଛି ତାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶାର ରେଳପ୍ରକଳ୍ପ ପାଇଁ ବଜେଟରେ କେନ୍ଦ୍ର ସରକାର ୬୯୯୫କୋଟି ଟଙ୍କା ଆବଣ୍ଟିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିବାର ୨୪ଘଣ୍ଟା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ଏତେ ଟଙ୍କା ନୁହେଁ ବରଂ ମାତ୍ର ୪୫୦୦କୋଟି ଟଙ୍କା ଆବଣ୍ଟିତ ହୋଇଛି ଓ ଯାହାକି ଯଥାର୍ଥ ନୁହେଁ ବୋଲ କହିଛିି। ବ୍ରିଟିଶ ଶାସନ କାଳରେ ଯେମିତି ଲୁଟ୍ ଚାଲିଥିଲା, କେନ୍ଦ୍ର ସରକାର ଏବେ ସେମିତି ଓଡ଼ିଶାକୁ ଲୁଟ୍ କରୁଛି ବୋଲି ବିଜେଡି କହିଛି। ଏହାସହିତ ଦଳ ସିଧାସଳଖ ବିଜେପିର ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରି ରାଜ୍ୟର ସ୍ୱାର୍ଥ ପାଇଁ ଦିଲ୍ଲୀ ଦରବାରରେ କେତେଥର ମୁହଁ ଖୋଲିଛନ୍ତି ବୋଲି ପଚାରିଛି। ଏପଟେ ବିଜେଡିର ଏଭଳି ଯୁକ୍ତିକୁ ମଧ୍ୟ ବିଜେପି ଆଜି ପୁଣିଥରେ କାଉଣ୍ଟର କରିଛି।

ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ଲେନିନ୍ ମହାନ୍ତି, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ସୁଲତା ଦେଓ କେନ୍ଦ୍ର ବଜେଟରେ ଓଡ଼ିଶାର ରେଳବାଇ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥ ନୈରାଶ୍ୟଜନକ ଓ ଓଡ଼ିଶା ପ୍ରତି ଅନ୍ୟାୟ ହୋଇଛି ବୋଲି କହିଛନ୍ତି। ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଇଛି। ଓଡ଼ିଶା ସରକାର ରେଳବାଇ ବଜେଟରେ ୭୨୦୦କୋଟି ଟଙ୍କା ମାଗିଥିବାବେଳେ ମାତ୍ର ୪୫୦୦କୋଟି ଟଙ୍କା ଦିଆଯାଇଛି। ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ,ବ୍ରିଟିଶ ଶାସନ ସମୟରେ ଯେଭଳି ଓଡ଼ିଶାକୁ ଲୁଟ୍ କରାଯାଉଥିଲା ଏବେ ସେଭଳି ମାନସିକତାରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଗତ ୭ବର୍ଷ ମଧ୍ୟରେ ଓଡ଼ିଶାରୁ ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ୧ଲକ୍ଷ ୪୦ହଜାର କୋଟି ଟଙ୍କା ରାଜସ୍ୱ ନେଇଛନ୍ତି। କିନ୍ତୁ ସେହି ତୁଳନାରେ ବର୍ଷକୁ ମାତ୍ର ୨ହଜାର କୋଟି ଟଙ୍କା ହିସାବରେ ୭ବର୍ଷରେ ମୋଟ ୧୪ହଜାର କୋଟି ଟଙ୍କା ଦେଇଛନ୍ତି।

ସେହିପରି ଓଟିଡିସି ଅଧ୍ୟକ୍ଷା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ ୨୯୮କିମି ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ କାର୍ଯ୍ୟ ୨୫ବର୍ଷ ଧରି ଆଗେଇ ପାରୁନାହିଁ। ଏବେପର୍ଯ୍ୟନ୍ତ ମାତ୍ର ୯୦କିମି ନିର୍ମାଣ ସରିଛି। ଏହି ପ୍ରକଳ୍ପ ପ୍ରସଙ୍ଗରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କି ସଙ୍ଗୀତା ସିଂହଦେଓ କେବେ ଦିଲ୍ଲୀ ଦରବାରେ ସ୍ୱର ଉଠାଇଛନ୍ତି କି? କଳାହାଣ୍ଡିରେ ରେଳ ୱାଗନ ଫ୍ୟାକ୍ଟି ପାଇଁ ୩୦୦କୋଟି ଟଙ୍କା ଆବଶ୍ୟକ ଥିବାବେଳେ ବଜେଟରେ ମାତ୍ର କୋଟିଏ ଟଙ୍କା ଆବଣ୍ଟିତ ହୋଇଛି । ରାଜ୍ୟ ସରକାର ୧୦୦ଏକର ଜାଗା ଦେଇସାରିଛନ୍ତି। ଯଦି ବର୍ଷକୁ କୋଟିଏ ଟଙ୍କା ଆବଣ୍ଟନ ହେବ ତା’ହେଲେ ପ୍ରକଳ୍ପ ସରିବାକୁ ୩୦୦ବର୍ଷ ଲାଗିଯିବ। କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କାହିଁକି ମୁହଁ ଖୋଲୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ପୁରୀ-କୋଣାର୍କ ରେଳମାର୍ଗ ପାଇଁ ବ୍ୟୟବରାଦ ନହେବା ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରିଛନ୍ତି।ସେହିପରି ସୁଲତା ଦେଓ ମଧ୍ୟ ରେଳ ପ୍ରକଳ୍ପ ପାଇଁ ଆବଣ୍ଟିତ ଅର୍ଥ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡି ବିତଣ୍ଡା ଯୁକ୍ତି କରୁଛି ।, ତା’ର କିଛି ଯଥାର୍ଥତା ନାହିଁ। ୨୦୦୪ରୁ ୨୦୧୪ ମସିହା ପର୍ଯ୍ୟନ୍ତ କେତେ ଅର୍ଥ ପାଇଥିଲେ ଓ ଗତ ୭ବର୍ଷ ମଧ୍ୟରେ କେତେ ପାଇଛନ୍ତି ତାହା କୁହନ୍ତୁ । ଜମି ଅଧିଗ୍ରହଣ କରି ଦେଇପାରୁନଥିବାରୁ କାମ ଆଗେଇ ପାରୁନି । ରାଜ୍ୟର ରେଳବାଇ ପ୍ରକଳ୍ପର ଅଗ୍ରଗତିକୁ ନେଇ ରାଜ୍ୟ ସରକାର ଏକ ଶ୍ୱେତପତ୍ର ଆଣିବା ପାଇଁ ସେ ଦାବି କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ ୩ବର୍ଷ ତଳେ ଲେଖିଥିବା ଚିଠିର ଉତ୍ତର ମଧ୍ୟ ଦେବାରେ ରାଜ୍ୟ ସରକାର ସକ୍ଷମ ହୋଇନି ବୋଲି ସେ କହିଛନ୍ତି। ନିଜ ଅପାରଗତା ଲୁଚାଇବାକୁ ବିଜେଡି ଏଭଳି ଆରୋପ ଲଗାଉଛି। ଏତେ ଟଙ୍କା ଦେଲାପରେ ଧନ୍ୟବାଦ ନଦେଇ ବିଜେଡି ଓଲଟା ବିତଣ୍ଡା ଯୁକ୍ତି ବାଢ଼ୁଛି ବୋଲି ସେ କହିଛନ୍ତି।

ରେଳବାଇ ପ୍ରକଳ୍ପରେ ଓଡ଼ିଶାକୁ ମିଳିଥିବା ଅର୍ଥକୁ ବିଜେଡି ଓ ବିଜେପିର ଆରୋପ-ପ୍ରତ୍ୟାରୋପ ମଧ୍ୟରେ ବାସ୍ତବରେ ରାଜ୍ୟକୁ କେତେ ଟଙ୍କା ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ପାଇଁ ମିଳିଛି ତାକୁ ନେଇ ମଧ୍ୟ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି।

Related story