Advertisment

ପ୍ରଚାରରୁ ବରିଷ୍ଠ ନେତାଙ୍କୁ ଦୂରେଇ ରଖିଛି ବିଜେଡି: ମଙ୍ଗ ଧରିଛନ୍ତି ପାଣ୍ଡିଆନ, ଭୋଟ୍ ସରିଲେ ଘୋଷିତ ହେବେ ଉତ୍ତରାଧିକାରୀ

ବିଜେଡି ଚଳିତ ନିର୍ବାଚନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତୁଳନାରେ ପାଣ୍ଡିଆନଙ୍କ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଉଛି

Sankha bhawan BJD

Sankha bhawan BJD

Advertisment

ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରଚାର ସରିବ । ମାତ୍ର ଶାସକ ବିଜେଡି ନିଜର ବରିଷ୍ଠ ନେତା କିମ୍ବା ଷ୍ଟାର ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇଲା ନାହିଁ । ଏପରିକି ବିଜେଡିର ଟ୍ରମ୍ପକାର୍ଡ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ପ୍ରଚାର ମଇଦାନରେ ଏପର୍ଯ୍ୟନ୍ତ ମାତ୍ର ୪ଥର ଦେଖିବାକୁ ମିଳିଛି । ଆଉ ପ୍ରଶାସକରୁ ନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ବିଜେଡିର ମଙ୍ଗ ଧରି ଏକାକୀ ଷ୍ଟାର ପ୍ରଚାରକ ଭାବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ଆଉ ଏହା ପାଣ୍ଡିଆନ ଓ ବିଜେଡିର ସୁଚିନ୍ତିତ ରଣନୀତିର ଅଂଶବିଶେଷ ବୋଲି ଜଣାପଡ଼ିଛି । ଚଳିତ ସାଧାରଣ ନିର୍ବାଚନ ସରିବା ପରେ ପାଣ୍ଡିଆନଙ୍କୁ ନବୀନ ଉଭୟ ବିଜେଡି ଓ ସରକାରର ଉତ୍ତରାଧିକାରୀ ଭାବେ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।

Advertisment

ସୂଚନା ଅନୁସାରେ, ବିଜେଡି ଚଳିତ ନିର୍ବାଚନରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ତୁଳନାରେ ପାଣ୍ଡିଆନଙ୍କ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଉଛି । ନବୀନଙ୍କ ପରିବର୍ତ୍ତେ ପାଣ୍ଡିଆନ ଏବେ ସବୁ ନିର୍ବାଚନମଣ୍ଡଳୀକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଆଉ ତାଙ୍କ ପାଇଁ ଦଳ ପକ୍ଷରୁ ବ୍ୟୟବହୁଳ ନିର୍ବାଚନୀ ସଭାର ବି ଆୟୋଜନ କରାଯାଉଛି । ଦଳ ନିଜର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ସତ କିନ୍ତୁ ଏମାନଙ୍କ ମଧ୍ୟରୁ କେବଳ ପାଣ୍ଡିଆନ ହିଁ ଦୃଶ୍ୟମାନ ହେଉଛନ୍ତି । ଦଳର ପ୍ରତିଷ୍ଠାତା ସଦସ୍ୟଙ୍କଠୁ ଆରମ୍ଭ କରି ବହୁ ପୁରୁଖା ନେତାଙ୍କୁ ବି ଦଳ ନିର୍ବାଚନୀ ପ୍ରଚାରରେ ସାମିଲ କରିବାକୁ ଉଚିତ୍ ମଣିନି । ଏପରିକି ପାଣ୍ଡିଆନ ଦଳର କୌଣସି ବରିଷ୍ଠ ନେତା କିମ୍ବା ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ନିର୍ବାଚନୀ ସଭା କରୁନଥିବା ଦେଖିବାକୁ ମିଳୁଛି ।

ବିଗତ ନିର୍ବାଚନଗୁଡ଼ିକରେ ଦଳ ନିଜର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧୂମଧାମରେ ପ୍ରଚାର ମଇଦାନକୁ ଓହ୍ଲାଇଥିଲା । ଏପରିକି ନବୀନଙ୍କ ଗତ ସାଧାରଣ ନିର୍ବାଚନରେ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ନିର୍ବାଚନୀ ପ୍ରଚାର ସହ ସଭାସମିତିରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ । ମାତ୍ର ଏଥର ନବୀନଙ୍କ ପ୍ରଚାର କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଛି । ହେଲିକପ୍ଟରରେ ଯାଇ ନିର୍ବାଚନୀ ସଭାରେ ୩୦-୪୦ମିନିଟ୍ ବସି ଭୁବନେଶ୍ୱର ଫେରୁଛନ୍ତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଏପ୍ରିଲ ୧୮ରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହ ୨୮ଟି ବିଧାନସଭା ଆସନରେ ଭୋଟ୍ ଆସନ୍ତା ୧୩ତାରିଖରେ ହେବ । ଏଥିପାଇଁ ପ୍ରଚାର ଶନିବାର ସନ୍ଧ୍ୟାରେ ସରିବ । କିନ୍ତୁ ନବୀନ ଇତିମଧ୍ୟରେ ମେ’ ୪ରେ କୋରାପୁଟ ଓ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ୪ଟି ସଭାରେ ଯୋଗ ଦେଇଥିଲେ।

Advertisment

ମେ’ ୬ରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଭବାନୀପାଟଣା ଓ ଖଡ଼ିଆଳରେ ସାଧାରଣ ସଭାରେ ଯୋଗ ଦେଇଥିବାବେଳେ ଆଜି ଅର୍ଥାତ ମେ’ ୯ତାରିଖରେ ବ୍ରହ୍ମପୁର,ଆସିକା ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ୩ଟି ସଭାରେ ସାମିଲ ହୋଇଛନ୍ତି । ନବୀନଙ୍କ ଏହି ସ୍ୱଳ୍ପ କାର୍ଯ୍ୟକ୍ରମକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ କମିବାରେ ଲାଗିଛି । ଅବଶ୍ୟ ନବୀନ ଚଳିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାପରେ ପ୍ରଥମଥର ପାଇଁ ଏପ୍ରିଲ ୨୪ରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ୨ଘଣ୍ଟିଆ ଗସ୍ତରେ ଯାଇଥିଲେ । ପରେ ଏପ୍ରିଲ ୩୦ରେ ହିଞ୍ଜିଳି ଓ ମେ’ ୨ରେ କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ନବୀନ ନିଜ ବାସଭବନରୁ ବାହାରିଥିଲେ । ଏପଟେ ପାଣ୍ଡିଆନ ନିଜେ ଏକାକୀ ନିର୍ବାଚନୀ ସଭାରେ ଷ୍ଟାର ପ୍ରଚାରକ ସାଜିଥିବାରୁ ବିଜେଡି କର୍ମୀଙ୍କଠୁ ଆରମ୍ଭ କରି ସାଧାରଣ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି । ତେବେ ବିଜେଡି କାହିଁକି ଦଳର ଅନ୍ୟ କୌଣସି ବରିଷ୍ଠ ନେତା କିମ୍ବା ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ଅଭିଯାନରେ ସାମିଲ କରୁନାହାନ୍ତି ସେ ନେଇ କାହା ପାଖରେ କିଛି ଖବର ନାହିଁ । ଏପରିକି ନବୀନ କିମ୍ବା ପାଣ୍ଡିଆନଙ୍କୁ ଏନେଇ ପ୍ରଶ୍ନ କରିବାର ସତସାହାସ ମଧ୍ୟ ଦଳରେ କାହାରି ନାହିଁ ବୋଲି ଚର୍ଚ୍ଚା ହେଉଛି ।

ଦଳର କୌଣସି ପଦପଦବୀରେ ନଥାଇ ପାଣ୍ଡିଆନ ଏକାକୀ ନିର୍ବାଚନୀ ସଭାକୁ ଯାଉଥିବାରୁ ତାହା ଦଳୀୟ ନେତାମାନଙ୍କୁ ନିରାଶ କରିଛି । ମାତ୍ର କାର୍ଯ୍ୟାନୁଷ୍ଠାନର ଭୟ ଓ “ଆଲୋ ସଖି ଆପଣା ମହତ ଆପେ ରଖି” ନ୍ୟାୟରେ ଦଳର ନେତାମାନେ ନିରବ ରହିବାକୁ ଏକରକମ ବାଧ୍ୟ ହେଉଛନ୍ତି । ନବୀନଙ୍କ ନିଷ୍କ୍ରିୟତାକୁ ଦେଖି ପାଣ୍ଡିଆନ ଏବେ ଦଳକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଏବେଠୁ ସୁଚିନ୍ତିତ ରଣନୀତି ଆଧାରରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି । ପାଣ୍ଡିଆନ ସମସ୍ତ ୧୪୭ଟି ଆସନରେ ନିର୍ବାଚନୀ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ନିର୍ବାଚନ ସରିବା ପରେ ପାଣ୍ଡିଆନଙ୍କୁ ଉଭୟ ବିଜେଡି ଓ ସରକାରର ଉତ୍ତରାଧିକାରୀ ଦାୟିତ୍ୱ ମିଳିବ । ନବୀନ ଦୁଇଟି ଆସନରୁ ଲଢ଼ିବା ବି ଏହି ରଣନୀତିର ଅଂଶବିଶେଷ ବୋଲି ଚର୍ଚ୍ଚା ହେଉଛି ।

BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe