ଦେଶରେ ‘ଏକକ ନିର୍ବାଚନ’ ସପକ୍ଷରେ ବିଜେଡି: ନିର୍ଣ୍ଣାୟକ ସିଦ୍ଧାନ୍ତ ପାଇଁ କମିଟିକୁ ଦେଇଥିଲା ପ୍ରସ୍ତାବ

ବିଜେଡି ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ କମିଟିକୁ ଚିଠି ଲେଖି ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା ।

ବିଜେଡି ରାଜ୍ୟ ମୁଖ୍ୟାଳୟ (ଫାଇଲ ଫଟୋ)

  • Published: Wednesday, 18 September 2024
  • , Updated: 18 September 2024, 10:08 PM IST

ଦେଶରେ ଏକକ ନିର୍ବାଚନକୁ ନେଇ ରାମନାଥ କୋବିନ୍ଦଙ୍କ କମିଟି କରିଥିବା ସୁପାରିଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେବା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଏକକ ନିର୍ବାଚନକୁ କଂଗ୍ରେସ ସିଧାସଳଖ ବିରୋଧ କରୁଥିବାବେଳେ ମାତ୍ର ୮ ମାସ ପୂର୍ବରୁ ସମର୍ଥନ ଦେଇଥିବା ବିଜେଡି ଏବେ ବୁଲେଇବଙ୍କେଇ ବିରୋଧ ଆରମ୍ଭ କରିଛି।

ବିଜେଡି ଚଳିତ ବର୍ଷ ଜାନୁୟାରୀ ୨୪ ତାରିଖରେ ରାମନାଥ କୋବିନ୍ଦଙ୍କ ନେତୃତ୍ୱାଧୀନ ଉଚ୍ଚସ୍ତରୀୟ କମିଟିକୁ ଚିଠି ଲେଖି ଦେଶରେ ଏକକ ନିର୍ବାଚନକୁ ସମର୍ଥନ ଜଣାଇଥିଲା । ବିଭିନ୍ନ ଅବଧିରେ ଓ ପର୍ଯ୍ୟାୟରେ ଏକାଧିକ ନିର୍ବାଚନ ହେବା ଯୋଗୁ ଆର୍ଥିକ ଚାପ ଓ ଶାସନ କାର୍ଯ୍ୟରେ ବିଳମ୍ବ ହେଉଛି । ଯେଉଁଥିପାଇଁ ଦଳ ଦୀର୍ଘଦିନ ଧରି ଏକାଠି ନିର୍ବାଚନ କରିବା ଉପରେ ଗୁରୁତ୍ୱ ଦେଇଆସୁଛି । ଏକାଠି ନିର୍ବାଚନ ହେଲେ ଏସବୁ ସମସ୍ୟା ଦୂର ହୋଇଯିବ, ଆଉ ଯାହାର ଫଳସ୍ୱରୂପ ସଂଘୀୟ ସହଭାଗିତା ସୁଦୃଢ଼ ହେବା ସହ ବିକାଶ କାର୍ଯ୍ୟକ୍ରମରେ ସମନ୍ୱୟ ଓ କାର୍ଯ୍ୟାନ୍ୱୟନରେ ସୁଧାର ଆସିପାରିବ ବୋଲି ବିଜେଡି ଯୁକ୍ତି ବାଢ଼ିଛି । ଏହାସହିତ ଏହି ପ୍ରସଙ୍ଗରେ ନିର୍ଣ୍ଣାୟକ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ମଧ୍ୟ ଉଚ୍ଚସ୍ତରୀୟ କମିଟିଙ୍କୁ ଚିଠି ଲେଖି ଆହ୍ୱାନ ଦେଇଥିଲା।

ଆଜି ରାମନାଥ କୋବିନ୍ଦଙ୍କ ଏହି ରିପୋର୍ଟ ଓ ସୁପାରିଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିବା ପରେ ବିଜେଡିର ସ୍ୱର ବଦଳିଯାଇଛି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି ଓ ଦଳର ବିଧାୟକ ଗଣେଶ୍ୱର ବେହେରା ପ୍ରମୁଖ ଗଣମାଧ୍ୟମରେ ଏହାକୁ ବୁଲେଇବଙ୍କେଇ ବିରୋଧ କରିବା ଆରମ୍ଭ କରିଛନ୍ତି।  ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ, ଏବେ ଯଦି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ ଓ ତା’ହେଲେ କ’ଣ ସମ୍ପୃକ୍ତ ରାଜ୍ୟ ଯଦି ଏକକ ନିର୍ବାଚନ ପାଇଁ ୪ବର୍ଷ ଅପେକ୍ଷା କରିବ କି? ସେହିପରି ବିଜେଡି ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ୨୦୨୯ ମସିହାରେ ଏକକ ନିର୍ବାଚନ ହେବାଭଳି ଲାଗୁନି । ସେତେବେଳେ ୨୮ଟି ରାଜ୍ୟ ମଧ୍ୟରୁ ପ୍ରାୟ ୧୭ଟି ରାଜ୍ୟରେ ନିର୍ବାଚିତ ସରକାରଙ୍କ କାର୍ଯ୍ୟକାଳ ମାତ୍ର ୨ବର୍ଷ ହୋଇଥିବ । ତା’ହେଲେ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ପୁଣିଥରେ ମଧ୍ୟବର୍ତ୍ତୀ ନିର୍ବାଚନ ଲଦି ଦିଆଯିବ କି? ବିଜେଡି ଏବେ ସିଧାସଳଖ ନହେଲେ ବି ବୁଲେଇବଙ୍କେଇ ‘ଏକକ ନିର୍ବାଚନ’କୁ ବିରୋଧ ଆରମ୍ଭ କରିଛି ।

ଏବେ ପ୍ରଶ୍ନ ଉଠୁଛି, ଏକକ ନିର୍ବାଚନ ପାଇଁ ଗଠିତ ରାମନାଥ କୋବିନ୍ଦ କମିଟି ଆଗରେ ଯେଉଁ ୪୭ଟି ରାଜନୀତିକ ଦଳ ନିଜର ମତ ରଖିଥିଲେ ସେଥିରେ ୧୫ଟି ଦଳ ସିଧାସଳଖ ଏହାକୁ ବିରୋଧ କରିଥିବାବେଳେ ବିଜେଡି କାହିଁକ ସମର୍ଥନ କରିଥିଲା ଓ ଏବେ କେଉଁ କାରଣରୁ ନିଜ ଛେପ ନିଜେ ଢ଼ୋକିବାରେ ଲାଗିଛି । ଏବେ ବିଜେଡି ଶାସନରେ ନଥିବାରୁ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି ନା ବିଜେପି ନେତୃତ୍ୱାଧୀନ ଏନଡିଏ ଉପରେ ଚାପ ପକାଇବାକୁ ଏଭଳି ଆଭିମୁଖ୍ୟ ପୋଷଣ କରିଛି ।

ଉଲ୍ଲେଖଯୋଗ୍ୟ, ରାମନାଥ କୋବିନ୍ଦଙ୍କ କମିଟି ପାଖରେ କେବଳ ରାଜନୀତିକ ଦଳଗୁଡ଼ିକ ନୁହଁନ୍ତି ଦେଶର ୪ଜଣ ପୂର୍ବତନ ପ୍ରଧାନ ବିଚାରପତି- ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ରଞ୍ଜନ ଗୋଗେଇ, ଜଷ୍ଟିସ ଶରତ ଅରବିନ୍ଦ ବୋବଡେ ଓ ଜଷ୍ଟିସ ୟୁ ୟୁ ଲଳିତ ମଧ୍ୟ ଏହି ଏକକ ନିର୍ବାଚନ ସପକ୍ଷରେ ମତ ରଖିଛନ୍ତି । ସେହିପରି ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଅଚଳ କୁମାର ଜୋଟି, ଓପି ରାୱତ, ସୁନୀଲ ଅରୋରା ଓ ସୁଶୀଲ ଚନ୍ଦ୍ରା ମଧ୍ୟ ଏହି ଏକକ ନିର୍ବାଚନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହି ସମସ୍ତ ବ୍ୟକ୍ତିମାନେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କ ସହ ଆଲୋଚନାବେଳେ ନିଜର ଲିଖିତ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସଂଗଠନ ସମେତ ବ୍ୟବସାୟିକ ସଂଘ ଓ ସାଧାରଣ ଲୋକେ ମଧ୍ୟ ଏହି ଏକକ ନିର୍ବାଚନ ସପକ୍ଷରେ କୋବିନ୍ଦ କମିଟି ପାଖରେ ନିଜର ଆଭିମୁଖ୍ୟ ରଖିଥିବା  ଆଜି ସାର୍ବଜନୀନ ହୋଇଥିବା ଏହି ଉଚ୍ଚସ୍ତରୀୟ କମିଟି ରିପୋର୍ଟରୁ ଜଣାପଡ଼ିଛି।

Related story