Advertisment

ଖବର ପରେ ଚେତିଲା ବିଜେଡି: ଶଙ୍ଖ ଆପ୍‌ରୁ ହଟାଇଲା ପାଣ୍ଡିଆନଙ୍କ ଫଟୋଚିତ୍ର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଚାଲିଥିବା ନିର୍ବାଚନମଣ୍ଡଳୀୱାରି ଦଳୀୟ ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଶିବିରରେ ‘ଶଙ୍ଖ’ ମୋବାଇଲ୍ ଆପ୍‌କୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।

Sankha App

Sankha App

Advertisment

ଖବର ପ୍ରକାଶିତ ହେବା ପରେ ବିଜେଡିର ଚେତା ପଶିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଆଇଏଏସ୍ ଭିକେ ପାଣ୍ଡିଆନଙ୍କୁ ଦଳର ଅଫିସିଆଲ ମୋବାଇଲ୍ ଆପ୍ଲିକେସନ ‘ଶଙ୍ଖ’ ଆପ୍ ମାଧ୍ୟମରେ ‘ହିରୋ’ ଦର୍ଶାଇବାକୁ ହୋଇଥିବା ପ୍ରୟାସରୁ ବିଜେଡି ବିରତ ହୋଇଛି । ପାଣ୍ଡିଆନଙ୍କ ରାଜନୀତିକ ବ୍ରାଣ୍ଡିଂ ପାଇଁ ‘ଶଙ୍ଖ’ ଆପରେ ତାଙ୍କର ଫଟୋଚିତ୍ରକୁ ବହୁଳ ଭାବେ ସାମିଲ କରାଯିବାକୁ ନେଇ ଗତକାଲି ରାତିରେ ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରସାରଣ ପରେ ବିଜେଡିର ଚେତା ପଶିଛି । ଆଜି ପୂର୍ବାହ୍ନରେ ଦଳ ନିଜର ଏହି ‘ଶଙ୍ଖ’ ଆପ୍‌ରେ ଥିବା ପାଣ୍ଡିଆନଙ୍କ ଫଟୋଚିତ୍ରକୁ ହଟାଇ ଦେଇଛି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାଳସଖ ବ୍ୟକ୍ତିଗତ ସମାଲୋଚନା ସଂକ୍ରାନ୍ତ ବିଭିନ୍ନ ସନ୍ଦେଶକୁ ଏହି ଆପ୍ଲିକେସନରେ ଦଳ ସାମିଲ କରିଥିବା ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ଚାଲିଥିବା ନିର୍ବାଚନମଣ୍ଡଳୀୱାରି ଦଳୀୟ ସକ୍ରିୟ କର୍ମୀମାନଙ୍କୁ ପ୍ରଶିକ୍ଷଣ ଶିବିରରେ ‘ଶଙ୍ଖ’ ମୋବାଇଲ୍ ଆପ୍‌କୁ ନିଜ ସ୍ମାର୍ଟଫୋନରେ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ତୃଣମୂଳସ୍ତରରେ ଅଧିକ ସଂଖ୍ୟକ ଦଳୀୟ କର୍ମୀ ଓ ସାଧାରଣ ଲୋକେ ଯେପରି ଏହି ଆପ୍ ଡାଉନଲୋଡ୍ କରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଶିକ୍ଷଣ ନେଉଥିବା ଦଳୀୟ ସକ୍ରିୟ କର୍ମୀମାନଙ୍କୁ ତାଗିଦ୍ କରାଯାଇଛି । ତେବେ ଦୀର୍ଘ ୨୫ବର୍ଷ ପୁରୁଣା ଆଂଚଳିକ ଦଳ ବିଜେଡିର ଏହି ‘ଅଫିସିଆଲ ମୋବାଇଲ ଆପ୍ ’ରେ ଜଣେ ବି ବିଜେଡି ନେତା-ମନ୍ତ୍ରୀଙ୍କ ଫଟୋଚିତ୍ର ସାମିଲ ନକରି ପାଣ୍ଡିଆନଙ୍କ ଫଟୋଚିତ୍ରକୁ ଦଳୀୟ ଆପରେ ମାତ୍ରାଧିକ ଗୁରୁତ୍ୱ ଦେବାକୁ ନେଇ ‘ଓଡ଼ିଶା ରିପୋର୍ଟର’ ଖବର ପ୍ରକାଶ କରିବା ପରେ ବିଜେଡି ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଏପରିକି ବିଜେଡି ନିଜର ଏହି ମୋବାଇଲ୍ ଆପ୍ ରେ ଅଗଷ୍ଟ ୨୮ତାରିଖରେ ପ୍ରଥମ ବ୍ୟାନର ପୋଷ୍ଟ କରିଥିଲା, ଯେଉଁଥିରେ ସିଏମଓ ଦ୍ୱାରା ବିକାଶର ନନଷ୍ଟପ୍ ସମୀକ୍ଷା ହେଉଥିବାର ଆଳ ଦେଖାଇ ପରୋକ୍ଷରେ ନବୀନଙ୍କ ତୁଳନାରେ ପାଣ୍ଡିଆନଙ୍କୁ ରାଜନୀତିକ ବ୍ରାଣ୍ଡିଂ ସହ ହିରୋ କରିବାକୁ ପ୍ରୟାସ ହୋଇଥିଲା । ଏପରିକି ଗତକାଲି ଏହି ମୋବାଇଲ ଆପରେ ନବୀନ ପଟ୍ଟନାୟକ ସରକାରଙ୍କ ସଫଳତା ଉଲ୍ଲେଖ ଥିବା ୫ଟି ବ୍ୟାନର ପୋଷ୍ଟ ହୋଇଥିଲାବେଳେ ସେଥିରୁ ଆଜି ୨ଟି ବ୍ୟାନରକୁ ହଟାଇ ଦିଆଯାଇଛି । ପାଣ୍ଡିଆନଙ୍କ ୧୦ଟି ଫଟୋଚିତ୍ର ଥିବା ବିକାଶ କାର୍ଯ୍ୟର ସମୀକ୍ଷା ସଂକ୍ରାନ୍ତ ଅଗଷ୍ଟ ୨୮ତାରିଖର ବ୍ୟାନରକୁ ଆଜି ସକାଳେ ଏବଂ ନବୀନଙ୍କ ଫଟୋଚିତ୍ର ଥିବା ଚାଷୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ରିହାତି ସଂକ୍ରାନ୍ତ ସେପ୍ଟେମ୍ବର ୫ତାରିଖର ବ୍ୟାନରକୁ ଆଜି ଅପରାହ୍ନରେ ହଟାଇ ଦିଆଯାଇଛି । ତେବେ ପାଣ୍ଡିଆନଙ୍କ ଫଟୋଯୁକ୍ତ ବ୍ୟାନରକୁ ଦଳୀୟ ଆପରେ ସାମିଲ ପାଇଁ କିଏ ଅନୁମତି ଦେଇଥିଲେ ଓ ଆଜି ସକାଳୁ ସକାଳୁ କାହା ନିର୍ଦ୍ଦେଶରେ ଏହା ହଟାଇ ଦିଆଗଲା ତାହା ଜଣାପଡ଼ିନି । ଆଜି ଏହି ଆପରେ ‘ବିଜୁ ସ୍ୱାସ୍ଥ୍ୟ କାର୍ଡ’ର ସଫଳତା ସଂକ୍ରାନ୍ତ ବ୍ୟାନରକୁ ସାମିଲ କରାଯାଇଛି । ତେବେ ଗତକାଲିସୁଦ୍ଧା ବିଜେଡିର ଏହି ନିଜସ୍ୱ ଆପରେ ଥିବା ବ୍ୟାନରଗୁଡ଼ିକରେ ଲାଇକ୍ ଓ ସେୟାର ପରିମାଣ ୧୦୦ ବି ଅତିକ୍ରମ କରିନଥିବାବେଳେ ଆଜି ଏହା ୩୦୦ରୁ ୫୦୦ ମଧ୍ୟରେ ରହିଛି ।

ଶଙ୍ଖ ଭବନରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ଯେଉଁ ‘ଶଙ୍ଖ ଆପ୍‌’କୁ ପଂଚାୟତରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଦଳର ସମସ୍ତ ପ୍ରାଥମିକ ସଦସ୍ୟଙ୍କୁ ଏହି ଆପ୍ ନିଜ ମୋବାଇଲ ଫୋନରେ ଡାଉନଲୋଡ୍ କରିବା ଉପରେ ଗୁରୁତ୍ୱ ଦିଆଯାଉଛି, ସେଥିରେ ଦଳ ସହ ଦୀର୍ଘ ୨୫ବର୍ଷ ଧରି ଜଡ଼ିତ ଥିବା ନେତାମାନଙ୍କ ଫଟୋଚିତ୍ର ନରହିବାକୁ ନେଇ  କର୍ମୀମାନଙ୍କ ମଧ୍ୟରେ ଚାପା ଅସନ୍ତୋଷ ଦେଖାଦେଇଛି । ଏହି ଆପ୍ ମାଧ୍ୟମରେ ଦଳ ତୃଣମୂଳସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ରଣନୀତି କରୁଥିବାବେଳେ ଯେଉଁମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ ଦୀର୍ଘ ୨୫ବର୍ଷ ଧରି ବିଜେଡି ଏକ ସଫଳ ତଥା ଶକ୍ତିଶାଳୀ ଆଂଚଳିକ ଦଳ ହୋଇପାରିଛି, ସେମାନଙ୍କର ଅବଦାନକୁ ସ୍ୱୀକୃତି କିମ୍ବା ସେମାନଙ୍କୁ ଶ୍ରେୟ ଦେବା ଭଳି ସାମାନ୍ୟତମ ପ୍ରୟାସ ଏହି ଆପ୍ ମାଧ୍ୟମରେ ହୋଇନାହିଁ । ଯେଉଁଥିପାଇଁ ପ୍ରଶିକ୍ଷଣ ନେଉଥିବା କର୍ମୀମାନେ ତୃଣମୂଳସ୍ତରରେ କିଭଳି ଆପ୍ ସମ୍ପର୍କରେ ସାଧାରଣ ଲୋକ ଓ କର୍ମୀଙ୍କୁ ସଚେତନ କରାଇବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିିଛନ୍ତି । ଅବଶ୍ୟ ପାଣ୍ଡିଆନଙ୍କ ଫଟୋଚିତ୍ର ଥିବା ବ୍ୟାନରକୁ ଏହି ଆପରୁ ହଟାଇ ଦିଆଯିବା ପରେ କର୍ମୀମାନେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ସମାଲୋଚନା କରିବାକୁ ବିରତ ରହୁଥିବା ବିଜେଡି କିଭଳି ନିଜ ଆପ୍ ମାଧ୍ୟମରେ ମୋଦିଙ୍କୁ କଟାକ୍ଷ କରିବା ଭଳି ୪ଟି ସନ୍ଦେଶକୁ ସ୍ଥାନ ଦେଇଛି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମାଲୋଚନା କରିବା ଭଳି ଟିପ୍ପଣୀରୁ ବିଜେଡି ଦୂରେଇ ରହିଛି । ଏପରିକି ବିଜେଡିର ମୁଖପାତ୍ରମାନେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ପଦୁଟିଏ ପ୍ରତିକୂଳ ମନ୍ତବ୍ୟ ଦିଅନ୍ତି ନାହିଁ । କିନ୍ତୁ ଦଳର ଏହି ଆପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା ଓ ନିଚ୍ଚା ଦେଖାଇବା ଭଳି ପ୍ରାୟୋଜିତ ସନ୍ଦେଶକୁ ବିଜେଡି ସାମିଲ କରିଛି ।

୨୦୧୮ ଡିସେମ୍ବର ୧୮ତାରିଖରେ ବିଜେଡି ପକ୍ଷରୁ ଏହି ମୋବାଇଲ ଆପ୍ଲିକେସନ ‘ବିଜୁ’ ଆପ୍ ବିକଶିତ କରାଯାଇଥିଲା, ଯାହାକୁ ଏବେ ‘ଶଙ୍ଖ’ ଆପ୍ ନାମରେ ନାମିତ କରାଯାଇଛି । ବିଜୁଙ୍କ ନାଁ ଥିବା ଆପକୁ କାହିଁକି ଦଳ ପରିବର୍ତ୍ତନ କଲା ଓ ସେଥିରେ ଦଳୀୟ ନେତାମାନଙ୍କ ଫଟୋଚିତ୍ରକୁ ସାମିଲ କରିବାରେ କ’ଣ ପ୍ରତିବନ୍ଧକ ରହିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ।

BjD Vk Pandian Shankha App
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe