ବୁଥ୍ କମିଟିକୁ ନୂଆ ରୂପ ଦେଉଛି ବିଜେପି: ଫୋକସରେ ଭୋଟବ୍ୟାଙ୍କ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ନିଜକୁ ପ୍ରସ୍ତୁତ କରିବା ସହ ଗତ ପ୍ରାୟ ଅଢ଼େଇ ବର୍ଷ ଧରି ନିଷ୍କ୍ରିୟ ହୋଇ ରହିଥିବା ବୁଥ୍ କମିଟିଗୁଡ଼ିକର ନବକଳେବର କରୁଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପରେ କରୋନା ମହାମାରୀ ଯୋଗୁ ବିଜେପିର ବୁଥ୍ କମିଟିଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ରହିଥିବାବେଳେ ଏବେ ସେସବୁକୁ ନୂଆ ରୂପ ଦେଇ ସଂଗଠନକୁ ସୁଦୃଢ଼ କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି […]

bjp

bjp

Ordigital Desk
  • Published: Wednesday, 21 September 2022
  • Updated: 21 September 2022, 10:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି ନିଜକୁ ପ୍ରସ୍ତୁତ କରିବା ସହ ଗତ ପ୍ରାୟ ଅଢ଼େଇ ବର୍ଷ ଧରି ନିଷ୍କ୍ରିୟ ହୋଇ ରହିଥିବା ବୁଥ୍ କମିଟିଗୁଡ଼ିକର ନବକଳେବର କରୁଥିବା ଜଣାପଡ଼ିଛି । ୨୦୧୯ ସାଧାରଣ ନିର୍ବାଚନ ପରେ କରୋନା ମହାମାରୀ ଯୋଗୁ ବିଜେପିର ବୁଥ୍ କମିଟିଗୁଡ଼ିକ ନିଷ୍କ୍ରିୟ ଅବସ୍ଥାରେ ରହିଥିବାବେଳେ ଏବେ ସେସବୁକୁ ନୂଆ ରୂପ ଦେଇ ସଂଗଠନକୁ ସୁଦୃଢ଼ କରିବାକୁ ବିଜେପି ରଣନୀତି ପ୍ରସ୍ତୁତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୯ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ତା’ ପୂର୍ବରୁ ବୁଥ୍ କମିଟିଗୁଡ଼ିକ ଗଠନ ପ୍ରକ୍ରିୟାକୁ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ବୁଥ୍ କମିଟି ଅଭିଯାନ ଦାୟିତ୍ୱରେ ଥିବା ଭୃଗୁ ବକ୍ସିପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼େଇ ପାଇଁ ପଂଚାୟତସ୍ତରରେ ସୈନ୍ୟ ପ୍ରସ୍ତୁତ କରାଯାଉଛି । ଯେଉଁଠି ବୁଥ୍ କମିଟି ଦୁର୍ବଳ ହୋଇଛି ସେଠି ୨୫ତାରିଖ ସୁଦ୍ଧା ଏହାର ପୁନଃଗଠନ ନିମନ୍ତେ ଟାର୍ଗେଟ୍ ରଖାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆସିବା ପୂର୍ବରୁ ସବୁ ବୁଥ୍ କମିଟି ଗଠନ ପ୍ରକ୍ରିୟା ଶେଷ ହେବ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ନିଜକୁ ପ୍ରସ୍ତୁତ କରୁଛି । ମୋଦି ସରକାରଙ୍କ ଲୋକାଭିମୁଖ୍ୟ ଯୋଜନାକୁ ଏହି ବୁଥ୍ କମିଟି ମାଧ୍ୟମରେ ଲୋକଙ୍କ ନିକଟରେ ପହଂଚାଯିବ । ରାଜ୍ୟ ସରକାରଙ୍କ ଲୋକବିରୋଧୀ ବ୍ୟବସ୍ଥାକୁ ଲୋକ ଲୋଚନକୁ ଆଣିବା ସହ ରାଜ୍ୟ ସରକାରଙ୍କୁ ବିରୁଦ୍ଧରେ ଆକ୍ରମଣକୁ ଅଧିକ ଶାଣିତ କରାଯିବ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତରେ ପଂଚାୟତ ଓ ବ୍ଲକସ୍ତରରେ କର୍ମକର୍ତ୍ତାଙ୍କ ଉତ୍ସାହ ବଢ଼ିବା ସହ ଚର୍ଚ୍ଚା-ଆଲୋଚନା ଆରମ୍ଭ ହେବ ।

ଅନ୍ୟପକ୍ଷରେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନିଜର ପ୍ରତ୍ୟେକ ବୁଥ କମିଟିରେ ୨୦ଜଣ ସଦସ୍ୟଙ୍କୁ ସାମିଲ କରି ଜଣଙ୍କୁ ବୁଥ୍ ୱାର୍କର ଦାୟିତ୍ୱ ନ୍ୟସ୍ତ କରିବ । ବୁଥ କମିଟି ସଦସ୍ୟମାନେ ଘରକୁ ଘର ଯାଇ ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବେ । ବିଜେପି ଓଡ଼ିଶାରେ ନିଜର ୩୬ହଜାର ବୁଥ୍ କମିଟି ଥିବା ଦାବି କରୁଛି । ମାତ୍ର ଏଥିରୁ ବାସ୍ତବରେ କେତେ କାର୍ଯ୍ୟକ୍ଷମ ରହିଛି ଓ କେତେ ସ୍ଥାନରେ ଏହାର ନବକଳେବର ହେଉଛି ସେ ନେଇ ଦଳ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ତେବେ ବୁଥ୍ କମିଟି ମାଧ୍ୟମରେ ଦଳ ନିଜର ଭୋଟବ୍ୟାଙ୍କ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

ବୁଥକମିଟି ଗୁଡ଼ିକ ମାଧ୍ୟମରେ ବିଜେପି ଗତ ୨୦୧୭ ପଂଚାୟତ ନିର୍ବାଚନରେ ସଫଳ ହୋଇଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନରେ ନିଜର ଭୋଟ ହାରକୁ ୩୨.୮୫ପ୍ରତିଶତକୁ ବୃଦ୍ଧି କରିପାରିଥିଲା । ବିଜେପି ରାଜ୍ୟରେ ୨୦୧୪ ନିର୍ବାଚନରେ ମାତ୍ର ୧୮ ପ୍ରତିଶତ ଭୋଟ୍ ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos