‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବିକ୍ରି ହେଉଛି ଚୋରା ପିଡିଏସ୍ ଚାଉଳ : କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଲ ମାଲିକ ଓ ରାଜ୍ୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚୋରା ପିଡିଏସ ଚାଉଳ ବଜାରରେ ‘ଶ୍ରୀ ଓମ୍‌’ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ରାଣ୍ଡରେ ଯେଉଁ ଚାଉଳ ବିକ୍ରି ହେଉଛି ତାହା ପିଡିଏସ୍ ଚାଉଳ ବୋଲି ଚର୍ଚ୍ଚା ହେଉଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି। ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ‘ଶ୍ରୀ […]

Manas-choudhury

Ordigital Desk
  • Published: Wednesday, 16 June 2021
  • , Updated: 16 June 2021, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଲ ମାଲିକ ଓ ରାଜ୍ୟ ଯୋଗାଣ ବିଭାଗର ମଧୁଚନ୍ଦ୍ରିକାରେ ଚୋରା ପିଡିଏସ ଚାଉଳ ବଜାରରେ ‘ଶ୍ରୀ ଓମ୍‌’ ବ୍ରାଣ୍ଡ ନାଁରେ ବିକ୍ରି ହେଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ରାଣ୍ଡରେ ଯେଉଁ ଚାଉଳ ବିକ୍ରି ହେଉଛି ତାହା ପିଡିଏସ୍ ଚାଉଳ ବୋଲି ଚର୍ଚ୍ଚା ହେଉଥିବା କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି।

ଶ୍ରୀ ଚୌଧୁରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାର ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ବଜାରରେ ଯେଉଁ ଚାଉଳ ମିଳୁଛି ସେହି ଚାଉଳ ପ୍ୟାକେଟରେ କୌଣସି ସଂସ୍ଥାର ଠିକଣା ଉଲ୍ଲେଖ ନାହିଁ, ପ୍ୟାକେଟ୍ ପ୍ରସ୍ତୁତି ତାରିଖ ଓ ବ୍ୟାଚ ନମ୍ବର ଦର୍ଶାଯାଇ ନାହିଁ। କମ୍ପାନୀର ଜିଏଏସଟି ନମ୍ବର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଲାଇସେନ୍ସ ନମ୍ବର, ଭାରତ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ମାନ ନିର୍ଦ୍ଧାରଣ ନିଶ୍ଚତ ରୂପେ ସ୍ଥାନିତ ହେବା କଥା। ମାତ୍ର କ’ଣ ପାଇଁ ଏହି ପ୍ୟାକେଟ୍ ଉପରେ ତାହା ରଖାଯାଇ ନାହିଁ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ପିଡିଏସ ଚାଉଳକୁ ଚୋରାରେ ବିକ୍ରି କରାଯାଉଛି ବୋଲି ସୁନ୍ଦରଗଡ଼ ଜିଲ୍ଲାରେ ଛକ ବଜାରରେ ଆଲୋଚନା ହେଉଛି।

ସଂପୃକ୍ତ ଜିଲ୍ଲାର କିଛି ମିଲ ମାଲିକମାନେ ବଜାରକୁ ଏହି ଚାଉଳ ପଠାଇଛନ୍ତି ବୋଲି ଜଣାପଡ଼ିଛି। ଯୋଗାଣ ବିଭାଗରେ ମାସିକ ୩ ହଜାର କ୍ୱିଣ୍ଟାଲ ପିଡିଏସ୍ ଚାଉଳ ଦୁର୍ନୀତି ହେଉଥିବାର ଯେଉଁ ଅଭିଯୋଗ ହେଉଛି ଏହି ଚାଉଳ ସେଥିରେ ଅନ୍ତର୍ଭୁକ୍ତ ରହିଛି। ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ଚାଉଳ ବିକୁଥିବା ଦୋକାନୀମାନେ ନିର୍ଦ୍ଦିଷ୍ଟ ମିଲର୍ସମାନଙ୍କର ଠିକଣା ହିଁ କହିପାରିବେ।

ଶ୍ରୀ ଚୌଧୁରୀ କହିଛନ୍ତି ଯେ, ରାଜ୍ୟ ସରକାର ପିଡିଏସ ଚାଉଳ ପେଷିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ୧୬ଟି ରାଇସ ମିଲକୁ ଅନୁମତି ଦେଇଛନ୍ତି। ଏହି ରାଇସ ମିଲ୍‌ର ପ୍ରତିଷ୍ଠା ପାଇଁ ସରକାର ୫୦ ପ୍ରତିଶତ ଅର୍ଥ ଛାଡ଼ ମଧ୍ୟ ଦେଇଛନ୍ତି। ଏଥିପାଇଁ ମିଲ୍ ମାଲିକମାନେ କେବଳ ରାଜ୍ୟ ସରକାରଙ୍କ ଧାନ ପେଷେଇବେ ବୋଲି ସର୍ତ୍ତ ରହିଛି। ବାହାର ଧାନକୁ ପେଷେଇବା ପାଇଁ ଅନୁମତି ନାହିଁ। ମାତ୍ର ଏହି ମିଲ ମାଲିକମାନେ ଦଲାଲମାନଙ୍କ ସହାୟତାରେ ଧାନ କିଣି ପେଷାଉଛନ୍ତି।

ସରକାରୀ କଟକଣା ଭିତରେ ଧାନ ବିକ୍ରି କରିପାରୁନଥିବା ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଦଲାଲଙ୍କ ମାଧ୍ୟମରେ କିଣୁଛନ୍ତି। ସେହି ଧାନର ଚାଉଳ ଏବଂ ପିଡିଏସ ଚାଉଳକୁ ମିଶାଇ ଅସାଧୁ ମିଲ ମାଲିକ ‘ଶ୍ରୀ ଓମ୍‌’ ବ୍ରାଣ୍ଡରେ ଚାଉଳ ବିକୁଛନ୍ତି ବୋଲି ସୁନ୍ଦରଗଡ଼ ଜିଲ୍ଲା ହାଟବଜାରରେ ଆଲୋଚନା ହେଉଛି । ଯୋଗାଣ ବିଭାଗକୁ ଅସାଧୁ ମିଲ ମାଲିକଙ୍କ କବଳରୁ ରକ୍ଷା କରାଯାଉ। ଯୋଗାଣମନ୍ତ୍ରୀ ନିଜ ବିଭାଗର ସ୍ୱଚ୍ଛତା ପ୍ରତିପାଦନ କରିବା ପାଇଁ ତୁରନ୍ତ ମିଲ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ସାଧାରଣ ଲୋକଙ୍କୁ ଦିଆଯାଉଥିବା ପିଡିଏସ୍ ଚାଉଳ ଖାଇବା ଯୋଗ୍ୟ ନୁହେଁ, ଏହା ପଶୁଖାଦ୍ୟ ବୋଲି କଂଗ୍ରେସ ଅଭିଯୋଗ କରି ଆନ୍ଦୋଳନକୁ ମଧ୍ୟ ଓହ୍ଲାଇଥିଲା ।

Related story