ବିଜେପି ଓ କଂଗ୍ରେସର ଦାବି: ଅର୍ଚ୍ଚନା ମାମଲାରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ଲାକ୍‌ମେଲର ଅର୍ଚ୍ଚନ ନାଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ ବୋଲି ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଏହି ପ୍ରସଙ୍ଗରେ ରବିବାର ଉଭୟ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅର୍ଚ୍ଚନା ନାଗ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହି କଳଙ୍କିତ ଅଧ୍ୟାୟ ପାଇଁ ନବୀନ ସରକାର ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଆହୁରି ସନ୍ଦେହ ସୃଷ୍ଟି […]

Naveen

  • Published: Sunday, 30 October 2022
  • , Updated: 30 October 2022, 02:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବ୍ଲାକ୍‌ମେଲର ଅର୍ଚ୍ଚନ ନାଗ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ ବୋଲି ଦାବି କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ଏହି ପ୍ରସଙ୍ଗରେ ରବିବାର ଉଭୟ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି।

ପିସିସି ସଭାପତି ଶରତ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଅର୍ଚ୍ଚନା ନାଗ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହି କଳଙ୍କିତ ଅଧ୍ୟାୟ ପାଇଁ ନବୀନ ସରକାର ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଆହୁରି ସନ୍ଦେହ ସୃଷ୍ଟି କରୁଛି। ଏଥିରେ ବଡ଼ ବଡ଼ ନେତାଙ୍କ ସଂପୃକ୍ତି ଥିବା ନେଇ ତଥ୍ୟ ଥିଲେ ମଧ୍ୟ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି। ଓଡ଼ିଶା ସାରା ଦେଶରେ ବଦନାମ ହେଉଛି। ମୁଖ୍ୟମନ୍ତ୍ରୀ ନିରବତା ଭଙ୍ଗ କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି।

ସେହିଭଳି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମାନ୍ତସିଂହାର କହିଛନ୍ତି, ୨୨ ବର୍ଷ ଧରି ଶାସନ କରୁଥିବା ବିଜେଡି ମୁଖିଆ ସବୁ ଦେଖି କିଛି ନ ଦେଖିଲା ଭଳିଆ ନାଟକ କରୁଛନ୍ତି। ସେ କେଉଁଦିନ ଚେତିବେ ଓ ଆକ୍ସନ ନେବେ।

ସେ ଆହୁରି କହିଛନ୍ତି, ବିଜେପି ଚାହୁଁଛି, ମୁଖ୍ୟମନ୍ତ୍ରୀ ଏ ମାମଲାରେ ମୁହଁ ଖୋଲନ୍ତୁ। କେସ୍‌କୁ ସିବିଆଇକୁ ହସ୍ତାନ୍ତର କରନ୍ତୁ। ସବୁ ସତର ଖୁଲାସା ହେବ। କ’ଣ ପାଇଁ ବିଜେଡି ଡରୁଛି? କାହାକୁ ଡରୁଛି? କାହାକୁ ଘଣ୍ଟ ଘୋଡ଼ାଉଛି? ଏସବୁର ଖୁଲାସା ହେବ ।

ଲେଖାଶ୍ରୀ କହିଛନ୍ତି, ଅର୍ଚ୍ଚନା ନାଗ କେଳେଙ୍କାରୀରେ ବିଜେଡି ନେତା ସମ୍ପୃକ୍ତ ରହିଛନ୍ତି । ଏହାକୁ ନେଇ ଆସନ୍ତାକାଲି ବିଜେପି ନବୀନ ନିବାସ ଘେରାଉ କରିବ। ସରକାର ଜାଣିଶୁଣି ଦୋଷୀମାନଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ସବୁ ଅପରାଧୀ ବିଜୁ ଜନତା ଦଳରେ ସାମିଲ ଅଛନ୍ତି। ସମସ୍ତଙ୍କର ଖୁଲାସା ହେଉ ବୋଲି ଦାବି କରିଛନ୍ତି ଲେଖାଶ୍ରୀ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ଏବେ ରାଜ୍ୟରେ ଏକ ଉପନିର୍ବାଚନ ଥିବା ବେଳେ ରାଷ୍ଟ୍ରୀୟ ଦଳଗୁଡ଼ିକ ପାଖରେ କୌଣସି ଷ୍ଟେଟ ଇସ୍ୟୁ ନାହିଁ। ସେମାନଙ୍କ ପାଖରେ କୌଣସି ଆଭିମୁଖ୍ୟ ନାହିଁ କି ବଖଣିବା ଲାଗି ସଫଳତା ନାହିଁ। ତେଣୁ ସେମାନେ ଏମିତି ପ୍ରସଙ୍ଗକୁ ଧରିଛନ୍ତି ଓ ଆଗକୁ ପୋଛି ହେଇ ହେଇ ଯାଉଛନ୍ତି। ଅର୍ଚ୍ଚନା କେସରେ ନା ତଥ୍ୟ ଅଛି ନା ସତ୍ୟତା ଅଛି। ସମୟ ଆସିଲେ ସତ କ’ଣ ପ୍ରମାଣିତ ହୋଇଯିବ। ପୁଲିସ ତଦନ୍ତ କରୁଛି, ଯିଏ ଦୋଷୀ ଦଣ୍ଡ ପାଇବ।

Related story