ଭର୍ତ୍ତୃହରିଙ୍କୁ ଅପମାନିତ ପାଇଁ ଷଡ଼ଯନ୍ତ୍ର ଆରମ୍ଭ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସର୍ବସାଧାରଣରେ ଅପମାନିତ କରିବା ନିମନ୍ତେ ତାଙ୍କ ନିଜ ଦଳ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଗତକାଲି ରାଜ୍ୟସଭା ସାଂସଦ ସୁବାସ ସିଂ ଓ ଆଜି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମୁହଁରେ ଭର୍ତ୍ତୃହରି ମିଛ କହୁଛନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଟିକେଟ୍ ନଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ପ୍ରଭାବଶାଳୀ ଗୋଷ୍ଠୀ ସେବେଠୁ […]

mahtab

Ranjit Kumar Jena
  • Published: Wednesday, 27 January 2021
  • , Updated: 27 January 2021, 10:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ନେତା ତଥା ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସର୍ବସାଧାରଣରେ ଅପମାନିତ କରିବା ନିମନ୍ତେ ତାଙ୍କ ନିଜ ଦଳ ବିଜେଡି ପକ୍ଷରୁ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ଗତକାଲି ରାଜ୍ୟସଭା ସାଂସଦ ସୁବାସ ସିଂ ଓ ଆଜି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମୁହଁରେ ଭର୍ତ୍ତୃହରି ମିଛ କହୁଛନ୍ତି ବୋଲି ଦର୍ଶାଇବାକୁ ଉଦ୍ୟମ ହୋଇଛି। ୨୦୧୯ ସାଧାରଣ ନିର୍ବାଚନରେ ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନରୁ ଟିକେଟ୍ ନଦେବା ପାଇଁ ଷଡ଼ଯନ୍ତ୍ର କରିଥିବା ପ୍ରଭାବଶାଳୀ ଗୋଷ୍ଠୀ ସେବେଠୁ ତାଙ୍କୁ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିବାରେ ସକ୍ଷମ ହୋଇଛି। ଏବେ ଭର୍ତ୍ତୃହରିଙ୍କ ବିରୁଦ୍ଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଜେଡିର ଏହି ପ୍ରଭାବଶାଳୀ ଗୋଷ୍ଠୀ ସଜବାଜ ହେବା ସହ ତାଙ୍କୁ ଅପମାନିତ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ଲୋକ କିମ୍ବା ଜନପ୍ରତିନିଧିଙ୍କ ସହ ପରାମର୍ଶ ନକରି କଟକର ଖାନନଗରରେ ନେତାଜୀ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରାଯାଇଥିବାରୁ ଶ୍ରୀ ମହତାବ ଗଣମାଧ୍ୟମ ଜରିଆରେ ନାପସନ୍ଦ କରିବାପରେ ଏବେ ବିଜେଡି ପ୍ରତିହିଂସାପରାୟଣ ହୋଇପଡ଼ିଛି। ନିଜ ଦଳର ସାଂସଦ ତଥା ବରିଷ୍ଠ ନେତା ଶ୍ରୀ ମହତାବଙ୍କୁ ଅପମାନିତ କରିବାକୁ ସୁଚିନ୍ତିତ ଢଙ୍ଗରେ ପ୍ରୟାସ ଆରମ୍ଭ ହୋଇଛି।

ଗତକାଲି ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ମୁହଁରେ ମହତାବଙ୍କ ବୟାନକୁ କାଉଣ୍ଟର କରିଥିବା ବିଜେଡି ଆଜି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ଟର୍ମିନାଲ ସ୍ଥାପନ ବିଷୟରେ ସେ ଜଣେ ପୂର୍ବତନ ବିଧାୟକ ହୋଇ ଜାଣିପାରିଲେ, କିନ୍ତୁ ଜଣେ ସରକାରୀ ଦଳର ସାଂସଦ କିପରି ଜାଣିପାରିଲେ ନାହିଁ ବୋଲି ଦେବାଶୀଷ ପ୍ରଶ୍ନ କରିଛନ୍ତି। ସାଂସଦଙ୍କୁ ବସ୍ ଟର୍ମିନାଲ ପ୍ରସଙ୍ଗରେ ଜିଲ୍ଲାପାଳ ଅବଗତ କରିଥିଲେ ବୋଲି ଦେବାଶୀଷ କହିଥିବାବେଳେ ଭର୍ତ୍ତୃହରି ଏହା ଉପରେ ପାଲଟା ମତ ରଖିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହତାବ କହିଛନ୍ତି ଯେ, ଦେବାଶିଷ କ’ଣ କହିଛନ୍ତି ସେ ଜାଣନ୍ତି ନାହିଁ। କିଏ କ’ଣ କହୁଛି ତା’ଉପରେ ସେ କିଛି କହିବାର ନାହିଁ। ସେ ଗତକାଲି ଯେଉଁ ପ୍ରଶ୍ନ ଉଠାଇଥିଲେ ତା’ର ଉତ୍ତର ପ୍ରଶାସନ କିମ୍ବା ସରକାର ଦେଇଥିଲେ ଅଧିକ ଭଲ ହୋଇଥାନ୍ତା। ଟର୍ମିନାଲ ସ୍ଥାପନ ନିଷ୍ପତ୍ତି ନିଆଯାଇଛି, କିନ୍ତୁ ତାଙ୍କ ସହ କେହି କୌଣସି ପ୍ରକାରର ଆଲୋଚନା କରିନାହାନ୍ତି । ଯଦି ଦେବାଶିଷ ସାମନ୍ତରାୟଙ୍କ ସହ ଆଲୋଚନା ହୋଇଛି, ସେ ତାଙ୍କୁ ଅବଗତ କରିବା କଥା। ବ୍ୟକ୍ତିଗତ ଭାବେ ସରକାରଙ୍କୁ ସମାଲୋଚନା କରିବା ତାଙ୍କର ଅଭିପ୍ରାୟ ନଥିଲା। କିମ୍ବା ସେ ଦଳବିରୋଧୀ କୌଣସି ମତ ଦେଇନାହାନ୍ତି ବୋଲି ଶ୍ରୀ ମହତାବ ଆଜି ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୯୮ ମସିହାରୁ ବିଜେଡି ଟିକେଟରେ କ୍ରମାଗତ ଭାବେ କଟକ ଲୋକସଭା ଆସନରୁ ବିଜୟୀ ହେଉଥିବା ବରିଷ୍ଠ ନେତା ଶ୍ରୀ ମହତାବ ପୂର୍ବରୁ ଲୋକସଭାରେ ବିଜେଡିର ସଂସଦୀୟ ଦଳ ନେତା ଭାବେ କାର୍ଯ୍ୟ କରିସାରିଛନ୍ତି। ମାତ୍ର ଦଳର ଏକ ପ୍ରଭାବଶାଳୀ ଗୋଷ୍ଠୀ ତାଙ୍କୁ ବିରୋଧ କରୁଥିବା ଯୋଗୁ ୨୦୧୯ ମସିହା ନିର୍ବାଚନବେଳେ ତାଙ୍କୁ ବିଜେଡି କଟକ ଆସନରୁ ପ୍ରାର୍ଥୀ କରିନପାରେ ବୋଲି ଚର୍ଚ୍ଚା ହୋଇଥିଲା। ଅବଶ୍ୟ ସେବେଠୁ ବିଜେଡି ତାଙ୍କୁ ସମ୍ପୂର୍ଣ୍ଣ ଅଲୋଡ଼ା କରି ରଖିଛି। ସାଂଗଠନିକ କାର୍ଯ୍ୟକ୍ରମଠୁ ଆରମ୍ଭ କରି ସଂସଦୀୟ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ଗୁରୁତ୍ୱହୀନ କରିଦେଇଛି। ଶ୍ରୀ ମହତାବ ନେତାଜୀ ବସ୍ ଟର୍ମିନାଲ ପ୍ରସଙ୍ଗରେ ମୁହଁ ଖୋଲିବା ପରେ ତାଙ୍କ ଦଳ ପକ୍ଷରୁ ଯେପରି ଭାବେ ତାଙ୍କୁ ଗଣମାଧ୍ୟମରେ ସମାଲୋଚନା ଚାଲିଛି, ତାକୁ ଆକଳନ କରି ସେ କୌଣସି ଦଳବିରୋଧୀ କାର୍ଯ୍ୟ କରିନାହାନ୍ତି ବୋଲି ନିଜଆଡ଼ୁ ବି ସ୍ପଷ୍ଟ କରିଦେଇଛନ୍ତି।

Related story