ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ଦାମ

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ଶେଷରେ ଅସ୍ତ୍ର ଛାଡ଼ି ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ରାଜନୈତିକ ମଇଦାନରେ ଆଉ ଯୁଦ୍ଧ କରିବେନି ବୋଲି କହିଛନ୍ତି। ଯେଉଁ ଦମ୍ଭ, ସାହସ ଓ ବିଜେଡି ବିରୋଧରେ ବିଷ ଓଗାଳି ବିଜେପିରେ ସାମିଲ ହୋଇଥିଲେ ତାହା ଆଜି ପାଣି ଫୋଟକା ଭଳି ମିଳେଇ ଯାଇଛି। ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ଗତ ନିର୍ବାଚନରେ ଦାମ ବାଲିକୁଦା-ଏରସମାରୁ ବିଜେପି ପକ୍ଷରୁ ଛିଡ଼ା ହୋଇ ପରାଜିତ ହେବା […]

4e

Tapas Behera
  • Published: Thursday, 03 October 2019
  • , Updated: 03 October 2019, 07:06 PM IST

ଭୁବନେଶ୍ୱର(ତାପସ ରଞ୍ଜନ ବେହେରା): ଶେଷରେ ଅସ୍ତ୍ର ଛାଡ଼ି ଦେଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ। ରାଜନୈତିକ ମଇଦାନରେ ଆଉ ଯୁଦ୍ଧ କରିବେନି ବୋଲି କହିଛନ୍ତି। ଯେଉଁ ଦମ୍ଭ, ସାହସ ଓ ବିଜେଡି ବିରୋଧରେ ବିଷ ଓଗାଳି ବିଜେପିରେ ସାମିଲ ହୋଇଥିଲେ ତାହା ଆଜି ପାଣି ଫୋଟକା ଭଳି ମିଳେଇ ଯାଇଛି। ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।

ଗତ ନିର୍ବାଚନରେ ଦାମ ବାଲିକୁଦା-ଏରସମାରୁ ବିଜେପି ପକ୍ଷରୁ ଛିଡ଼ା ହୋଇ ପରାଜିତ ହେବା ପରେ ଆଜିର ନିଷ୍ପତ୍ତି ଏକ ପ୍ରକାର ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିବା ଭଳି କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ ଯେଉଁ ପରାକ୍ରମ ଦେଖାଇ ଦାମ ପଦ୍ମପୋଖରୀକୁ ଡେଇଁଥିଲେ ସେ ଯେ, ଏତେ ଶୀଘ୍ର ପରାଜୟ ସ୍ୱୀକାର କରିନେବେ ତାହା ରାଜନୈତିକ ମହଲରେ ସହଜରେ ଗ୍ରହଣ କରି ହେଉନି।

ଅବଶ୍ୟ ଦାମଙ୍କ ଅମାନିଆ ତୁଣ୍ଡ ଏ ବିଷୟରେ ସବୁ ଗୁମର ଖୋଲିଦେଇଛି। ସେ କହିଛନ୍ତି ବିଜେପି ମତେ ଆଉ ପଚାରୁ ନାହିଁ। ନିର୍ବାଚନ ଲଢ଼ିବା ପାଇଁ ମୋର ବି ଆଉ ବଳ ବୟସ ନାହିଁ। ଅନ୍ୟପଟେ ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ୪୦ ଜଣିଆ ପ୍ରଚାର ତାଲିକାରେ ଦାମଙ୍କୁ ସାମିଲ କରାନଯିବାର ଅର୍ଥ ବି ବେଶ ସ୍ପଷ୍ଟ। ଏହାର ମାନେ ଦାମଙ୍କୁ ଆସେଟ ବୋଲି ଗ୍ରହଣ କରୁନି ବିଜେପି। ଦାମଙ୍କ ରାଜନୈତିକ କ୍ୟାରିୟରରେ ସବୁଠାରୁ ଅସ୍ତ୍ର ଥିଲା ତୁଣ୍ଡ। ଯାହାକୁ ବିଜେପି ବିଜେଡି ବିରୋଧରେ ଏକପ୍ରକାର ବ୍ରହ୍ମାସ୍ତ୍ର ବୋଲି ବିଚାର କରିଥିଲା। ହେଲେ ସେଇ ବ୍ରହ୍ମାସ୍ତ୍ର ଗତ ନିର୍ବାଚନରେ ତାଳ ଫୋଟକାକୁ ସରି ହେଲାନି। ତେଣୁ ଦଳରେ ଧୀରେ ଧୀରେ ସେ ଅପାଙ୍‌କ୍ତେୟ ହୋଇ ପଡ଼ିଲେ।

ତେବେ ଦାମଙ୍କୁ ବିଜେପି ଅଣଦେଖା କରିବାର ଗନ୍ଧକୁ ସେ କେବେଠାରୁ ବାରି ସାରିଲେଣି। ବିଭିନ୍ନ ରାଜନୈତିକ ସଭାକୁ ତାଙ୍କୁ ଡକା ନଯିବା, ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରାନଯିବା, ଦଳରେ ତାଙ୍କୁ ଅଲୋଡ଼ା କରାଯାଉ ଥିବା ସେ ବୁଝିନେଇଥିଲେ। ଏମିତି ପରିସ୍ଥିତି ହେଲା ଦାମ ରାଜନୀତିରୁ ସନ୍ନ୍ୟାସ ନେବା ଖବର ଉଡ଼ିଲା। ଯେଉଁଥି ପାଇଁ ଦାମ ବାଧ୍ୟ ହୋଇ କିଛି ଦିନ ତଳେ ସ୍ପଷ୍ଟୀକରଣ ରଖିଥିଲେ। କହିଥିଲେ ରାଜନୀତିରୁ ସନ୍ନ୍ୟାସ ଖବର ନେବା ମିଛ। ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ରାଜନୈତିକ ଏଭଳି ଏକ ବୃତ୍ତି ସେଥିରୁ କେହି ସନ୍ନ୍ୟାସ ନିଅନ୍ତି ନାହିଁ ବୋଲି ସେ କହିଥିଲେ। ଏହା କହି ଦଳରେ ଦାମ ଆକ୍ଟିଭ୍‌ ଥିବା ଇସାରା ଦେଇଥିଲେ। ଦିନେ ନବୀନଙ୍କ ଅସ୍ତିତ୍ୱ ହଜାଇ ଦେବା ନେଇ ଦାମ ଯେଉଁ ରଣହୁଙ୍କାର ଛାଡ଼ି ବିଜେପି ହାତ ଧରିଥିଲେ ଏବେ ସେଇ ଦଳରେ ନିଜର ଅସ୍ତିତ୍ୱ ପାଇଁ ଲଢ଼େଇ କରିବାକୁ ପଡ଼ିଲା। ତା’ପରେ ନିର୍ବାଚନ ପରେ ରାଜ୍ୟସଭା ନିର୍ବାଚନକୁ ନେଇ ହେଉ କିମ୍ବା ଧାରା ୩୭୦ ଅବା ଟ୍ରିପଲ ତଲାକ୍‌ ବିଲକୁ ନେଇ ବିଜେପି-ବିଜେଡି ମଧ୍ୟରେ ଯେଉଁ ମଧୁର ସମ୍ପର୍କ ସୃଷ୍ଟିହେଲା ସେଥିରେ ଦାମଙ୍କ ବିଭୀଷଣ କ୍ୟାରେକ୍ଟରଟା ଫେଲ ମାରିଗଲା। ତେଣୁ ପାଣ୍ଡିଆନ-ନବୀନଙ୍କ ଯୋଡ଼ିକୁ ନେଇ ଦାମ ଯେଉଁ ଦୁର୍ନୀତି ବିରୋଧୀ ବୋମା ସବୁ ଛାଡ଼ୁଥିଲେ ସେ ସବୁ ଫୁସ୍‌କି ଗଲା।

ଏହାରି ଭିତରେ ଦିନକୁ ଦିନ ଦାମଙ୍କ ମନ ଭାଙ୍ଗିଯାଉଥାଏ। ସମସ୍ତଙ୍କୁ ଜଣା ଦାମଙ୍କ ତୁଣ୍ଡ ତ’ ମାରଣା ଷଣ୍ଢ ଭଳି। ଯୁଆଡ଼େ ଇଚ୍ଛା ମାଡ଼ିଯିବ। ତେଣୁ କିଛି ଦିନ ପରେ ଦାମ ଆଉ ନିଜକୁ ସମ୍ଭାଳିପାରିଲେ ନାହିଁ। ସିଧା ନିଜ ଦଳ ବିଜେପି ବିରୋଧରେ ଆରୋପ ଲଗାଇଲେ। କହିଲେ, ନିର୍ବାଚନରେ ଷ୍ଟାର୍‌ ପ୍ରଚାରକ କଲେ, ହେଲିକପ୍ଟରରେ ବୁଲାଇଲେ। ମୁଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କଲି। ନିର୍ବାଚନରେ ଲଢ଼ିଲି। ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଉନି। ଯେବେ ଦରକାର ପଡ଼େ ଖୋଜିବେ। ହେଲେ ଦଳୀୟ ଅଣଦେଖା ଓ କୋଣ ଠେସାକୁ ନେଇ ମନରେ ଯେତେ ଯାହା ରାଗରୁସା ଥିଲେ ବି ରାଜନୀତିରୁ ଆଶା କଣ ଏତେ ଶୀଘ୍ର କ’ଣ ମରିଯିବ।

ଆଗରୁ ଦାମ କହିଆସିଛନ୍ତି ‘ରାଜନୀତିରେ ବୟସ ବାଧକ ସାଜେ ନାହିଁ। ତେଣୁ ସେ ରାଜନୀତି ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। ତେଣୁ ଏତେ କ୍ଷୋଭ ଭିତରେ ଆଶା ଛାଡ଼ିନଥିଲେ ଦାମ। କହିଥିଲେ ଏବେ ସଦସ୍ୟ ସଂଗ୍ରହ ଅଭିଯାନ ସରିଛି। ମୋତେ କିଛି ଦାୟିତ୍ୱ ଦେଇପାରନ୍ତି। ହେଲେ ସେତକ ବି ହେଲା ନାହିଁ। ଆଉ ଆଜି ଯେତେବେଳେ ବିଜେପୁର ନିର୍ବାଚନ ନେଇ ବିଜେପି ପକ୍ଷରୁ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଆସିଲା ତାହା ଦେଖି ଦାମଙ୍କ ଦମ୍ଭ ଭାଙ୍ଗିଯାଇଛି।

Related story