Advertisment

ବାହାରିଲା କଂଗ୍ରେସର ପୁରୁଣା ରୋଗ: ନୂଆ ଟିମ୍‌କୁ ନେଇ ଚାପରେ ନିରଞ୍ଜନ, ପୁଣି ବଢ଼ିବ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର କସରତ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଢ଼ିଥିବା କମିଟିକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିର୍ବାଚନୀ ବର୍ଷରେ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ନିରଞ୍ଜନଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀର ନେତାମାନଙ୍କୁ ଥଇଥାନ ନିମନ୍ତେ ସେ କମିଟିର କଳେବର ବୃଦ୍ଧି ନିମନ୍ତେ ଯୋଜନା କରୁଥିବା ଜଣାପଡ଼ିଛି। ବିଶେଷକରି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଜନିତ ତିକ୍ତତାକୁ ପ୍ରଶମିତ କରିବା […]

ଅଦ୍ୟତନ ହୋଇଛି
ବାହାରିଲା କଂଗ୍ରେସର ପୁରୁଣା ରୋଗ: ନୂଆ ଟିମ୍‌କୁ ନେଇ ଚାପରେ ନିରଞ୍ଜନ, ପୁଣି ବଢ଼ିବ !

Cong

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘ ୪ ମାସର କସରତ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଢ଼ିଥିବା କମିଟିକୁ ନେଇ ଏବେ ଦଳ ଭିତରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

Advertisment

ନିର୍ବାଚନୀ ବର୍ଷରେ ଦଳ ଭିତରେ ବଢ଼ୁଥିବା ଅସନ୍ତୋଷ ନିରଞ୍ଜନଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ହୋଇଥିବାବେଳେ ଅନ୍ୟ ଗୋଷ୍ଠୀର ନେତାମାନଙ୍କୁ ଥଇଥାନ ନିମନ୍ତେ ସେ କମିଟିର କଳେବର ବୃଦ୍ଧି ନିମନ୍ତେ ଯୋଜନା କରୁଥିବା ଜଣାପଡ଼ିଛି।

ବିଶେଷକରି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଜନିତ ତିକ୍ତତାକୁ ପ୍ରଶମିତ କରିବା ପାଇଁ ସମ୍ପାଦକ ପଦବୀକୁ ୯୯ରୁ ୧୫୦କୁ ବୃଦ୍ଧି କରିବା ଉପରେ ବିଚାରବିମର୍ଶ ଚାଲିଥିବା ପିସିସି ସୂତ୍ରରୁ ସୂଚନା ମିଳିଛି।

Advertisment

ନିରଞ୍ଜନଙ୍କ ନୂଆ ଟିମକୁ ନେଇ ଦଳର ବରିଷ୍ଠ ନେତା ସୁରେଶ ରାଉତରାୟ, ଶରତ ରାଉତ, ସଂଗ୍ରାମ ଜେନା (ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବକଂଗ୍ରେସ ସଭାପତି)ଙ୍କ ଭଳି ନେତାମାନେ ପ୍ରଶ୍ନ ଉଠାଇବା ପରେ ଅସନ୍ତୋଷକୁ ପ୍ରଶମିତ କରିବାକୁ ତାଳିପକା ଉଦ୍ୟମ ଆରମ୍ଭ ହୋଇଛି।

ପିସିସି କମିଟି ସହ ଦଳର କୋର କମିଟି, ନିର୍ବାଚନୀ କମିଟି, ଶୃଙ୍ଖଳା କମିଟି ଓ ପ୍ରଚାର କମିଟିର ଆକାରକୁ ବିଶାଳ କରାଯାଇଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ନେତାଙ୍କୁ ଏସବୁରୁ ଦୂରେଇ ରଖାଯାଇଥିବା ଜଣାପଡ଼ିଛି।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ନିର୍ବାଚନୀ ବର୍ଷରେ ଗୁରୁତ୍ୱ ବହନ କରୁଥିବା ପ୍ରଦେଶ ନିର୍ବାଚନ କମିଟିରେ ଜୟଦେବ ଜେନା, ଶରତ ରାଉତ, ଶ୍ରୀକାନ୍ତ ଜେନା , ଚିନ୍ମୟ ଦାସ, ସୁରେଶ ରାଉତରାୟଙ୍କ ଭଳି ବରିଷ୍ଠ ନେତାମାନଙ୍କୁ ସାମିଲ କରାଯାଇନାହିଁ ।

ସେହିପରି ଦଳର ଶୃଙ୍ଖଳା କମିଟିକୁ ପିସିସି ସଭାପତି ପରୋକ୍ଷରେ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ନିରଞ୍ଜନ କେବଳ ନିଜର ସମସ୍ତ ସମର୍ଥକଙ୍କୁ ସେଥିରେ ସାମିଲ କରିଛନ୍ତି ବୋଲି ଅଭିଯୋଗ ଉଠିଛି। ହେମାନନ୍ଦ ବିଶ୍ୱାଳଙ୍କୁ ଛାଡ଼ିଦେଲେ ବାକି ସମସ୍ତ ସଦସ୍ୟ ନିରଞ୍ଜନଙ୍କ ଅନୁଗତ ବୋଲି କୁହାଯାଉଛି। ନିର୍ବାଚନୀ ବର୍ଷରେ କୌଣସି ନେତା ସ୍ୱର ଉଠାଇଲେ ତାଙ୍କ ବିରୋଧରେ ଏହି କମିଟି ମାଧ୍ୟମରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାର ବିକଳ୍ପକୁ ସେ ଉନ୍ମୁକ୍ତ ରଖିଥିବା ବିଶ୍ଵାସ କରାଯାଉଛି।

ନିରଞ୍ଜନଙ୍କ ଏହି ଟିମ୍ ସମ୍ପର୍କରେ ପ୍ରତିକ୍ରିୟା ରଖି ପିସିସିର ପୂର୍ବତନ ସମ୍ପାଦକ ଚିନ୍ମୟ ଦାସ କହିଛନ୍ତି ଯେ, କମିଟିରେ ଅନେକ ଯୋଗ୍ୟ ନେତାଙ୍କୁ ବାଦ୍ ଦିଆଯାଇଛି। କମିଟିକୁ ନେଇ ଅସନ୍ତୋଷ ରହିଛି। ଏଥିପାଇଁ ଆସନ୍ତା ୨୦ ତାରିଖରେ ନେତାମାନେ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ଓ ପ୍ରତିବାଦ ସ୍ୱରୂପ ପିସିସି କାର୍ଯ୍ୟାଳୟରେ ଧାରଣାରେ ବସିବେ।

ସେହିପରି ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା କହିଛନ୍ତି ଯେ ପ୍ରସାଦ ହରିଚନ୍ଦନଙ୍କ ଟିମ୍ ବଡ଼ ହୋଇଯିବାରୁ ତା’ଉପରେ ବାର୍ତ୍ତମାନର ସଭାପତି ପ୍ରଶ୍ନ ଉଠାଇଥିଲେ। ବହୁ ଲୋକରେ ମୂଷା ମରେନି ବୋଲି କହିଥିବା ନିରଞ୍ଜନ ପଟ୍ଟନାୟକ ଏବେ ଏତେ ବଡ଼ କମିଟି କଲେ କେମିତି ବୋଲି ସେ ପ୍ରଶ୍ନ କରିବା ସଙ୍ଗେ ସଙ୍ଗେ ଯୋଗ୍ୟତା ଓ ସଂଗଠନ ଆଧାରରେ କମିଟି ସଦସ୍ୟ ଚୟନ କରାଯାଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି।

ଅପରପକ୍ଷରେ ନିରଞ୍ଜନଙ୍କ ସମର୍ଥକ ଗୋଷ୍ଠୀର ନେତା ଅନନ୍ତ ପ୍ରସାଦ ସେଠୀ କହିଛନ୍ତି, ‘ନିର୍ବାଚନୀ ବର୍ଷରେ ଏଭଳି ଏକ ବୃହତ୍ ଟିମର ଆବଶ୍ୟକତା ପଡ଼ିବା ସ୍ୱାଭାବିକ। ସବୁ ନେତାଙ୍କୁ ତ କମିଟିରେ ସାମିଲ କରିହେବ ନାହିଁ।’

ତେବେ ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପିସିସି କମିଟିରେ ଆଉ କିଛି ସମ୍ପାଦକଙ୍କୁ ନିଯୁକ୍ତି ଦେବାକୁ ଯୋଜନା ଚାଲିଛି । ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ଜଣେ ଲେଖାଏ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯିବ। ଯାହାଫଳରେ ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନା କାର୍ଯ୍ୟକ୍ରମ ସହଜ ହୋଇପାରିବ। ଖୁବଶୀଘ୍ର ଏନେଇ କେନ୍ଦ୍ରୀୟ ନେତାଙ୍କ ଅନୁମୋଦନ ନିଆଯିବ।

ତେବେ ପିସିସି କମିଟିକୁ ନେଇ ବଢ଼ୁଥିବା ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ନିରଞ୍ଜନ ଏବେ ପ୍ରସାଦଙ୍କ ଟିମରେ ଥିବା କିଛି ନେତାଙ୍କ ସମେତ ଅନ୍ୟ ଦୁଇଟି ଗୋଷ୍ଠୀର ନେତାମାନଙ୍କୁ ସାମିଲ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଦଳରେ ଏଭଳି ପରିଚାଳନା ଉପରେ ପ୍ରଶ୍ନ ଉଠାଇ ଯୁବ କଂଗ୍ରେସ ସମ୍ପାଦକ ଅଭିଳାଷ ମାଣିଆ ଗତକାଲି ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳର ବରିଷ୍ଠ ନେତାମାନେ ନିଜସ୍ୱ ଫାଇଦା ପାଇଁ ସାଂଗଠନିକ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିବାକୁ ବିରୋଧ କରି ଶ୍ରୀ ମାଣିଆ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe