ଇ-ବୁକ୍ ଉନ୍ମୋଚନ: ନବରଙ୍ଗପୁରରେ ସମୀର ଓ ଗଞ୍ଜାମରେ ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ବିଜେପି କର୍ମକର୍ତ୍ତାମାନଙ୍କ ସେବାମୂଳକ କାର୍ଯ୍ୟକୁ ନେଇ ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାରେ ‘ସେବା ହିଁ ସଂଗଠନ’ ଇ-ବୁକ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନବରଙ୍ଗପୁର ଜିଲ୍ଲାର ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଞ୍ଜାମ ଜିଲ୍ଲାର ଇ-ବୁକକୁ ଉନ୍ମୋଚନ କରିଥିଲେ। ୱେବିନାର ମାଧ୍ୟମରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ସେବା ହିଁ ସଂଗଠନ’କୁ ମୂଳମନ୍ତ୍ର […]

sameer

Manoranjan Sial
  • Published: Monday, 07 September 2020
  • , Updated: 07 September 2020, 06:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଓ ସଟ୍‌ଡାଉନ ସମୟରେ ବିଜେପି କର୍ମକର୍ତ୍ତାମାନଙ୍କ ସେବାମୂଳକ କାର୍ଯ୍ୟକୁ ନେଇ ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାରେ ‘ସେବା ହିଁ ସଂଗଠନ’ ଇ-ବୁକ୍ ପ୍ରସ୍ତୁତ ହୋଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନବରଙ୍ଗପୁର ଜିଲ୍ଲାର ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଞ୍ଜାମ ଜିଲ୍ଲାର ଇ-ବୁକକୁ ଉନ୍ମୋଚନ କରିଥିଲେ।

ୱେବିନାର ମାଧ୍ୟମରେ ଆୟୋଜିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ସେବା ହିଁ ସଂଗଠନ’କୁ ମୂଳମନ୍ତ୍ର କରି କାର୍ଯ୍ୟ କରୁଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ମହାନ୍ତି କହିଥିଲେ। ସେହିପରି କରୋନା ମହାମାରୀବେଳେ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରର ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ଆଲୋକପାତ କରିଥିଲେ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ବିଚାରରେ ଅନୁପ୍ରାଣିତ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଆହ୍ୱାନକ୍ରମେ ବିଜେପି କର୍ମକର୍ତ୍ତାମାନେ ଭାରତୀୟ ପରମ୍ପରା ‘ନର ସେବା - ନାରାୟଣ ସେବା'କୁ ସମ୍ମାନ ଜଣାଇ ମହାମାରୀ କରୋନା ଭୂତାଣୁଜନିତ ଲକ୍‌ଡାଉନ ସମୟରେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ଅଂଚଳରେ ବାସ କରୁଥିବା ଗରିବ, ଦିନମଜୁରିଆ, ଦୁଖୀଜନଙ୍କୁ ସେମାନଙ୍କ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ଔଷଧ, ମାସ୍କ ଆଦି ନିତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟକୁ ଏହି ଇ-ବୁକ୍ ରେ ସ୍ଥାନିତ କରାଯାଇଛି।

‘ସେବା ହିଁ ସଂଗଠନ'କୁ ଅଧାର କରି ବିଜେପି କର୍ମୀମାନେ ସାମାଜିକ ଦୁରତ୍ୱ ବଜାୟ ରଖି 'ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା' କାର୍ଯ୍ୟକ୍ରମ; ପିଏମ କେୟାର୍ସକୁ ମୁକ୍ତ ହସ୍ତରେ ଦାନ କରିବା, ଆରୋଗ୍ୟ ସେତୁ ଆପକୁ ବ୍ୟବହାର କରି ନିଜେ ସୁରକ୍ଷିତ ରହିବା ଏବଂ କରୋନା ସଂଗ୍ରାମ ସହ ଲଢେଇ କରୁଥିବା ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫ, ପୁଲିସ କର୍ମଚାରୀ, ସଫେଇ କର୍ମଚାରୀ, ବ୍ୟାଙ୍କ ଓ ପୋଷ୍ଟାଲ କର୍ମଚାରୀଙ୍କ ସମେତ ସରକାରୀ କର୍ମଚାରୀମାନଙ୍କୁ ପତ୍ର ମାଧ୍ୟମରେ ଧନ୍ୟବାଦ ଦେବା ଆଦି କାର୍ଯ୍ୟ ନିଷ୍ଠାର ସହ ଦାୟିତ୍ୱ ସଂପାଦନା କରିଥିଲେ। ରାଜ୍ୟ ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ, ରାଜ୍ୟର ବରିଷ୍ଠ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟର ସଂପାଦନା କରାଯାଇ ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା। ଏ ସମସ୍ତ କାର୍ଯ୍ୟକୁ ନେଇ ଜିଲ୍ଲାସ୍ତରରେ ଇ-ବୁକ୍ ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଓ ବଳଭଦ୍ର ମାଝୀ, ଲେଖାଶ୍ରୀ ସାମନ୍ତସିଂହାର, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଆଦିତ୍ୟ ମାଢୀ ଓ ମୁକେଶ ମହାଲିଙ୍ଗ, ଗଂଜାମ ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ନବରଙ୍ଗପୁର ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀଙ୍କ ସମେତ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ପ୍ରମୁଖ ନେତୃବୃନ୍ଦ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related story