ବିଜେଡି କରିବ ଆନ୍ଦୋଳନ, ବିଜେପି କହିଲା- ସବୁ ନାଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଏବେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଲଗାତାର ବିକ୍ଷୋଭ ଓ ପ୍ରତିବାଦ କରୁଥିବା ବେଳେ ବିଜେଡି ପକ୍ଷରୁ ଏଥିରୁ ଲୋକଙ୍କ ନଜର ହଟାଇବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଦଳ ତୈଳ ଦରକୁ ଅସ୍ତ୍ର କରିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ଏହାର ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ […]

Golaka Mohapatra

Jitendra Garnayak
  • Published: Saturday, 30 October 2021
  • , Updated: 30 October 2021, 04:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ଏବେ ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବାକୁ ଲଗାତାର ବିକ୍ଷୋଭ ଓ ପ୍ରତିବାଦ କରୁଥିବା ବେଳେ ବିଜେଡି ପକ୍ଷରୁ ଏଥିରୁ ଲୋକଙ୍କ ନଜର ହଟାଇବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଦଳ ତୈଳ ଦରକୁ ଅସ୍ତ୍ର କରିଛି।

ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ଏହାର ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ତା’ ସହିତ ନଭେମ୍ବର ପହିଲାରୁ ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ଦଳ ଆନ୍ଦୋଳନ କରିବ। ତେବେ ଏହା ବିଜେଡିର ଏକ ନାଟକ ବୋଲି କହିଛି ବିଜେପି।

ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ଯେ ବିଜେଡି ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ନୂଆ ନୂଆ ନାଟକ କରୁଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅପରାଧକୁ ଘଣ୍ଟ ଘୋଡ଼ାଇବାକୁ ତୈଳ ଦର ବିରୋଧରେ ପ୍ରତିବାଦ ମଧ୍ୟ ବିଜେଡିର ଏକ ନାଟକ।

ସେ କହିଛନ୍ତି, ତେଲକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା ନେଇ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାର ଚୁପ୍ ବସିଲେ। ଏବେ ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୩୯ ଟଙ୍କା ଟିକସ ପାଉଛନ୍ତି। ସେହି ଟିକସକୁ କାଟି ଦିଅନ୍ତୁ। ପେଟ୍ରୋଲ ସର ୭୦ ଟଙ୍କା ହୋଇଯିବ।

ଗୋଲକ ମହାପାତ୍ର ଆହୁରି କହିଛନ୍ତି ଯେ ରାଜ୍ୟରେ ପନିପରିବା ଓ ଅନ୍ୟ ସାମଗ୍ରୀର ଦର ବଢୁଛି। ତା’ ପାଇଁ ଦାୟୀ କିଏ?

ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ତୈଳ ସହିତ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରାଯିବ। ଏଥିରେ ଦଳର ମହିଳା ଓ ଯୁବ, ଛାତ୍ର ଶାଖା ସାମିଲ ହେବ। ୫ରୁ ୭ ତାରିଖ ଯାଏଁ ଦଳର ଯୁବ ଓ ଛାତ୍ର ଶାଖା ପକ୍ଷରୁ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରାଯିବ। ଆଜି ଏନେଇ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଦେବ ପ୍ରମୁଖ ଉପସ୍ଥିତ ଥିଲେ।

Related story