ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସରଙ୍କ ବିରୋଧରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ କଳକୁ ଅପବ୍ୟବହାର କରି ପିପିଲି ଉପନିର୍ବାଚନକୁ ହାତେଇବାକୁ ଶାସକ ବିଜେଡି ଉଦ୍ୟମ କରୁଛି। ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ଅବିନାଶ ରଥ ଏବେ ଶାସକ ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଆଜି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ […]

BJP

Ordigital Desk
  • Published: Tuesday, 30 March 2021
  • , Updated: 30 March 2021, 09:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ କଳକୁ ଅପବ୍ୟବହାର କରି ପିପିଲି ଉପନିର୍ବାଚନକୁ ହାତେଇବାକୁ ଶାସକ ବିଜେଡି ଉଦ୍ୟମ କରୁଛି। ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ଅବିନାଶ ରଥ ଏବେ ଶାସକ ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଆଜି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ସୁନିଶ୍ଚିତ କରାଇବାକୁ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ସରକାରୀ କଳର ଅପବ୍ୟବହାର, ଭୋଟରଙ୍କୁ ଧମକ ଦେବା ଏବଂ ପ୍ରିଜାଇଡିଂ ଅଫିସରଙ୍କୁ ଲଗାଇ ପୋଷ୍ଟାଲ ବାଲାଟରେ ଦଳ ସପକ୍ଷରେ ଭୋଟ କରାଇବା ଆଦି କାର୍ଯ୍ୟ କରି ବିଜେଡି ରାଜ୍ୟରେ ହେଉଥିବା ସମସ୍ତ ନିର୍ବାଚନକୁ ଜିତିବା ପାଇଁ କାର୍ଯ୍ୟ କରୁଛି। ସେହି ସମାନ ଢଙ୍ଗରେ ପିପିଲି ଉପନିର୍ବାଚନ ଜିତିବା ପାଇଁ ବିଜେଡି ଏବେ ସରକାରୀ କଳକୁ ଅପବ୍ୟବହାର କରିବା ଆରମ୍ଭ କରିଛି।

ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନଚାର୍ଜ ଡାକ୍ତର ଅବିନାଶ ରଥ ନିଜ ସୋଶାଲ୍‌ ମିଡିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଆରମ୍ଭ କରିଛନ୍ତି, ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ ଏବଂ ଲୋକ ପ୍ରତିନିଧିତ୍ୱ ଆଇନ,୧୯୫୧ ଅନୁଯାୟୀ ସଂପୂର୍ଣ୍ଣରୂପେ ବେନିୟମ ଏବଂ ବେଆଇନ ବୋଲି କହିଛି ବିଜେପି।

ରାଜ୍ୟ ନିର୍ବାଚନ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ଏଭଳି ବେଆଇନ ଘଟଣାରେ ସଂପୃକ୍ତ ଥିବା ମେଡିକାଲ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି। ଏହି ସମସ୍ତ ବେଆଇନ କାର୍ଯ୍ୟର ସମସ୍ତ ତଥ୍ୟ ପ୍ରମାଣ ସହ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରତିନିଧି ଦଳ ପ୍ରଦାନ କରିଛନ୍ତି। ଉପନିର୍ବାଚନରେ ସରକାରୀ ଅଧିକାରୀମାନଙ୍କୁ ପ୍ରଚାରରୁ ନିବୃତ୍ତ ରଖିବା ଏବଂ ବିନା କୌଣସି ରାଜନୀତିକ ଚାପରେ ନିଜ ଦାୟିତ୍ୱ ଜନସାଧାରଣଙ୍କ ସ୍ୱାର୍ଥରେ ସଠିକ୍ ଭାବେ ତୁଲାଇବା ପାଇଁ ନିର୍ବାଚନ ଆୟୋଗ ଉତ୍ତରଦାୟିତ୍ୱ ତୁଲାନ୍ତୁ ବୋଲି ବିଜେପି ଦାବି କରିଛି।

ଯଦି କୌଣସି ସରକାରୀ ଅଧିକାରୀ ଏଭଳି ବେଆଇନ କାର୍ଯ୍ୟ କରନ୍ତି, ତେବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର କ୍ଷମତା ନିର୍ବାଚନ ଅଧିକାରୀଙ୍କର ରହିଛି। ଏହି ଦିଗରେ ନିର୍ବାଚନ ଅଧିକାରୀ ସଂପୃକ୍ତ ମେଡିକାଲ ଅଫିସରଙ୍କୁ ତୁରନ୍ତ ନିଲମ୍ବନ କରି ଆଗାମୀ ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ନେଇ ସୁନିଶ୍ଚିତ କରାନ୍ତୁ ବୋଲି ପ୍ରତିନିଧି ଦଳ ଦାବି କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଯତୀନ ମହାନ୍ତି ଓ ସୋନାଲୀ ସାହୁଙ୍କ ସମେତ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Related story