ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟ୍ରଙ୍କ ସହିତ ତୁଳନା କଲେ, ସାମାଜିକ ବାସନ୍ଦ କରାଯିବ କହିଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଖ୍ୟମନ୍ତ୍ରୀ ସମ୍ବେଦନହୀନ ହୋଇଯାଇଛନ୍ତି। ସେ ଧୃତରାଷ୍ଟ୍ରଙ୍କ ଭଳି ନିଜ ଲୋକଙ୍କୁ ସୁରକ୍ଷା ଦେବା ଆରମ୍ଭ କରିଛନ୍ତି। ଏହାକୁ ଗ୍ରହଣ କରାଯିବ ନାହିଁ। ତାଙ୍କୁ ସାମାଜିକ ବାସନ୍ଦ କରାଯିବ। ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ପାଦ ପକାଇବାକୁ ଦିଆଯିବ ନାହିଁ। ତାଙ୍କ ଗାଡ଼ିକୁ ଗଡ଼ିବାକୁ ଦିଆଯିବ ନାହିଁ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।’ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟାକାଣ୍ଡ ମାମଲାରେ ଆଜି ଏହି ଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ […]

Pruthraj Harichandan

Jitendra Garnayak
  • Published: Saturday, 06 November 2021
  • , Updated: 06 November 2021, 04:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଖ୍ୟମନ୍ତ୍ରୀ ସମ୍ବେଦନହୀନ ହୋଇଯାଇଛନ୍ତି। ସେ ଧୃତରାଷ୍ଟ୍ରଙ୍କ ଭଳି ନିଜ ଲୋକଙ୍କୁ ସୁରକ୍ଷା ଦେବା ଆରମ୍ଭ କରିଛନ୍ତି। ଏହାକୁ ଗ୍ରହଣ କରାଯିବ ନାହିଁ। ତାଙ୍କୁ ସାମାଜିକ ବାସନ୍ଦ କରାଯିବ। ତାଙ୍କୁ ରାଜ୍ୟର କୌଣସି ସ୍ଥାନରେ ପାଦ ପକାଇବାକୁ ଦିଆଯିବ ନାହିଁ। ତାଙ୍କ ଗାଡ଼ିକୁ ଗଡ଼ିବାକୁ ଦିଆଯିବ ନାହିଁ। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ।’ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟାକାଣ୍ଡ ମାମଲାରେ ଆଜି ଏହି ଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ରମଣ କରିଛନ୍ତି ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ‘ଆମେ ସ୍ପଷ୍ଟ ଭାବେ ଏକଥା କହିବାକୁ ଚାହୁଁ ଯେ ଯେତେ ଦିନ ପର୍ଯ୍ୟନ୍ତ ଦୋଷୀ ମନ୍ତ୍ରୀ ବହିଷ୍କାର ନହୋଇଛନ୍ତି ଓ ଯେତେଦିନ ପର୍ଯ୍ୟନ୍ତ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆ ନଯାଇଛି, ଆପଣ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ) ଓଡ଼ିଶା ପ୍ରଦେଶରେ ଯେକୌଣସି ଜାଗାକୁ ଯିବେ, ଆପଣଙ୍କ ଗାଡ଼ିକୁ ଗଡ଼ିବାକୁ ଦେବୁ ନାହିଁ। ଆପଣଙ୍କ ସଭାସମିତିକୁ ଆମେ ବର୍ଜନ କରାଇବୁ। ଲୋକେ ଯେମିତି ତାଙ୍କ ସଭାସମିତିକୁ ବର୍ଜନ କରିବେ, ସେଥିପାଇଁ ସେମାନଙ୍କୁ ଆହ୍ୱାନ କରାଯିବ। ତେବେ ସଂପୂର୍ଣ୍ଣ ଅହିଂସା ଉପାୟରେ ଏହି ସବୁ କାର୍ଯ୍ୟ କରାଯିବ।’

ପୃଥ୍ୱୀରାଜ କହିଛନ୍ତି, ସାମାଜିକ ବାସନ୍ଦ କ’ଣ ତା’ର ସ୍ୱାଦ ବି ଥରେ ମୁଖ୍ୟମନ୍ତ୍ରୀ ଚାଖିବାର ଆବଶ୍ୟକତା ରହିଛି। ଆଉ ଏହି ଅଭିଯାନ ଆସନ୍ତା ୮ ତାରିଖରୁ କଳାହାଣ୍ଡିରୁ ଆରମ୍ଭ ହେବ, ଯେଉଁ ଦିନ ମୁଖ୍ୟମନ୍ତ୍ରୀ ସେଠାକୁ ଯିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖରେ ପୂରା କଳାହାଣ୍ଡି ଜିଲ୍ଲାରେ ବିଜେପି ସାମାଜିକ ବାସନ୍ଦର କାର୍ଯ୍ୟକ୍ରମ ଚଲାଇବ। ସାଂସଦ ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଓ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ସେଦିନ ଏହି କାର୍ଯ୍ୟକ୍ରମ ଚାଲିବ। ଏହା ସହିତ ସେହିଦିନ ରାଜ୍ୟର ୩୧୪ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦାଗୀ ମନ୍ତ୍ରୀମାନଙ୍କ କୁଶପୁତ୍ତଳିକା ଦାହ କରାଯିବ।

ସେ ଆହୁରି କହିଛନ୍ତି, ୮ ତାରିଖ ଠାରୁ ମୁଖ୍ୟମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମକୁ ବିରୋଧ କରାଯିବ। ଯେଉଁଠାକୁ ମୁଖ୍ୟମନ୍ତ୍ରୀ ଯିବେ, ସେଠାରେ ତାଙ୍କୁ ପାଦ ପକାଇବାକୁ ଦିଆଯିବ ନାହିଁ। ତାଙ୍କ ଗାଡ଼ିକୁ ଗଡ଼ିବାକୁ ଦିଆଯିବ ନାହିଁ। ମୁଖ୍ୟମନ୍ତ୍ରୀ ତାଙ୍କର ଉତ୍ତରଦାୟିତ୍ୱ, ନୈତିକତା ଓ ସମ୍ବେଦନଶୀଳତାକୁ ଭୁଲି ଯାଇଛନ୍ତି। ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଆମର ଲୋଡ଼ା ନାହିଁ। ସେଥିପାଇଁ ତାଙ୍କୁ ସାମାଜିକ ବାସନ୍ଦ କରାଯିବ।

ମମିତା ମେହେର ହତ୍ୟା ଘଟଣାକୁ ମାସେ ପୂରି ଯାଇଥିଲେ ବି ସରକାର ଶୋଇଛନ୍ତି। ଏହା ପୂର୍ବରୁ ବେବିନା, ଇତିଶ୍ରୀ, ପରୀ ଓ ପିହୁ ଘଟଣାରେ ବି ସରକାର ମୂକ ହୋଇ ବସିଥିଲେ। ଓଡ଼ିଶାରେ ବ୍ୟାପକ ମହିଳା ନିର୍ଯାତନା ଘଟଣା ଘଟିଛି। କିନ୍ତୁ ସବୁଥିରେ ସରକାର ଚୁପ୍। କାରଣ ଏଗୁଡ଼ିକରେ ତାଙ୍କ ଦଳର ବିଧାୟକ, ମନ୍ତ୍ରୀ ଓ ବଡ଼ ପଣ୍ଡାଙ୍କ ସଂପୃକ୍ତି ରହିଛି। ଅପରାଧୀଙ୍କୁ ଘଣ୍ଟଘୋଡ଼ାଉଥିବା ବିଧାୟକ ଓ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ କେଉଁଠି ନା କେଉଁଠି ଧୃତରାଷ୍ଟ୍ରଙ୍କ ଭଳି ନିଜ ଲୋକଙ୍କୁ ସୁରକ୍ଷା ଦେବା ଆରମ୍ଭ କରିଛନ୍ତି। ଏହାକୁ ଗ୍ରହଣ କରାଯାଇପାରିବ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ମମିତା ମେହେର ହତ୍ୟାକାଣ୍ଡ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରା ନଯାଇଛି ଓ ଘଟଣାର ସିବିଆଇ ତଦନ୍ତ ପାଇଁ କୁହା ନଯାଇଛି, ସେତେ ଦିନ ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବିଜେଡି କହିଲା ତଥ୍ୟ ଦିଅ

ଅନ୍ୟପକ୍ଷରେ ମମିତା ମେହେର ହତ୍ୟା ମାମଲା ନେଇ ବିରୋଧୀଙ୍କ ଆକ୍ରମଣର ଜବାବ ଦେଇଛି ବିଜେଡି। ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ଅଯଥା ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି, ଏହି ଘଟଣାକୁ ଜାତୀୟ ସ୍ତରକୁ ନେଇ ଅଯଥାରେ ରାଜ୍ୟକୁ ବଦନାମ କରାଯାଉଛି। ଏଭଳି ଶସ୍ତା ରାଜନୀତି ବନ୍ଦ ହେଉ। ପୀଡ଼ିତାଙ୍କୁ କିଭଳି ନ୍ୟାୟ ମିଳିବ, ସେନେଇ ବିଜେପିର ଚିନ୍ତା ନାହିଁ। ଦଳ କେବଳ ଏ ପ୍ରସଙ୍ଗରେ ରାଜନୀତି ଚିନ୍ତା କରୁଛି।

ସେ କହିଛନ୍ତି, କେବଳ ନିର୍ବାଚନ ଆସିଲେ ବିଜେପିର ନାରୀ ସୁରକ୍ଷା କଥା ମନେପଡ଼େ। ଆଉ ନିର୍ବାଚନ ସରିଲେ ଦଳ ଏ ବିଷୟରେ ଭୁଲି ଯାଏ। ଯଦି କାହା ପାଖରେ କିଛି ତଥ୍ୟ ଅଛି, ତେବେ ସେସବୁକୁ ସେମାନେ ପୁଲିସକୁ ଦିଅନ୍ତୁ।

ସସ୍ମିତ କହିଛନ୍ତି ଯେ ଏହି ଘଟଣା ପରେ ବିରୋଧୀ ଦଳ ଗୁଡ଼ିକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପଠାଇଥିଲେ। କିନ୍ତୁ ସେମାନେ କ’ଣ ସବୁ ତଥ୍ୟ ସଂଗ୍ରହ କଲେ, ସେଥିରୁ ଗୋଟିକ ସଂପର୍କରେ ବି କିଛି ତଥ୍ୟ ଦେଲେନି। ବିରୋଧୀ ଦଳଙ୍କ ପାଖରେ ତଥ୍ୟ ଥିଲେ, ସେମାନେ ପୁଲିସ୍ ପାଖକୁ ଯା’ନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ସସ୍ମିତ।

କୋକେଇ ଶୋଭାଯାତ୍ରା

ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଭବାନୀପାଟଣାରେ ଏସପି ଅଫିସ ସମ୍ମୁଖରେ ଧାରଣା ଦେଇଛି ଦଳର ମହିଳା ମୋର୍ଚ୍ଚା। ମହିଳା ମୋର୍ଚ୍ଚାର କର୍ମୀ ମାନେ ପାର୍ଟି ଅଫିସରୁ କୋକେଇ ଶୋଭାଯାତ୍ରାରେ ଆସି ଏସପି ଅଫିସ ଆଗରେ ପହଞ୍ଚିଥିଲେ। ସେଠାରେ ସେମାନେ କର୍ଡନ ଭାଙ୍ଗି ଏସ୍‌ପିଙ୍କ ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ୍ କର୍ମଚାରୀଙ୍କ ସହିତ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।

Related story