ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାପା ଥିଲେ ପୁଅ କେବେବି ସଭାରେ ହାରେନି, ମାଆ ଥିଲେ ପୁଅ ଦୁନିଆକୁ ଡରେନି। ରୁଦ୍ର ସହ ମୋର ପୂରା ସହାନୁଭୂତି ଓ ଆଶୀର୍ବାଦ ରହିଛି। ସେ ନିଶ୍ଚୟ ଜିତିବ; ମୋ ପରିବାର ଭିତରେ ପୂରା ଏକତା ରହିଛି। ପୁଅ ରୁଦ୍ରକୁ ଟିକେଟ ମିଳିବା ପରେ ଆଜି ଏମିତି ପ୍ରତିକ୍ରିୟା ରଖିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ।
ପିପିଲି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଆଜି ନବୀନ ନିବାସ ଯାଇ ଟିକେଟ୍ ଆଣିଛନ୍ତି। ପୁଅ ଟିକେଟ୍ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ମା’ ପ୍ରତିଭା ମହାରଥୀ। ପ୍ରତିଭା କହିଛନ୍ତି, ସର୍ବପ୍ରଥମେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। କାରଣ ସେ ଆମ ପରିବାର ଉପରେ ପୁଣିଥରେ ଭରସା ଦେଖାଇ ମୋ ପୁଅକୁ ଟିକେଟ୍ ଦେଇଛନ୍ତି। ମୋ ପୁଅ ଉପରେ ସମସ୍ତଙ୍କ ଆଶୀର୍ବାଦ ରହିଛି ଏବଂ ସେ ନିଶ୍ଚୟ ବିଜୟୀ ହେବ। ଆଉ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ସବୁ ଇଚ୍ଛାକୁ ନିଶ୍ଚୟ ପୂରଣ କରିବ।
ପ୍ରତିଭା କହିଛନ୍ତି, ଆମ ପରିବାର ନାଁରେ ଯେଉଁ ସବୁ ଚର୍ଚ୍ଚା ହେଉଥିଲା, ତାହା ସବୁ ମିଥ୍ୟା। ଆମେ ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଅଛୁ। ସ୍ୱର୍ଗତ ମହାରଥୀଙ୍କୁ ମୁଁ ଯେମିତି ସହାୟତା କରୁଥିଲି ପୁଅକୁ ମଧ୍ୟ ସେମିତି ସାହାଯ୍ୟ କରିବି। ଯେହେତୁ ମୁଁ ଜଣେ ସରକାରୀ କର୍ମଚାରୀ, ସେଥିପାଇଁ ମୁଁ ପ୍ରଚାର ମଇଦାନକୁ ଯିବିନାହିଁ। କିନ୍ତୁ ପରୋକ୍ଷ ଭାବରେ ମୁଁ ଯେଉଁଭଳି ଆଶୀର୍ବାଦ କରିବା କଥା କରିବି। ଦରକାର ପଡ଼ିଲେ ଭାଇ ପାଇଁ ଭଉଣୀ ଓ ଭିଣୋଇ ବି ପ୍ରଚାର ମଇଦାକୁ ଓହ୍ଲାଇବେ।
ପ୍ରତିଭା ଆହୁରି କହିଛନ୍ତି, କଥାରେ ଅଛି ବାପା ଥିଲେ ପୁଅ କେବେବି ସଭାରେ ହାରେନି, ମାଆ ଥିଲେ ପୁଅ ଦୁନିଆକୁ ଡରେନି। ମୋ ପୁଅ ପାଖରେ ସବୁଠାରୁ ବଡ଼ ସପୋର୍ଟ ଭାବେ ତା’ର ମାଆ ଅଛି। ତେଣୁ ସେ କେବେବି ପଛଘୁଞ୍ଚା ଦେବ ନାହିଁ। ତା’ଛଡ଼ା ସେ ହେଉଛି ଗ୍ରେଟ୍ ମହାରଥୀଙ୍କର ପୁଅ। ତେଣୁ ଡରିବାର କିଛି ଆବଶ୍ୟକ ନାହିଁ। ସେ ଆଗକୁ ଯିବ ଏବଂ ବିଜୟ ଲାଭ କରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।