ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିଲେ ବିରୋଧୀ ସଦସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହରେ ତରବରିଆ ଭାବେ ୨ଟି ବିଲ୍‌କୁ ସରକାର ପାରିତ କରାଇନେବା ପ୍ରତିବାଦରେ ଗୃହରେ କିଛି ବିରୋଧୀ ଦଳ ସଦସ୍ୟ ଆଜି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, କଲମ ଓ ହେଡଫୋନ୍ ଫିଙ୍ଗିଥିବା ଜଣାପଡ଼ିଛି। ତେବେ ଫୋପାଡ଼ିବା କଥାକୁ କୌଣସି ସଦସ୍ୟ ସ୍ୱୀକାର କରିନାହାନ୍ତି। ସେପଟେ ଏହି ଘଟଣାରେ ସବୁଦିଗକୁ ବିଚାର କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି। ଆଜି ପୂର୍ବାହ୍ନ ଅଧିବେଶନରେ ଗୃହରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଖଣି […]

Odisha assembely

Ordigital Desk
  • Published: Saturday, 03 April 2021
  • , Updated: 03 April 2021, 04:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୃହରେ ତରବରିଆ ଭାବେ ୨ଟି ବିଲ୍‌କୁ ସରକାର ପାରିତ କରାଇନେବା ପ୍ରତିବାଦରେ ଗୃହରେ କିଛି ବିରୋଧୀ ଦଳ ସଦସ୍ୟ ଆଜି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, କଲମ ଓ ହେଡଫୋନ୍ ଫିଙ୍ଗିଥିବା ଜଣାପଡ଼ିଛି। ତେବେ ଫୋପାଡ଼ିବା କଥାକୁ କୌଣସି ସଦସ୍ୟ ସ୍ୱୀକାର କରିନାହାନ୍ତି। ସେପଟେ ଏହି ଘଟଣାରେ ସବୁଦିଗକୁ ବିଚାର କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି।

ଆଜି ପୂର୍ବାହ୍ନ ଅଧିବେଶନରେ ଗୃହରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଖଣି ସମ୍ପର୍କିତ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବିଜେପି ସଦସ୍ୟମାନେ ମଧ୍ୟ ସମାନ ପ୍ରସଙ୍ଗରେ ଉଦବେଗ ବ୍ୟକ୍ତ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପନ ପରେ ଓଡ଼ିଶା ଲୋକାୟୁକ୍ତ ସଂଶୋଧନ ବିଲ୍ ଓ ଓଡ଼ିଶା ସୋସାଇଟି ପଞ୍ଜିକରଣ ବିଲକୁ ତରବରିଆ ଭାବେ ସରକାର ବିଧାନସଭାରେ ପାରିତ କରି ନେଇଥିବା ବେଳେ ବିରୋଧୀ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେବା ଦାବି କରି ବିଜେପି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିବା ସହ କଲମ, ହେଡଫୋନ୍ ଓ ଚପଲ ଫିଙ୍ଗିଥିଲେ। ଗୃହରେ ଅସ୍ୱାଭାବିକ ପରିସ୍ଥିତି ହେବାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ଯେ, ଖଣି ଦୁର୍ନୀତି ଆଲୋଚନା ହେଲା ନାହିଁ। ଧାନ ପ୍ରସଙ୍ଗରେ ଆଲୋଚନା ହେଲା ନାହିଁ। ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି। ଆଲୋଚନା ନକରି ଅଗଣତାନ୍ତ୍ରିକ ଉପାୟରେ ବିଲ୍ ପାରିତ କରାଯାଉଛି। ବାଚସ୍ପତି ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଭାବେ ବିଧାନସଭା ଚଳାଉଥିବାରୁ ପ୍ରତିବାଦ କରାଯାଇଛି। ଏହା ଅଗଣତାନ୍ତ୍ରିକ ଓ ପରିତାପର ବିଷୟ। ପ୍ରତିବାଦ କରାଯିବା ସତ୍ତ୍ୱେ ବାଚସ୍ପତି ଶୁଣିନଥିଲେ। ମଣିଷକୁ ଯେତେବେଳେ ଅଧିକ ବାଧିବ ସେ ପ୍ରତିବାଦ ହିଁ କରିବ। ଏ ବାଚସ୍ପତି ଯେଉଁ ଭଳି ଢଙ୍ଗରେ କାର୍ଯ୍ୟ କରୁଛନ୍ତି ତାହା କଦାପି ଗ୍ରହଣୀୟ ନୁହେଁ। ଚପଲ କିଏ ପିଙ୍ଗିଛି ତାହା ସେ ଜାଣିନାହାନ୍ତି। ସେ ଗୃହ ଭିତରେ ନିଜର କଲମ ଫିଙ୍ଗିଥିଲେ ବୋଲି ଶ୍ରୀ ସେଠୀ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବାଚସ୍ପତିଙ୍କ ଆଡ଼କୁ ଚପଲ ଫିଙ୍ଗା ଯିବାର ଖବର ସେ ପାଇଛନ୍ତି। ଏପରି ଘଟଣାକୁ ସେ ନିନ୍ଦା କରୁଛନ୍ତି। ତେବେ ସରକାର ଆଲୋଚନା ନକରି ବିଲକୁ ପାରିତ କରିନେଇଛନ୍ତି।

ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବାଚସ୍ପତିଙ୍କ ଉପରକୁ ଜୋତା ଫିଙ୍ଗା ଯାଇଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀ ଓ ମୋହନ ମାଝୀ ଇୟର ଫୋନ୍ ଫିଙ୍ଗିଛନ୍ତି। ଏହା ଏକ ଅଶୋଭନୀୟ ଓ ନିନ୍ଦନୀୟ କାର୍ଯ୍ୟ। ବାଚସ୍ପତି ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ପଦକ୍ଷେପ ନେବେ।

ଅନ୍ୟପକ୍ଷରେ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ସେ ଏହି ଘଟଣାର ସମସ୍ତ ଦିଗକୁ ବିଚାର କରୁଛନ୍ତି। ଆଇନ ତା’ ବାଟରେ ଯିବ। ସେ ଭିଡିଓ ଫୁଟେଜ୍ ଓ ଫଟୋଗ୍ରାଫଗୁଡ଼ିକ ମଗାଇ ତାକୁ ଅନୁଧ୍ୟାନ କରୁଛନ୍ତି।

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗା ଘଟଣାକୁ ସବୁ ଦଳର ବିଧାୟକମାନେ ନାପସନ୍ଦ କରିଛନ୍ତି।

Related story